କଲେଜରେ ବାୟୋମେଟ୍ରିକ୍: ନିୟନ୍ତ୍ରଣରେ ରହିବେ କି ଅଧ୍ୟାପକ?

କଲେଜରେ ବାୟୋମେଟ୍ରିକ୍: ନିୟନ୍ତ୍ରଣରେ ରହିବେ କି ଅଧ୍ୟାପକ?

ବାଲେଶ୍ୱର, (ଆଇଏନ୍ଏସ୍)  : ପ୍ରତି କଲେଜରେ ଲାଗିବ ବାୟୋମାଟ୍ରିକ୍ ମେସିନ୍ । ସରକାର ଅଧ୍ୟାପକମାନଙ୍କ ପାଇଁ ନୂଆ ନିୟମ କରିଛନ୍ତି । ଅଧ୍ୟାପକମାନେ କଲେଜରେ ଏବେ ୭ଘଂଟା ରହିବେ । ସପ୍ତାହକୁ ଅତିକମ୍ରେ ୨୫ଟି କ୍ଲାସ କରିବେ । କଲେଜରେ ଅଧ୍ୟାପକଙ୍କ ଉପସ୍ଥାନ ଠିକ୍ ରହିବା ପାଇଁ ସରକାର କଲେଜରେ ବାୟୋମାଟ୍ରିକ୍ ମେସିନ୍ ଲଗାଇବାକୁ ସ୍ଥିର କରିଛନ୍ତି । କଲେଜକୁ ପ୍ରବେଶ କରିବା ସମୟରେ ବାୟୋମାଟ୍ରିକ୍ ମେସିନରେ ଅଙ୍ଗୁଳିଛାପ ଦେଇ ପ୍ରବେଶ କରିବେ ଏବଂ କଲେଜ ଛାଡ଼ିବା ସମୟରେ ପୁଣି ମେସିନ୍ରେ ଅଙ୍ଗୁଳିଛାପ ଦେଇ ପ୍ରସ୍ଥାନ କରିବେ । ଯାହା ବିଭିନ୍ନ ଘରୋଇ ଉଦ୍ୟୋଗ, କଳ-କାରଖାନାମାନଙ୍କରେ ଦେଖିବାକୁ ମିଳେ । କିନ୍ତୁ ପ୍ରଶ୍ନ ଉଠେ, ଏହି ବାୟୋମାଟ୍ରିକ୍ ମେସିନ୍ ଅଧ୍ୟାପକଙ୍କୁ ଠିକ୍ ଭାବରେ ଜଗିପାରିବ କି? କାରଣ ଅଧ୍ୟାପକମାନଙ୍କର ଟୁ୍ୟସନକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପୂର୍ବରୁ କରିଥିବା ନିୟମ ଅଧ୍ୟାପକମାନଙ୍କ ଟିଉସନ ଉପରେ ଅଙ୍କୁଶ ଲଗାଇ ପାରିନାହିଁ ।
କଲେଜ ଅଧ୍ୟାପକମାନେ କ୍ଲାସ ରୁମ୍ରେ ପାଠ ନପଢ଼ାଇ ଟିଉସନକୁ ଅଧିକ ଗୁରୁତ୍ୱ ଦିଅନ୍ତି । ତେଣୁ ସମସ୍ତେ ନହେଲେ ବି ଅଧିକ ସଂଖ୍ୟକ ଅଧ୍ୟାପକ ନିଜେ କିମ୍ବା ବିଭିନ୍ନ କୋଚିଂ ସେଂଟର/ଟୁ୍ୟଟୋରିଆଲ ଗୁଡ଼ିକରେ ପଢ଼ାଉଥିଲେ ଏବେ ବି ପଢ଼ାଉଛନ୍ତି । ଅଧ୍ୟପକଙ୍କର ଟୁ୍ୟସନକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରଣୟନ କଲେ ନୂଆ ନିୟମ । ଏହି ନିୟମ ଅନୁସାରେ କଲେଜ ଅଧ୍ୟାପକମାନେ ଟୁ୍ୟସନ କରିପାରିବେ ନାହିଁ ଏବଂ ସେମାନେ ଟୁ୍ୟସନ କରିବେ ନାହିଁ/ଟୁ୍ୟସନ କରୁନାହାନ୍ତି ବୋଲି କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଣ୍ଡରଟେକିଂ ଦେବେ । ଉଦେ୍ଦଶ୍ୟ, ଏହାଦ୍ୱାରା ଅଧ୍ୟାପକ ଟୁ୍ୟସନରୁ ବିରତ ରହିବେ । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭାବରେ ଓଲଟା । ନିୟମ, ନିୟମ ବାଟରେ ଏବଂ କାର୍ଯ୍ୟ ତା ବାଟରେ ଠିକ୍ ଭାବରେ ଆଗେଇ ଚାଲିଛି । ଅର୍ଥାତ୍ ଅଧ୍ୟାପକମାନେ ନିୟମ ଅନୁସାରେ ଅଧ୍ୟାପକମାନେ ଟୁ୍ୟସନ କରିବେ ନାହିଁ/ଟୁ୍ୟସନ କରୁନାହାନ୍ତି ବୋଲି ଅଣ୍ଡରଟେକିଂ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦେଇଦେଲେ ଏବଂ ଯେମିତି ଟୁ୍ୟସନ କରୁଥିଲେ ଠିକ୍ ସେହିପରି ଟୁ୍ୟସନ କରିଚାଲିଲେ, ଆଜି ତାରିଖରେ କରୁଛନ୍ତି ମଧ୍ୟ । ସରକାରଙ୍କର ନିୟମ ଅଧ୍ୟପକମାନଙ୍କର ଟୁ୍ୟସନ ଉପରେ କୋ÷ଣସି ଅଙ୍କୁଶ ଲଗାଇ ପାଲିଲା ନାହିଁ । ନିୟମ ଏକ ଫାର୍ସରେ ପରିଣତ ହୋଇଗଲା । ଉଦାହରଣ ଭାବେ ଦେଖିବାକୁ ଗଲେ, ସୋର କଲେଜଛକରେ ମାଳମାଳ ଟୁ୍ୟଟୋରିଆଲ, କୋଚିଂସେଂଟର ଚାଲିଛି, ଯେଉଁଥିରେ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଅଧ୍ୟାପକଙ୍କ ସମେତ ସୋରର ଚାରିପାଖରେ ଥିବା ବିଭିନ୍ନ କଲେଜ, ଯଥା- ଅଟଳ ବିହାରୀ କଲେଜ-ବାସୁଦେବପୁର, ଖଇରା, କୁପାରୀ, ତଳନଗର, ସନ୍ତରାଗଡ଼ିଆ, ମଙ୍ଗଳପୁର ପ୍ରଭୃତି କଲେଜ ଭଳି ସୋରର ଚାରିପାଖରେ ଥିବା ବିଭିନ୍ନ କଲେଜର ଅଧ୍ୟପକମାନେ ପିଲାମାନଙ୍କୁ ପଢ଼ାଉଛନ୍ତି । ବିଶେଷକରି ବିଜ୍ଞାନ, ଗଣିତ, ଇଂରାଜୀ, ବାଣିଜ୍ୟ ଭଳି ବହୁ ବିଭାଗର ଅଧ୍ୟାପକମାନେ ଖୋଲାଖୋଲି ଟୁ୍ୟସନ କରିବାରେ ବ୍ୟସ୍ତ । ଏହି ଅଧ୍ୟାପକମାନଙ୍କର ସମ୍ପତି ଆକଳନ କରିବା ସମ୍ଭବ ନୁହେଁ । ଏହାର ନିଦର୍ଶନ ଦେଖିବାକୁ ମିଳିଥିଲା ନିକଟ ଅତୀତରେ । ତଳନଗର କଲେଜର ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଟ୍ରାପ୍ କରିବା ପରେ । ଏହି ଅଧ୍ୟପକଙ୍କର ବହୁ ପରିମାଣର ଆୟ ବହିର୍ଭୁତ ସମ୍ପତି ଭିଜିଲାନ୍ସ ଜବଦ କରିଥିଲା । କେବଳ ରାମଚନ୍ଦ୍ର ଉପାଧ୍ୟାୟ ନୁହଁନ୍ତି, ଏହିଭଳି ବହୁ ଅଧ୍ୟାପକ ଟୁ୍ୟସନକରି ବିପୁଳ ସମ୍ପତିର ଅଧିକାରୀ । କିନ୍ତୁ ସରକାର କେବଳ ନିୟମ କରିଦେଇ ଚୁପ୍ ହୋଇ ବସିରହିଲେ । ସରକାରୀଭାବେ ନିୟମର କାର୍ଯ୍ୟକାରିତାକୁ ସମୀକ୍ଷା କରାଗଲା ନାହିଁ । ଯାହାଦ୍ୱାରା ଟୁ୍ୟସନ ନିୟନ୍ତ୍ରଣ ଆଇନ୍ ଏକ ପ୍ରହସନରେ ପରିଣତ ହୋଇଯାଇଛି ।
ଠିକ୍ ସେହିପରି କଲେଜରେ ବାୟୋମାଟ୍ରିକ୍ ମେସିନ ଲଗାଇ ଅଧ୍ୟାପକଙ୍କ ଉପସ୍ଥାନ ଜଗିବା, ପ୍ରହସନରେ ପରିଣତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କଲେଜକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ସିନା ଅଧ୍ୟାପକମାନେ ବାୟୋମାଟ୍ରିକ୍ ବ୍ୟବହାର କରିବେ ବାକି ସମୟରେ ସେମାନେ କଲେଜରେ ରହୁଛନ୍ତି, କି’ କଲେଜରେ ନରହି ବାହାରେ ବୁଲୁଛନ୍ତି, ତାହାକୁ ଜଗିବ କିଏ? ଯେଭଳି ଟୁ୍ୟସନ କରୁନଥିବାର ଅଣ୍ଡରଟେକିଂ ଲେଖି ଦେଇ ଟୁ୍ୟସନରେ ବ୍ୟସ୍ତ ଥିଲେ ମଧ୍ୟ ସରକାର ଅଧ୍ୟାପକମାନଙ୍କର କିଛି କରିପାରିଲେ ନାହିଁ । ସେହିପରି ବାୟୋମାଟ୍ରିକ୍ ଲଗାଇବା ପରେ ଅଧ୍ୟାପକମାନେ କଲେଜରେ ନରହିଲେ ସରକାର କଣ କରିପାରିବେ? ସେଥିପାଇଁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ କରି ଚଢ଼ାଉ କରିବେକି? ନଚେତ୍ ଟୁ୍ୟସନ ଭଳି ଏହା ମଧ୍ୟ ପ୍ରହସନରେ ପରିଣତ ହେବାର ସମ୍ଭାବନା ଅଧିକ । ଦେଖାଯାଉ ସରକାରଙ୍କର ବାୟୋମାଟ୍ରିକ୍ ମେସିନ୍ ଅଧ୍ୟାପକମାନଙ୍କୁ କିଭଳି ଜଗୁଛି?

Leave a Reply

Your email address will not be published. Required fields are marked *