କବିତା:- “ଅବରୋଧ”

ଦେବଯାନୀ ରାୟ
କରୁଣ କ୍ଲାନ୍ତିରେ
ଅସହାୟ ଲାଗୁଥିବା
କିଛି ଲୋଡ଼ାପଣକୁ
ଆତ୍ମସ୍ଥ ପାଇଁ
ମୁଁ ଖୋଜୁଥାଏ ଗୀତର ଲାଳିତ୍ୟ ।୧
ବିପରୀତ ଦିଗରୁ
ଉଲ୍ଲସିତ ଅନୁଭବରେ
ଅପାଦ ମସ୍ତକ ପଢିଲାବେଳେ
ଆଶ୍ୱସ୍ତିର ଅନୁଛେଦ
ନିଃଶ୍ୱାସ ହୁଏ ଅବରୋଧ । ୨
ଅଜ୍ଞାତ ଗନ୍ତବ୍ୟର ଅନ୍ୱେଷଣରେ
ଆପଣାର ଦୁଃଖକୁ କାନେ୍ଧଇ
ବାଟ ଚାଲୁଥିଲାବେଳେ
କାହିଁ ପଥର ମୂର୍ତ୍ତି ତ ବଢାଇନି
କେବେ ସହାନୁଭୂତିର
କଅଁଳ ହାତ……… । ୩
କିନ୍ତୁ……
କେତେ ପାପକୁ ଧୋଇ ସାରିଲା ପରେ
ବଳକାକୁ ସୂର୍ଯ୍ୟ ଜାଳି ଦେବାକୁ
ସଦା ପ୍ରସ୍ତୁତ…… । ୪
କୋଟି ସଂସ୍କାର ଆପଣେଇ
ପ୍ରତିରୋଧର ଆତ୍ମ କାହାଣୀରେ
ମାର୍ମିକତାକୁ ଭେଦି ହୂଏ ସିନା
କେହି ବୁଝନ୍ତିନି
ଅନ୍ତର୍ନିହିତ ଶବ୍ଦର ନିନାଦ
ଦୀର୍ଘକାଳ ଝଟକୁ ଥିବା
ପୁଣ୍ୟରୋଧଟି ଖୋଜୁଥାଏ
ଶୋକରୁ ପୂର୍ଣ୍ଣ ଶ୍ଲୋକାର୍ଥ । ୫
ଠିକ୍ ମର୍ମରେ ପରଖିଲେ
ତନ୍ନ ତନ୍ନ ଖୋଜାପଡ଼େ ଉଚିତ ବିଶେଷତ୍ୱ । ୬
ଅଚାନକ ଶ୍ୱାସ ନଳୀରେ ବନ୍ଧାପଡ଼େ
କାହାରିକୁ ଦିଶୁ ନଥିବା
ଗୋଟେ କୁଶଳୀ ସ୍ୱଭାବ
ବୋଧହୁଏ ଏକାନ୍ତରେ କାନ୍ଦୁଥାଏ
ଫଟା ଛାତିର ବେହାଗ । ୭
ଚେତନାର ଚୌହଦିକୁ
ଅତିକ୍ରମିଲା ବେଳେ
ଘନ ଆସ୍ତରଣ ଖୋଲି ଦେଖାଦିଏ
ଅତିନ୍ଦ୍ରୀୟ ମନ୍ୱସ୍ତତ୍ୱ
ଠିକ୍ ସେତେବେଳେ ପ୍ରଜ୍ୱଳିତ ଶୂନ୍ୟ ମଣ୍ଡଳର
ଅପରିସୀମ ଚକ୍ରା କାରରେ
ସ୍ଥୁଳ ଚକ୍ଷୁ ସୁଜୁଥାଏ
ଅପୂର୍ଣ୍ଣତାର ବହ୍ନିତ୍ୱ । ୮

ମାର୍ଫତ୍-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Leave a Reply

Your email address will not be published. Required fields are marked *