ଓଡ଼ିଶାରେ ଏକକାଳୀନ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

ଓଡ଼ିଶାରେ ଏକକାଳୀନ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ଓ ୪ ରାଜ୍ୟର ବିଧାନସଭା ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା ହୋଇଛି। ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନ୍ ସୁନିଲ ଅରୋରା ଘୋଷଣା କରିଛନ୍ତି । ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ଆସନ ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ। ଏପ୍ରିଲ ୧୧ରେ ୪ଟି, ୧୮ରେ ୫ଟି, ୨୩ରେ ୬ଟି ଓ ୨୯ରେ ୬ଟି ଲୋକସଭା ଆସନ ଲାଗି ମତଦାନ ହେବ। ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମାନ ଦିନରେ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ ହେବ। ଏହି ଦିଗରୁ ହିସାବ କଲେ ରାଜ୍ୟରେ ମୋଟାମୋଟି ଏପ୍ରିଲ ୧୧ରେ ୨୮ଟି, ୧୮ରେ ୩୫ଟି, ୨୩ରେ ୪୨ଟି ଓ ୨୯ରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ବୋଲି ଅନୁମାନ କରାଯାଉଛି।
ଦେଶରେ ୭ଟି ପର୍ୟ୍ୟାୟରେ ଏଥର ନିର୍ବାଚନ ହେବ। ପ୍ରଥମ ପର୍ୟ୍ୟାୟ ଏପ୍ରିଲ ୧୧, ଦ୍ୱିତୀୟ ପର୍ୟ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ୟ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ୟ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ୟ୍ୟାୟ ମେ’ ୬, ଷଷ୍ଠ ପର୍ୟ୍ୟାୟ ମେ’ ୧୨ ଓ ସପ୍ତମ ପର୍ୟ୍ୟାୟ ମେ’ ୧୯ରେ ମତଦାନ ହେବ। ନିର୍ବାଚନର ଫଳାଫଳ ମେ’ ୨୩ରେ ଘୋଷଣା ହେବ।

Leave a Reply

Your email address will not be published. Required fields are marked *