ଓଡ଼ିଶାରେ ଉପକେନ୍ଦ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଜଭୁତ ହେଉ!

ଓଡ଼ିଶାରେ ଉପକେନ୍ଦ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଜଭୁତ ହେଉ!

ସ୍ୱାସ୍ଥ୍ୟ ବିଭାଗରେ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ହେଁ ତାହାର ସୁଫଳ ଅଧିକାଂଶ ଜନସାଧାରଣ ପାଇ ପାରୁ ନାହାନ୍ତି । ପ୍ରତିଦିନ ଖବରକାଗଜ ପୃଷ୍ଠା ଲେଉଟାଇଲେ, ସ୍ୱାସ୍ଥ୍ୟ ବିଭାଗର ଦୁର୍ବଳତା ବା କର୍ମହୀନତା ସଂପର୍କରେ ଖବର ଦେଖିବାକୁ ମିଳୁଛି । ଅବଶ୍ୟ ଡ଼ାକ୍ତର ଅଭାବ ଏହାର ମୁଖ୍ୟ ସମସ୍ୟା ହୋଇପାରେ । କେବଳ ଗୋଟିଏ କାର୍ଯ୍ୟକ୍ରମ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍ ମଧ୍ୟ ପ୍ରଶଂସା କରିଛନ୍ତି । ବାସ୍ତବରେ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଉପ-ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ବିଭାଗ ପକ୍ଷରୁ ପୁରଷ୍କାର ପାଇବା କଥା । ଆମକୁ ସ୍ୱୀକାର କରିବାକୁ ହେବ ଯେ, ସ୍ୱାସ୍ଥ୍ୟ ବିଭାଗର ଏହି ତୃଣମୂଳ ସ୍ତରୀୟ କର୍ମଚାରୀ ମାନଙ୍କର କଠୋର ପରିଶ୍ରମ ଓ ନିଷ୍ଠାପର କାର୍ଯ୍ୟ ଓଡ଼ିଶା ସରକାରଙ୍କୁ ବିଶ୍ୱ ଦରବାରରେ ପ୍ରଶଂସିତ କରିଛି । ମାତ୍ର କ୍ଷୋଭର ବିଷୟ ହେଲା, ନିଜ ଜୀବନକୁ ବାଜି ଲଗେଇ ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରୁଛନ୍ତି, ସେମାନଙ୍କ ପ୍ରତି ସରକାରଙ୍କର ଉଦାସୀନତା । ସେମାନଙ୍କର ବହୁବିଧ ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଆନ୍ତରିକତା ଦେଖାଉନାହିଁ କି ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେଉନାହିଁ ।
ଭାରତ ସରକାରଙ୍କ ପ୍ରାବଧାନ ମୁତାବକ ରାଜ୍ୟରେ ପ୍ରତି ୫ ହଜାର ଜନସଂଖ୍ୟା ବିଶିଷ୍ଟ ଅଂଚଳକୁ ଏକ ଉପ ସ୍ୱାସ୍ଥ୍ୟକେନ୍ଦ୍ର ହିସାବରେ ନିଆ ଯାଇଛି । ଅବଶ୍ୟ ଆଦିବାସୀ ଓ ପାହାଡ଼ିଆ ଅଂଚଳରେ ୩ ହଜାର ଜନସଂଖ୍ୟା ବିଶିଷ୍ଟ ଅଂଚଳକୁ ନେଇ ଏକ ଉପ ସ୍ୱାସ୍ଥ୍ୟକେନ୍ଦ୍ର ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ଅନୁସାରେ ଏକ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଏଏନ୍ଏମ୍ ଓ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରିବେ । ଏହି କର୍ମଚାରୀ ମାନେ ଉପସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କାମ(ପ୍ରତିଷେଧକ ଟୀକାକରଣ, ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଣ, ୦ରୁ ୧୪ବର୍ଷ ବୟସର ଶିଶୁ ଓ ଗର୍ଭବତୀ ମା’ମାନଙ୍କୁ ପ୍ରତିଷେଧକ ଟୀକାଦାନ ଓ ଯତ୍ନ, ୧୪ ରୁ ୫୦ ବର୍ଷ ବୟସର କିଶୋରୀ ଓ ମା’ମାନଙ୍କର ଆବଶ୍ୟକୀୟ ଯତ୍ନ, ମାତୃ ଓ ଶିଶୁ ମୃତୁ୍ୟହାର ହ୍ରାସ ପାଇଁ ମା’ ଓ ଶିଶୁର ନିୟମିତ ଯତ୍ନ, ମୃତୁ୍ୟ ନହୋଇ ପ୍ରାକୃତିକ ପ୍ରସବ କରାଇବା, ଡ଼ାଇରିଆ, ମ୍ୟାଲେରିଆ, କୁଷ୍ଠ ଓ ଯକ୍ଷ୍ମା ଆଦି ମାରାତ୍ମକ ସଂକ୍ରାମକ ରୋଗୀକୁ ଚିକିତ୍ସା ସେବା ଯୋଗାଣ, ରକ୍ତକାଚ ନମୂନା ସଂଗ୍ରହ, ପରିବାର କଲ୍ୟାଣ ଅସ୍ତ୍ରୋପଚାର ପରେ ସଂପୃକ୍ତ ମା’ ମାନଙ୍କୁ ସଂପୂର୍ଣ୍ଣ ଚିକିତ୍ସା ସେବା ଯୋଗାଣ, ସଂକ୍ରାମକ ଓ ମାରାତ୍ମକ ରୋଗର ନିୟନ୍ତ୍ରଣ, ଜନ୍ମ-ମୃତୁ୍ୟ ରିପୋର୍ଟ ପ୍ରଦାନ, ଜନନୀ ଶିଶୁ ସୁରକ୍ଷା ଯୋଜନା, ମମତା ଯୋଜନା କାର୍ଯ୍ୟକ୍ରମର କାର୍ଯ୍ୟକାରୀ କରିବା, କୁଷ୍ଠ, ଯକ୍ଷ୍ମା ଓ ମ୍ୟାଲେରିଆ ରୋଗୀ ଚିହ୍ନଟ, କୂଅ ଓ ପୋଖରୀ ଆଦିରେ କ୍ଲୋରିନେସନ୍, ଭିଏଚ୍ଏନ୍ଡ଼ି କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ପରିକ୍ଷା କରି ଚିକିତ୍ସା ସେବା ଯୋଗାଣ, ପ୍ରତି ସପ୍ତାହରେ ଓ ପ୍ରତି ମାସରେ କାର୍ଯ୍ୟ ସଂପାଦନ ରିପୋର୍ଟ ପ୍ରଦାନ ଇତ୍ୟାଦି)କରି ଆସୁଛନ୍ତି ।
ତେବେ ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆହୁରି ମଜଭୁତ କରିବାର ଆବଶ୍ୟକତା ରହିଛି । ମୁଖ୍ୟତଃ ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକ କର୍ମୀ ନିଯୁକ୍ତି କରାଗଲେ, ମାରାତ୍ମକ ସଂକ୍ରାମକ ରୋଗକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇ ପାାରନ୍ତା । ଅନ୍ୟପକ୍ଷରେ ଯେମିତି ପ୍ରତ୍ୟେକ ଅଙ୍ଗନବାଡ଼ୀ କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପରୀକ୍ଷା(ଭିଏଚ୍ଏନ୍) କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି, ସେହିପରି ଡ଼ାଇବେଟିସ୍, ବ୍ଲଡ଼୍ ପ୍ରେସର୍ ଆଦିର ପରିକ୍ଷା କରିବାର ବ୍ୟବସ୍ଥା ଯଦି ହୁଅନ୍ତା, ତେବେ ରାଜ୍ୟର ହସ୍ପିଟାଲ୍ ଗୁଡ଼ିକରେ ଭିଡ଼ ବହୁ ପରିମାଣରେ କମିଯାଆନ୍ତା । କାରଣ ଦେଖା ଯାଇଛି ଯେ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧିକ ସଂଖ୍ୟକ ଏହି ପ୍ରକାର ରୋଗୀ ପରିକ୍ଷା ପାଇଁ ଆସନ୍ତି । ଏହି ବ୍ୟବସ୍ଥା କରାଗଲେ, ରାଜ୍ୟରେ ରୋଗୀ ସେବା ବ୍ୟବସ୍ଥା ଉନ୍ନତ ହୁଅନ୍ତା ।
ଏଏନ୍ଏମ୍ ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଆନ୍ତି । ଏଏନ୍ଏମ୍ ଟ୍ରେନିଂ ପାଇଁ ରାଜ୍ୟ ସରକାରଙ୍କ ସେବିକା ନିଦେ୍ର୍ଦଶାଳୟ/ମେଡ଼ିକାଲ ଶିକ୍ଷା ଓ ତାଲିମ ନିଦେ୍ର୍ଦଶାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଏ । ଏଏନ୍ଏମ୍ ଯୋଗ୍ୟତା ଓ ମେରିଟ୍ ଭିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ବୈଷୟିକ ତାଲିମ ଶେଷ କଲାପରେ ନର୍ସିଂ କାଉନ୍ସିଲରେ ନିଜ ନାମ ପଞ୍ଜିକରଣ କରାନ୍ତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଆନ୍ତି । ଏଏନ୍ଏମ୍ ର ପଦୋନ୍ନତି ପଦବୀ ହେଲା ସ୍ୱାସ୍ଥ୍ୟ ପରିଦର୍ଶିକା । ଏବେ ଆଉ ପୂର୍ବପରି ସ୍ୱାସ୍ଥ୍ୟ ପରିଦର୍ଶିକା ପାଇଁ ତାଲିମ୍ ନେବାକୁ ପଡ଼ୁନାହିଁ । ସେହିପରି ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସୀ ଯୋଗ୍ୟତା ହାସଲ କରିଥିବା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଏ । ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପଦୋନ୍ନତି ପଦବୀ ହେଲା,ସ୍ୱାସ୍ଥ୍ୟ ପରିଦର୍ଶକ । ଉଭୟଙ୍କ ପାଇଁ ପଦୋନ୍ନତି ପ୍ରକି୍ରୟା ପୂର୍ବରୁ ଅଲଗା ଥିଲା । ଏବେ ସମାନ ରହିଛି । ମାତ୍ର ପରିତାପର ବିଷୟ ହେଲା, ନିୟମିତ ଭାବେ ଏଏନ୍ଏମ୍ ମାନଙ୍କୁ ପଦୋନ୍ନତି ଦିଆଯାଇ ପାରୁନାହିଁ । ପୂର୍ବରୁ ଯେଉଁମାନେ ସ୍ୱାସ୍ଥ୍ୟ ପରିଦର୍ଶିକା ତାଲିମ ନେଉଥିଲେ, ସେମାନଙ୍କୁ ସିଧା ପରିଦର୍ଶିକା ପଦବୀରେ ନିଯୁକ୍ତି ଦିଆ ଯାଉଥିଲା । ୨ବର୍ଷ ତଳୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଦର୍ଶିକା ତାଲିମ ବନ୍ଦ ହେଲା ପରେ ସେମାନଙ୍କୁ ଚାକିରିର ବରିଷ୍ଠତା ଭିତିରେ ପରିଦର୍ଶିକା ପଦବୀରେ ନିଯୁକ୍ତି ଦିଆ ଯିବାକୁ ସରକାରୀ ସ୍ତରରେ ନିଷ୍ପତି ହୋଇଛି । ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କର ଗ୍ରେଡ଼େସନ୍ ତାଲିକା ପ୍ରସ୍ତୁତ ହୋଇ ପାରୁନାହିଁ । ଅନେକ ବରିଷ୍ଠ ଏଏନ୍ଏମ୍ ପଦୋନ୍ନତି ପାଇଁ ଅପେକ୍ଷାରେ ଥିଲେ ମଧ୍ୟ ଗ୍ରେଡ଼େସନ୍ ତାଲିକା ସଂପୂର୍ଣ୍ଣ ହୋଇ ନଥିବାରୁ ନିଯୁକ୍ତି ମିଳୁନାହିଁ । ତେବେ ଗ୍ରେଡ଼େସନ୍ ତାଲିକା ପ୍ରସ୍ତୁତିରେ ରାଜ୍ୟର ଅଧିକାଂଶ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସହଯୋଗ କରୁନଥିବା ଅଭିଯୋଗ ହେଉଛି । ଏଏନ୍ଏମ୍ ଙ୍କ ପଦୋନ୍ନତି କ୍ଷେତ୍ରରେ ସରକାରଙ୍କ ଏଭଳି ବିଳମ୍ବ ନୀତି ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲକୁ ଚକିତ କରିଛି ।
ଗ୍ରାମାଂଚଳରେ ଅବସ୍ଥିତ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଗ୍ରାମାଂଚଳ ରୋଗୀମାନଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥାଏ । ଏହି ଦୃଷ୍ଟିରୁ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରାଯିବା ଉଚିତ । କାରଣ ମୌଳିକ ସ୍ୱାସ୍ଥ୍ୟସେବା ଯେତେ ଉନ୍ନତ ମାନର ହେବ, ରାଜ୍ୟର ସ୍ୱାସ୍ଥ୍ୟସେବା ସେତେ ବିକଶିତ ବୋଲି କୁହା ଯାଇଥାଏ । ଅତଏବ ସରକାରୀ ସ୍ତରରେ ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ଏ ସଂପର୍କରେ ବ୍ୟାପକ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *