ଓଡ଼ିଶା ସ୍ୱାସ୍ଥ୍ୟ ପ୍ରଶାସନର ଗତି କୁଆଡ଼େ?

ଓଡ଼ିଶା ସ୍ୱାସ୍ଥ୍ୟ ପ୍ରଶାସନର ଗତି କୁଆଡ଼େ?

ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜ ଖୋଲା ଯାଉଛି । ବହୁ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିସହ ସାଧାରଣ ଲୋକଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇ ରୋଗୀଶଯ୍ୟା ସଂଖ୍ୟା ବୃଦ୍ଧି ଓ ଅତ୍ୟାଧୁନିକ-ଉନ୍ନତ ଚିକିତ୍ସା ଉପକରଣ ଉପଲବ୍ଧ କରା ଯାଉଛି । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି । ଅନେକ ପ୍ରକାରର ଔଷଧପତ୍ର ମାଗଣାରେ ଯୋଗାଇ ଦିଆଯାଉଛି । ଗର୍ଭବତୀ ମା’ ଓ ଶିଶୁ ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଦିଆଯିବା ସହ ସେମାନଙ୍କୁ ଆବଶ୍ୟକୀୟ ପ୍ରତିଷେଧକ ଟୀକାକରଣ କରାଯାଉଛି । ରୋଗୀମାନଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ପହଂଚାଇବା ପାଇଁ ଆମ୍ବୁଲାନ୍ସ ସେବା ପ୍ରଚଳନ ହେଉଛି । ସାଧାରଣ ଲୋକଙ୍କ ପାଇଁ ଏମିତି ବହୁ ସ୍ୱାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ବାସ୍ତବରେ ଆମ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ପାରିନାହିଁ । ଦିନକୁ ଦିନ ରାଜ୍ୟରେ ସ୍ୱାସ୍ଥ୍ୟସେବା ଅବସ୍ଥା ନିମ୍ନଗାମୀ ହେବାରେ ଲାଗିଛି । ଅନେକ ଯୋଜନା କାର୍ଯ୍ୟକାରୀ ସତ୍ୱେ ଆମ ରାଜ୍ୟରେ ପ୍ରାୟ ୫୦ଶତକଡ଼ା ମା’(୧୫ ରୁ ୪୯ ବର୍ଷ) ଓ ଶିଶୁ(୫ବର୍ଷରୁ କମ୍) ରକ୍ତହୀନତା ଓ ପୃଷ୍ଟିହୀନତାରେ ଆକ୍ରାନ୍ତ । କେବଳ ଆଦିବାସୀ ଅଂଚଳରେ ଏହି ହାର ପ୍ରାୟ ୭୫ ଶତକଡ଼ା ରହିଛି । ମା’ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ମୂଳ ଲକ୍ଷ୍ୟ ହୋଇଥିଲେ ହେଁ ତାହା ସଫଳ ହୋଇ ପାରିନାହିଁ । ଉନ୍ନତମାନର ଚିକିତ୍ସା ଉପକରଣ ସହିତ ରାଜ୍ୟରେ ଡ଼ାକ୍ତରଖାନା ସଂଖ୍ୟା ବଢିଥିଲେ ମଧ୍ୟ ଏସବୁର ଉପଯୁକ୍ତ ଉପଯୋଗ ବା ରୋଗୀ ମାନଙ୍କୁ ଉକ୍ତ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଡ଼ାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କର ଘୋର ଅଭାବ ରହିଛି । ଏହାର ସୁଯୋଗ ନେଇ ଘରୋଇ ଡ଼ାକ୍ତରଖାନା ଗୁଡ଼ିକ ରୋଗୀମାନଙ୍କୁ ଶୋଷଣ କରୁଥିବା ବେଳେ ସାଧାରଣ ଲୋକେ ନିଜର ଚିକିତ୍ସା ପାଇଁ ନକଲୀ ଡ଼ାକ୍ତର ବା ଗୁଣିଆ ଆଦିଙ୍କର ଶରଣ ନେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ୧୬୦୦୬ଟି ପଦବୀ ଖାଲି ପଡ଼ିଛି । ରାଜ୍ୟରେ ୧୦,୦୦୦ରୁ ଅଧିକ ଡ଼ାକ୍ତରଙ୍କର ଆବଶ୍ୟକତା ଥିବାବେଳେ ମଂଜୁରୀପ୍ରାପ୍ତ ୬୭୧୯ ଡ଼ାକ୍ତର ପଦବୀରୁ ୨୯୭୮ ପଦବୀ ଖାଲି ପଡ଼ିଛି । ଏଥିଯୋଗୁ ରୋଗୀମାନେ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ସେହିପରି ରାଜ୍ୟ ମୁଖ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ କରିବାକୁ ଡ଼ାକ୍ତର ନାହାନ୍ତି । ଡ଼ାକ୍ତରଙ୍କ ପାଇଁ ୧୦୫ ଟି ପ୍ରଶାସନିକ ପଦବୀ ଥିବାବେଳେ ୬୧ଟି ପଦବୀ ଖାଲି ପଡ଼ିଛି । ଯେଉଁଥିପାଇଁ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଛି । ସରକାରୀ ନିୟମ ତଥା ଜନସଂଖ୍ୟା ଅନୁପାତରେ ରାଜ୍ୟରେ ୧୨ହଜାରରୁ ଅଧିକ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହେବାର ଜରୁରୀ ଥିବାବେଳେ ଏବେ ମାତ୍ର ୬୬୮୮ଟି ଉପ-ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି । ଅନ୍ୟପକ୍ଷରେ ପ୍ରତିବର୍ଷ ୨ହଜାରରୁ ଅଧିକ ବିଭାଗୀୟ କର୍ମଚାରୀ/ଅଧିକାରୀ ଅବସର ନେଉଛନ୍ତି । କିନ୍ତୁ ସେହି ଅନୁପାତରେ ନିଯୁକ୍ତି ହେଉନାହିଁ । ଅଥଚ ନୂଆ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ସମେତ କେତେକ ଡ଼ାକ୍ତରଖାନାକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଉଛି ଓ ସେଠାରେ କେତେକ ନୂଆ ପଦବୀ ସୃଷ୍ଟି କରାଯାଉଛି । ହେଲେ ଡ଼ାକ୍ତର ଓ କର୍ମଚାରୀ ଅଭାବ ଯୋଗୁ ଏହାର କୌଣସି ଲାଭ ରୋଗୀ ପାଉନାହିଁ । ସରକାରଙ୍କ କହିବା କଥା ଯେ, ଖୁବ୍ ଶୀଘ୍ର ଡ଼ାକ୍ତର ଅଭାବ ସମସ୍ୟା ସମାଧାନ ହୋଇଯିବ । ମାତ୍ର ହଜାର ହଜାର ଅନ୍ୟାନ୍ୟ କର୍ମଚାରୀ ପଦବୀ ଖାଲି ପଡ଼ିଛି । ବହୁମୂଲ୍ୟ ଚିକିତ୍ସା ଯନ୍ତ୍ରପାତି ବା ଉପକରଣ ସଂପୃକ୍ତ ଅପରେଟରଙ୍କ ଅଭାବରୁ ଡ଼ାକ୍ତରଖାନାରେ ପଡ଼ି କଳଙ୍କି ଲାଗୁଛି । ମହିଳା ସ୍ୱାସ୍ଥ୍ୟକର୍ମୀ(ଏଏନ୍ଏମ୍), ସ୍ୱାସ୍ଥ୍ୟ ପରିଦର୍ଶିକା, ଷ୍ଟାଫ୍ନର୍ସ, ଫାର୍ମାସିଷ୍ଟ, ରେଡ଼ିଓଗ୍ରାଫର୍, ଲାବରେଟୋରୀ ଟେକ୍ନିସିଆନ୍, ଏସ୍.ଏ., ଭି.ଏସ୍.କ୍ଲର୍କ ଆଦି ବହୁ ପଦବୀ ଖାଲି ପଡ଼ିଥିବାରୁ ରାଜ୍ୟରେ ମୌଳିକ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ଅତ୍ୟାବଶ୍ୟକ ପଦବୀ ଗୁଡ଼ିକ ତୁରନ୍ତ ପୂରଣ ହେବା ଉଚିତ ।
ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗତି କୁଆଡ଼େ, ଜାଣି ହେଉନାହିଁ । ଅସଜଡ଼ା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସକ୍ରିୟ ଓ ଦୁର୍ନୀତି ମୁକ୍ତ କରାଇବା ସପକ୍ଷରେ କାହାର ଆନ୍ତରିକତା ଥିବା ପରି ମନେ ହେଉନାହିଁ । ରକ୍ତହୀନତା, ପୃଷ୍ଟିହୀନତା, ଡ଼େଙ୍ଗୁ, ଆନ୍ଥ୍ରାକ୍ସ, ଡ଼ାଇରିଆ ଓ ମେଲେରିଆ ଆଦି ମାରାତ୍ମକ ସଂକ୍ରାମକ ରୋଗରେ ପଡ଼ି ଅସହାୟ ମଣିଷମାନେ ପୋକମାଛି ଭଳି ମରୁଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଦୃଷ୍ଟି ଦିଅନ୍ତି ଓ ଏହି କଳଙ୍କରୁ ମୁକୁଳିବା ପାଇଁ ନାନା ଉପାୟ ଅବଲମ୍ବନ କରନ୍ତି । ଡ଼ାଇରିଆ ହେଉ କି ଅନ୍ୟାନ୍ୟ ମାରାତ୍ମକ ସଂକ୍ରାମକ ରୋଗ ସମସ୍ୟା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନଥିବା ମନେ ହେଉଛି । ସଂକ୍ରାମକ ରୋଗର ମୂଳ କାରଣ ମୁଖ୍ୟତଃ ଅଖାଦ୍ୟ ଭକ୍ଷଣ, ଦୂଷିତ ପାନୀୟ ଜଳ ବ୍ୟବହାର, ଅଳିଆ-ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ । ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ସରକାରୀ ଯୋଜନା ରହିଛି । ଦେଶରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୦୫ ମସିହାରୁ ସବୁ ରାଜ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେଉଛି । ବିଭିନ୍ନ ଯୋଜନାରେ ପ୍ରଚୁର ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଆମ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ହେଉନାହିଁ । ଜାତୀୟ ସ୍ତରରେ ନବଜାତ ଶିଶୁ(ଆଇଏମ୍ଆର)ମୃତୁ୍ୟହାର ପ୍ରତି ୧ ହଜାରରେ ୩୨ ଥିଲାବେଳେ ଓଡ଼ିଶାରେ ୪୦(ବେସରକାରୀ ଭାବେ ୫୨)ରହିଛି । ପ୍ରତିବର୍ଷ ଆମ ରାଜ୍ୟରେ ହଜାର ହଜାର ଶିଶୁ ଅକାଳରେ ପ୍ରାଣ ହରାଉଛନ୍ତି! ସିଏଜି ରିପୋର୍ଟରେ ମଧ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ଥାଣୁ ପାଲଟିଥିବା କୁହାଯାଇଥିଲା । ରିପୋର୍ଟ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣରେ ସ୍ୱାସ୍ଥ୍ୟ ମିସନ୍ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମିସନ୍ ସେମିତି କିଛି ତତ୍ପରତା ଦେଖାଉ ନାହିଁ । ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ୍ ଔଷଧ ରୋଗୀଙ୍କୁ ଦିଆ ନଯାଇ ନଷ୍ଟ କରାଯାଉଛି । ଅବଧି ସମୟ ପରେ କିଛି ଔଷଧ ରୋଗୀଙ୍କୁ ଦିଆ ଯାଉଥିବା କୁହାଯାଉଛି । ମାତୃ ମୃତୁ୍ୟହାର ଧାର୍ଯ୍ୟଲକ୍ଷ୍ୟ ହ୍ରାସ ପାଉନାହିଁ ।
ଏଠାରେ ପ୍ରଶ୍ନ ଉଠୁଛି ଯେ, ମିସନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହେଉନାହିଁ କାହିଁକି? ରାଜ୍ୟରେ ଯୋଜନାର ଅଭାବ ନଥିବାବେଳେ ସରକାରୀ ସ୍ତରରେ ପ୍ରତିଦିନ ନୂଆ ନୂଆ ନିଷ୍ପତି ଓ ପଦକ୍ଷେପ ଘୋଷଣା କରାଯାଉଛି । ହେଲେ ସବୁ କିଛି ଫେଲ୍ । ମିସନ୍ର ଅଜସ୍ର ଅନୁଦାନ ସତ୍ୱେ ଆମେ ଯଦି ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଧାରି ପାରିଲୁ ନାହିଁ, ତେବେ ଭଗବାନ୍ ବି ଆମକୁ କ୍ଷମା ଦେବେ ନାହିଁ । କେବଳ ଡ଼ାକ୍ତର ଅଭାବର ଆଳ ଦେଖାଇ ସ୍ୱାସ୍ଥ୍ୟସେବାକୁ ଆମେ ଅଣଦେଖା କରି ଚାଲିଛେ । କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କାହିଁକି ଆଦର୍ଶ କରିପାରୁ ନାହିଁ, ତା’ ଉପରେ ବ୍ୟାପକ ସମୀକ୍ଷା ହେବା ଆବଶ୍ୟକ । ଅଯଥା ରାଜନୈତିକ ହସ୍ତକ୍ଷେପ ଓ ପ୍ରଶାସନିକ ଅପାରଗତା ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଗଲାଣି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହେଇ ପାରୁନି, କାହିଁକି ଆବଶ୍ୟକୀୟ ଭିତିଭୂମିର ଅଭାବ ଦେଖା ଦେଉଛି, ସେ ସଂପର୍କରେ କେହି ଭାବୁଛନ୍ତି କି? ଆଇନଗତ ବ୍ୟବସ୍ଥାକୁ ମଜଭୁତ୍ ଏବଂ ସ୍ୱାସ୍ଥ୍ୟ ପ୍ରଶାସନକୁ ଲୋକାଭିମୁଖୀ କରାଇବାକୁ କାହିଁକି କେହି ଆନ୍ତରିକତା ଦେଖାଉ ନାହାଁନ୍ତି? ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । କିନ୍ତୁ ନିକଟ ଅତୀତରେ ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ ନବ କିଶୋର ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଛି । ତାଙ୍କ ଉଦ୍ୟମରେ ରାଜ୍ୟରେ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟସେବାର ଉନ୍ନତି ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ନୂଆ ସଂସ୍କାର ଆସି ପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆମକୁ ସ୍ୱୀକାର କରିବାକୁ ହେବ ଯେ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରାନଯିବା ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଅସମ୍ଭବ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *