କାହାଣୀ:- ସ୍ୱପ୍ନର ତାଜମହଲ!

ସ୍ୱପ୍ନର ତାଜମହଲ!

ଶରତ କୁମାର ରାଉତ
ଡ଼ାକ୍ତରଖାନାରୁ ଫେରି ଜୟନ୍ତୀ ରୋହିତର ଚିଠି ଖୋଲି ପଢିଲେ, ସବୁ ପୁରୁଣା କଥା.. ‘ହଁ,କେମିତି ଅଛ..? ସେହି ପାହାଡ଼ ଘେରା ଅଂଚଳରେ କ’ଣ କେବେ ମୋ କଥା ମନେ ପଡ଼େ?…ସତର୍କ ହୋଇ ଚଳୁଥିବ!….. ଇତି, ତୁମର ରୋହିତ ।’
ଜୀବନର ହଜିଲା ମୁହୂର୍ତ ସବୁ ତାଙ୍କ ସ୍ମୃତି ପଟ୍ଟରେ ଭାସି ଆସିଲା… ରୋହିତ ସହିତ ସେ ପଢୁଥିଲେ ମେଡ଼ିକାଲ୍ କଲେଜ୍ରେ । ଖୁବ୍ ସୁନ୍ଦର, ସୁସ୍ଥ, ଶାନ୍ତ ଥିଲା ରୋହିତ । ଶ୍ରେଣୀର ସବୁଠୁ ଅଧିକ ପ୍ରତିଭାବାନ୍ ଛାତ୍ର । ନମ୍ର ବ୍ୟବହାର ପାଇଁ ସମସ୍ତଙ୍କର ଖୁବ୍ ଆଦରଣୀୟ । ଦିନେ ସେ ମତେ କହିଲା, “ତୁମେ ମତେ ଖୁବ୍ ଭଲ ଲାଗୁଛ ଜୟନ୍ତୀ!” ମୁଁ କିଛି କହିବା ପୂର୍ବରୁ ସେ ପୁଣି କହିଲା,“ମୁଁ ତୁମକୁ ବିବାହ କରିବାକୁ ଚାହେଁ?…..”
ରାଗରେ ଜଳିଉଠି ଜୟନ୍ତୀ କହିଲେ,“ମୋର ଆଦୌ ବିବାହ କରିବାର ନାହିଁ! ପାଠ ପଢିଛି, ନିଜେ ରୋଜଗାର କରି ସ୍ୱାଧୀନ ହୋଇ ପାରିବି!………” ଜୀବନରେ ବିବାହ ନକରିବାକୁ ପିଲାଟି ବେଳୁ ତାଙ୍କର ଏକ ପ୍ରକାର ପ୍ରତିଜ୍ଞା ଥିଲା ।
ଫୋନ୍ ରିଙ୍ଗ୍ ହେଲା । ହସ୍ପିଟାଲ୍ରୁ ନର୍ସ କହୁଥିଲା, ‘ବାର ନମ୍ବର ବେଡ଼୍ ରୋଗୀର ଅବସ୍ଥା ଭାରି ସାଂଘାତିକ, ମାଡ଼ାମ୍!……’ ସଙ୍ଗେ ସଙ୍ଗେ ଜୟନ୍ତୀ ଚାଲିଗଲେ ହସ୍ପିଟାଲ୍ ।
ଜୟନ୍ତୀଙ୍କର ଜୀବନ ସୀମିତ ରହି ଯାଇଥିଲା ହସ୍ପିଟାଲ୍ ଓ ଘର ମଧ୍ୟରେ । ହସ୍ପିଟାଲ୍ରେ ଭିଡ଼,ରୋଗୀ ଓ ସେମାନଙ୍କର ସଂପର୍କୀୟ ଆଉ ଘରେ ସବୁଜ ନିର୍ଜ୍ଜନତା! ଅବଶ୍ୟ ବେଳେବେଳେ ଘରକୁ ବାପା ମା’ କି କୌଣସି ସାଙ୍ଗ ଆସୁଥିଲେ ।
“ମା’, ରୋହିତ ନାମକ ଜଣେ କେହି ଆସିଛନ୍ତି!” ବାହାରୁ ଆସି ଖବର କହିଲା ଚାକରାଣୀ ।
“ତାକୁ ଭିତରକୁ ଡ଼ାକି ଆଣ…!” ସେ ଚାକରାଣୀକୁ ଆଦେଶ ଦେଲେ ।
କିଛି ମୁହୂର୍ତ୍ତ ପରେ ରୋହିତ ଆସିଲା । ବୟସ ବୃଦ୍ଧି ସତ୍ତ୍ୱେ ସେ ପୂର୍ବ ପରି ସୁନ୍ଦର ଦେଖା ଯାଉଥିଲା ।
“ଦେହ ଭଲ ଅଛି ନା…?..” ରୋହିତ ପଚାରିଲେ । କିନ୍ତୁ ଜୟନ୍ତୀ ନିରବ! କେବଳ ଦୁହେଁ ପରସ୍ପରକୁ ଚାହିଁ ଥିଲେ…. ।
କିଛି ସମୟ ପରେ ରୋହିତ କହିଲା, “ମୁଁ ଗାଧୋଇବି ମାଡ଼ାମ୍, ଗାଡ଼ିରେ ବସି ବସି ଏକଦମ୍ କ୍ଲାନ୍ତ!…”
‘ମାଡ଼ାମ୍’ ଶବ୍ଦ ଶୁଣି ଜୟନ୍ତୀ ରୋହିତ ଆଡ଼େ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । କିଛି ବର୍ଷ ତଳର ସେହି ପୁରୁଣା କଥା ଜୟନ୍ତୀ ଭାବୁଥିଲେ….. ‘ଜୟନ୍ତୀ, ଭଲ ଭାବେ ଚିନ୍ତା କର, ଅନେକ ପୁଅ ତ ମିଳିଯିବେ ତମକୁ, ହେଲେ ମୋ ଭଳି ମିଳିବେନି…..’
“ଆପଣଙ୍କ ଘର ଖୁବ୍ ଭଲ ଲାଗୁଛି, ମାଡ଼ାମ୍!” ଗାଧୋଇ ଆସି ତଉଲିଆରେ ଓଦା ବାଳ ପୋଛୁଥିଲେ ରୋହିତ ।
ଜୟନ୍ତୀ ତା’ ପସନ୍ଦର ଟିଫିନ୍ ଟେବୁଲ୍ ଉପରେ ରଖିଦେଇଥିଲେ । ରୋହିତ କେବଳ ଜୟନ୍ତୀଙ୍କ ଭିତରେ ପରିବର୍ତ୍ତନ ସଂପର୍କରେ ଭାବୁଥିଲା । ଯଦିଓ ଜୟନ୍ତୀ ଟିକେ ଅସୁସ୍ଥ ଥିଲେ,ତଥାପି ତାଙ୍କର ଝଟକୁଥିବା ସୌନ୍ଦର୍ଯ୍ୟ ରୋହିତକୁ ମୁଗ୍ଧ କରୁଥିଲା ।
“ଆପଣ ଖାଇବେନି କି ମାଡ଼ାମ୍?….”
‘ମୁଁ ତମ ପାଇଁ କେବେଠୁଁ ମାଡ଼ାମ୍ ହୋଇ ଗଲିଣି, କହିଲ?…..’ ସେ ଭାବୁଥିଲେ ପଚାରିବାକୁ ।
ରୋହିତ ଭାବନାତ୍ମକ ଦୃଷ୍ଟିରେ ଜୟନ୍ତୀଙ୍କର ରୁଗ୍ଣ ଦେହ ଓ ଶୁଷ୍କ ଓଠକୁ ଚାହିଁଥିଲା ।
ଆଜିଯାଏ ସେ ଯାହାକୁ ଏଡ଼ାଇ ଚାଲିଥିଲା, ସେ ପୁଣି ତା’ ହୃଦୟକୁ ଅକ୍ତିଆର କରିନେଉଥିବା ଜୟନ୍ତୀ ଅନୁଭବ କରୁଥିଲେ ।
ରୋହିତ ଆସିବା ଦିନରୁ ରାତି ଦିନ କିଛି ଜାଣି ପାରୁ ନାହାନ୍ତି ଜୟନ୍ତୀ । ଯଦିଓ ସେ ଖୁବ୍ ଶାଳୀନତାରେ କଥା କହୁଥେôଲ, ତଥାପି ତା’ର ସାନ୍ନିଧ୍ୟ ଜୟନ୍ତୀଙ୍କୁ ଖୁବ୍ ଭଲ ଲାଗୁଥିଲା । ମନ ଏପରି ହାଲ୍କା ଲାଗୁଥିଲା ଯେ,ଚଢେଇ ପରି ମୁକ୍ତ ଆକାଶରେ ଉଡ଼ି ବୁଲିବାକୁ ମନ ଚାହୁଁଥିଲା । ପ୍ରତି ମୁହୂର୍ତ ନୂଆ ଲାଗୁଥିଲା । ରୋହିତ ଗପୁଥିଲା ତ ଗପୁଥିଲା । ଆଉ ବିନା ବିରୋଧରେ ଜୟନ୍ତୀ ଶୁଣି ଚାଲୁଥିଲେ । ଜୟନ୍ତୀଙ୍କୁ ଲାଗୁଥିଲା, ସୂର୍ଯ୍ୟଙ୍କର ଗୋଟିଏ କିରଣ ତାଙ୍କ ଘରେ ପଡ଼ିଛି, ଆଉ ଘରର ସବୁ ଅନ୍ଧାର, ସବୁ ନିର୍ଜ୍ଜନତା ଉଭେଇ ଯାଇଛି!
ହସ ଖେଳରେ ବିତିଗଲା ଗୋଟିଏ ସପ୍ତାହ । ରୋହିତ କହିଲା,”ମୁଁ ଏବେ ଯିବି!”
“ସତରେ ତୁମେ ପଳେଇବ ରୋହିତ!!..”
ରୋହିତ ଜୟନ୍ତୀଙ୍କ ମୁହଁରେ ତରଙ୍ଗାୟୀତ ଭାବକୁ ପଢିବାରେ ଲାଗିଲା ଓ ନିରବତାର ଭାବାର୍ଥକୁ ତା’ ଭିତରୁ ଖୋଜିବାରେ ଲାଗିଲା ।… “ତମ ଦେହ ଏବେ ପୁରା ଠିକ୍ ତ ଜୟନ୍ତୀ?….” ରୋହିତ ନିଜ ପାପୁଲି ତାଙ୍କ ମଥା ଉପରେ ରଖିଲା । ହୁଏତ ସେ ଜୟନ୍ତୀଙ୍କ ଦେହ-ମନର ତାପମାତ୍ରାକୁ ମାପୁଥିଲା । ଆଉ ଜୟନ୍ତୀ ତା’ ପାପୁଲି ସ୍ପର୍ଶରେ ଯେମିତି ରୋମାଂଚିତ ହୋଇ ଉଠୁଥିଲେ ।
“ଭାବୁଛି,ଆଉ କିଛି ଦିନ ଛୁଟି ବଢେଇ ଦେବି!” ରୋହିତ ଯେମିତି ଜୟନ୍ତୀଙ୍କ ହୃଦୟର କଥା ବୁଝି ପାରି କହିଦେଲା । ଏବେ ଜୟନ୍ତୀଙ୍କ ମୁହଁରେ ଖୁସିର ଢେଉ ସ୍ପଷ୍ଟ ଦେଖାଗଲା । ସେ ଯେମିତି ସତେଜ ହୋଇ ଉଠିଲେ ।
ଜୟନ୍ତୀଙ୍କୁ ହସ୍ପିଟାଲ୍ ଛାଡ଼ିବାକୁ ଯାଉଥିଲା ରୋହିତ । ପାହାଡ଼ୀ ରାସ୍ତାରେ ଗାଡ଼ି ଚଳାଇବାର ଅଭ୍ୟସ୍ତ ନଥିଲା ସିଏ । ଘାଟି ରାସ୍ତାର ଉପରୁ ତଳକୁ ଗାଡ଼ି ଆଗେଇ ଚାଲିଥିଲା ହ୍ରଦର କୂଳେ କୂଳେ । ଗାଡ଼ି ଦ୍ରୁତ ବେଗରେ ଚାଲିଥିବାରୁ ଜୟନ୍ତୀ ଙ୍କ ମନରେ ଭୟ ହେଉଥିଲା । ହଠାତ୍ ସେ ଚିଲେଇ ଉଠିଲେ! ରୋହିତ ଗାଡ଼ିର ବେଗ କମାଇ ଦେଲା ଓ କହିଲା, “ଏତେ ଡ଼ରୁଛ ତ ଏତେବଡ଼ ସହରରେ ଏକ୍ଲା ରହୁଛ କିପରି?..” ଏହି ରାସ୍ତା ଜୟନ୍ତୀଙ୍କ ପାଇଁ ନୂଆ ନଥିଲା । କିନ୍ତୁ ଆଜି ଏହି ରାସ୍ତା ତାଙ୍କୁ ଖୁବ୍ ମନୋରମ ଲାଗୁଥିଲା ।
‘ଚାକରାଣୀ ଓ ସାଥୀ ଡ଼ାକ୍ତରମାନେ ବି କହୁଥିଲେ, ଆଗ ଠାରୁ ଖୁବ୍ ସ୍ମାର୍ଟ ଲାଗୁଛନ୍ତି ଆପଣ!…..’ ‘ତେବେ କ’ଣ ପୁରୁଷ ସହ ରହିଲେ,ସୌନ୍ଦର୍ଯ୍ୟ ବଢିଯାଏ?…..ଆଉ ଏକ୍ଲା ରହିବା ଜୀବନର ସଜ୍ଞା ନୁହେଁ…?….ହୁଏତ ବାସ୍ତବ କଥା କହୁଥିଲା ରୋହିତ?…ମୁଁ ଭୁଲି ଯାଇଥିଲି ଯେ, ସ୍ତ୍ରୀ-ପୁରୁଷ ପରସ୍ପର ପରିପୂରକ ବୋଲି!… ଜୀବନ ଧାରାରେ ସୁ-ପ୍ରବାହ ପାଇଁ ହିଁ ଆବଶ୍ୟକ ଉଭୟଙ୍କ ମିଳନ! …….’
ଆଜି ରୋହିତ ଚାଲିଯିବ! ଜୟନ୍ତୀଙ୍କର ସୁନ୍ଦର ମୁହଁଟା ମଳିନ ଓ ଉଦାସୀରେ ଆଚ୍ଛାଦିତ । ତଥାପି ଜୟନ୍ତୀ ଖୁସି! ସେ ସ୍ଥିର କରି ନେଇଥିଲେ ଯେ, ସେ ରୋହିତ ସହିତ ବିବାହ କରିବେ ଓ ପ୍ରସ୍ତୁତି ପାଇଁ ବାପାଙ୍କ ପାଖକୁ ଫୋନ୍ କରିବେ!….
ରୋହିତକୁ ଛାଡ଼ିବାକୁ ଜୟନ୍ତୀ ଷ୍ଟେସନ୍ ଯାଉଥିଲେ । ପୁରୁଣା ନୀଳ ଶାଢୀ ପିନ୍ଧିଥିଲେ-ଯାହାକୁ ଦେଖି ଦିନେ ରୋହିତ କହିଥିଲା, ‘ଏହି ଶାଢୀ ତୁମକୁ ମାନୁଛି ଜୟନ୍ତୀ!……’ ଆଜି ବହୁ ବର୍ଷ ପରେ ମଧ୍ୟ ସେହି ଶାଢୀ ଦେଖି ରୋହିତ କହଲା, “ସତରେ ଏ ଶାଢୀ ତୁମକୁ ବେଶ ମାନୁଛି! ଆମର ବିବାହ ପରେ ସବୁବେଳେ ମୁଁ ଏଭଳି ଶାଢୀ ହିଁ ତୁମ ପାଇଁ କିଣି ଆଣିବି!…..”
ମନେ ମନେ ଖୁସି ହେଲା ଜୟନ୍ତୀ । ଭାବିଲା,‘ଅଧା ବୟସ ଭିତରେ ସେ ନିଜେ ହିଁ ନିଜର ଶାଢୀ କିଣିଛି, ହେଲେ ଏବେ ଆଉ ନିଜ ପସନ୍ଦର ନୁହେଁ, ରୋହିତ ପସନ୍ଦରେ ହିଁ ସେ ପିନ୍ଧିବେ!….’
ଷ୍ଟେସନ୍ରେ ଗାଡ଼ି ଛିଡ଼ାହେଲା । ରୋହିତ କମ୍ପାର୍ଟମେଣ୍ଟ ଭିତରକୁ ଚାଲି ଗଲା । ଜୟନ୍ତୀ ଝରକା ପାଖରେ ଛିଡ଼ା ହୋଇଥିଲେ । ଟ୍ରେନ୍ ଚାଲିବା ଆରମ୍ଭ କଲା । କାହିଁକି ଜେଜାଣି ଟ୍ରେନ୍ର ହର୍ଣ୍ଣ ଶବ୍ଦ ଶୁଣି ନିଜ ହୃଦୟରେ ତୀରବିଦ୍ଧ ପରି ଅନୁଭବ କଲେ ଜୟନ୍ତୀ ।….
ସେତେବେଳକୁ ଧୀରେ ଧୀରେ ମହାମାରୀ କରୋନା ସାରା ଭାରତରେ ପହଂଚି ସାରିଥିଲା । ଯଥାଶୀଘ୍ର ଦେଶକୁ ଲକଡ଼ାଉନ ଅବସ୍ଥାରେ ରଖାଯାଇଥିଲା । ଲୋକମାନେ କରୋନା ଭୂତାଣୁକୁ ଡ଼ରି ସରକାରଙ୍କ ପରାମର୍ଶ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ସହ ଦିନରେ ଆଠ ଦଶ ଥର ସାବୁନରେ ହାତ ଧୋଉଥିଲେ । ବନ୍ଦ ଘର ଭିତରେ ରହୁଥିଲେ ।
ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ନିଜ ଜୀବନକୁ ପାଣି ଛଡ଼ାଇ କରୋନା ରୋଗୀ ମାନଙ୍କର ଚିକିତ୍ସାରେ ନିୟୋଜିତ ଥିଲେ । ଏପର୍ଯ୍ୟନ୍ତ ରୋହିତ ଓ ଜୟନ୍ତୀଙ୍କ ମଧ୍ୟରେ କେବଳ ଚିଠି ଦିଆ ନିଆ ହେଉଥିଲା । ହେଲେ ଉଭୟ ବିବାହ ପାଇଁ ରାଜି ହୋଇଗଲା ପରେ ଆଉ ଚିଠିର ଆବଶ୍ୟକତା ନଥିଲା । ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇ ସାରିଥିଲା । ରୋହିତ ମୁମ୍ବାଇର ଏକ ସରକାରୀ ହସ୍ପିଟାଲ୍ରେ କାର୍ଯ୍ୟରତ ଥିଲା ଓ ଜୟନ୍ତୀ ଥିଲେ ହାଇଦ୍ରାବଦର ଏକ ସରକାରୀ ହସ୍ପିଟାଲ୍ରେ । ଦେଶ ପାଇଁ କର ବା ମର ପରିସ୍ଥିତିରେ ଦୁହେଁ ନିଜ ନିଜର କର୍ତବ୍ୟକୁ ଉଲଂଘନ କରନ୍ତେ ବା କିପରି? ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଓ କରୋନାର ସାଂପ୍ରତିକ ଅବସ୍ଥା ହିଁ ସେମାନଙ୍କ ପାଇଁ ପ୍ରମୁଖ ଖବର ଥିଲା । ଅବଶ୍ୟ ମୋବାଇଲ୍ ଫୋନ୍ରେ ବେଳେ ବେଳେ ଦୁହେଁ ଅଳ୍ପ କିଛି କଥା ହୁଅନ୍ତି । ମାତ୍ର ପାଖେଇ ଆସୁଥିବା ନିଜର ବିବାହ ତିଥି, ଆତ୍ମୀୟ ସ୍ୱଜନଙ୍କ ଭଲ ମନ୍ଦ ସଂପର୍କରେ କଥା ହେବାକୁ ସେମାନଙ୍କର ସମୟ ନଥିଲା ।
ଚାହୁଁ ଚାହୁଁ ଦୁହିଙ୍କ ଭିତରେ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଗଲା । ଜଣେ ଅନ୍ୟର କଥା ଜାଣି ପାରିଲେ ନାହିଁ!
ହଠାତ୍ ଦିନେ ମୁମ୍ବାଇର ସରକାରୀ ହସ୍ପିଟାଲ୍ ଓ ହାଇଦ୍ରାବାଦର ସରକାରୀ ହସ୍ପିଟାଲ୍ ରୁ ଦୁହିଁକ ଘରେ ଖବର ପହଂଚିଲା ଯେ, କରୋନା ରୋଗୀଙ୍କ ଚିକିତ୍ସା କରି କରି ନିଜେ ଭୟଙ୍କର ଭାବେ ସଂକ୍ରମିତ ହୋଇଗଲେ! ଆଉ ସ୍ଥାନୀୟ କିଛି ଡ଼ାକ୍ତରଙ୍କ ସମେତ ରୋହିତ ଓ ଜୟନ୍ତୀ ମଧ୍ୟ କରୋନାର ଅାଁ ଭିତରକୁ ଚାଲିଗଲେ!
ଏହିପରି ରୋହିତ ଓ ଜୟନ୍ତୀଙ୍କର ସ୍ୱପ୍ନର ତାଜମହଲ କରୋନା ନିଆଁରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା!.
କୋରିଆପଲ୍ଲା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡା, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *