କେବଳ ବିରୋଧ କରିବା ନା ନିଜ ପାଇଁ କିଛି କରିବା?

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

ବିଗତ କିଛି ବର୍ଷ ହେଲା ୧୮ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବିଜେଡି ସରକାରଙ୍କର ସବୁଠାରୁ ବଡ ଏଜେଣ୍ଡା ହେଉଛି ସବୁକୁ ବିରୋଧ କରିବା, ଯାହାକୁ କୁହାଯାଏ ‘ନକରାତ୍ମକ ଚିନ୍ତାଧାରା’ । ଆମର ପଡୋଶୀ ଛତିଶଗଡ, ଆନ୍ଧ୍ର ଓ ପଶ୍ଚିମବଂଙ୍ଗ ସାଙ୍ଗରେ ସବୁବେଳେ ବିବାଦ ଲାଗି ରହିଛି । କେନ୍ଦ୍ର ସରକାର ତ ରାଜ୍ୟ ସରକାରଙ୍କ ୧ ନଂ ଶତୃ ହୋଇ ଯାଇଛନ୍ତି । ପରସ୍ପର ସହ ମିଳିମିଶ ଆଲୋଚନା କରି ସମସ୍ୟା ସମାଧାନ କରିବା ଯେପରି ରାଜ୍ୟ ସରକାରଙ୍କ ଅଭିଧାନରୁ ଉଭେଇ ଯାଇଛି । ଏହି ବିରୋଧକୁ ନେଇ ସବୁବେଳେ ସମାବେଶ, ବନ୍ଦ ଓ ପ୍ରତିବାଦ ସଭା ମାନ ବର୍ଷ ସାରା ଚାଲୁ ରହିଛି । ଲୋକ ମାନଙ୍କ ମନରେ ମଧ୍ୟ ଅନ୍ୟ ବିରୁଦ୍ଧରେ ବିଷ ପୁରାଇ ଦିଆ ଯାଉଛି । ଫଳରେ ନିଜର ବାସ୍ତବ ସମସ୍ୟା ଭୁଲି ଲୋକମାନେ ମଧ୍ୟ ହୋ ହୋ ରେ ମାତିଛନ୍ତି । ଏହି ବିରୋଧ କରିବା ଛଡା ରାଜ୍ୟ ଓ ଲୋକଙ୍କର ସମସ୍ୟା ସମାଧାନ ପାଇଁ ସରକାରଙ୍କର ଅନ୍ତରିକତା ବା ଦକ୍ଷତା ନାହିଁ । କେବଳ ଛତା, ଜୋତା, କମ୍ବଳ, ସାଇକଲ ବାଂଟିବା, ହବିଷ୍ୟାଳି ଓ ତୀର୍ଥ ଯାତ୍ରୀଙ୍କ ପାଇଁ ସୁବିଧା କରିବା, ଆହାର ଓ ହରିଶ୍ଚନ୍ଦ୍ର ଯୋଜନା, ମନ ଇଚ୍ଛା ଲକ୍ଷ ଲକ୍ଷ ଟଙ୍କା ବାଂଟିବା ଭଳି ଘଟଣାକୁ କେବଳ ତକ୍ରାଳ ସେବା କହିବା ଛଡା ଦୀର୍ଘ ମିଆଦୀ ପଦକ୍ଷେପ ବୋଲି କୁହାଯାଇ ପାରିବ ନାହିଁ ।
ପଶ୍ଚିମବଙ୍ଗ କୁ ନେଇ ଆମର ଆଳୁ ପାଇଁ ବିବାଦ ହେଲା । ସେଥିପାଇଁ କାର୍ଯ୍ୟକାରି ହେଲା ଆଳୁ ମିଶନ୍ । ସ୍ୱାଭିମାନର ଡାକରା ଦିଆଗଲା । ଶହ ଶହ ଶିତଳ ଭଣ୍ଡାର ତିଆରି ହେବ ବୋଲି ଛାତିରେ ହାତ ବାଡେଇ କୁହାଗଲା । ଚାଷି ମାନେ ଆଳୁ ଅମଳ କରି ମୁଣ୍ଡରେ ହାତ ଦେଲେ ରାସ୍ତାରେ ଫିଙ୍ଗିଲେ ।
ପ୍ରତିବର୍ଷ ସରକାର ଲକ୍ଷ ଲକ୍ଷ ଛତା,କମ୍ବଳ, ସାଇକଲ,ଲ୍ୟାପଟପ୍ ଓ ପୋଷାକ ବାଟୁଛନ୍ତି । ପିଲାଙ୍କ ପାଇଁ ଅଜସ୍ର ପ୍ଲାଷ୍ଟିକ ଖେଳନା ଓ ପ୍ରସାଧାନ ସାମଗ୍ରୀ କିଣୁଛନ୍ତି । କୋଟି କୋଟି ଟଙ୍କାର ଔଷଧ କିଣାଯାଉଛି । ମାତ୍ର ଏଗୁଡିକର ପ୍ରସ୍ତୁତ ପାଇଁ କୈାଣସି କାରଖାନା ଓଡ଼ିଶାରେ ନାହିଁ । ଏହି ସବୁ ଜିନିଷ ବାହାର ରାଜ୍ୟରୁ କିଣା ଯାଉଛି । ଲାଭ ପାଉଛନ୍ତି ସେ ରାଜ୍ୟର ଲୋକ । ଓଡ଼ିଶାର ଲୋକ କାମ ନ ପାଇ ନିଜ ରାଜ୍ୟ ଛାଡି ସେ ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି ।
କିଚି ବର୍ଷ ତଳେ ଆମ ରାଜ୍ୟରେ ଓ.ଟି.ଏମ୍ ଲୁଗା କଳ ଥିଲା । ଅନେକ ନାମି ଦାମି ଔଷଧ କଂପାନି ମାନ ଥିଲା । କୋଣାର୍କ ଟିଭି କାରଖାନ ଥିଲା । ଖୋର୍ଦ୍ଧାରେ ଘଂଟା କାରଖାନା ଥିଲା । ଅନେକ ସମବାୟ ଚିନି କଳ ଥିଲା । ଛୋଟ ଛୋଟ ଲୁଗା କଳରୁ ଉଚ୍ଚ ମାନର ଶାଢି ଓ ଗାମୁଛା ତିଆରି ହେଉଥିଲା । ସବୁ ପୋଡି ନେତାମାନେ ସ୍ୱାହା କରିଦେଲେ । ଓଡ଼ିଶା ବୟନିକା ଦୋକାନରେ ତାମିଲନାଡୁର ବସ୍ତ୍ର ବିକ୍ରୀ ହେଉଛି । ଯୋବ୍ରା ଆନିକଟରେ ଆନ୍ଧ୍ରର ବରଫ ମାଛ ବିକ୍ରୀ ହେଉଛି । ଏବେ ପୁଣି ବାହାସ୍ପଟ ମାରି କରିଛନ୍ତି ଚିଲିକା ଫ୍ରେସ୍ । ତାହାର ପରିଣତି କଣ ହେବ ତାହା ସମସ୍ତେ ଜାଣିବେ । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦେବା ପାଇଁ ଦୈନିକ ଲକ୍ଷ ଲକ୍ଷ ଅଣ୍ଡା ଦରକାର ହେଉଛି । ହେଲେ ରାଜ୍ୟରେ ଅଣ୍ଡା ଉତ୍ପାଦନ ନାହିଁ । ଆନ୍ଧ୍ରର ଅଣ୍ଡା ଗାଡି ନ ପହଂଚିଲେ ଆମର ମଧ୍ୟାହ୍ନ ଭୋଜନରେ ଅଣ୍ଡା ବନ୍ଦ ।
ଛତିଶଗଡ ଓ ଅନ୍ଧ୍ର ସହିତ ଆମର ନଦୀ ବିବାଦ ଲାଗି ରହିଛି । ମହାନଦୀରେ ବନ୍ଧ ବାନ୍ଧି ଛତିଶଗଡ ଶତାଧିକ ଡ୍ୟାମ କରି ସାରିଲାଣି । ପ୍ରତି ଇଂଚ ଜମି ଜଳସେଚିତ ହୋଇ ସାରିଲାଣି । ଶହ ଶହ କାରଖାନା ସ୍ଥାପିତ ହେଲାଣି । ଆମେ ଖାଲି ବିରୋଧ କରି ଚାଲିଛୁ । ଗୋଟାଏ ନୂଆ ନଦୀବନ୍ଧ ଯୋଜନା କରିବାରେ ଆମେ ଅସମର୍ଥ ହୋଇଛୁ । ଏହା ଦିବା ଲୋକ ଭଳି ସତ୍ୟ ଯେ କୋର୍ଟ ହେଉ କି ଟ୍ରିବୁ୍ୟନାଲ, କେହି ତିଆରି ହୋଇଥିବା ଡ୍ୟାମକୁ ଭାଙ୍ଗି ଦେଇ ପାରିବେନି । ସମୟ ବଦଳୁଛି । ପ୍ରତି ବୁନ୍ଦା ଜଳର ସଦ୍ ବିନିଯୋଗ ପାଇଁ ସମସ୍ତେ ଲାଗି ପଡିଛନ୍ତି । ଅଥଚ ମହାନଦୀର ୭୦ଭାଗ ଜଳ ସମୁଦ୍ରକୁ ଚାଲି ଯାଉଛି । ତାକୁ ନଅଟକାଇ ଆମେ ଛତିଶଗଡ ସହିତ ବାଦି ପାଲା କରୁଛୁ । ସେ ଶିଳ୍ପ କୁ ପାଣି ଦେଉଛି ବୋଲି ରଡି ଛାଡୁଛୁ । ଆମେ ହିରାକୁଦରୁ କେତୋଟି ଶିଳ୍ପ କୁ ପାଣି ଦେଉଛୁ ତାହାର ହିସାବ ସରକାର ଦେବେକି ?
ଆନ୍ଧ୍ରର ଗୋଦାବରୀ ନଦୀରେ ହେଉଥିବା ପୋଲାଭରମ ପ୍ରକଳ୍ପ ଏକ ଜାତୀୟ ପ୍ରକଳ୍ପ । ଏହା ବହୁ ଦିନରୁ ଆମ ରାଜ୍ୟ ଦ୍ୱାରା ସିକୃତୀ ପାଇଛି । ନଦୀ ସଂଯୋଗି କରଣର ଏହା ଏକ ଅଂଶ । ଏଣୁ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିବା ଏକ ଦିବା ସ୍ୱପ୍ନ । ଗୋଦାବରୀର ଉପନଦୀ ଇନ୍ଦ୍ରାବତୀ, କୋଲାବ ଓ ଭାସ୍କେଲ ଉପରେ ଆମେ ବନ୍ଧ ବାନ୍ଧି ସାରିଛୁ । ଅନ୍ୟ ଏକ ଉପନଦୀ ଶିଲେରୁ ଉପରେ ଆମେ ଆନ୍ଧ୍ର ସହ ମିଶି ବାଲି ମେଳା ଯୋଜନା କରି ସାରିଛୁ । ସହଯୋଗ ଦ୍ୱାରା ଡୁଡୁମାରୁ ବିଜୁଳି ମିଳୁଛି । ସେ ସବୁ ସହଯୋଗକୁ ଭୁଲି ଆମେ ପରସ୍ପର ବିବାଦରେ ଶକ୍ତି ଅପଚୟ କରୁଛୁ । ବଂଶଧାରା ନଦୀରେ ଆନ୍ଧ୍ର ସରକାର ଏକାଧିକ ବ୍ୟାରେଜ ତିଆରି କରି ସାରିଲାଣି । ଆମେ କେବଳ କରିବୁ କରିବୁ କହୁଛୁ । ।
ଏଣେ ଚାଷୀ ଚାଷ ବୁଡାଇ ବିଷ ପିଉଛି । ନିଜ ପକେଟ ପଇସା ଭଳି ମନ ଇଚ୍ଛା ଲକ୍ଷ ଲକ୍ଷ ଟଙ୍କା ସରକାର ବାଟୁଛନ୍ତି । ଅଥଚ ଚାଷୀ ପାଇଁ କିଛି ନାହିଁ । ଏଭଳି ପରିସ୍ଥିତିରେ ଆମର ଗତି କେଉଁ ଆଡକୁ ହେଉଛି ତାହା ସହଜରେ ସମସ୍ତେ ବୁଝି ପାରିବେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.