ଓଡ଼ିଶା କ’ଣ ସତରେ ଅବହେଳିତ?

ଶରତ କୁମାର ରାଉତ
ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି । ଆମ ରାଜ୍ୟରେ ଆମ ଖଣିଜ ସଂପଦର ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବାରୁ ଖୁବ୍ କମ୍ ମୂଲ୍ୟରେ ଆମ ଖଣିଜ ସଂପଦ ବାହାରକୁ ରପ୍ତାନୀ ହୋଇ ସେଠାରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବ୍ୟାପକ ନିଯୁନ୍ତି ସୁଯୋଗ ସୃଷ୍ଟି ହେଉଛି । ଅନେକ ବର୍ଷ ତଳୁ କେତେକ ବୃହତ୍ କମ୍ପାନୀ ଆମ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସୁଛନ୍ତି । କଳିଙ୍ଗନଗର ଶିଳ୍ପ ପ୍ରକଳ୍ପ ଭଳି ସାରା ରାଜ୍ୟରେ ବ୍ୟାପକ ଶିଳ୍ପ ପ୍ରସାର ଓଡ଼ିଶା ପ୍ରଗତିର ସଂକେତ ହୋଇଛି । ରାଜ୍ୟର ଉପକୂଳରେ ଗୋଟିଏ ପରେ ଗୋଟିଏ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ, ରାସ୍ତାଘାଟର ନବୀକରଣ-ନିର୍ମାଣ ଭଳି ବହୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ସେତୁ ନିର୍ମାଣ ଭଳି ଗମନାଗମନର ଅଭୂତପୂର୍ବ ବିକାଶ, ଆଇନକାନୁନ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ ଅଭିନବ ଯୋଜନା ପ୍ରଣୟନ କରାଯାଇଛି । ତଥାପି ଓଡ଼ିଶାର ଲୋକେ ଗରିବ! ଦେଶ ବିଦେଶରେ ଦାଦନ ଶ୍ରମିକ! ତେବେ କ’ଣ ଓଡ଼ିଶା ଓ ଓଡ଼ିଆ ମଣିଷର ବିକାଶ ହେବନି କି ସେ ଦାଦନ ଶ୍ରମିକରୁ ମୁକ୍ତି ପାଇବନି?….. .
ଆମ ରାଜ୍ୟରେ ଯାହା ବିକାଶ ହୋଇଛି, ଭାରତର ଅନ୍ୟାନ୍ୟ ପ୍ରଦେଶରେ ଏହା ଠାରୁ ଅଧିକ ବିକାଶ ହୋଇଛି । ଆମେ ବିକାଶ ଦୌଡ଼ରେ ବହୁ ପଛରେ ପଡ଼ିଥିବା ବୁଦ୍ଧିଜିବୀ ମାନେ କହୁଛନ୍ତି । ଯଦିଓ ଆମ ରାଜ୍ୟରେ ଦାରିଦ୍ର୍ୟ ହଟିଥାନ୍ତା ଓ ମୁଣ୍ଡପିଛା ଆୟ ବଢିଥାନ୍ତା ବା ଭଲ ରୋଜଗାର ସୃଷ୍ଟି ହୋଇଥାନ୍ତା, ତେବେ ଲକ୍ଷ ଲକ୍ଷ ଓଡ଼ିଆ ମଣିଷ ବାହାରେ ଦାଦନ ଶ୍ରମିକ ହୋଇ ନିର୍ଯ୍ୟାତିତ ହୋଇ ନଥାନ୍ତେ! ଆଜି ମହାମାରୀ କରୋନା ଓଡ଼ିଶା ଓ ଓଡ଼ିଆର ପ୍ରକୃତ ଅବସ୍ଥାକୁ ସାମ୍ନାକୁ ଆଣିଛି । ରାଜ୍ୟର ପ୍ରାୟ ଅଧା ମଣିଷ ମାନେ ଯେ ଦେଶ ବିଦେଶରେ କାମ କରି ନିଜ ଗୁଜୁରାଣ ମେଂଟାଉଛନ୍ତି, ତାହା ଏବେ ଜଣାପଡ଼ୁଛି । ରାଜ୍ୟର ପ୍ରତି ଘରୁ ୩/୪ ଜଣ ବାହାରେ । ସେମାନଙ୍କ ମଧ୍ୟରେ ପ୍ରାୟ ୯୮ ଭାଗ ଦାଦନ ଶ୍ରମିକ । କରୋନା ମାଡ଼ରେ ଶତାଧିକ ଟ୍ରେନ୍ ଓ ବସ୍ରେ ସେହି ଶ୍ରମିକ ମାନେ ଆମ ରାଜ୍ୟକୁ ଫେରି ଆସିଥିଲେ ମଧ୍ୟ ସମସ୍ତେ ଆସି ନାହାନ୍ତି । ସବୁଥର ଶ୍ରମିକ ମାନଙ୍କୁ ନେଇ ଆମ ରାଜ୍ୟରେ ଟ୍ରେନ୍ କି ବସ୍ ପହଂଚିଲେ, ସମସ୍ତେ ଆସିଗଲେ ବୋଲି ଲାଗେ । କିନ୍ତୁ ନା? ତଥାପି ଫେରିବାରେ ଲାଗିଛନ୍ତି । ଫେରିବା କେତେଦିନ ଚାଲିବ, ଜଣାନାହିଁ । ଫେରିଥିବା ଲୋକେ ଓ ଏପର୍ଯ୍ୟନ୍ତ ଫେରିନଥିବା ଲୋକଙ୍କ ସଂଖ୍ୟା କେତେ ଲକ୍ଷ କି କେତେ କୋଟି ଜଣାପଡ଼ୁନାହିଁ । କରୋନା ଯୋଗୁ କାମ ବନ୍ଦ ହୋଇଯିବାରୁ ସେମାନେ ପେଟକୁ ମୁଠାଏ ଦାନା ନପାଇ ଡ଼ହଳ ବିକଳ ହେଉଛନ୍ତି । ସେମାନଙ୍କର ଆର୍ତ ଚିକ୍ରାର ସାରା ଦେଶରେ ପ୍ରକମ୍ପିତ ହେଉଛି ।
ବାସ୍ତବରେ କ’ଣ ଓଡ଼ିଶା ଦରିଦ୍ର?….ନା’ କଦାପି ନୁହେ!….ଓଡ଼ିଶା ପ୍ରାକୃତିକ ସଂପଦଭରା ରାଜ୍ୟ । ପ୍ରଚୁର ଖଣିଜ ସଂପଦ ଭରି ରହିଛି ଏଠାରେ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଗଚ୍ଛିତ ବିଭିନ୍ନ ବହୁମୂଲ୍ୟ ଖଣିଜ ସଂପଦର ପ୍ରାୟ ୨୫ ଭାଗ କେବଳ ଆମ ରାଜ୍ୟରେ ଗଚ୍ଛିତ ଅଛି । ଏଠାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍, କୋଇଲା, ନିକେଲ ଆଦି ଏତେ ପରିମାଣର ଗଚ୍ଛିତ ଅଛି ଯେ ଆମ ଦେଶ ଓ ବିଦେଶ ଆମ ରାଜ୍ୟ ଉପରେ ନିର୍ଭର କରନ୍ତି । ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ଏଥିରୁ ମାତ୍ର ୪୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଓ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହେଉଛି । ଅନ୍ୟପକ୍ଷରେ ପ୍ରାୟ ୧୧.୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ବେଳେ ବାକି ଜମି ଜଳସେଚିତ ହୋଇନାହିଁ । ପାଖାପାଖି ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସମ୍ଭବ ନୁହେଁ । ସେହିପରି ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ମାତ୍ର ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଏଠାରେ ଦାରିଦ୍ର୍ୟର ଉତ୍ପାତ ବେଶୀ । ଦିନେ ଓଡ଼ିଶାର ଅନାହାର ମୃତୁ୍ୟ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଥିଲା । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ଶିଶୁ ଓ ମାତୃ ମୃତୁ୍ୟହାର ସର୍ବାଧିକ…ଇତ୍ୟାଦି ।
ଆମ ରାଜ୍ୟ ସରକାର ଆମ ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଦେଇ ପାରିବାର ବ୍ୟାପକ ସୁଯୋଗ ରହିଛି । ଏକ ସମୀକ୍ଷାରୁ ଜଣାପଡ଼େ ଯେ, ଓଡ଼ିଶାରେ ୨୪୬୧ ଟି ବୃହତ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କାର୍ଯ୍ୟକ୍ଷମ ରହିଛି । ଏଗୁଡ଼ିକ ପ୍ରାୟତଃ ଖଣିଜ ସଂପଦ ଭିତିକ ଶିଳ୍ପ । ମୁଖ୍ୟତଃ କଂଚାମାଲ୍(ଖଣିଜ ସଂପଦ) କୁ ଦରକାରୀ ଦ୍ରବ୍ୟରେ ପରିଣତ କରାଯିବା ଶିଳ୍ପ ଓ ପଥର ଖଣି ଭିତିକ ଶିଳ୍ପ ଓଡ଼ିଶାରେ ଆଗ ଧାଡ଼ିରେ ରହିଛନ୍ତି । ଏଥିସହ ବିଜୁଳି ଶିଳ୍ପ ସମେତ ଗ୍ୟାସ୍, ପାଣି ଯୋଗାଣ, କୃଷି, ପର୍ଯ୍ୟଟନ, ମତ୍ସ୍ୟ ଆଦି ଶିଳ୍ପ ରହିଛି । ଏହାଛଡ଼ା ବ୍ରଜରାଜ ନଗରର ଓରିଏଂଟ ପେପର ମିଲ୍ ଭଳି ଚୌଦ୍ୱାର ଓ ଅନ୍ୟାନ୍ୟ ସ୍ଥାନରେ ବନ୍ଦ ହୋଇଯାଇଥିବା ଶିଳ୍ପ ସଂସ୍ଥାର ପୁନଃଉଦ୍ଧାର ଆବଶ୍ୟକ । ବହୁ ବଡ଼ବଡ଼ ଶିଳ୍ପ ସଂସ୍ଥା ରୁଗଣ ଅବସ୍ଥାରେ ରହିଥିବାବେଳେ କୂଟୀର ଶିଳ୍ପ ପ୍ରାୟତଃ ବନ୍ଦ ହୋଇ ଯାଇଛି । ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ଉଚିତ । ସେଥିରେ ଓଡ଼ିଆ ଲୋକମାନଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଗଲେ, ସେମାନେ ଦେଶ-ବିଦେଶକୁ ଯାଆନ୍ତେ ନାହିଁ । ଓଡ଼ିଶାରେ କାର୍ଯ୍ୟକ୍ଷମ ଶିଳ୍ନ ସଂସ୍ଥା ଗୁଡ଼ିକରେ ଏବେ ଲକ୍ଷ ଲକ୍ଷ ଲୋକେ କାର୍ଯ୍ୟ କରୁଛନ୍ତି ସିନା, ହେଲେ ସେମାନଙ୍କ ମଧ୍ୟରେ ଓଡ଼ିଆ ଲୋକଙ୍କ ସଂଖ୍ୟ ଅତି ନଗଣ୍ୟ । ବାସ୍ତବତା ହେଲା, ଓଡ଼ିଆ ଲୋକଙ୍କୁ ଏଠାରେ ନିଯୁକ୍ତି ମିଳୁନି । ଓଡ଼ିଆ ଲୋକେ କାମ ପାଇଁ ଦେଶ-ବିଦେଶକୁ ଯାଉଛନ୍ତି । ସେଠାରେ ନିର୍ଯ୍ୟାତିତ ହେଉଛନ୍ତି । କରୋନା ରୋଗ ଏହାର ମୂକସାକ୍ଷୀ ହୋଇଛି । ଏହାର ବ୍ୟାପକ ସମୀକ୍ଷା ହେବାର ଆବଶ୍ୟକତା ରହିଛି । ରାଜ୍ୟର କାର୍ଯ୍ୟକ୍ଷମ ଶିଳ୍ପସଂସ୍ଥା, ବନ୍ଦ୍ ବା ରୁଗଣ ଥିବା ଶିଳ୍ପସଂସ୍ଥା ଓ କୂଟୀର ଶିଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ସେଥିରେ ଓଡ଼ିଆ ଲୋକମାନଙ୍କୁ ନିଯୁକ୍ତି ଦିଆଗଲେ, ଆଉ ଆମକୁ ଆଜିର ଅବସ୍ଥା ଦେଖିବାକୁ ପଡ଼ିବନି । ଏଥିପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଉଚିତ । ଓଡ଼ିଆ ଏବଂ ଓଡ଼ିଶାର ବିକାଶ ପାଇଁ ପ୍ରକୃତରେ ରାଜ୍ୟ ସରକାରଙ୍କର ଆନ୍ତରିକତାର ଆବଶ୍ୟକତା ରହିଛି । ଅନେକ କେନ୍ଦ୍ରୀୟ ଯୋଜନାରେ ସିନା ଗମନାଗମନ, ସ୍ୱାସ୍ଥ୍ୟସେବା ଭଳି କେତେକ କ୍ଷେତ୍ରରେ ଉନ୍ନତି ହୋଇଛି, ହେଲେ ଓଡ଼ିଆ ମଣିଷର ଅର୍ଥନୈତିକ ଓ ସାମାଜିକ ଅବସ୍ଥାରେ ପରିବର୍ତନ ଆସିନାହିଁ । ଲୋକଙ୍କୁ ନିଯୁକ୍ତି ଓ ସେମାନଙ୍କର ରୋଜଗାର ବୃଦ୍ଧି ସରକାରଙ୍କର ପ୍ରଧାନ ଦାୟୀତ୍ୱ । ଚାଷୀଙ୍କର ଆୟ ବୃଦ୍ଧି ଓ ଜଳସେଚନର ସୁବ୍ୟବସ୍ଥା ଆବଶ୍ୟକ । ଏହା ଚିନ୍ତା କରାଯିବା ଉଚିତ । ଟଙ୍କିକିଆ ଚାଉଳ, ଆହାର ଯୋଜନା, ନିରାମୟ ଯୋଜନା ଆଦି ବେକାରୀ ଅବସ୍ଥାର ସମାଧାନ ନୁହେଁ ।

Leave a Reply

Your email address will not be published. Required fields are marked *