ସାମାଜିକ କାର୍ଯ୍ୟ ହେଉ ନଥିବାରୁ ଜନ ଅସନ୍ତୋଷ ବଢୁଛି

ସାମାଜିକ କାର୍ଯ୍ୟ ହେଉ ନଥିବାରୁ ଜନ ଅସନ୍ତୋଷ ବଢୁଛି

ଭୁବନେଶ୍ୱର,(ଓଏନ୍ଏସ୍): ଓଡ଼ିଶାରେ ଥିବା ଟାଟା ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଉପଯୁକ୍ତ ଥଇଥାନ, ପୁନର୍ବାସ, ପ୍ରଦୂଷଣ ଓ ସାମାଜିକ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଓଏନ୍ଏସ୍ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଟାଟାଷ୍ଟିଲ୍ ପ୍ରକଳ୍ପ ଗୁଡ଼ିକ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ନିରୀହ ଲୋକେ ନିଜର ମୂଲ୍ୟବାନ୍ ଘରବାଡ଼ି, ଚାଷ ଜମି ଓ ଜୀବୀକା ହରାଇଛନ୍ତି । କ୍ଷତିପୂରଣ, ଥଇଥାନ, ପୁନର୍ବାସ ଓ ନିଯୁକ୍ତି କ୍ଷେତ୍ରରେ ଟାଟାଷ୍ଟିଲ୍ ସ୍ଥାନୀୟ ବିସ୍ଥାପିତ ମାନଙ୍କୁ ଘୋର ଅବହେଳା କରିଥିବା ଅଭିଯୋଗ ହୋଇ ଆସୁଛି । କେତେକ ବିସ୍ତାପିତ ସଦସ୍ୟ ପୁନର୍ବାସ ପାଇଁ ଜମି ପ୍ଲଟ୍ ପାଇ ନଥିବାବେଳେ ଆଉ କେତେକ ଘର ତିଆରି ପାଇଁ ନିର୍ଦ୍ଧାରିତ ଟଙ୍କା ପାଇ ନାହାଁନ୍ତି ଓ ସେମାନଙ୍କୁ ନିଯୁକ୍ତି ମିଳିନାହିଁ । ଏଥିନେଇ ସ୍ଥାନୀୟ ବିସ୍ଥାପିତ, ପ୍ରଭାବିତ, ବୁଦ୍ଧିଜୀବୀଙ୍କ ସମେତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ଆସୁଛି । ଇତିମଧ୍ୟରେ ବହୁବାର ଆଂଦୋଳନ ହୋଇଛି ଓ କମ୍ପାନୀ କର୍ତୂପକ୍ଷ ଆନେ୍ଦାଳନକାରୀଙ୍କୁ ମିଛ ପ୍ରତିଶ୍ରୂତି ଓ ଆଶ୍ୱାସନା ଦେଇଛନ୍ତି । ହେଲେ କୌଣସି ସୁଫଳ ମିଳିନାହିଁ । ଓଏନ୍ଏସ୍ ଜାଣିବାକୁ ପାଇଛି ଯେ, ବିଭିନ୍ନ ପ୍ରକଳ୍ପ ଅଂଚଳରେ ପରିବେଶ ପ୍ରଦୂଷଣ ବଢି ଚାଲିଥିଲେ ହେଁ କମ୍ପାନୀର କୌଣସି ଚିନ୍ତା ନାହିଁ । କଳିଙ୍ଗନଗର ଶିଳ୍ପାଂଚଳ, ସୁକିନ୍ଦା ଓ ଯୋଡ଼ା ଖଣି ଅଂଚଳ ମାନଙ୍କରେ ପରିବେଶ ପ୍ରଦୂଷଣ ଜନିତ ଭୟାବହତା ଚରମ ସୀମା ପାର କରିଥିବା କିଛିବର୍ଷ ତଳୁ କମ୍ପାନୀ ଦ୍ୱାରା ଯତକିଂଚିତ ସାମାଜିକ କାର୍ଯ୍ୟ ହୋଇ ଆସୁଥିଲା, ତାହା ବନ୍ଦ୍ ହୋଇ ଯାଇଛି । ସୂଚନାଯୋଗ୍ୟ ଯେ, ସୁକିନ୍ଦା କ୍ରୋମାଇଟ୍ ଖଣି ଅଂଚଳରେ ମାରାତ୍ମକ କ୍ୟାନସରର ଭୟାବହତା ଚରମ ରୂପ ନେଇଛି । ଏହି ଅବସ୍ଥା ଅନେକ ଦଶନ୍ଧି ତଳୁ ଚାଲି ଆସିଲାଣି । ଏଠାରେ ଅକାଳ ମୃ ତୁ୍ୟ ସଂଖ୍ୟା ଅଧିକ । ହେଲେ ଏହାର କାରଣ ଯେ କ୍ୟାନସର, ତାହା କେବଳ କ୍ରୋମାଇଟ୍ ଖଣି କମ୍ପାନୀ ଓ ପ୍ରଶାସନ ଜାଣିଛନ୍ତି । କ୍ରୋମାଇଟ୍ ବିଶୋଧନ ବେଳେ ସେଥିରୁ ନିର୍ଗତ ବର୍ଜ୍ୟ ପାଣି ସ୍ଥାନୀୟ ନାଳ ପୋଖରୀ ଆଦିରେ ଛାଡ଼ି ଦିଆଯାଏ । ଏହି ପାଣିରେ ରହିଛି ମାରାତ୍ମକ ହେକ୍ସାଭାଲେଂଟ୍ କ୍ରୋମିଅମ୍ । ଏହି ପାଣି ବ୍ୟବହାର ଦ୍ୱାରା ଶରୀରରେ ସୃଷ୍ଟି ହୁଏ କ୍ୟାନ୍ସର ଆଉ ଆକ୍ରାନ୍ତ ହୁଏ ଲିଭର୍ ଓ ସ୍କିନ୍ । କ୍ରମେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇ ଶେଷରେ କ୍ୟାନସରରେ ପରିଣତ ହୋଇଥାଏ । ମାତ୍ର ଏହାକୁ ‘କ୍ୟାନସର ବୋଲି କୁହାଯାଏ’ ବା ଏହାର ମୂଳକାରଣ ଲୋକେ ଜାଣି ପାରନ୍ତି ନାହିଁ । ଟାଟାଷ୍ଟିଲ୍ର କଳିଙ୍ଗନଗର ପ୍ରକଳ୍ପ ଅଂଚଳରେ ଅଧିକାଂଶ ସମୟରେ ମାରାତ୍ମକ ଡ଼େଙ୍ଗୁ ରୋଗର ଭୟାବହତା ଦେଖା ଯାଇଥାଏ । ଅତୀତରେ ସାରା ରାଜ୍ୟରେ ଡ଼େଙ୍ଗୁରୋଗୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏଠାରେ ଚିହ୍ନଟ ହୋଇଛନ୍ତି । ମ୍ୟାଲେରିଆ ପ୍ରବଣ କେନ୍ଦୁଝର ଜିଲ୍ଲାର ଖଣି ଓ ଶିଳ୍ପ ପ୍ରଭାବିତ ଅଂଚଳରେ ପ୍ରତିବର୍ଷ ବର୍ଷା ଦିନ ଆରମ୍ଭରେ ଟାଟାଷ୍ଟିଲ୍ ପକ୍ଷରୁ ମଶାରୀ ବଂଟନ କରାଯିବା ସହ ଗ୍ରାମାଂଚଳରେ ନିୟମିତ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଏ । କିନ୍ତୁ କିଛି ବର୍ଷ ତଳୁ କମ୍ପାନୀ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ ବନ୍ଦ୍ ହୋଇ ଯାଇଥିବା ଅଭିଯୋଗ ହେଉଛି । ସାମାଜିକ କାର୍ଯ୍ୟ ଅଭାବରୁ ଉକ୍ତ ଅଂଚଳରେ ସଂକ୍ରାମକ ରୋଗର ଉତ୍ପାତ ବଢିଚାଲିଛି ଓ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେହିପରି କମ୍ପାନୀର ସୁକିନ୍ଦା, କଳିଙ୍ଗନଗର, ଗୋପାଳପୁର ଓ ଅନ୍ୟାନ୍ୟ ପ୍ରକଳ୍ପ ଅଂଚଳରେ ବିସ୍ତାପିତ ମାନେ ମୌଳିକ ସମସ୍ୟାରେ ଘାଂଟି ହେଉଥିବାବେଳେ ସାମାଜିକ କାର୍ଯ୍ୟ ବନ୍ଦ୍ ହୋଇ ଯାଇଥିବାରୁ ଟାଟାଷ୍ଟିଲ୍ ଉପରେ ବର୍ଷବର୍ଷ ତଳୁ ନିର୍ଭର କରି ଆସୁଥିବା ଲୋକ ମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଓ ସାମାଜିକ ବ୍ୟବସ୍ଥା ବିପନ୍ନ ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଉକ୍ତ କମ୍ପାନୀ ଦ୍ୱାରା କେତେକ ନିର୍ଦ୍ଧିଷ୍ଟ ଲୋକପ୍ରତିନିଧି, ନେତା ଓ ପ୍ରଶାସକ ମାନଙ୍କୁ ବଶୀଭୂତ କରାଯାଇ ବିସ୍ଥାପିତ ଓ ପ୍ରଭାବିତ ମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ବଢୁଛି ଓ କେଉଁ ମୁହୂର୍ତରେ ତାହା ବିଷ୍ପୋରକ ରୂପ ନେବାର ଆଶଙ୍କା ଥିବା କୁହାଯାଉଛି । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏ ଅଂଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଓଏନ୍ଏସ୍ ।

(Photo from https://www.thehindubusinessline.com)

Leave a Reply

Your email address will not be published.