କେଉଁଠି ମଣିଷ ଶୀକାରୀ ତ କେଉଁଠି ଶୀକାର!

କେଉଁଠି ମଣିଷ ଶୀକାରୀ ତ କେଉଁଠି ଶୀକାର!

ଶରତ କୁମାର ରାଉତ
ଆମ ଦେଶରେ ଜନ ସଚେତନତା ଅଭାବରୁ ବନ୍ୟଜନ୍ତୁ ମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳି ପାରୁନାହିଁ । କେତେକ ଅଂଚଳର ଲୋକମାନେ ନିଜ ଜମି, ଫସଲ ଓ ଘରକୁ ଜଙ୍ଗଲୀ ପଶୁଙ୍କ ଠାରୁ ରକ୍ଷା ପାଇଁ ବନ୍ୟ ଜନ୍ତୁଙ୍କୁ ମାରିବାକୁ ବାଧ୍ୟ ହୁଅନ୍ତି ବୋଲି କୁହାଯାଏ । ଅନ୍ୟପକ୍ଷରେ କିଛି ଶିକାରୀ ନିଜର ଖାଦ୍ୟ ଓ ବ୍ୟବସାୟ ପାଇଁ ନିରୀହ ବନ୍ୟ ପଶୁଙ୍କୁ ଶିକାର କରନ୍ତି । ମୋଟ ଉପରେ ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ବା ସେମାନଙ୍କ ମୃତୁ୍ୟ ନିଶ୍ଚୟ ଚିନ୍ତାର ବିଷୟ । ଏଥିପାଇଁ ମଣିଷ ଓ ବଣୁଆ ପଶୁଙ୍କ ମଧ୍ୟରେ ବଢୁଥିବା ମୁହାଁମୁହିଁ ସଂଘର୍ଷକୁ ରୋକା ଯିବାର ଆବଶ୍ୟକତା ରହିଛି । ଏହି ଲଢେଇରେ କେବଳ ବହୁ ସଂଖ୍ୟାରେ ପଶୁ ନୁହନ୍ତି, ବରଂ ମଣିଷ ମାନଙ୍କର ମଧ୍ୟ ମୃତୁ୍ୟ ଘଟୁଛି । ଭାରତ ସରକାରଙ୍କର ଜଙ୍ଗଲ ମନ୍ତ୍ରଣାଳୟର ହିସାବ ଅନୁଯାୟୀ ୨୦୧୪ ରୁ ୨୦୧୭ ମଧ୍ୟରେ ହାତୀ, ବାଘ, ଚିତା ବାଘ ଓ ଭାଲୁ ଭଳି ଜଙ୍ଗଲୀ ପଶୁଙ୍କ ସହ ମଣିଷର ସିଧା ସଂଘର୍ଷ ବେଳେ ୧୬୦୮ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଅର୍ଥାତ୍ ପ୍ରତିଦିନ ଗୋଟିଏ ମଣିଷ ମରୁଛନ୍ତି ।୨୦୧୯ ମସିହାର ସରକାରୀ ତଥ୍ୟ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ କେବଳ ହାତୀ ମାନେ ୨ ହଜାରରୁ ଅଧିକ ଓ ବାଘ ମାନେ ୨୦୦ରୁ ଅଧିକ ଲୋକଙ୍କୁ ମାରିଛନ୍ତି । ଅନ୍ୟ ପକ୍ଷରେ ନିଜ ଫସଲ ରକ୍ଷା ଓ ଜଙ୍ଗଲୀ ପଶୁଙ୍କ ଆକ୍ରମଣରୁ ବଂଚିବା ପାଇଁ ମଣିଷ ମାନେ ମଧ୍ୟ ବହୁ ସଂଖ୍ୟାରେ ଜଙ୍ଗଲୀ ପଶୁଙ୍କୁ ମାରୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଏଭଳି ଶିକାରର ସଠିକ୍ ହିସାବ ସରକାରଙ୍କ ପାଖରେ ନାହିଁ । ଯାହା କିଛି ହିସାବ ଉପଲବ୍ଧ ରହିଛି, ସେଥିରୁ ଜଣା ପଡ଼ୁଛି ଯେ, ୨୦୧୯ ମସିହାରେ ଜଙ୍ଗଲୀ ପଶୁଙ୍କ କବଳରୁ ଫସଲ ରକ୍ଷା କରିବାକୁ ୮୦ ଟି ହାତୀ, ୧୨୦ଟି ଜଙ୍ଗଲୀ ବାର୍ହା ଓ ୨୪ ଟି ହରିଣଙ୍କୁ ମରା ଯାଇଥିଲା । ଏହି ସମୟରେ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଫସଲ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।
ତେବେ କୋଭିଡ଼୍-୧୯ର ଲକ୍ ଡ଼ାଉନ୍ ସମୟର ଅଭାବନୀୟ ଘଟଣା ଗୁଡ଼ିକ ସମସ୍ତଙ୍କ ପାଇଁ ଘୋର ଚିନ୍ତାର କାରଣ ହୋଇଛି । ଲକ୍ ଡ଼ାଉନ୍ ର ସୁଯୋଗ ନେଇ ପଶୁ ଶୀକାରୀ ମାନେ ମନ ଇଚ୍ଛା ଲାଭ ଉଠାଇଛନ୍ତି । ୱାଇଲ୍ଡ ଲାଇଫ୍ ଟ୍ରେଡ଼୍ ମନିଟରିଙ୍ଗ ନେଟୱାର୍କ ଟ୍ରାଫିକ୍ ନିଜର ଏକ ରିପୋର୍ଟ “ଇଣ୍ଡିଆନ୍ ୱାଇଲ୍ଡ ଲାଇଫ୍ ଏମିଡ଼ଷ୍ଟ ଦି କୋଭିଡ଼୍-୧୯ କ୍ରାଇସିସ୍”ରେ କହିଛି ଯେ, ଲକ୍ ଡ଼ାଉନ୍ ସମୟରେ ବନ୍ୟଜନ୍ତୁ ମାନଙ୍କୁ ବେଆଇନ ଭାବେ ମାରିବା ଘଟଣା ୧୫୧ ଶତକଡ଼ାକୁ ବଢି ଯାଇଛି । ସବୁଠୁ ଅଧିକ ହାତୀ, ଗଣ୍ଡା, ଓଟ, ହରିଣ, ମଇଁଷି ଓ ଘୁଷୁରୀ ଆଦି ପଶୁଙ୍କୁ ଖାଇବା ସହିତ ବେପାର ପାଇଁ ହତ୍ୟା କରାଯାଇଛି ।
ଜଙ୍ଗଲ ଧ୍ୱଂସ ପାଇବା ସହିତ ମଣିଷ ଓ ବନ୍ୟ ପଶୁଙ୍କ ମଧ୍ୟରେ ସଂଘର୍ଷ ବଢି ଚାଲିଛି । ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଉଚିତ । ଏଥିପାଇଁ ଅତି କମ୍ରେ ଜଙ୍ଗଲ ଗୁଡ଼ିକୁ ଲୁହା ତାର କିମ୍ବା ପ୍ଲାଷ୍ଟିକ ଦ୍ୱାରା ଆବଦ୍ଧ କରାଯିବା ଉଚିତ । ଏହାଦ୍ୱାରା ବନ୍ୟ ଜନ୍ତୁ ବାହାରକୁ ଆସି ଲୋକଙ୍କୁ ଆକ୍ରମଣ କରି ପାରିବେ ନାହିଁ କି ଫସଲ ନଷ୍ଟ କରିବେ ନାହିଁ । ପୁଣି କିଛି କେମିକାଲ୍ ଦ୍ରବ୍ୟ ଛିଂଚି ମଧ୍ୟ ପଶୁଙ୍କୁ ଫସଲ ଠାରୁ ଦୂରକୁ ବାହାର କରି ଦିଆ ଯାଇପାରେ । ଅନ୍ୟ ପକ୍ଷରେ ଢୋଲ ପିଟିବା, ନିଅାଁ ଜାଳିବା, ବାଣ ଫୁଟାଇବା ଭଳି ଅନେକ ପୁରୁଣା ଉପାୟ ରହିଛି, ଯାହା ଦ୍ୱାରା ଜଙ୍ଗଲୀ ପଶୁଙ୍କୁ କୌଣସି କଷ୍ଟ ନଦେଇ ନିଜର ଫସଲ ବା ଜୀବନକୁ ସୁରକ୍ଷିତ ରଖା ଯାଇପାରିବ । ଏହା ଛଡ଼ା ଡ଼୍ରୋନ୍ କ୍ୟାମେରା ଓ ରୋବଟ୍ର ସହାୟତାରେ ମଧ୍ୟ ଫସଲ ଉପରେ ନଜର ରଖା ଯାଇପାରିବ ।
କେତେକ ସ୍ଥାନରେ ବନ ବିଭାଗ ମଧ୍ୟ ‘ଆନିମଲ୍ ଫ୍ରେଣ୍ଡଲି’କାର୍ଯ୍ୟକ୍ରମ ଆରମ୍ଭ କରିଛି । ତାମିଲନାଡ଼ୁରେ ହାତୀ ମାନଙ୍କୁ ରେଳ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ କୋଏମ୍ବାଟୁରରେ ରେଳ ଲାଇନର ଦୁଇ ପାଶ୍ୱର୍ରେ ସେଂସର ଲଗା ଯାଇଛି । ଯେତେବେଳେ ହାତୀ ମାନେ ରେଳ ଧାରଣା ପାଖରେ ପହଂଚିବେ, ସଙ୍ଗେ ସଙ୍ଗେ ଆଲାର୍ମ ମାଧ୍ୟମରେ ସେମାନଙ୍କୁ ସୂଚନା ମିଳିଯିବ । ପୁଣି ହାତୀ ମାନଙ୍କୁ ସେଠାରୁ ବାହାର କରିବା ସହିତ ଟ୍ରେନ୍ ଚାଳକ ଗତିକୁ କମ୍ କରିବା ପାଇଁ ନିଦେ୍ର୍ଦଶ ଦିଆ ଯାଇଛି । ସେଠାରେ ମଧ୍ୟ ଦକ୍ଷିଣ ରେଳ ବିଭାଗ ଦ୍ୱାରା ମହୁମାଛି ଗୁଡ଼ିକର ଧ୍ୱନିକୁ ରେକର୍ଡ଼ କରି ଲାଉଡ଼୍ ସ୍ୱିକର ମାଧ୍ୟମରେ ବଜା ଯାଉଛି । ଯେହେତୁ ହାତୀ ମାନେ ମହୁମାଛି ଗୁଡିÿକୁ ଡ଼ରନ୍ତି । ଯେତେବେଳେ ସେମାନେ ରେଳ ଧାରଣା ପାଖରେ ପହଂଚି ଯାଆନ୍ତି, ସେମାନଙ୍କୁ ଏହି ଧ୍ୱନି ଦ୍ୱାରା ଡ଼ରାଇ ସେଠାରୁ ବାହାର କରି ଦିଆଯାଏ ।
ସେହିପରି ଓଡ଼ିଶାରେ କ୍ରମେ ଜଙ୍ଗଲ ଧ୍ୱଂସ ପାଇ ଚାଲିଥିବାରୁ ହାତୀ ଓ ବନ୍ୟଜନ୍ତୁ ନିଜର ଚଳପ୍ରଚଳ ପାଇଁ ଯାଗା ଖୋଜୁ ଖୋଜୁ ମଣିଷ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ହେଉଛି । କେତେବେଳେ ଜଙ୍ଗଲୀ ଜୀବ ମରୁଛନ୍ତି ତ କେତେବେଳେ ମଣିଷ ମାନେ ମରୁଛନ୍ତି । ଏକ ସମୀକ୍ଷାରୁ ଜଣା ପଡ଼ିଛି ଯେ, ଗତ ୮ବର୍ଷ ଭିତରେ ୫୬୮ଜଣ ଲୋକଙ୍କୁ ହାତୀ ଦଳି ମାରିଥିବା ବେଳେ ୩୩୬ ଜଣଙ୍କୁ ଆହତ କରିଛନ୍ତି । ଆଉ ହାତୀ ମାନେ ୭,୮୬୦ ଜଣଙ୍କ ଘର ଭାଙ୍ଗିଥିବାବେଳେ ୯୭,୫୮୦ ଏକର ଜମି ଦଳି ନଷ୍ଟ କରିଛନ୍ତି ଓ ଏଥିଯୋଗୁ ୧,୯୮,୧୬୬ ଜଣ ପ୍ରଭାବିତ ହୋଇଛନ୍ତି । ଆହୁରି ଜଣା ପଡ଼ିଛି ଯେ, ଏ ବାବଦରେ ସରକାର୧୩ କୋଟି ୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି । ଏହା ଛଡ଼ା ହାତୀ ମାନଙ୍କର ଉପଦ୍ରବ ଯୋଗୁ ଅନେକ ପରିବାର ଉଜୁଡ଼ି ଯାଇଛି । ସେହିପରି ମଣିଷ ଆତ୍ମରକ୍ଷା ପାଇଁ ୩୨ ଟି ହାତୀ ଶିକାର କରିଥିବା ବେଳେ ୧୦ ଟି ହାତୀ ବିଷପାନ ଯୋଗୁ ଓ ୪୨ ହାତୀ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ମୃତୁ୍ୟ ବରଣ କରିଛନ୍ତି । ଏମିତି ବିଭିନ୍ନ କାରଣରୁ ରାଜ୍ୟରେ ଶହ ଶହ ହାତୀ ମରିଛନ୍ତି ।
କେତେକ ରାଜ୍ୟରେ ହାତୀ ମାନଙ୍କ ଗତିବିଧି ଜାଣିବାକୁ ଡ଼୍ରୋନ୍ ର ବ୍ୟବହାର କରାଯାଉଛି । କିନ୍ତୁ ଏବେ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ରାସ୍ତା, ପୋଲ, ରେଳ ଲାଇନ୍ କୁ କିପରି ବ୍ୟବସ୍ଥା କଲେ, ପଶୁ ଓ ମଣିଷ ଭିତରେ ସଂଘର୍ଷ ହେବ ନାହିଁ? ତେବେ ଏଥିପାଇଁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ, ଜଙ୍ଗଲ ଓ ପରିବେଶ ମନ୍ତ୍ର୍ରଣାଳୟ, ନେସନାଲ୍ ହାଇୱେ ଅଥରିଟୀ, ନେସନାଲ୍ ଟାଇଗର କଂଜର୍ଭେସନ୍ ଅଥରିଟୀ ଓ ବିଶ୍ୱ ବ୍ୟାଙ୍କର ସହଯୋଗରେ ‘ଇକୋ ଫ୍ରେଣ୍ଡଲୀ’ ଦିଗ ନିଦେ୍ର୍ଦଶ ପ୍ରସ୍ତୁତ ହୋଇଛି, ଯାହାର ଲାଭ ମିଳିବା ଆରମ୍ଭ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ମଣିଷ ଓ ପଶୁଙ୍କ ମଧ୍ୟରେ ବଢୁଥିବା ସଂଘର୍ଷ କୁ ତୁରନ୍ତ ରୋକା ଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଗ୍ରାମବାସୀଙ୍କୁ ବନ୍ୟ ପଶୁଙ୍କ ସହିତ ବନ୍ଧୁତାର ବ୍ୟବହାର ପାଇଁ ଶିକ୍ଷା ଦେବା ସହ ସଚେତନ କରିବାକୁ ପଡ଼ିବ । ବନ୍ୟ ଜୀବଙ୍କ ପ୍ରତି ଢେର ସମ୍ବେଦନଶୀଳ ହେବାକୁ ମଧ୍ୟ ସେମାନଙ୍କୁ ଶିକ୍ଷା ଦାନ ଜରୁରୀ । ସେହିପରି ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିଜ କର୍ତବ୍ୟ ସଂପାଦନ କରନ୍ତୁ । ଏହାଦ୍ୱାରା ବନ୍ୟପଶୁ-ମଣିଷର ଲଢେଇ ଥମି ପାରିବ ତଥା ଗୋଟିଏ ବିଶାଳ ଜୀବ ହାତୀ ବଂଚି ରହିବ ଆଗାମୀ ମଣିଷ ମାନଙ୍କ ପାଇଁ । ଅନ୍ୟଥା ହାତୀ ବା ବଣୁଆ ଜୀବ ଓ ମଣିଷ ମାନଙ୍କ ମଧ୍ୟରେ ଯୁଦ୍ଧ କ୍ରମେ ଭୟଙ୍କର ରୂପ ଧାରଣ କରିବ ଓ ନିକଟ ଭବିଷ୍ୟତରେ ମଣିଷ ଜିତିଯିବ ଆଉ ହାତୀ ସମେତ ବନ୍ୟପଶୁ ମାନେ ସବୁଦିନ ପାଇଁ ହାରିଯିବେ ।

ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ:୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *