କାହିଁକି ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ଓଡ଼ିଶାର ଲୋକମାନେ ପ୍ରଭାବିତ ହେଉଛନ୍ତି?

କାହିଁକି ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ଓଡ଼ିଶାର ଲୋକମାନେ ପ୍ରଭାବିତ ହେଉଛନ୍ତି?

ଭୁବନେଶ୍ୱର, (ଆଇଏନ୍ଏସ୍): କୌଣସି ଘଟଣାରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କୁ ପ୍ରକାଶ୍ୟରେ ସମାଲୋଚନା କରିବାର ସତ୍ ସାହସ ବିଜେଡ଼ି ନେତାଙ୍କର ପ୍ରାୟ ନାହିଁ କହିଲେ ଅତୁ୍ୟକ୍ତି ହେବ ନାହିଁ । ପ୍ରାୟ ସମସ୍ତଙ୍କର କହିବା କଥା ଯେ, ନବିନ ବାବୁ ବେଶ୍ ଭଲ ଲୋକ । ଯଦି ଏକଥା ସତ୍ୟ, ତେବେ ତାଙ୍କର ବ୍ୟକ୍ତିଗତ ସଚିବ ବା ପରାମର୍ଶ ଦାତା ଭି.କାର୍ତିକେୟନ୍ ପାଣ୍ଡିଆନ କିପରି ଖରାପ ଲୋକ ହେଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଶାସନ କରିବାର କ୍ଷମତା କେବଳ ମୁଖ୍ୟମନ୍ତ୍ରୀଙ୍କର ରହିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ କୌଣସି ଅଫିସରଙ୍କର ନିଜସ୍ୱ କାର୍ଯ୍ୟ କରିବାର ଅଧିକାର କିଛି ନାହିଁ । ମୁଖ୍ୟମନ୍ତ୍ରୀଙ୍କର ନିଦେ୍ର୍ଦଶରେ ବା ସେ ଯାହା ଚାହୁଁଛନ୍ତି, ତାହା ହିଁ ଅଫିସରମାନେ କରୁଛନ୍ତି । ଯେଉଁ ମୁହୂର୍ତରେ ମୁଖ୍ୟମନ୍ତ୍ରୀ ଚାହିଁବେ, ଅଫିସର ମାନଙ୍କର କ୍ଷମତା-ପ୍ରତିପତି ସବୁ ଉଭେଇ ଯିବ । ମାତ୍ର କିଛି ଲୋକଙ୍କର ଧାରଣା ଯେ, ଅନ୍ୟ କେହି ଲୋକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରୁଛି ଓ ତାଙ୍କ ପରାମର୍ଶରେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ୨୦୧୨ ପୂର୍ବରୁ କୁହାଯାଉଥିଲା ଯେ, ପ୍ୟାରୀମୋହନ ମହାପାତ୍ର ସବୁ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ କେବଳ ମୋହର ମାରୁଛନ୍ତି । ସେହିପରି ଏବେ ଅଧିକାଂଶ ଲୋକଙ୍କର ଧାରଣା ଯେ, ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ୍ ସବୁକିଛି କରୁଛନ୍ତି । ଏହି ଧାରଣା କେତେ ଠିକ୍, କେହି କହି ପାରିବେ ନାହିଁ । ଅବଶ୍ୟ ରାଜ୍ୟ ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ କାହାର ପରାମର୍ଶ ନେବା ଏକ ସାଧାରଣ କଥା । ମାତ୍ର ଘଟଣା ପ୍ରବାହରୁ ଲୋକେ କୁହନ୍ତି, ନବିନ ବାବୁଙ୍କ ନିଷ୍ୱତି ସର୍ବଦା ସ୍ୱତନ୍ତ୍ର । ସମସ୍ତେ ଜାଣନ୍ତି ଯେ, ମୁଖ୍ୟମନ୍ତ୍ରୀ ନବିନ ବାବୁ ଭଲ ଭାବରେ ଓଡ଼ିଆ କହି ପାରନ୍ତି ନାହିଁ । ଅଳ୍ପକଥା କୁହନ୍ତି । ତଥାପି ଲୋକମାନେ ତାଙ୍କୁ ବହୁତ ଭଲ ପାଉଛନ୍ତି । ବିପୁଳ ସମର୍ଥନ ଦେଉଛନ୍ତି । ସେଥିପାଇଁ ବିଜେଡ଼ି ୫ମ ଥର ପାଇଁ ଓଡ଼ିଶା ସିଂହାସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ଏପରିକି ବିଭିନ୍ନ ରାଜନୀତିକ ଦଳର ବଡ଼ବଡ଼ ନେତାମାନେ ନବିନ ବାବୁଙ୍କ ଆଦର୍ଶରେ ଆକର୍ଷିତ ହୋଇ ବିଜେଡ଼ିରେ ଯୋଗ ଦେଉଛନ୍ତି । ନେତାମାନଙ୍କ ଭିତରେ ଏକ ଧାରଣା ସୃଷ୍ଟି ହୋଇଛି ଯେ, ବିଜେଡ଼ି ଟିକଟ ବିନା ବିଧାୟକ ବା ସାଂସଦ ଭାବେ ନିର୍ବାଚିତ ହେବା ଏତେ ସମ୍ଭବ ନୁହେଁ । ତେବେ ସମସ୍ତ ସରକାରୀ ସେବା ଠିକ୍ ସମୟରେ ସାଧାରଣ ଲୋକଙ୍କ ପାଖରେ ପହଂଚି ପାରୁଥିବା ଏହାର ମୂଳ କାରଣ ବୋଲି ଲୋକେ କହୁଛନ୍ତି । ସେମାନଙ୍କ ମତରେ ବିଭିନ୍ନ ଉନ୍ନୟନ ଯୋଜନାର ଲାଭ ଲୋକେ ପାଉଛନ୍ତି । ରାଜ୍ୟ ବିକାଶ ପଥରେ ଆଗଉଛି । ବେଶ ଖୁସିରେ ଅଛନ୍ତି ରାଜ୍ୟବାସୀ ।
ତେବେ ଶ୍ରୀ ପାଣ୍ଡିଆନ୍ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ବୋଲି ରାଜ୍ୟର ସବୁଆଡ଼େ ଆଲୋଚନା ହେଉଛି । ତାଙ୍କର ଘର ତାମିଲନାଡ଼ୁ ରାଜ୍ୟରେ । ସେ ୨୦୦୦ ମସିହା ଆଇଏଏସ୍ ବ୍ୟାଚ୍ ଓ ଓଡ଼ିଶାରେ ସରକାରୀ ଚାକିରିରେ ଯୋଗ ଦିଅନ୍ତି ୨୦୦୨ ମସିହା ସେପ୍ଟେମ୍ବର ୪ତାରିଖରେ । ତାଙ୍କର ସହଧର୍ମିଣୀ ସୁଜାତା ରାଉତ ମଧ୍ୟ ୨୦୦୦ ମସିହା ଆଇଏଏସ୍ ବ୍ୟାଚ୍ ଓ ୨୦୦୨ ମସିହା ସେପ୍ଟେମ୍ବର ୪ତାରିଖରେ ଓଡ଼ିଶାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଆଇଏଏସ୍ ସୁଜାତା ରାଉତ ଜଣେ ଓଡ଼ିଆ ଝିଅ । ତାଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ । ପରେ ସେ ନିଜ ସାଙ୍ଗିଆ ବଦଳାଇ ଥିଲେ, “ସୁଜାତା (ରାଉତ)କାର୍ତିକେୟନ୍” । ବର୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗରେ ‘ମିଶନ ଶକ୍ତି’ର କମିସନର ତଥା ନିଦେ୍ର୍ଦଶକ ପଦରେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାପାଳ ଥିଲା ବେଳେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ସଂପୃକ୍ତ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଲାଭ ସିଧା ଗରିବ ଲୋକଙ୍କ ପାଖରେ ପହଂଚି ପାରିଥିଲା । ତାଙ୍କର ନିଷ୍ଠାପର କାର୍ଯ୍ୟ ଯୋଗୁ ସେହିସବୁ ଅଂଚଳରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପରାଧ ହ୍ରାସ ପାଇଥିଲା ବୋଲି ସେଠାକାର ସାଧାରଣ ଲୋକେ କହୁଛନ୍ତି । ୨୦୧୧ ମଇ ୨ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ଯୋଗୁ କ୍ରମେ ସେ ରାଜ୍ୟର ସବୁଠୁ ପ୍ରଭାବଶାଳୀ ସରକାରୀ ଅଫିସର ଭାବେ ପରିଚିତ ହୋଇଛନ୍ତି । ତାଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ କ୍ଷମତାର ଦ୍ୱିତୀୟ କେନ୍ଦ୍ର ବୋଲି କୁହାଯାଇ ଆସୁଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରୀ ନୀତି ଓ ନିଷ୍ପତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଅଫିସର ମାନଙ୍କର କର୍ତବ୍ୟ । ଏସବୁ ନିର୍ଦ୍ଧାରିତ ନିୟମ ଅନୁସାରେ ହୋଇଥାଏ । ଅଫିସରମାନେ ନିଜ କର୍ତବ୍ୟ ବା ସରକାରଙ୍କ ନିଦେ୍ର୍ଦଶକୁ ନିୟମିତ ପାଳନ କରି କାର୍ଯ୍ୟକାରୀ କରନ୍ତି । ସେମାନେ ଏକ ପାଖିଆ କୌଣସି ନିଷ୍ପତି ନେଇ ପାରିବେ ନାହିଁ । ବିଭିନ୍ନ ନିୟମ-କାନୁନ ମଧ୍ୟରେ ରହି ସେମାନେ କାମ କରନ୍ତି । ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସହାୟକ ବା ପରାମର୍ଶଦାତା ଭାବେ ରାଜ୍ୟରେ ନବିନ ବାବୁଙ୍କ ବିକାଶର ଧାରାକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖା ଯାଉଛି । ହୁଏତ ଏହି କାରଣରୁ ଶ୍ରୀ ପାଣ୍ଡିଆନ୍ଙ୍କୁ ଶାସକ ଦଳର ହିରୋ ବା ଚାଣକ୍ୟ ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଜଣାପଡ଼ୁଛି, ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କର ଏକାନ୍ତ ବିଶ୍ୱସ୍ତ । ବାସ୍ତବରେ ସେ ଜଣେ ସୁଦକ୍ଷ, ସଚ୍ଚୋଟ ଓ ନିର୍ମଳ ଭାବମୂର୍ତି ସଂପନ୍ନ ଆଇଏଏସ୍ ଅଫିସର, ଏଥିରେ କେହି ଦ୍ୱିମତ ହେବେ ନାହିଁ । ହୁଏତ ଏଥିପାଇଁ ଶ୍ରୀ ପାଣ୍ଡିଆନ୍ଙ୍କୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଥାଇ ପାରନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବିନ ବାବୁ ଶ୍ରୀ ପାଣ୍ଡିଆନ୍ଙ୍କ ବ୍ୟତୀତ ଅନ୍ୟ ମାନଙ୍କ ଠାରୁ ବି ପରାମର୍ଶ ନେଉଥାଇ ପାରନ୍ତି, ହେଲେ ସେ ନିଜ ମନ-ମସ୍ତିଷ୍କରେ ବ୍ୟାପକ ସମୀକ୍ଷା କରି ତାହା କାର୍ଯ୍ୟକାରୀ କରନ୍ତି ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଯଦିଓ ଶ୍ରୀ ପାଣ୍ଡିଆନ୍ କିମ୍ବା ଆଉ କାହା ପରାମର୍ଶରେ ମୁଖ୍ୟମନ୍ତ୍ରୀ ରାଜନୈତିକ ନିଷ୍ୱତି ନେଉଥାନ୍ତି, ତେବେ ଏଥିରେ କାହାର କିଛି କହିବାର ନାହିଁ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।
ରାଜନୀତିରେ ଜଣଙ୍କ ଉପରେ ନିର୍ଭର କରିବା ବା ଶାସନ କାର୍ଯ୍ୟରେ ପରାମର୍ଶ ନେବା କିଛି ନୂଆ କଥା ନୁହେଁ । ପଣ୍ଡିତ ନେହରୁ କୃଷ୍ଣ ମେନନ୍ଙ୍କ ଉପରେ ନିର୍ଭରଶୀଳ ଥିଲେ । ସୋନିଆ ଗାନ୍ଧିଙ୍କର ସମସ୍ତ କାର୍ଯ୍ୟ ପ୍ରଚ୍ଛଦ ପଟରେ ଭି.ଜର୍ଜ ହିଁ କରିଥାନ୍ତି । ଜାନକୀ ବାବୁଙ୍କ ସମୟରେ ବସନ୍ତ ବିଶ୍ୱାଳଙ୍କୁ ସୁପର ଚିଫ୍ ମିନିଷ୍ଟର କୁହା ଯାଉଥିଲା । ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ସମସ୍ତ ଦଳୀୟ କାର୍ଯ୍ୟ ବୁଝୁଥିଲେ । ତେବେ ନବିନ ବାବୁଙ୍କ ଶାସନ କାଳରେ ବିଧାୟକ, ସାଂସଦ ବା ନେତା ମାନଙ୍କର ପ୍ରଭାବ ବହୁ ପରିମାଣରେ କମିଛି । ସାଧାରଣ ଲୋକମାନେ ଶାନ୍ତିରେ ନିଃଶ୍ୱାସ ମାରୁଛନ୍ତି । ଏହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଲୋକପି୍ରୟତା ବୃଦ୍ଧିର ମୁଖ୍ୟ କାରଣ । ତେଣୁ କୌଣସି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବା ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ସମାଲୋଚନା ନକରି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ସ୍ପଷ୍ଟ କହିବାର ସାହସ ସଂଚାର କରିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି ।
ବାସ୍ତବରେ ୨୨ବର୍ଷ ତଳର ବିଜୁବାବୁଙ୍କ ପୁତ୍ର ଆଜି ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ । ଓଡ଼ିଶା ବାସୀଙ୍କର ହର୍ତାକର୍ତା । ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ନବିନ ବାବୁଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ରାଜନୀତିକ ଦଳ ବା ବ୍ୟକ୍ତି ସକ୍ଷମ ହୋଇପାରୁ ନାହାନ୍ତି । ସେ ଓଡ଼ିଶା ରାଜନୀତିକୁ ଆସିବା ପରଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଆଚରଣ, କଥାବାର୍ତା ଓ ନିର୍ମଳ ଭାବମୂର୍ତି ସେହିଭଳି ଅତୁଟ ରହିଛି । ନିଜର ସ୍ୱଳ୍ପ କଥାବାର୍ତା ଓ ମାର୍ଜ୍ଜିତ ବ୍ୟବହାର ଦ୍ୱାରା ସେ ଲୋକଙ୍କ ହୃଦୟ ସିଂହାସନରେ ବସି ପାରିଛନ୍ତି ।

 

Leave a Reply

Your email address will not be published.