ଓଡ଼ିଶାରେ ଶିଳ୍ପ ନୀତିର ଗତି କୁଆଡ଼େ?

ଓଡ଼ିଶାରେ ଶିଳ୍ପ ନୀତିର ଗତି କୁଆଡ଼େ?

ଶରତ କୁମାର ରାଉତ
ଓଡ଼ିଶାରେ ଇଷ୍ପାତ ଶିଳ୍ପର ଭବିଷ୍ୟତ ଅନ୍ଧାକାର ମଧ୍ୟକୁ ଠେଲି ହୋଇଯାଉଛି । କୋଇଲା ସମେତ ଅନ୍ୟାନ୍ୟ କଂଚାମାଲ୍ର ଅଭାବ ଏହାର ମୂଳ କାରଣ ହୋଇଛି । ବାସ୍ତବତା ହେଲା, ଓଡ଼ିଶାରେ ଯେତିକି ଶିଳ୍ପସଂସ୍ଥା ରହିଛି, ସେଥିପାଇଁ ଓଡ଼ିଶାରେ ଆବଶ୍ୟକତା ଠାରୁ ବହୁ ଅଧିକ କୋଇଲା ଓ ଅନ୍ୟାନ୍ୟ କଂଚାମାଲ୍ ଉତୋଳିତ ହେଉଛି । ବର୍ତମାନ ଓଡ଼ିଶାରେ ମୋଟ ୨୭୫୪ଟି ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ରହିଛି । ଏଥିରେ ଲୁହା ଓ ଇଷ୍ପାତ, ସ୍ପଞ୍ଜ ଆଇରନ୍, ସିମେଂଟ, ରିଫ୍ରାକ୍ଟରିଜ୍, ଥର୍ମାଲ୍ ପାୱାର, ଆଲୁମିନିୟମ୍, ରୋଲିଂ ମିଲ୍, ଫେରୋ ଆଲୟେଜ୍, ଷ୍ଠୋନ୍ କ୍ରସର୍, ମିନେରାଲ୍ ପ୍ରୋସେସିଂ ଇତ୍ୟାଦି । ତେବେ ଲୁହା ଓ ଇଷ୍ପାତ ଶିଳ୍ପ ଓଡ଼ିଶାରେ ପ୍ରମୁଖ ଶିଳ୍ପ ଭାବେ ମାନ୍ୟତା ପାଇଛି । ବର୍ତ୍ତମାନ ଓଡ଼ିଶାରେ ୯୯ଟି ବୃହତ୍ ଲୁହା ଓ ଇଷ୍ପାତ୍ତ କାରଖାନା ରହିଥିବାବେଳେ ୪୯ ଟି ମଧ୍ୟମ ଓ ୪ଟି କ୍ଷୁଦ୍ର କାରଖାନା ରହିଛି । ଏସବୁର ଦୈନନ୍ଦିନ ପରିଚାଳନା ପାଇଁ କଞ୍ଚାମାଲ୍ ର ଘୋର ଅଭାବ ଦେଖା ଦେଇଥିବାରୁ ଶିଳ୍ପସଂସ୍ଥା ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଉ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନର୍ଭରଶୀଳ ଓଡ଼ିଶାର ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହେବାରେ ଲାଗିଛନ୍ତି । କୌଣସି ଶିଳ୍ପସଂସ୍ଥା ପାଇଁ ପ୍ରଥମେ ଇନ୍ଧନର ଆବଶ୍ୟକତା ରହିଛି । ଇନ୍ଧନ ମୁଖ୍ୟତଃ କୋଇଲାକୁ କୁହାଯାଏ । କୋଇଲା ସମସ୍ୟା ଏବେ ସବୁ ଶିଳ୍ପସଂସ୍ଥା ପାଇଁ ଚିନ୍ତାର କାରଣ ହୋଇଛି । ଭାରତରେ ଗଚ୍ଛିତ ମୋଟ କୋଇଲାର ୨୪.୮୯ଭାଗ ଅର୍ଥାତ୍ ୭୫.୭୧ ବିଲିୟନ୍ ଟନ୍ ଓଡ଼ିଶାରେ ଗଚ୍ଛିତ ରହିଥିଲେ ହେଁ ଓଡ଼ିଶାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ ଇନ୍ଧନ ଅଭାବରୁ ବନ୍ଦ୍ ହେବା ଅବସ୍ଥାରେ ପହଞ୍ଚି ଯାଇଛନ୍ତି ଓ ନିକଟ ଭବିଷ୍ୟତରେ ଉକ୍ତ ଶିଳ୍ପସଂସ୍ଥା ଗୁଡ଼ିକରେ ତାଲା ଝୁଲିବାର ସମ୍ଭାବନା ଦେଖା ଦେଲାଣି ।
ରାଜ୍ୟରେ କାର୍ଯ୍ୟକ୍ଷମ ବା ନିର୍ମାଣାଧୀନ ଇଷ୍ପାତ୍ତ ଶିଳ୍ପସଂସ୍ଥା ଗୁଡ଼ିକ ଓଡ଼ିଶାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲକ୍ଷଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ଯଦିଓ କୋଇଲାଳ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟ ନମିଳିବ, ତେବେ ରାଜ୍ୟରେ ନିଯୁକ୍ତି ସୁଯୋଗ ସବୁଦିନ ପାଇଁ ବନ୍ଦ୍ ହୋଇଯିବା ସହ ଏସବୁ ଶିଳ୍ପ ଉପରେ ନିର୍ଭରଶୀଳ ଲକ୍ଷଲକ୍ଷ ଓଡ଼ିଆ ଲୋକଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ । ଏହି ନିଷ୍ଠୂର ବାସ୍ତବତା ଜାଣି ବି ରାଜ୍ୟ ସରକାର ନିରବ ରହିଛନ୍ତି! ମାତ୍ର ଇଷ୍ପାତ୍ତ ପ୍ରକଳ୍ପ ପାଇଁ ଆବଶ୍ୟକୀୟ କୋଇଲା ଓ ଲୁହାପଥର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଭାରତ ଇଷ୍ପାତ୍ତ ଓ ସ୍ପଞ୍ଜ ଆଇରନ୍ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଉଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ଆବଶ୍ୟକୀୟ କଞ୍ଚାମାଲ୍ ପରିମାଣ ଠାରୁ ବହୁ ଅଧିକ ଆମ ରାଜ୍ୟରେ ଉତ୍ପାଦିତ ହେଉଛି । ହେଲେ ସରକାରଙ୍କ ପରିଚାଳନା ଗତ ତୃଟି ଯୋଗୁ ଏଠାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ କଞ୍ଚାମାଲ୍ ନପାଇ ବନ୍ଦ୍ ହୋଇ ଯାଉଥିବା ବେଳେ ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶକୁ ଆମ ଖଣିଜ ସଂପଦ ରପ୍ତାନୀ ହେଉଛି । ଏହା କିଭଳି ନୀତି ଜାଣି ହେଉନାହିଁ । ବିଭିନ୍ନ ସମୟରେ ଶିଳ୍ପସଂସ୍ଥା ଗୁଡ଼ିକ ପକ୍ଷରୁ ଏ ସଂପର୍କରେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ସରକାର ନିଦାବିଷ୍ଣୁ । ଗତ ସପ୍ତାହରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର୍ ଲିମିଟେଡ଼୍(ଜେଏସ୍ ପିଏଲ୍)ର ଅଧ୍ୟକ୍ଷ ନବିନ ଜିନ୍ଦଲ ମଧ୍ୟ ଏ ସଂପର୍କରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତି୍ରପାଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଶାସନ ସଚିବ ମାନଙ୍କୁ ଭେଟି ଓଡ଼ିଶାରେ ଇଷ୍ପାତ ଶିଳ୍ପ ସ୍ଥାପନ କରିଥିôବା କମ୍ପାନୀଙ୍କ ପାଇଁ ଲୁହାପଥର ଖଣି ସଂରକ୍ଷଣ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ଜିନ୍ଦଲଙ୍କ କହିବା କଥା ଯେ, ଲୁହାପଥର ଖଣି ନିଲାମରେ ପ୍ରାରମ୍ଭିକ ଭାବେ କ୍ୟାପ୍ଟିଭ୍ କଞ୍ଜପ୍ସନ୍ (ନିଜସ୍ୱ ବ୍ୟବହାର) ଉଦେ୍ଦଶ୍ୟରେ ଖଣି ରଖାଯାଇ, ପରେ ବାଣିଜି୍ୟକ ଖନନକାରୀଙ୍କୁ ସୁଯୋଗ ଦିଆଯାଉ । ସୂଚନାଯୋଗ୍ୟ ଯେ, ଜେଏସ୍ ପିଏଲ୍ ରାଜ୍ୟରେ ଇଷ୍ପାତ୍ତ ଓ ତାପଜ ବୁଦୁ୍ୟତ୍ ଉତ୍ପାଦନ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି । ଜେଏସ୍ ପିଏଲ୍ ୪୭,୦୦୦ କୋଟି ଟଙ୍କା ବିନିଯୋଗ କରି ଓଡ଼ିଶାରେ ସର୍ବବୃହତ ଇଷ୍ପାତ ଶିଳ୍ପ ସ୍ଥାପନ କରିଛି । କିନ୍ତୁ କମ୍ପାନୀର ନିଜସ୍ୱ ଲୁହାପଥର ଓ କୋଇଲା ଖଣି ନଥିବାରୁ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଏହି ଅବସ୍ଥାରେ କମ୍ପାନୀର କଂଚାମାଲ୍ ଯୋଗାଣକୁ ସରକାର ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । ତେବେ ଜେଏସ୍ପିଏଲ୍ ପ୍ରତି ମାସରେ ୧ ନିୟୁତ ଟନ୍ ଲୁହାପଥର କିଣୁଛି, ଯିଏ ରାଜ୍ୟର ସର୍ବବୃହତ ଲୁହାପଥର କ୍ରେତାରେ ପରିଣତ ହୋଇଛି । ଅନ୍ୟପକ୍ଷରେ ବିଶ୍ୱ ବଜାରରେ ଇଷ୍ପାତ ମୂଲ୍ୟ ପ୍ରାୟ ୩୦% ହ୍ରାସ ପାଇଥିବାବେଳେ ସେହି ଅନୁପାତରେ ଲୁହାପଥର ଦାମ୍ କମିନାହିଁ । ଏଣୁ ଲୁହାପଥର ଦାମ୍ ହ୍ରାସ କରାଇବାକୁ ଶ୍ରୀ ଜିନ୍ଦଲ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି । ଅନୁଗୁଳରେ କମ୍ପାନୀକୁ ମିଳିଥିବା କୋଇଲା ଖଣି ଆଧାରରେ ଜେଏସ୍ପିଏଲ୍ ବିଶ୍ୱର ପ୍ରଥମ କୋଲ୍ ଗ୍ୟାସିଫିକେସନ୍ ପ୍ଲାଂଟର ସ୍ଥାପନ କରିଛି । କିନ୍ତୁ ସୁପ୍ରିମକୋର୍ଟର ନିଦେ୍ର୍ଦଶ କ୍ରମେ ଏହି ଖଣି ବାତିଲ୍ ହୋଇଥିଲା । ଏଣୁ ଇଷ୍ପାତ ଓ କୋଲ୍ ଗ୍ୟାସିଫିକେସନ୍ ପ୍ଲାଂଟ ପାଇଁ ସରକାର ଯଦିଓ କୋଇଲା ଖଣି ସଂରକ୍ଷଣ ରଖନ୍ତେ, ତେବେ ଜିନ୍ଦଲ ଖଣି ପାଇବାରେ ସମର୍ଥ ହୁଅନ୍ତା ବୋଲି ଶ୍ରୀ ଜିନ୍ଦଲ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଜେଏସ୍ପିଏଲ୍ର ସମସ୍ତ ପ୍ରକଳ୍ପ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବାବେଳେ ପରୋକ୍ଷ ଭାବେ ଲକ୍ଷାଧିକ ଲୋକେ ଜୀବୀକା ନିର୍ବାହ କରୁଛନ୍ତି । ମାତ୍ର ନିର୍ଦ୍ଧାରିତ ଖଣି ନମିଳିବା ଯୋଗୁ ବହୁ ଅଧିକ ମୂଲ୍ୟରେ କଂଚାମାଲ୍ କିଣିବା ଇଷ୍ପାତ ଶିଳ୍ପ ପାଇଁ ବାଧକ ସାଜିଛି । ଯଦ୍ୱାରା ଶିଳ୍ପସଂସ୍ଥା ଗୁଡ଼ିକର ଭବିଷ୍ୟତ ଅନ୍ଧାର ହୋଇଯିବା ସହ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଲୋକମାନଙ୍କ ଜୀବୀକା ଗୁରୁତର ପ୍ରଭାବିତ ହେଉଛି ଓ ଓଡ଼ିଶାର ଲକ୍ଷଲକ୍ଷ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇ ପାରୁନାହାନ୍ତି ।
ରାଜ୍ୟରେ ଥିବା ମୁଖ୍ୟତଃ ଇଷ୍ପାତ୍ତ ପ୍ରକଳ୍ପ ଗୁଡ଼ିକ କଂଚାମାଲ୍ ଅଭାବ ନେଇ ଚିନ୍ତାରେ ପଡ଼ିଛନ୍ତି । ରାଜ୍ୟରେ ଶିଳ୍ପ ପ୍ରସାର ଚାଲିଥିବା ଯାହା ରାଜ୍ୟ ସରକାର ଡ଼ିଣ୍ଡିମ ପିଟୁଛନ୍ତି, ତାହାର ବାସ୍ତବ ସ୍ଥିତି ସାମ୍ନାକୁ ଆସିବାର ସମୟ ଆସିଗଲାଣି । ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର କେବଳ ଚୁକ୍ତିନାମାରେ ସୀମିତ ରହିଥିବା ଏବେ ସ୍ପଷ୍ଟ ହୋଇଛି । ଏହା ମଧ୍ୟ ଗତ ୧୯ ବର୍ଷ ମଧ୍ୟରେ ଦେଖାଯାଇଛି ଯେ, ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ପାନୀ ମାନଙ୍କୁ ଯେଭଳି ରାଜ୍ୟ ସରକାର ସହଯୋଗ ଦେବା କଥା, ଦେଇ ନାହାନ୍ତି, ବରଂ କମ୍ପାନୀ ମାନେ ନିଜ ଉଦ୍ୟମରେ ଯାହାକିଛି କରିଛନ୍ତି । କିନ୍ତୁ ଏବେ ସମୟ ଆସିଛି, ରାଜ୍ୟ ସରକାର ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବାଟ ପରିଷ୍କାର କରିବା ଉଚିତ । ମୁଖ୍ୟତଃ ଇଷ୍ପାତ ଶିଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ କୋଇଲା ଖଣି ପ୍ରଦାନର ବ୍ୟବସ୍ଥା ସହ କମ୍ ମୂଲ୍ୟରେ ଲୁହାପଥର ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଅନ୍ୟଥା ଓଡ଼ିଶାରେ ଶିଳ୍ପାୟନର ଅଧଃପତନ ଅବଶ୍ୟମ୍ଭାବୀ ।

Leave a Reply

Your email address will not be published. Required fields are marked *