ଓଡ଼ିଶା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ!

ଓଡ଼ିଶା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ!

ଅସୁସ୍ଥ ହୋଇପଡ଼ିଛି ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ଅବାଟରେ ଚାଲୁଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଶାସନ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ମଧ୍ୟ ବେଳେବେଳେ ଏକାଧିକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ସ୍ୱାସ୍ଥ୍ୟ ସେବାର ସାମାନ୍ୟତମ ଉନ୍ନତି ପରିଲଖିତ ହେଉନାହିଁ । ବରଂ ଅବନତି ହୋଇ ଚାଲିଛି । ଯୋଜନା ଗୁଡ଼ିକ ଚାଲିଛି କିପରି, ଟଙ୍କା ଖର୍ଚ୍ଚ ହେଉଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ଜଳଜଳ ଦେଖାଯାଉଛି, ସାରା ରାଜ୍ୟରେ ଭୁଷୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ରୋଗୀମାନେ ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି । ଏହା ପ୍ରମାଣିତ କରିଛି ନୀତି ଆୟୋଗଙ୍କ ରିପୋର୍ଟ । ନୀତି ଆୟୋଗଙ୍କ ସ୍ୱାସ୍ଥ୍ୟ ସୂଚକାଙ୍କରେ ୨୧ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ତଳ ଆଡ଼ୁ ତୃତୀୟ ଅର୍ଥାତ ୨୧ ନମ୍ବର ର୍ୟାଙ୍କ୍ । ଏପରିକି ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରକୁ ଉଠିବା ବଦଳରେ ଗୋଟିଏ ସ୍ଥାନ ତଳକୁ ଖସିଛି । ସେହିପରି ପ୍ରତି ୧ହଜାର ପିଲାଙ୍କ ମଧ୍ୟରୁ ୩୨ ଜଣ ଜନ୍ମର ୨୮ ଦିନ ମଧ୍ୟରେ ମରୁଛନ୍ତି । ଆଉ ପ୍ରତି ୧ହଜାର ୫ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ୫୦ ଜଣ ମରୁଛନ୍ତି । ପ୍ରତି ହଜାରେ ମଧ୍ୟରେ ୧୮୨ ଶିଶୁ କମ୍ ଓଜନର । ପୂର୍ଣ୍ଣ ଟିକାକରଣ ପିଲାଙ୍କ ସଂଖ୍ୟା ୨୫% ହ୍ରାସ ପାଇ ଥିବାବେଳେ ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ଅଭାବ ରହିଥିବା ଏହି ରିପାର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟକୁ ରାଜ୍ୟ ସରକାର ସମୀକ୍ଷା କରି କି କି ପଦକ୍ଷେପ ନେବେ, ତାହା ଦେଖିବାର ବାକି । ବାସ୍ତବତା ଦେଖାଗଲେ, ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଧରାଶାୟୀ ହୋଇଛି । ଆଉ କେବିକେ ଓଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବାର ଚିତ୍ର ଆହୁରି ଦୟନୀୟ । ଡ଼ାକ୍ତର ପଦବୀ ଖାଲି ପଡ଼ିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଘରୋଇ ଡ଼ାକ୍ତରଖାନାରେ କାମ ଦେଉନି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଦୃଷ୍ଟି ଦେଉଛନ୍ତି ଓ ଏଥିରୁ ମୁକୁଳିବା ପାଇଁ ନାନା ଉପାୟ ବାହାର କରୁଛନ୍ତି । ବାସ୍ତବତା ହେଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅସାବଧାନତା, ଦାୟିତ୍ୱହୀନତା, ମନମୁଖୀ କାର୍ଯ୍ୟ ଓ କର୍ତବ୍ୟରେ ଅବହେଳା ଯୋଗୁଁ ଅକାଳରେ ଲୋକେ ମରିବା ଏକ ପରମ୍ପରା ହୋଇଛି ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ନପାରିବାର ମୂଳ କାରଣ ହେଲା, ଭିତିଭୂମିର ଘୋର ଅଭାବ ଓ ପରିଚାଳନାଗତ ତୃଟି । ଭିତିଭୂମିର ଅର୍ଥ ସରକାର କ’ଣ ବୁଝନ୍ତି, ଜାଣି ହେଉନାହିଁ । ସାଂଘାତିକ ରୋଗୀଙ୍କୁ ଅକ୍ସିଜେନ୍ ଦେଇ ଆଇସିୟୁ ପ୍ରକୋଷ୍ଠରେ ରଖା ଯାଇଥାଏ । ମାତ୍ର ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ମଧ୍ୟ ଆଇସିୟୁ ପ୍ରକୋଷ୍ଠରେ ତାଲା ଝୁଲୁଛି । ଚିକିତ୍ସା ଉପକରଣ ସବୁ ବିକ୍ଷିପ୍ତ ହୋଇ ଏଣେ ତେଣେ ପଡିଛି ତ ସେସବୁର କୌଣସି ହିସାବ ନାହିଁ । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ୨୦୦୫ରେ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରଠାରୁ ରକ୍ତହୀନତା ରୋଗ ଓ ଏଥିଜନିତ ମୃତୁ୍ୟ ସଂଖ୍ୟା ବଢି ଚାଲିଛି । ରାଜ୍ୟରେ ୩୧୪ଟି ବ୍ଲଡ଼୍ ଷ୍ଟୋରେଜ୍ ୟୁନିଟ୍, ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ହେଲେ ଅବାଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ହେଉଥିବା ଦାବି କରୁଛି ସ୍ୱାସ୍ଥ୍ୟ ମିସନ୍ । ମିସନ୍ର ହର୍ତାକର୍ତା ସାଜିଥିବା ଅନଭିଜ୍ଞ, ଅଦକ୍ଷ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆଯାଉଛି ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ । ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ ବାରଣ୍ଡାରେ ଶୋଇ ଚିକିତ୍ସାଧୀନ ଥିବା ଦେଖା ଯାଇପାରେ । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼େ ଓ ସେଠାରେ ସେମାନେ ଶୋଷିତ ହୁଅନ୍ତି । ହୁଏତ ଏହାକୁ ଅନୁଭବ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସ୍ପଷ୍ଟ ନିଦେ୍ର୍ଦଶ ଦେଛନ୍ତି ଯେ, ଘରୋଇ ସଂସ୍ଥାର ପରିକ୍ଷା ରିପୋର୍ଟ ସରକାରୀ ଡ଼ାକ୍ତରଖାନାରେ ଗ୍ରହଣ ହେବନାହିଁ । ଯେହେତୁ ନିଦାନ, ସୁନେତ୍ର ଭଳି ଯୋଜନାରେ ରାଜ୍ୟ ସରକାର ରୋଗୀମାନଙ୍କୁ ବିଭିନ୍ନ ପରିକ୍ଷା-ନିରୀକ୍ଷା ବିନାମୂଲ୍ୟରେ ଯୋଗାଇ ଦେଉଛନ୍ତି । ତେବେ ଏହି ନିଦେ୍ର୍ଦଶ ସ୍ୱାଗତଯୋଗ୍ୟ ହେଲେ ବି ଏହାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ରାଜ୍ୟରେ ରୋଗୀ ସଂଖ୍ୟା ଅନୁପାତରେ ପାଥୋଲଜି ଓ ଏଲ୍ଟି ସଂଖ୍ୟା ବହୁ କମ୍ ରହିଛି । ସାଧାରଣତଃ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ପାଥୋଲଜି ଓ ଜଣେ ଏଲ୍ଟି କାମ ଚଳାଉଥିବାବେଳେ ଏବେ ସେଠାରେ ୨/୩ ଏଲ୍ଟିଙ୍କର ଆବଶ୍ୟକତା ପଡ଼ିବ । ସେହିପରି ଅନ୍ୟାନ୍ୟ ବଡ଼ ବଡ଼ ଡ଼ାକ୍ତରଖାନା ଗୁଡ଼ିକରେ ପାଥୋଲଜି ଓ ଏଲ୍ଟିଙ୍କ ସଂଖ୍ୟା ବଢାଇବାକୁ ପଡ଼ିବ । ଏଥିପାଇଁ ସମୟ ବି ଲାଗିବ । ଏବେ ଡ଼ାକ୍ତରଖାନା ଗୁଡ଼ିକରେ ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କର୍ମଚରୀଙ୍କ ଦ୍ୱାରା କିଛି ହରିଲୁଟ୍ ହୁଏ, କିଛି ସମୟସୀମା ଶେଷ ପରେ ବଂଟାଯାଏ ଓ ଆଉକିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ମୋଟ ଉପରେ ଆମର ଚିକିତ୍ସା ବ୍ୟବସ୍ଥା ଏଭଳି ଢଙ୍ଗରେ ଚାଲିଛି ଯେ, ସରକାରୀ ଚିକିତ୍ସାଳୟ କେବଳ ଲୋକ ଦେଖାଣିଆ, ହେଲେ ନିର୍ଭର କରିବାକୁ ପଡ଼ୁଛି ଘରୋଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ।
ଦିନ ଥିଲା ଯେତେବେଳେ ଆମ ଚିକିତ୍ସାଳୟ ମାନଙ୍କରେ ଔଷଧ ଚିଠା ଲେଖିବା ପାଇଁ କାଗଜର ମଧ୍ୟ ଅଭାବ ଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରେ ସମୁଦ୍ର ଲହଡ଼ି ଭଳି ଅନୁଦାନ ସ୍ରୋତ ମାଡ଼ି ଆସିଲା । ରଙ୍ଗାରଙ୍ଗ ଘର, କାଚର ଦ୍ୱାର ଓ ଝରକା, ଏସି ମେସିନ୍, ମାର୍ବଲ୍ ଚଟାଣ, ଗଦି ଲଗା ଚେୟାର୍, ନିୟନ୍ ଲାଇଟ୍, ଶହଶହ ଗାଡ଼ି ଓ ସୁନ୍ଦର ଉଦ୍ୟାନରେ ହସ୍ପିଟାଲ୍ ଗୁଡ଼ିକ ଶୋଭା ପାଇଲା । ହେଲେ ବାସ୍ତବ ଭିତିଭୂମିର ବିକାଶ ହୋଇ ପାରି ନାହିଁ । ଅନେକ ସ୍ଥାନରେ ଆୟୁଷ ଡ଼ାକ୍ତରଙ୍କୁ ନେଇ ହସ୍ପିଟାଲ୍ ଚାଲୁଛି । କୌଣସି ସମୟରେ ଏନ୍ଏଚ୍ଏମ୍ ଯୋଜନା ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ ବିଭାଗୀୟ ମନ୍ତ୍ରୀ କି ସଚିବ ଥରେ ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଥିବା ଆମେ ଦେଖୁଛେ, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ଏହାଛଡ଼ା ଯେତିକି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ତାହାର ଖର୍ଚ୍ଚ ମଧ୍ୟ ବହନ କରୁଛି ମିସନ୍ । ତେବେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟସେବା ପାଇଁ କିଭଳି ଦାନ ରହିଛି, ଜାଣି ହେଉନାହିଁ । ଶହଶହ କୋଟି ଟଙ୍କାର ଔଷଧ ଓ ଚିକିତ୍ସା ଉପକରଣ କିଣା ଯାଉଛି ସିନା, ସେସବୁ ରୋଗୀ ମାନଙ୍କ ସେବାରେ ଲାଗୁନି । ସେଥିମଧ୍ୟରେ ଅଧିକାଂଶ ଔଷଧ ଓ ଉପକରଣ ଅତି ନିମ୍ନ ମାନର । ବରଂ ଏହି କିଣାବିକା ମଧ୍ୟରେ ବଡ଼ବଡ଼ିଆ ମାନଙ୍କୁ କିଛିକିଛି ହାତଗୁଞ୍ଜା ମିଳୁଛି । ଯଦିଓ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ଥାଆନ୍ତେ, ଏହି ମିସନ୍ ଅର୍ଥରେ ବି ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରି ନାହିଁ । ଅଯଥା ରାଜନୈତିକ ହସ୍ତକ୍ଷେପ, ପ୍ରଶାସନିକ ଅପାରଗତା ଓ ସରକାରୀ ନିୟମ ଉଲଘଂନ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଯାଇଛି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହେଇ ପାରୁନି, କାହିଁକି ସରକାରୀ ସ୍ୱାସ୍ଥ୍ୟସେବା ସୁବିଧା ଠିକ୍ ସମୟରେ ଓ ଠିକ୍ ଭାବେ ରୋଗୀ ପାଇ ପାରୁ ନାହାନ୍ତି, ରୋଗୀ ସଂଖ୍ୟାନୁପାତରେ କାହିଁକି ଡ଼ାକ୍ତର, କର୍ମଚାରୀ, ରୋଗୀ ଶଯ୍ୟା, ଚିକିତ୍ସା ଉପକରଣ ସର୍ବୋପରି ଆବଶ୍ୟକୀୟ ଭିତିଭୂମିର ଅଭାବ ଦେଖା ଦେଉଛି, ସେ ସଂପର୍କରେ କେହି ଭାବୁଛନ୍ତି କି? ଭିତିଭୂମିର ବିକାଶ ସହ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର କାର୍ଯ୍ୟକାରୀ ପ୍ରଣାଳୀର ସମୀକ୍ଷା ହେବା ଉଚିତ । ସରକାରୀ ନୀତି କାର୍ଯ୍ୟକାରୀ ଉପରେ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ । ସଚିବାଳୟ ଓ ନିଦେ୍ର୍ଦଶାଳୟରେ ସଂସ୍କାର ଅଣାଯାଉ । ଅନ୍ୟଥା ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଆଶା ସ୍ୱପ୍ନରେ ରହିଯିବ । ଶରତ କୁମାର ରାଉତ 

Leave a Reply

Your email address will not be published. Required fields are marked *