ଗୋଦାବରୀ ଶକ୍ତିପୀଠ

ଗୋଦାବରୀ ଶକ୍ତିପୀଠ ବା ସର୍ବଶୈଲ, ଭାରତୀୟ ଉପ-ମହାଦେଶରେ ଥିବା ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହା ମଧ୍ୟ ହିନ୍ଦୁ ମାନଙ୍କ ପାଇଁ ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ଗୋଟିଏ । ଏହି ଶକ୍ତିପୀଠ ଭାରତର ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ରାଜମୁନ୍ଦରୀ ନିକଟସ୍ଥ ଗୋଦାବରୀ ନଦୀ କୂଳରେ କୋଟିଲେଶ୍ୱର ମନ୍ଦିରରେ ଅବସ୍ଥିତ । ଗୋଦାବରୀ ନଦୀ କୂଳ ଶକ୍ତିପୀଠକୁ ମଧ୍ୟ ସର୍ବଶୈଲ ଶକ୍ତିପୀଠ କୁହାଯାଏ । ଗୋଦାବରୀ କୂଳ ଶକ୍ତିପୀଠ ଏକ ପ୍ରାଚୀନ ମନ୍ଦିର ଗୁଡ଼ିକ ମଧ୍ୟରେ ଗୋଟିଏ । ଏହି ପ୍ରାଚୀନ ମନ୍ଦିରର ବାସ୍ତୁକଳା ଖୁବ୍ ମନୋରମ ଓ ଅଦ୍ଭୁତ । ଏହି ମନ୍ଦିର ବହୁ ବିଶାଳ ଆକାରର ଦେଖା ଯାଇଥାଏ, ଯେହେତୁ ମନ୍ଦିରର ଗୋପପୁରମ୍ ଏକ ଉଚ୍ଚ ସ୍ଥାନରେ ନିର୍ମିତ ହୋଇଛି । ମନ୍ଦିରରେ ସବୁ ଦେବୀ ଦେବତାଙ୍କର ମୂର୍ତ୍ତି ସ୍ଥାପିତ ହୋଇଛି । ଏହି ମନ୍ଦିର ଗୋଦାବରୀ କୂଳରେ ଅବସ୍ଥିତ, ଯାହା ଭାରତରେ ଗଙ୍ଗା ନଦୀ ପରେ ଦ୍ୱିତୀୟ ଦୀର୍ଘତମ ନଦୀ ଭାବେ ପରିଚିତ ।
ଏହି ମନ୍ଦିର ମାତାଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ଗୋଟିଏ । ଏହି ମନ୍ଦିରରେ ଦେବୀ ବିଶ୍ୱେଶ୍ୱରୀଙ୍କୁ ଶକ୍ତି ଓ ସାକିନୀ ରୂପରେ ପୂଜା କରାଯାଇ ଥାଏ । ସେହପରି ଏଠାରେ ଭୈରବଙ୍କୁ ବତ୍ସନାଭ ଓ ଦଣ୍ଡପାଣି ରୂପରେ ପୂଜା କରାଯାଇ ଥାଏ ।
ଭାରତୀୟ ଉପମହାଦେଶରେ ରହିଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ମା’ଦେବୀ ବିଶ୍ୱେଶ୍ୱରୀଙ୍କ ମନ୍ଦିର ବା ଗୋଦାବରୀ ଶକ୍ତିପୀଠ ଅନ୍ୟତମ । ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ମାନଙ୍କ ମଧ୍ୟରେ“ମାତା ବିଶ୍ୱେଶ୍ୱରୀ ମନ୍ଦିର” ବା ଶକ୍ତିପୀଠ ଏଠାରେ ରହିଛି । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା ।
ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର “ମାତା ବିଶ୍ୱେଶ୍ୱରୀ” ବା ଗୋଦାବରୀ ଶକ୍ତିପୀଠ ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ସ୍ଥାନରେ ମାତା ବିଶ୍ୱେଶ୍ୱରୀଙ୍କ ଶକ୍ତିପୀଠ ରହିଛି, ସେଠାରେ ମାତା ସତୀଙ୍କର ‘ବାମଗାଲ’ ଖଣ୍ଡ ପଡ଼ିଥିଲା ।
ପ୍ରତି ବାର ବର୍ଷରେ ଥରେ ଏଠାରେ ‘ପୁଷ୍କରମ୍ ମେଳା’ର ଭବ୍ୟ ଆୟୋଜନ ହୋଇଥାଏ । ଏହି ମେଳା ଗୋଦାବରୀ ନଦୀ କୂଳରେ ଅତି ଉତ୍ସାହର ସହ କରା ଯାଇଥାଏ । ଏହି ସମୟରେ ଭାରତର ପ୍ରତ୍ୟେକ ରାଜ୍ୟରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଓ ଲୋକେମାନେ ଏଠାରେ ଭିଡ଼ ଜମାନ୍ତି । ମୁଖ୍ୟତଃ ଲକ୍ଷ ଲକ୍ଷ ଲୋକେ ପବିତ୍ର ଗୋଦାବରୀ ନଦୀରେ ସ୍ନାନ କରିବାକୁ ଆସିଥାନ୍ତି, ଯେହେତୁ ସବୁ ପ୍ରକାର ପାପରୁ ମୁକ୍ତି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ମାତାଙ୍କ ଭକ୍ତ, ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ମାନେ ମନେ କରନ୍ତି ।
ଏହି ଶକ୍ତିପୀଠରେ ବିଭିନ୍ନ ପର୍ବ ପର୍ବାଣୀ ଧୂମଧାମ୍ରେ ପାଳିତ ହୋଇଥାଏ । ବିଶେଷତଃ ଦୁର୍ଗା ପୂଜା ଓ ପବିତ୍ର ନବରାତ୍ର ଉତ୍ସବ ଧୂମଧାମରେ ପାଳନ କରାଯାଏ । ଏହି ପର୍ବ ମାତାଙ୍କର ସବୁଠୁ ବଡ଼ ପର୍ବ ଭାବରେ ପାଳନ କରାଯାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନ, ପ୍ରାଣ ଓ ହୃଦୟକୁ ଶାନ୍ତି ପ୍ରଦାନ କରିଥାଏ ।
ବର୍ଷର ସବୁ ସମୟରେ ମାତାଙ୍କର ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ଦେବୀଙ୍କର ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ପର୍ବପର୍ବାଣୀରେ ମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲ ଓ ଲାଇଟ୍ ଦ୍ୱାରା ସଜା ଯାଇଥାଏ । ଏହି ସମୟରେ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ-ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ ।
ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମାତାଙ୍କୁ ପୂଜା କରିବାକୁ ଏଠାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଯେଉଁ ଭକ୍ତ ମାତାଙ୍କୁ ଦର୍ଶନ ପାଇଁ ଏଠାକୁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ମାତା ପ୍ରତ୍ୟକ୍ଷ ଦେବୀ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
             ଶରତ କୁମାର ରାଉତ, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

 

Leave a Reply

Your email address will not be published.