ଓଡ଼ିଶାରେ କିପରି ଚାଲିଛି ବିଜେପି ରାଜନୀତି

ଶରତ କୁମାର ରାଉତ

ଦେଶର ପ୍ରାୟ ୩୦ ଭାଗ ଖଣିଜ ସଂପଦ ଓଡ଼ିଶାରେ ରହିଛି । ଖଣିଜ ସଂପଦ ପାଇଁ ଆମ ଦେଶ ଓ ବିଦେଶ ଆମ ରାଜ୍ୟ ଉପରେ ନିର୍ଭର କରନ୍ତି । ଓଡ଼ିଶାରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ସେହିପରି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଦାରିଦ୍ର୍ୟର ଉତ୍ପାତ ବେଶୀ । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ଶିଶୁ ଓ ମାତୃ ମୃତୁ୍ୟହାର ସର୍ବାଧିକ ଇତ୍ୟାଦି । ନବୀନ ବାବୁ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ଲଗାତାର ୨୦ ବର୍ଷ ଧରି ଓଡ଼ିଶା ଶାସନ କରି ଆସୁଛନ୍ତି । ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶାରେ ସେଭଳି କିଛି ବିକାଶ ହୋଇନଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ବାସ୍ତବରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟର ବିକାଶ ଆଗେଇ ପାରୁନାହିଁ । ଓଡ଼ିଶାର ଗରିବ ଲୋକମାନଙ୍କର ଜୀବନ ଯନ୍ତ୍ରଣାକୁ ପ୍ରଶାସନ ହୁଏତ ବୁଝି ପାରୁନାହିଁ । ଗରିବ ଲୋକର ଉନ୍ନତି ପାଇଁ ସେମିତି କିଛି ସଶକ୍ତ ଯୋଜନା କରାଯାଉ ନାହିଁ କି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଠିକ୍ ଭାବେ ଲୋକଙ୍କ ପାଖରେ ପହଂଚାଉ ନଥିବା ବାରମ୍ବାର ଅଭିଯୋଗ ହେଉଛି । ଖଣି, ପାଣି, କୋଇଲା ମହାଦୁର୍ନୀତି ଓ ଚିଟଫଣ୍ଡ ଠକେଇ, ଦାନ ମାଝୀ, ନଗଡ଼ା, ମାଲକାନଗିରି ଓ କଟକ ଶିଶୁ ମୃତୁ୍ୟ ଘଟଣା ଓଡ଼ିଶାର ଭାବମୂର୍ତିରେ ଆଂଚ ଆଣିଥିବା କୁଯାଇପାରେ । ଓଡ଼ିଶାର ବିକାଶ କେମିତି ଚାଲିଛି, ଏସବୁ ତା’ର ଉଦାହରଣ ମାତ୍ର । ଛଅ ବର୍ଷ ତଳେ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଶାସନ ଦାୟିତ୍ୱ ନେବା ପରଠାରୁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେବା ଆରମ୍ଭ କରିଥିଲେ । ଉପା ସରକାର ତୁଳନାରେ ମୋଦିଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଅନେକ ଗୁଣ ଅନୁଦାନ ଦେଉଛନ୍ତି ଓଡ଼ିଶାକୁ । ମୋଦି ସରକାର ଆସିବା ପରେ ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସୁଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୀନ ଦୟାଲ୍ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନା, ମନରେଗା ଯୋଜନା, ଶ୍ୟାମା ପ୍ରସାଦ ମୁଖାର୍ଜୀ ମିସନ୍, ଉଜ୍ଜ୍ୱଳ ଯୋଜନା, ଗ୍ରାମାଂଚଳରେ ବିଜୁଳି ସଂଯୋଗ, ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଆଦିରେ ପର୍ଯ୍ୟାପ୍ତ ଅନୁଦାନ ଆସିଛି । ୬୦% ରୁ ଅଧିକ ଗାଁରେ ଶୌଚାଳୟ ନିର୍ମିତ ହୋଇଛି । କୋଇଲା ବଂଟନ କ୍ଷେତ୍ରରେ ନିୟମ ପରିବର୍ତନ ଯୋଗୁ ରାଜ୍ୟକୁ ବହୁ ଅଧିକ ରାଜସ୍ୱ ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍ସିଏଲ୍ ଦ୍ୱାରା ତାଳଚେର ଓ ଏନ୍ଟିପିସି ଦ୍ୱାରା ସୁନ୍ଦରଗଡ଼ରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ । ସେହିପରି ୬୦% ରୁ ଉଦ୍ଧ୍ୱର୍ ଘରେ ରୋଷେଇ ଗ୍ୟାସ୍ ପହଂଚା ଯାଇଛି ।
ଓଡ଼ିଶାରୁ ବିଜେପିର ୮ଜଣ ଲୋକସଭାକୁ ଯାଇଛନ୍ତି । ୨ଜଣ ଓଡ଼ିଆ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ(ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ) କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିବାବେଳେ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ପଦ ପାଇଛନ୍ତି । ଏହା ମଧ୍ୟ ଓଡ଼ିଶାରେ ଭାଜପାର ସ୍ଥିତିକୁ ମଜଭୁତ କରିବାରେ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଶବାସୀଙ୍କୁ ମୁଗ୍ଧ କରିଛି । ବାସ୍ତବତା ଦେଖାଗଲେ, ଓଡ଼ିଶାର ଅର୍ଦ୍ଧାଧିକ ମତଦାତା ଭିତିରିଆ ବିଜେପି ସମର୍ଥକ । କିନ୍ତୁ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଫଳ ହୋଇପାରୁ ନାହିଁ । ମୋଦିଙ୍କ ହାୱା ସତ୍ୱେ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କାହିଁକି ବିଫଳ ହେଲା, ସେଥିନେଇ ବିଜେପି ସମର୍ଥକ ମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଜେପି କ୍ଷମତା ଦଖଲ ପାଇଁ କ’ଣ ସେଭଳି ଉଦ୍ୟମ କଲାନାହିଁ? ବିଜେପି ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ସହ ବହୁ ଉନ୍ନୟନ ଯୋଜନା ହାତକୁ ନେଇଥିଲେ ହେଁ ମତଦାତା ମାନେ ପ୍ରତ୍ୟାଖାନ କରୁଛନ୍ତି କାହିଁକି? ତେବେ ଭୋଟ୍ ପରିଚାଳନାଗତ ତୃଟି ଯୋଗୁ ଯୁବ ଗୋଷ୍ଠୀର ଭୋଟ ଅତି ସହଜରେ ବିଜେଡ଼ି ଅକ୍ତିଆରକୁ ଚାଲିଗଲା ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଇଥିଲେ । ଅନ୍ୟ ପକ୍ଷରେ ଦଳର କିଛି ଖାସ୍ ସମର୍ଥକ ଓ ଶୁଭେତ୍ସୁଙ୍କୁ ଗୁରୁତ୍ୱ ଦିଆଯିବାର ଥିଲା । ବିଜେଡ଼ି ବିରୋଧରେ ଗଦା ଗଦା ଅଭିଯୋଗ ଥାଇ ମଧ୍ୟ ବିଜେପି ଫେଲ୍ ମାରିବା ଆଶ୍ଚର୍ଯ୍ୟର କଥା । ନିର୍ବାଚନ ପୂର୍ବରୁ ବିଜେପି ଦଳ ଓ ବିଜେପି ସରକାରଙ୍କ ଦ୍ୱାରା କୋଟିକୋଟି ଟଙ୍କାର ବିଜ୍ଞାପନ ଦିଆଯାଇ ମତଦାତାଙ୍କୁ ବିଜେପି ପ୍ରତି ଆକର୍ଷିତ ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟପକ୍ଷରେ ଉଦେ୍ଦଶ୍ୟ ମୂଳକ ଭାବେ କିଛି ଗଣମାଧ୍ୟମକୁ ବିଜ୍ଞାପନ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ସେ ଯାହାହେଉ ଓଡ଼ିଶାରେ ବିଜେପିର ନିର୍ବାଚନ ନେତୃତ୍ୱ ନେଉଥିବା ନେତାମାନେ ସଫଳ ହୋଇ ପାରିନଥିଲେ । ରାଜନୀତିକ ଜ୍ଞାନରେ ନିପୁଣ ଓ ଲୋକପ୍ରିୟ ନେତାମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବାର ଆବଶ୍ୟକତା ଥିଲା ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଇଥିଲେ ।
୨୦୧୯ ମସିହା ମଇ ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସଂସଦର ପ୍ରଥମ ଅଧିବେସନ ବେଳେ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କେତେକ ବିଜୟୀ ସାଂସଦ ଧନ୍ୟବାଦ୍ ପ୍ରସ୍ତାବ ଉପରେ ନିଜର ଭାଷଣ ଦେଲେ । ଯେତେବେଳେ ଓଡ଼ିଶାର ନବ ନିର୍ବାଚିତ ସାଂସଦ ପ୍ରତାପ ଷଡ଼ଙ୍ଗୀ(ନନା) ନିଜର ଅଭିଭାଷଣ ପାଇଁ ମଂଚକୁ ଆସିଲେ, ଉପସ୍ଥିତ ନେତାମାନେ ଏପରିକି ଓଡ଼ିଶାର ଅଧିକାଂଶ ଲୋକେ ମଧ୍ୟ ତାଙ୍କର ଭାଷଣ ପ୍ରତିଭା ସଂପର୍କରେ ଜାଣିନଥିଲେ । ମାତ୍ର ତାଙ୍କର ଇଂରାଜୀ, ହିନ୍ଦି, ଓଡ଼ିଆ, ବଙ୍ଗଳା ଓ ସଂସ୍କୃତ ଭଳି ୫ଟି ଭାଷାରେ ଓଜସ୍ୱିନୀ ଭାଷଣ ସମସ୍ତଙ୍କୁ ଅଭିଭୂତ କରି ଦେଇଥିଲା । ସେ ନିଜ ଭାଷଣରେ ଏପରି ପ୍ରସଙ୍ଗ ଉଠାଇଥିଲେ, ଯାହା ଶୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଉପସ୍ଥିତ ସମସ୍ତେ ଅତ୍ୟନ୍ତ ଖୁସି ହୋଇଥିଲେ । ବାସ୍ତବରେ କେବଳ ସେ ଜଣେ ସଫଳ ରାଜନେତା କି ସୁସଂଗଠକ ନୁହନ୍ତି, ବରଂ ସେ ପ୍ରବଚନ ଜଗତ ପାଇଁ ଜଣେ ଜ୍ଞାନୀ ଓ ଧୂରୀଣ ବ୍ୟକ୍ତି ବୋଲି ଜଣାପଡ଼ିଥିଲା । ସବୁବେଳେ ନନା ଲାଗନ୍ତି ନିର୍ଲିପ୍ତ ସନ୍ୟାସୀଟିଏ ଭଳି! ଈଶ୍ୱରୀୟତାର ପ୍ରଲେପ ସ୍ପଷ୍ଟ ବାରି ହୋଇଯାଏ ତାଙ୍କ ଭିତରେ! ହୁଏତ ସେ ଜୀବନର ଆରମ୍ଭରୁ ବୁଝିଛନ୍ତି ମଣିଷ ଜନ୍ମ ଓ ଜୀବନର ବାସ୍ତବ ଉଦେ୍ଦଶ୍ୟ, ମଣିଷ ଭିତରର ଭାବଅଭାବ ଏବଂ ଆବଶ୍ୟକତାକୁ! ଜଣାପଡ଼ନ୍ତି ଯେମିତ ସେ ଲୋଭ, ମୋହ, ମାୟା, ବିଳାସର ବହୁ ଉଦ୍ଧ୍ୱର୍ରେ! ସ୍ଥିତପ୍ରଜ୍ଞ ସାଧୁଟିଏ ଭଳି! ତାଙ୍କ ଠାରେ ଦେଖାଯାଏ ନାହିଁ କୌଣସି ସ୍ୱତନ୍ତ୍ର ବେଶପୋଷାକ, ଚାଲିଚଳନୀ କି ଆଭିଜାତ୍ୟ! ତାଙ୍କର ସାଧାରଣ ପୋଷାକ, ଚାଲିଚଳନୀ ଓ କଥାବାର୍ତା ଭିତରେ ଲୁକ୍କାୟୀତ ମାନବୀୟ ଭାବ ଓ ଗୁଣ ଆକର୍ଷିତ କରେ ସାଧାରଣ ଲୋକଙ୍କୁ ଏବଂ ଅଭିଭୂତ ହୋଇଯାଆନ୍ତି ସମସ୍ତେ । ସାଧାରଣ ଲୋକଙ୍କ ସହିତ ନନାଙ୍କର ମିଳନ ସମୟର ଦୃଶ୍ୟ ସ୍ୱଚକ୍ଷୁରେ ଦେଖିଲେ, ଜାଣି ହେବ ଜଣେ ନେତା ଓ ସାଧାରଣ ମଣିଷ ଭିତରର ବାସ୍ତବ ସଂପର୍କର ରହସ୍ୟକୁ!
ଓଡ଼ିଶାରେ ବିଜେପି ଶାସନ ଗାଦିକୁ ଆସିବାକୁ ହେଲେ, ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ରାଜନୀତିକ ଜ୍ଞନରେ ନିପୁଣ ତଥା ଦୃଢ ନେତୃତ୍ୱର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ଅନ୍ୟଥା ଓଡ଼ିଶାରେ ବିଜେପି ଡ଼ଙ୍ଗା ବୁଡ଼ି ନଯାଉ ବୋଲି ଚର୍ଚ୍ଚା ହୋଇ ଆସୁଛି । ଓଡ଼ିଶାରେ ବିଜେପି ଧୀରେ ଧୀରେ ଆଗକୁ ମାଡ଼ି ଚାଲିଥିଲେ ମଧ୍ୟ ଦୃଢ ନେତୃତ୍ୱ ଅଭାବରୁ ଦଳ ମଜଭୁତ ହୋଇ ପାରୁନାହିଁ । ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରତାପ ବାବୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନେଲେଣି । ହୁଏତ ଆଜି ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ପରିଚିତ ଅଳ୍ପ କେତେଜଣ ଓଡ଼ିଆଙ୍କ ଭିତରେ ପ୍ରତାପ ବାବୁ ଅନ୍ୟତମ । ସେହିପରି ଦଳୀୟ ସଭାପତି ସମୀର ମହାନ୍ତିଙ୍କ ଭଳି ବିଜେପିର କେତେକ ଆଗ ଧାଡ଼ିର ତୁଙ୍ଗ ନେତା ମଧ୍ୟ ନିଜର ପ୍ରଚଣ୍ଡ ରାଜନୀତିକ କରିସ୍ମା ବଳରେ ସାଧାରଣ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଦଳୀୟ ନେତା ମାନଙ୍କର ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ବିଜେପି ସଂଗଠନକୁ ମଜଭୁତ କରାଇବାରେ ନିଶ୍ଚୟ ସହାୟକ ହେବ । ହୁଏତ ଆସନ୍ତା ନିର୍ବାଚନରେ ସାରା ଓଡ଼ିଶାକୁ ପଦ୍ମରେ ସଜେଇ ଭାଜପା ଇତିହାସ ରଚିବା ଅସମ୍ଭବ ନୁହେଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.