ଜାତିବାଦ ବିରୁଦ୍ଧରେ ସଂଗ୍ରାମ କରୁଥିଲେ ଆମ୍ବେଦକର!

ଜାତିବାଦ ବିରୁଦ୍ଧରେ ସଂଗ୍ରାମ କରୁଥିଲେ ଆମ୍ବେଦକର!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭିମାରାଓ ରାମଜି ଆମ୍ବେଦକର ବା ବାବା ସାହେବ୍ ଭାରତ ଉପମହାଦେଶର କୋଟି କୋଟି ଦଳିତ ଜନ ସାଧାରଣ ମାନଙ୍କୁ ମୁକ୍ତିର ମାର୍ଗ ଦେଖାଇ ସେମାନଙ୍କର ମୁକ୍ତି ଦାତା ରୁପେ ପୂଜା ପାଇ ଆସୁଛନ୍ତି । ଭାରତର ପ୍ରତ୍ୟେକ ଦଳିତ ଜଣେ ଅନ୍ୟକୁ ସମ୍ବୋଧନ କଲାବେଳେ ଜୟ ଭିମ କହି ନିଜକୁ ଗର୍ବ ଅନୁଭବ କରୁଅଛି । ନିଜର ପ୍ରଚଣ୍ଡ ଧିଶକ୍ତି ଓ ଅଧ୍ୟବ୍ୟବସାୟ ବଳରେ ସେ ଭାରତରେ ରାଜନୀତି, ଅର୍ଥନିତି ଓ ସାମାଜିକ ବିଜ୍ଞାନର ସର୍ବଶ୍ରେଷ୍ଠ ଜ୍ଞାନି ବ୍ୟକ୍ତି ରୁପେ ସ୍ୱୀକୃତି ଲାଭ କରିଛନ୍ତି ।
କେଉଁ ଆବହମାନ କାଳରୁ ଭାରତୀୟ ସମାଜ ଅଭିଶପ୍ତ ଜାତି ଓ ବର୍ଣ୍ଣ ବିଭେଦ ଦ୍ୱାରା ବହୁ ଭାଗରେ ବିଭକ୍ତ ହୋଇଛି । ବହିରାଗତ ଆର୍ଯ୍ୟ ମାନେ ଏ ଦେଶର ଆଦିମ ଅଧିବାସୀ ମାନଙ୍କୁ ବଳ ପୂର୍ବକ ପିତୃ ଭୁମିରୁ ବିତାଡିତ କରି ସେମାନଙ୍କୁ ନିଚ୍ଚ ଓ ଅସ୍ପୃଶ୍ୟ ଆଖ୍ୟା ଦେଇ ପଶୁ ଠାରୁ ଆହୁରି ନିମ୍ନ ସ୍ତରରେ ଦେଖୁଥିଲେ । ସେମାନଙ୍କୁ ଦେବ ପୂଜା ଓ ମନ୍ଦିର ପ୍ରବେଶ ଅଧିକାର ନଥିଲା । ଯାନ ବାହନ ଚଢିବା ଓ ମୂଲ୍ୟବାନ ପୋଷାକ ପିନ୍ଧିବା ସେମାନଙ୍କ ପାଇଁ ନିଷେଧ ଥିଲା । ଉଚ୍ଚ ବର୍ଣ୍ଣର ଜନପଦରେ ପ୍ରବେଶ କଲାବେଳେ ସେମାନେ ମୁଣ୍ଡକୁ ତଳକୁ କରି ଦୁଇ ଖଣ୍ଡ କାଠି ବଜାଇ ନିଜର ଉପସ୍ଥିତି ଜଣାଉଥିଲେ । ଯାହା ଦ୍ୱାରା ସବର୍ଣ୍ଣ ମାନେ ତାଙ୍କ ଠାରୁ ଦୁରେଇ ରହୁଥିଲେ । ସେମାନଙ୍କର ମହିଳା ମାନେ ବସ୍ତ୍ର ଦ୍ୱାରା ଶରୀରକୁ ସଂପୂର୍ଣ୍ଣ ରୁପେ ଆଚ୍ଛାଦିତ କରିବା ନିଷେଧ ଥିଲା । ସର୍ବ ସାଧାରଣ ଜଳାଶୟରୁ ସେମାନଙ୍କୁ ଜଳ ମଧ୍ୟ ଦିଆ ଯାଉ ନଥିଲା । ଏହାକୁ ଲକ୍ଷ୍ୟ କରି ଆମ୍ବେଦକର ଲେଖିଥିଲେ, “untouchable are descendant of Broken man, who were original inhabitant tribes those were conquered & forced to live as peripheral groups to guard the village of conqueror.”

ବାବା ସାହେବ ଆମ୍ବେଦକର୍ ତା.୧୪.୦୪.୧୮୯୧ ରିଖ ଦିନ ତକôାଳିନ କେନ୍ଦ୍ର ପ୍ରଦେଶର ମୋହ (ବର୍ତମାନ ଆମ୍ବେଦକର୍ ନଗର ନାମରେ ନାମିତ)ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ରାମୋଜୀ ମାଧୋଜୀ ସାଲପାଲ୍ ସେଠାରେ ଥିବା ଇଂରେଜ ସେନା ଛାଉଣିର ଜଣେ ଜମାଦାର ଥିଲେ ଓ ଅବସର ପରେ ରହିବା ପାଇଁ ମହାରାଷ୍ଟ୍ରର ସତରାକୁ ଚାଲିଗଲେ । ଭିମାରାଓ ଛାତ୍ର ଅବସ୍ଥାରୁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ । ବମ୍ବେର ଏଲଫେନଷ୍ଟୋନ୍ ହାଇ ସ୍କୁଲ ଓ କଲେଜରୁ ଉତିର୍ଣ୍ଣ ହେଲା ପରେ ବରୋଦାର ଶାସକ ସାୟାଜୀ ରାଓ ଗାୟିକ୍ୱାଡ୍-୩ ଙ୍କ ଦ୍ୱାରା ପ୍ରଦତ ଛାତ୍ର ବୃତି ଲାଭ କରି ଉଚ୍ଚ ଶିକ୍ଷା ପାଇଁ ଦିଦେଶ ଯାତ୍ରା କଲେ । ସେ ପ୍ରଥମେ ଆମେରିକାର କଲମ୍ବିୟା ବିଶ୍ୱ ବିଦ୍ୟାଳୟ ଓ ପରେ ଇଂଲଣ୍ଡର ପ୍ରସିଦ୍ଧ ଲଣ୍ଡନ୍ ସ୍କୁଲ ଅଫ ଇକୋନମିସ୍କରୁ ଅର୍ଥନିତିରେ ଉଚ୍ଚଶିକ୍ଷା ଲାଭକରି ଗ୍ରେ-ଇନ୍ ରୁ ବାର୍ ଆଟ୍ ଲ ଡିଗ୍ରୀ ହାସଲ କରିଥିଲେ ।
ଉଚ୍ଚଶିକ୍ଷା ପରେ ସେ ଭାରତକୁ ଫେରି ଆଇନ ବ୍ୟବସାୟରେ ମନ ନିବେଶ କେଲେ । ମାତ୍ର ସେ ଦଳିତ ସଂପ୍ରଦାୟର ବ୍ୟକ୍ତି ହୋଇଥିବାରୁ ଉଚ୍ଚ ଜାତିର ମହକିଲ ମାନେ ତାଙ୍କ ପାଖକୁ ଆସିବାକୁ କୁଣ୍ଠା ପ୍ରକାଶ କରୁଥିଲେ । ଛାତ୍ର ଅବସ୍ଥାରେ ସେ ଉକôଟ ଜାତି ବାଦର ଶିକାର ହୋଇଥିଲେ । ଘରୁ ନେଉଥିବା ଏକ ଅଖାରେ ସେ ସ୍କୁଲ ବାହାରେ ବସୁଥିଲେ । ପିଇବାକୁ ଶୋଷ କଲେ ପିଅନ ପାଣି ଆଣି ତାଙ୍କ ମୁହଁରେ ଢାଳୁଥିଲେ । ପିଅନ ନଥିଲେ ପାଣି ମିଳୁନଥିଲା । ସେଥିପାଇଁ ସେ ଲେଖିଛନ୍ତି ନୋ ପିଅନ୍ ନୋ ୱାଟର୍ ।
ଉକôଟ ଜାତି ବାଦ୍ ବିରୁଦ୍ଧରେ ସଂଗ୍ରାମ କରିବାକୁ ସ୍ଥିର କରି ସେ ଆଇନ ବ୍ୟବସାୟ ତ୍ୟାଗ କଲେ ଓ ୧୯୨୭ ମସିହାରେ ମାହଦ୍ ଠାରେ ଜଳ ସତ୍ୟାଗ୍ରହ ତାଙ୍କର ଆଦ୍ୟ ସଂଗ୍ରାମ ଥିଲା ।
ମାହୋଦ ହେଉଛି ମହାରାଷ୍ଟ୍ରର ରାୟଗଡା ଜିଲ୍ଲାର ଏକ ତାଲୁକ । ସେଠାରେ ଏକ ମୁନିସିପାଲ୍ଟି କାର୍ଯ୍ୟ କରୁଥିଲା । ସହରକୁ ଲାଗି ଚାଭାଡର ନାମରେ ଏକ ବିଶାଳ ଜଳାଶୟ ଥିଲା । ବର୍ଷସାରା ସେଥିରେ ପାଣି ଭରି ରହୁଥିଲା । ଏହି ପାଣିକୁ ସହରର ସବର୍ଣ୍ଣ ମାନେ ବ୍ୟବହାର କରୁଥିଲେ । ଦଳିତ ମାନଙ୍କୁ ଏଠାକୁ ଯିବା ସଂପୂର୍ଣ୍ଣ ବାରଣ ଥିଲା । ଦଳିତ ମାନଙ୍କ ପାଇଁ ଯେଉଁ ଏକମାତ୍ର କୂଅଟି ଥିଲା, ରକ୍ଷଣା ବେକ୍ଷଣା ଅଭାବରୁ ତାହାର ପାଣି ପୂତି ଗନ୍ଧମୟ ହୋଇ ଯାଇଥିଲା ।
୧୯୨୩ ମସିହା ଅଗଷ୍ଟ ମାସରେ ବମ୍ବେ ରାଜ୍ୟ ବିଧାନ ପରିଷଦ ଏକ ଆଇନ କଲେ ଯେ, ସାଧାରଣ ଅର୍ଥରେ ନିର୍ମିତ ଜଳାଶୟ ମାନଙ୍କୁ ଦଳିତ ମାନେ ବ୍ୟବହାର କରି ପାରିବେ । ୧୯୨୪ ମସିହାରେ ମାହୋଦ ମୁନ୍ସିପାଲ୍ଟି ନିଜ ତରଫରୁ ଏହାକୁ ସମର୍ଥନ କରି ଏକ ପ୍ରସ୍ତାବ ପାସ୍ କଲେ । ମୁନ୍ସିପାଲ୍ଟିର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଟିପ୍ନି ଓ ଅନ୍ୟ କେତେକ ଉଦାର ବ୍ୟକ୍ତି ଦଳିତ ମାନଙ୍କୁ ସମର୍ଥନ କଲେ ମଧ୍ୟ ଉଚ୍ଚବର୍ଣ୍ଣର ବିରୋଧ ଯୋଗୁଁ ଆଇନ କାର୍ଯ୍ୟକାରି ହୋଇ ପାରିଲା ନାହିଁ । ସେଥିପାଇଁ ସେମାନେ ଆମ୍ବଦକର୍ଙ୍କୁ ନେତୃତ୍ୱ ନେବାପାଇଁ ନିମନ୍ତ୍ରଣ କଲେ । ତା.୨୦.୦୩.୧୯୨୭ ରିଖ ଦିନ ଆମ୍ବେଦକର ହଜାର ହଜାର ସମର୍ଥକ ମାନଙ୍କ ସହ ସେଠାରେ ପହଂଚିଲେ ଓ ଜଳାଶୟରୁ ଜଳ ସଂଗ୍ରହ କଲେ । ସେଥିପାଇଁ ମାର୍ଚ୍ଚ ୨୦ ତାରିଖକୁ ଦେଶରେ ଦଳିତ ସଶକ୍ତି କରଣ ଦିବସ ରୁପେ ପାଳନ କରାଯାଉଛି ।
ଜଳ ଗ୍ରହଣ ପରେ ହଠାତ୍ ଗୁଜବ ହେଲା ଯେ, ଦଳିତ ମାନେ ସ୍ଥାନିୟ ଭୁଲେଶ୍ୱର ମନ୍ଦିରରେ ପ୍ରବେଶ କରିଛନ୍ତି । ଏହା ଶୁଣି ହଜାର ହଜାର ସବର୍ଣ୍ଣ ଠେଙ୍ଗା ବାଡି ଧରି ମାଡି ଆସିଲେ । ସେତେବେଳକୁ ସଭା ସରିଥାଏ । ଆମ୍ବେଦକରଙ୍କ ସହିତ ନେତା ମାନେ ଫେରି ଯାଇଥିଲେ । ଯେଉଁ କେତେଜଣ ଆୟୋଜକ ସେଠାରେ ଥିଲେ ସବର୍ଣ୍ଣ ମାନେ ତାଙ୍କୁ ଠେଙ୍ଗାରେ ପିଟିଲେ । ଖାଦ୍ୟ ପଦାର୍ଥ ଫିଙ୍ଗିଦେଲେ ଓ ଏହା ବିରୁଦ୍ଧରେ କୋର୍ଟର ଆଶ୍ରୟ ନେଲେ । ଆମ୍ବେଦକର୍ ଆଉ ଥରେ ସେଠାରେ ଡିସେମ୍ବର ୨୬ ଓ ୨୭ରେ ସମାବେଶ କରିବା ପାଇଁ ଆସି କୋର୍ଟର ନିଷେଧ ଆଜ୍ଞା ଯୋଗୁଁ ବିଫଳ ହେଲେ । ଏଥିରେ ସେ ନୈରାଶ୍ୟ ଜର୍ଜରିତ ହୋଇ ମନୁସ୍ମୃତି ପୁସ୍ତକକୁ ଡିସେମ୍ବର ୨୫ ତାରିଖ ଦିନ ପ୍ରକାଶ୍ୟରେ ଜାଳି ଦେଇଥିଲେ । ସେହିଦିନ ଠାରୁ ଡିସେମ୍ବର ୨୫ ତାରିଖକୁ ଦଳିତ ମାନେ ମନୁ ପୁସ୍ତକ ଦହନ ଦିବସ ରୁପେ ପାଳନ କରୁଛନ୍ତି । ଏହାପରେ ୧୯୩୦ ମସିହାରେ ଆମ୍ବେଦ୍କର ୧୫ ହଜାର ସମର୍ଥକଙ୍କ ସହିତ ନାସିକ ସହରର ପ୍ରସିଦ୍ଧ କଳାରାମ ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟାକରି ବିଫଳ ହେଲେ । ସେ ଅନୁଭବ କଲେ ଯେ, କୁ ସଂସ୍କାରରେ ବୁଡି ରହିଥିବା ହିନ୍ଦୁ ସମାଜ କେବେ ହେଲେ ସୁଧୁରିବ ନାହିଁ । ସେଥିପାଇଁ ସେ ୟୋଲା ଠାରେ ଘୋଷଣା କଲେ ଯେ ସେ ହିନ୍ଦୁ ଧର୍ମକୁ ପରିତ୍ୟାଗ କରିବେ ।
ପ୍ରଥମେ ସେ ଇସ୍ଲାମ୍ ଧର୍ମରେ ମିଶିବା ପାଇଁ ସ୍ଥିର କଲେ । ସେଥିପାଇଁ ବିଭିନ୍ନ ଆଡୁ ତାଙ୍କ ଉପରେ ଚାପ ପଡିଲା । ୧୯୩୭ ମସିହାରେ ବମ୍ବେ ହାଇକୋର୍ଟ ଚାଭାଡର ପୁଷ୍କରଣିକୁ ଦଳିତ ମାନେ ଯାଇ ପରିବେ ବୋଲି ଘୋଷଣା କଲେ । ହିନ୍ଦୁ ନେତାମାନେ ଆତଙ୍କିତ ହୋଇ ବିଭିନ୍ନ ମନ୍ଦିରରେ ଦଳିତ ମାନଙ୍କୁ ପ୍ରବେଶ କରିବାରେ ଉଦ୍ୟମ କଲେ । ତାହା ସତ୍ୱେ ଆମ୍ବଦକର ୧୯୫୬ ମସିହାରେ ନିଜର ୫ ଲକ୍ଷ୍ୟ ଅନୁଗତ ମାନଙ୍କ ସହିତ ନାଗପୁର ସହରର ଦିକ୍ଷା ଭୂମିଠାରେ ବୈାଦ୍ଧ ଧର୍ମ ଗ୍ରହଣ କଲେ । ସିଂହଳରୁ ଆସିଥିବା ବୌଦ୍ଧ ସନ୍ୟାସୀ ମହାସ୍ଥବିର ତାଙ୍କୁ ଦିକ୍ଷା ଦେଲେ ଓ ସେମାନେ ନିଜକୁ ନିୟୋ ବୁଦ୍ଧିଷ୍ଟ ରୁପେ ପରିଚୟ ଦେଲେ । ଦିକ୍ଷା ଗ୍ରହଣ କରିବାର ଅଳ୍ପ ଦିନ ପରେ ତା.୦୬.୧୨.୧୯୫୬ ରିଖ ଦିନ ସେ ପରଲୋକକୁ ଯାତ୍ରା କଲେ ।
ସେ ଥିଲେ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ଓ ସମ୍ବିଧାନ ପ୍ରଣୟନ କମିଟିର ସଭାପତି । ଶାସନର ଶିର୍ଷ ସ୍ଥାନକୁ ଯାଇ ମଧ୍ୟ ସେ ମୃତୁ୍ୟ ପର୍ଯ୍ୟନ୍ତ ଉଚ୍ଚବର୍ଣ୍ଣ ମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ । ସମ୍ବିଧାନ ସଭାକୁ ଯିବାପାଇଁ ସେ ମୁସଲିମ୍ ଲିଗର ସାହାଯ୍ୟ ଲୋଡିଥିଲେ । ପାର୍ଲାମେଂଟକୁ ଯିବା ପଇଁ ଚେଷ୍ଟା କରି ତାଙ୍କୁ ଦୁଇ ଦୁଇ ଥର ପରାଜୟ ବରଣ କରିବାକୁ ହୋଇଥିଲା । ଦଳିତ ମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳି ଦାବିକଲେ ମଧ୍ୟ କଂଗ୍ରେସର ନେତା ମାନଙ୍କ ଚାପରେ ସେ ଗାନ୍ଧିଙ୍କ ସହିତ ପୁନା ଠାରେ ଆପୋଷ ମିଳାମିସା କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟ ତାଙ୍କ ଶିଷ୍ୟ ମାନଙ୍କ ଦ୍ୱାରା ସଫଳତାର ଶିର୍ଷ ସ୍ଥାନକୁ ଯାଇ ପାରିଛି । ସେମାନଙ୍କର ଏକତା ଭାରତୀୟ ରାଜନିତିରେ ତାଙ୍କୁ ଏକ ନିଣ୍ଣୟାତ୍ମକ ସ୍ଥାନ ଦେଇଅଛି । ସମସ୍ତ ରାଜନୈତିକ ଦଳ ମାନେ ଦଳିତ ମାନଙ୍କର ତୃପ୍ତି ସାଧନ ପାଇଁ ତାଙ୍କ ଦ୍ୱାରେ ଭିଡ ଜମାଉ ଛନ୍ତି ଓ ଦେଶର କୋଣ ଅନୁ କୋଣରେ ଅମ୍ବେଦ୍କରଙ୍କର ମୂର୍ତି ଶୋଭା ପାଉଅଛି । ଏହାକୁ ଲକ୍ଷକରି ସେମାନେ ଗାଉଛନ୍ତି ।
“You walk forward,Holding flaming urn
All the merchant of darkness, Are fear stricken”

 

Leave a Reply

Your email address will not be published. Required fields are marked *