‘ଜୀବନ୍ତ ମାନବିକତା’ ଯୋଡୁଛି ସମ୍ପର୍କର ସେତୁ

‘ଜୀବନ୍ତ ମାନବିକତା’ ଯୋଡୁଛି ସମ୍ପର୍କର ସେତୁ

ଭୁବନେଶ୍ୱର, (ଆଇଏନ୍ଏସ୍): ଜୀବନ୍ତ ମାନବିକତା(ଲିଭିଂ ହୁ୍ୟମାନିଟି)ର ସଦସ୍ୟମାନେ ଏକନିଷ୍ଠ ଭାବେ ସମାଜରେ ଭାଇଚାରା ସୃଷ୍ଟି ନେଇ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଲୋକଙ୍କ ଅଭାବ ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଜନସାଧାରଣଙ୍କ ପାଖରେ ପହଂଚି ସେମାନଙ୍କୁ ବଂଚିବାର ରାହା ଦେଖାଇବା କ୍ଷେତ୍ରରେ ଏହି ସଂଗଠନ ସଫଳତା ହାସଲ କରିଛି । ନିଜସ୍ୱ ଉଦ୍ୟମରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସହରାଂଚଳରେ ଶିକ୍ଷା ଗ୍ରହଣ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଦ୍ୟାଳୟ ନଥିବା ଅନୁନ୍ନତ ଅଂଚଳରେ ବିଦ୍ୟାଳୟ ଖୋଲି ଶିକ୍ଷାଦାନ ବ୍ୟବସ୍ଥା କରିବା କାର୍ଯ୍ୟ ଚଳାଇଛି । ଏହାବ୍ୟତୀତ ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଓ ଚାରାରୋପଣ କରିବା କ୍ଷେତ୍ରରେ ଏହି ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ସଂଗଠନର ସଦସ୍ୟମାନେ ବାତ୍ୟା ପ୍ରଭାବିତ ପୁରୀରେ ପହଂଚି ରିଲିଫ ବାଂଟିଥିଲେ । ବାତ୍ୟା କ୍ଷତିଗ୍ରସ୍ତ ପୁରୀରେ ପହଂଚିବାରେ ଲିଭିଂ ହୁ୍ୟମାନିଟି ସଂଗଠନ ହେଉଛି ପ୍ରଥମ ସାହାଯ୍ୟକାରୀ ଦଳ । ଏବେ ସଦସ୍ୟମାନେ ପ୍ରଭାବିତ ଅଂଚଳର ବିଭିନ୍ନ ଗ୍ରାମାଂଚଳକୁ ଯାଇ ସ୍ୱାସ୍ଥ୍ୟ ଶିବିର କରିବା ସହ ଚାରା ରୋପଣ ଏବଂ ଗୋଷ୍ଠୀ ସଚେତନତା ଚଳାଇଛନ୍ତି । ଭାଇଚାର ପ୍ରତିଷ୍ଠା ଉପରେ ସେମାନେ ଗୁରୁତ୍ୱ ଦେଉଛନ୍ତି । ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରିଲେ ଲୋକଙ୍କର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଅନୁଷ୍ଠାନର ମୁଖ୍ୟ ଚିନ୍ମୟ ମହାନ୍ତି କହିଛନ୍ତି ।
ରବିବାର ଦିନ ସଂଗଠନ ପକ୍ଷରୁ ପିପିଲିର ମାଳିବରାହି, ବରାଗଡ଼, କୁଳଶେଖର ପାଟଣା, ଗୋଠଗଡ଼, ଆବଲପୁର ଓ ମଙ୍ଗରାଜପୁରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅଂଚଳରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଆଖପାଖର ପ୍ରାୟ ୩୨୦ ବ୍ୟକ୍ତି ପହଂଚି ଉପସ୍ଥିତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ନେଇଥିଲେ । ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଥିଲା । ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ଯୋଜନା ହାତକୁ ନେଇଥିଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ଏଥିରୁ ଆଶାଜନକ ସୁଫଳ ପାଉନାହାନ୍ତି । ଫଳରେ ବେସରକାରୀ ଉଦ୍ୟମରେ ସେମାନଙ୍କ ଘର ପାଖରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ଅଧିକ ସଂଖ୍ୟାରେ ପୁରୁଷ, ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖା ଯାଇଛି । ବିଶେଷ କରି ବାତ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସମସ୍ୟା ତୀବ୍ର ହେଉଥିବା ଦୃଷ୍ଟିରୁ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଏ କ୍ଷେତ୍ରରେ କାର୍ଯ୍ୟରତ ସଂଗଠନଗୁଡ଼ିକୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ପ୍ରୋତ୍ସôାହିତ କରିବାର ଆବଶ୍ୟକତା ରହିଛି । ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ନେଇ ଥିବା ଅନୁମତି ବ୍ୟବସ୍ଥା କୋହଳ କରିବା ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଅଭିଜ୍ଞ ଡାକ୍ତରଙ୍କୁ ନେଇ ଆୟୋଜନ କରାଯାଉଥିବା ସ୍ୱାସ୍ଥ୍ୟ ଶିବିର କ୍ଷେତ୍ରରେ ଜିଲାପାଳ ଓ ସିଡିଏମଓଙ୍କ ଅନୁମତି ପାଇଁ ଅଧିକ ସମୟ ଲାଗୁଥିବାରୁ ଏହାକୁ ପ୍ରତ୍ୟାହାର କରିନେବା ଉପରେ ଜନସାଧାରଣ ଗୁରୁତ୍ୱ ଦେଇଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଜିଲା ପ୍ରଶାସନକୁ ଚିଠି ଦ୍ୱାରା ଅବଗତ କରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ଓ ଏଥିପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।
ସଂଗଠନ ପକ୍ଷରୁ ମଂଗରାଜପୁରରେ ଚାରା ରୋପଣ କରାଯାଇଥିଲା । ଏହାବ୍ୟତୀତ ଉତରେଶ୍ୱରୀ ମନ୍ଦିରରେ ସ୍ଥାନୀୟ ଜନସାଧାରଣଙ୍କୁ ସମାଜ ଗଠନରେ ଗୋଷ୍ଠୀ ଓ ସମନ୍ୱୟର ଆବଶ୍ୟକତା ସମ୍ପର୍କରେ ସଦସ୍ୟମାନେ ଅବଗତ କରିଥିଲେ । ବୈଠକରେ କୁଳଶେଖର ପାଟଣା ସରପଂଚ ଓ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.