ଏପରି ନଥିଲେ ଓଡ଼ିଆ!

ଶରତ କୁମାର ରାଉତ
କିଛିବର୍ଷ ତଳୁ ସାରା ରାଜ୍ୟରେ ପିଆଜ, ଆଳୁ, ଟମାଟର ସମେତ ସବୁ ପନିପରିବା, ଫଳ, ମାଛ, ମାଂସ, ଅଣ୍ଡା ଆଦିର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁ ସାଧାରଣରେ ଭାଳେଣୀ ପଡ଼ିଛି । ଏହାର କାରଣ ଯାହା ହେଉନା କାହିଁକି, ଆମେ ଏତିକି ନିଶ୍ଚୟ କହିପାରିବା ଯେ, ଓଡ଼ିଆଙ୍କ ଭାଗ୍ୟରେ ପଚା ପରିବା, ପଚାଫଳ, ପଚାମାଛ, ପଚା ଅଣ୍ଡା ଛଡ଼ା ସଜ ଜିନିଷ ଖାଇବାର ଯୋଗ ନାହିଁ । ପ୍ରତିଦିନ ସକାଳେ ସୁଦୂର ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟରୁ ବରଫଦିଆ ମାଛ, ପନିପରିବା ଓ ଫଳ ବୋଝେଇ ଶହଶହ ଟ୍ରକ୍ ରାଜ୍ୟର ବିଭିନ୍ନ ସହରକୁ ଆସୁଛି । ଦିନେ ପନିପରିବା ସୂଅରେ ଭାସୁଥିଲା ଓଡ଼ିଶା । କୃଷକ ପରିବାର ନିଜ ବାଡ଼ି ଓ ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିଲା । ବର୍ଷ ସାରା ନିଜ ଉତ୍ପାଦିତ ଆଳୁ, ପିଆଜ, ରସୁଣ, ବିରି, ମୁଗ, ଅଦା, କଖାରୁ, ଶାଗ, ଭେଣ୍ଡି, ବାଇଗଣ, ଟମାଟର, ଜହ୍ନି, ଲାଉ, କାକୁଡ଼ି, ପୋଇ, ଲଙ୍କା, ନଡ଼ିଆ, କଦଳୀ ଆଦି ନିଜେ ଖାଇ ବଳକା ପଡ଼ୋଶୀଙ୍କୁ ବାଟୁଥିଲା ଓ ପାଖ ହାଟ ବଜାରରେ ବିକ୍ରି କରୁଥିଲା । ସେହିପରି ପ୍ରତି ପରିବାର ନିଜ ପୋଖରୀରୁ ମାଛ ଉତ୍ପାଦନ କରି ମନ ଖୁସିରେ ଖାଉଥିଲା ଓ ପଡ଼ୋଶୀମାନଙ୍କୁ ବାଂଟୁଥିଲା । କିନ୍ତୁ ଆଜି ସବୁ ପରିବର୍ତନ । ଚାଷୀ ସଂଖ୍ୟା ଢେର୍ କମିଯାଇଛି । ଚାଷ ପ୍ରତି ଆଉ କାହାରି ଆନ୍ତରିକତା ନାହିଁ । ନିଜ ବୃତି ଉପରେ ଭରସା ହରାଇବା ପରେ ଅଧିକ ରୋଜଗାର ଆଶାରେ ଅଧିକାଂଶ ଚାଷୀ ନିଜ ଚାଷ ଜମି ପଡ଼ିଆ ପକାଇ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି କିମ୍ବା ଅନ୍ୟ ବୃତିରେ ପ୍ରବେଶ କରିଛନ୍ତି । ଗାଁରେ ଆଉ ଆଗ ଭଳି ଚାଷବାସ ନାହିଁ । ପରିବା ଚାଷ ଆଦୌ ନାହିଁ । ଗାଁର ପୋଖରୀ ସବୁ ପୋତି ହୋଇ ଗଲାଣି ବା ଦଳଭର୍ତି ହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ବାହାରେ ଭଲ ରୋଜଗାର ହେଉଥିବାରୁ ସେମାନେ ଗାଁ ମାଟି ମାଡ଼ୁନାହାଁନ୍ତି । କେବେ ଥରେ ଅଧେ ଆସି ଘର ପରିବାର କଥା ବୁଝି ଚାଲି ଯାଉଛନ୍ତି । ସହଜେ ସରକାରଙ୍କ ପାଖରୁ ଟଙ୍କାଟାରେ ଚାଉଳ, ୫ଟଙ୍କାରେ ଖାଇବାକୁ ଓ ଆଉ କିଛି ଜିନିଷ ମାଗଣାରେ ମିଳୁଛି । ସେମାନେ ଆଉ ଚିନ୍ତା କରିବେ କାହିଁକି?
କଠୋର ସତ୍ୟ ହେଲା, ସରକାର ଚାଷୀମାନଙ୍କ ପାଇଁ ଚିନ୍ତା କରିନାହାଁନ୍ତି କି ସେମାନଙ୍କ ଭଲ-ମନ୍ଦରେ ପାଖରେ ଛିଡ଼ା ହୋଇନାହାଁନ୍ତି । ମାଛ ଚାଷୀ ହୁଅନ୍ତୁ କି ଫଳ-ପରିବା, ମୁଗ, ବିରି ଚାଷୀ, ଆମ ସରକାର ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି? ରାଜ୍ୟରେ ଏସବୁ ଚାଷର ଉନ୍ନତି ପାଇଁ କିଛି ସ୍ୱତନ୍ତ୍ର ନୀତି ଅଛି କି? ଯେଉଁମାନେ ଆମ ରାଜ୍ୟରେ ଏସବୁ ଉତ୍ପାଦନରେ ନିୟୋଜିତ ଥିଲେ, ସରକାର ସେମାନଙ୍କ ଉନ୍ନତି ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା କରି ନଥିବାରୁ ହିଁ ସେମାନେ ନିଜ ପେଷା ଛାଡ଼ି ବାହାରେ ଭଲ ରୋଜଗାରରେ ଅଛନ୍ତି । ଆଜି ଅବସ୍ଥା ଏପରି ହୋଇଛି ଯେ, ସାମାନ୍ୟ ପିଆଜ ପାଇଁ ଲୋକେ କାନ୍ଦୁଛନ୍ତି । ଲୋକେ କହନ୍ତି, ଗରିବ ପରିବାରର ଲୋକ ମାନେ ପଖାଳରେ ପିଆଜ ଓ ଲଙ୍କା ଲଗେଇ ଖାଇ ନିଅନ୍ତି । ହେଲେ ଏସବୁ ଆଜି ସେମାନଙ୍କ ପାଇଁ ସାତ ସପନ । ଗାଁର ବୁଢା ଲୋକେ କହୁଛନ୍ତି, ଏଭଳି ଦିନ ଆସିବ ବୋଲି ଆମେ ଆମର ପିଲାଦିନେ ଭାବି ନଥିଲୁ । ମାଛର ପେଣ୍ଠ ବୋଲି କୁହାଯାଉଥିବା ବାଲୁଗାଁ, ରମ୍ଭା, କାଳୁପଡ଼ା ଘାଟ, ତନ୍ତିଆପାଳ, ଜଗରିଜୋର, ଜମ୍ବୁ, ଖରିନାଶି, ବାବର, ପାରାଦୀପ ଭଳି ସମୁଦ୍ର ଉପକୂଳ ବର୍ତୀ ଅଂଚଳର ମାଛ ବଜାରରେ ମଧ୍ୟ ଆନ୍ଧ୍ର ମାଛ ବିକ୍ରି ହେଉଛି । ଏହି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି । ନିଜ ବାଡ଼ିରେ ଯେଉଁ ଜିନିଷ ମିଳୁଥିଲା, ସେସବୁ ଆଜି ଲୋକେ ଦେଖିବାକୁ ପାଉ ନାହାଁନ୍ତି । ଏହାକୁ ଓଡ଼ିଶାର ଦୁର୍ଭାଗ୍ୟ ଛଡ଼ା ଆଉ କ’ଣ କୁହାଯାଇ ପାରିବ?
୧୯୫୨ରେ ଗ୍ରାମ୍ୟଗୋଷ୍ଠୀ ଉନ୍ନୟନ ଯୋଜନା ସାରା ଭାରତରେ କାର୍ଯ୍ୟକାରୀ ହୋଇଥିଲା । ଗାଁ ଗହଳରେ ମାଛ ଚାଷ, କୁକୁଡ଼ା ଚାଷ, ଗୋପାଳନ ଓ ଫଳ ଚାଷ ପାଇଁ ବ୍ଲକ୍ କାର୍ଯ୍ୟାଳୟ ମାନଙ୍କରେ ସଂପ୍ରସାରଣ ଅଧିକାରୀ ମାନେ ନିଯୁକ୍ତି ପାଇଲେ । ସରକାର ମଧ୍ୟ ପ୍ରୋତ୍ସାହନ ପାଇଁ ସବ୍ସିଡ଼ି ଦେଲେ । ମାତ୍ର ଆମ ରାଜ୍ୟର ହାକିମ ଓ ଲୋକମାନେ ଭାବିଲେ, ଏତେ କଷ୍ଟ କରିବା ଅପେକ୍ଷା କାଗଜପତ୍ରରେ କାମ ଦେଖାଇ ସବ୍ସିଡ଼ି ଚଳୁ କରିଦେବା ବରଂ ଭଲ ହେବ! ସେହି ଅନୁସାରେ ମିଛ ପୋଖରୀ, ମିଛ ମାଛ ଓ କାଗଜପତ୍ରରେ କୁକୁଡ଼ା ଫାର୍ମ ହେଲା, ଗଛ ନଥାଇ ଆମ୍ବ ବଗିଚା ହେଲା, କ୍ଷୀର ଉତ୍ପାଦନ ମଧ୍ୟ କାଗଜପତ୍ରରେ ଦେଖାଇ ଦିଆଗଲା ଇତ୍ୟାଦି । ପ୍ରୋତ୍ସାହନ ଅର୍ଥକୁ ନେତା, ଅଧିକାରୀ ଓ ହିତାଧିକାରୀ ବାଂଟି ଖାଇଲେ । ଏହି ପରମ୍ପରା ଏବେ ମଧ୍ୟ ଆମ ରାଜ୍ୟରେ ଜାରି ରହିଛି । ମାତ୍ର ଆନ୍ଧ୍ର ପ୍ରଦେଶ ଭଳି ଅନ୍ୟାନ୍ୟ କେତେକ ରାଜ୍ୟରେ ଘଟଣା ଅନ୍ୟ ଦିଗରେ ଗତି କଲା । ସୁଯୋଗକୁ ହାତ ଛଡ଼ା ନକରି ସେମାନେ ନିଜ ରାଜ୍ୟରେ ସତ ମାଛ ପୋଖରୀ, ଆମ୍ବ ବଗିଚା, କଦଳୀ ବଗିଚା, କୁକୁଡ଼ା ଓ ଗାଈ ଫାର୍ମ ଆଦି ସୃଷ୍ଟି କଲେ । ସଠିକ୍ ଭାବେ ଉତ୍ପାଦନ ମଧ୍ୟ ହେଲା । ବଜାର ପାଇଁ ଓଡ଼ିଶା ଭଳି ଏକ ଅକର୍ମା ରାଜ୍ୟ ମିଳିଗଲା । ସେଥିପାଇଁ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆମ ରାଜ୍ୟ ଆଜି ପିଆଜ, ଆଳୁ, ଡ଼ାଲି, ମାଛ, ଅଣ୍ଡା, କାଗଜିଲେମ୍ବୁ, କଦଳୀ, ଆମ୍ବ ଆଦି ଫଳ ପାଇଁ ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର ଶୀଳ । ସେଠାକାର ସରକାର, ନେତା ଓ ଅଧିକାରୀ ମାନଙ୍କ ଆନ୍ତରିକତା ଓ ରାଜ୍ୟର ବିକାଶ ପାଇଁ ଦୃଢ ମାନସିକତା ହିଁ ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କିନ୍ତୁ ଆମ ରାଜ୍ୟର ଦୁର୍ନୀତିଗ୍ରସ୍ତ ନେତା ଓ ଅପାରଗ ଅଧିକାରୀ ମାନଙ୍କ ଯୋଗୁ ଓଡ଼ିଶାର ଏହି ଅବସ୍ଥା! କିଏ ଏଥିପାଇଁ ଦାୟୀ?…
ଆମ ରାଜ୍ୟରେ ଏସବୁ ଚାଷର ଉନ୍ନତି ପାଇଁ ଆମ ସରକାର ଏବେ ବି ପଦକ୍ଷେପ ନେଉଛନ୍ତି ଓ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ହେଲେ ସେସବୁ କେବଳ ଖାତାପତ୍ରରେ ସୀମିତ ରହି ଯୋଜନା ସଫଳ ବୋଲି ଦର୍ଶା ଯାଉଛି । ଖାଲି ମିଛ.. ମିଛ….. ଡ଼ାହା ମିଛ! ଅତୀତରେ ଓଡ଼ିଆ ମାନେ ସାଧୁ, ନମ୍ର, ସରଳ ଓ ଅତିଥି ପରାୟଣ ଥିଲେ । ବିଭିନ୍ନ ଧର୍ମଗ୍ରନ୍ଥରୁ ନିଜ ଜୀବନର ଦିଗ୍ଦର୍ଶନ ପାଉଥିଲେ । ଅନ୍ୟର ଅର୍ଥକୁ ଆତ୍ମସାତ୍ କରିବା ପାପ ବୋଲି ମନେ କରୁଥିଲେ । କାହାକୁ ଜାଣିଶୁଣି ହଇରାଣ କରିବା ବା କାହାକୁ ଆର୍ଥିକ ଶୋଷଣ କରିବା ନର୍କଗାମୀ ବୋଲି ଭାବୁଥିଲେ । ଅନ୍ୟର ଦୟା ଓ ଭିକ୍ଷା ଉପରେ ଏମାନେ ନିର୍ଭର କରୁନଥିଲେ । କିନ୍ତୁ ଆଜି ଛୋଟରୁ ବଡ଼ ସମସ୍ତଙ୍କ ମୁଣ୍ଡରେ ବହୁ ଧନ-ସଂପତିର ଅଧିକାରୀ ହେବା ମତଲବ୍ ଭରି ରହିଛି । ବହୁ ଅଧିକ ପାଠ ପଢିଥିବା ବଡ଼ ଅଫିସର୍ ବି ସବୁଠୁ ବଡ଼ ଠକ ଓ ଦୁର୍ନୀତିଗ୍ରସ୍ତ ପାଲଟି ଯାଇଛି । କେହି କାହାଠୁ ଉଣା ନୁହଁନ୍ତି । କୌଣସି ପ୍ରକାରେ ଲୋକଙ୍କୁ ହଇରାଣ କରି ବା ବଦ୍ନାମ କରି ଶୋଷଣ କରିବା ଅଭ୍ୟାସରେ ପରିଣତ ହୋଇ ଗଲାଣି । ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କି ଶାସନ ସଚିବ, ସବୁ ଅଫିସ୍ରେ ସମାନ ଅବସ୍ଥା!
ଅତୀତରେ ଓଡ଼ିଆ ଏପରି ନଥିଲା । ଏବେ ଓଡ଼ିଆ ଜାତି ଚରିତ୍ରର ପରିବର୍ତନ ହୋଇ ଯାଇଛି । କ୍ରମେ ନୈତିକତାର ସମସ୍ତ ମାପଦଣ୍ଡ ସମସ୍ତେ ଭୁଲି ଚାଲିଛନ୍ତି । ରାଜ୍ୟରେ ଠକାମୀ ଓ ଆତ୍ମସାତ୍ ନୀତି ବୃଦ୍ଧି ପାଉଛି । ଅନ୍ୟକୁ ହଇରାଣ କରିବା ସମସ୍ତଙ୍କର ସ୍ୱଭାବ ହୋଇ ଗଲାଣି । ଅନ୍ୟର ଟଙ୍କାରେ ଅୟସ କରିବା ଏକ ପରମ୍ପରାରେ ପରିଣତ ହେଲାଣି । ରାଜନୈତିକ ଶୂନ୍ୟତା ଏହାକୁ ପ୍ରୋତ୍ସାହନ ଦେଉଛି । ସବୁଦିନ ଠକେଇ ଓ କେଳେଙ୍କାରୀର ପର୍ଦ୍ଦାଫାସ୍ ହେଉଛି । ବିଭିନ୍ନ ଉନ୍ନୟନ ଯୋଜନାରେ ଦୁର୍ନୀତି, ଚିଟ୍ଫଣ୍ଡ୍, ଜମି, ଘର, ବଂଟନ ସାମଗ୍ରୀ ବାଟମାରଣା ଆଦିରେ ରାଜ୍ୟ ଭରିଗଲାଣି । ଅଧିକାଂଶ ମନ୍ତ୍ରୀ, ନେତା, ଅଫିସର, କର୍ମଚାରୀ, ଠିକାଦାର,ତଥାକଥିତ ସମାଜସେବୀ ଆୟ ବର୍ହିଭୂତ ଧନ ଠୁଳ କରିଛନ୍ତି । ସମାଜକୁ ବାନ୍ଧି ରଖିଥିବା ବିଶ୍ୱାସର ବନ୍ଧନ ଆଜି ତୁଟି ଖଣ୍ଡଖଣ୍ଡ ହୋଇ ଯାଇଛି । ଆଉ କେହି କାହାକୁ ବିଶ୍ୱାସ କରୁ ନାହାଁନ୍ତି । ସମାଜିକ ପ୍ରତିବଦ୍ଧତା ଉଭେଇ ଯାଇଛି । “ପ୍ରାଣ ଯାଉ ବଚନ ଥାଉ” ଯୁଗର ଅନ୍ତ ଘଟିଛି । କାହାଠାରେ ସାଧୁତା ଦେଖାଯାଉ ନାହିଁ । ସମସ୍ତେ ନିଜ ସ୍ୱାର୍ଥ ପାଇଁ ଆଖିବୁଜି ଯାହା ବି କରିପାରୁଛନ୍ତି । ଅନ୍ୟ କଥା ଚିନ୍ତା କରିବାକୁ ସମୟ ନାହିଁ କି ହୃଦୟ ନାହିଁ । ସ୍ୱାଧୀନତା ପରଠାରୁ ସରକାରରେ ରହିଥିବା କୌଣସି ରାଜନୈତିକ ଦଳ ଏଥିପ୍ରତି ଦୃଷ୍ଟି ଦେଇ ନାହାଁନ୍ତି । ତେବେ ରାଜ୍ୟର ବିକାଶ ଓ ତୃଣମୂଳ ସ୍ତରରେ ଲୋକ ମାନଙ୍କର ଆର୍ଥିକ ଉନ୍ନତି ହେବ କିପରି? ଏ ସଂପର୍କରେ କେହି ଭାବୁନାହାନ୍ତି । ଆଉ ରାଜ୍ୟର ଅବସ୍ଥା ଯାହା ହେବା କଥା ତାହା ହେଉଛି । ପଚାମାଛ, ଫଳ ଓ ପରିବା ଚଢା ଦରରେ କିଣି ଖାଇବା କିମ୍ବା କିଣି ନପାରି କେବଳ ଟଙ୍କାକିଆ ଚାଉଳର ଭାତ ଖାଇ ଦିନ ବିତାଇବା ଆମ କପାଳ ଲିଖନ! ଏଭଳି କେତେଦିନ ଚାଲିବ! ସତରେ କ’ଣ ଓଡ଼ିଶାର ନେତା ଓ ଅଧିକାରୀ ମାନଙ୍କର ଚିନ୍ତାଶକ୍ତି ସୀମିତ? ଏହାକୁ ଓଡ଼ିଆଙ୍କର ଦୁର୍ଭାଗ୍ୟ ଛଡ଼ା ଆଉ କ’ଣ କୁହାଯାଇ ପାରିବ?……
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *