ପ୍ରାକୃତିକ ବିପର୍ଯ୍ୟୟ ଓ ସାମାଜିକ ବନ୍ୟ ପ୍ରକଳ୍ପ!

ଶରତ କୁମାର ରାଉତ

କ୍ରମେ ଓଡ଼ିଶାରେ ଜଙ୍ଗଲ ଧ୍ୱଂସ ପାଇ ଚାଲିଥିବାବେଳେ ସରକାର ଓ ପରିବେଶବିତ୍ ମାନେ ନିରବ ରହୁଥିବା ଚିନ୍ତାର ବିଷୟ ହୋଇଛି । ସ୍ୱାଧୀନତା ପ୍ରାପ୍ତି ବେଳେ ଉପକୂଳବର୍ତୀ ପ୍ରାୟ ୯ କି.ମି.ସ୍ଥଳ ଭାଗ ପର୍ଯ୍ୟନ୍ତ ବିସ୍ତାରିତ ଘଂଚ ଅରଣ୍ୟ ବର୍ତମାନ ଧ୍ୱଂସ ପାଇଛି । ଅବିଭକ୍ତ କୋରାପୁଟ୍, ଢେଙ୍କାନାଳ, ସମ୍ବଲପୁର, ମୟୁରଭଞ୍ଜ, କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରେ ଦିଗନ୍ତ ବିସ୍ତାର ଘଂଚ ଜଙ୍ଗଲ ଆଉ ନାହିଁ । ଏହି ଅବସ୍ଥା ଆମ ପାଇଁ ପରୋକ୍ଷରେ ଅଭିଶାପ ହୋଇଛି । ଖୁବ୍ ଶୀଘ୍ର ଆମେ ଭୟାବହତାର ସିଧା ସାମ୍ନା କରିବା, ଏଥିରେ ସନେ୍ଦହ ନାହିଁ । ସାଂପ୍ରତିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ, ମହାବାତ୍ୟା, ଅସମୟରେ ଖରା, ଅନିୟମିତ ବର୍ଷା, ଶୀତ ଆଦି ଏହାର ପରିଣତି ହୋଇଛି । ଆଉ କ୍ରମଶଃ ବୃଦ୍ଧି ପରିବେଶ ପ୍ରଦୂଷଣର ଏହା ମୂଳ କାରଣ ହୋଇଛି ।
ଏପରିକି ଯେତେବେଳେ ଭାରତରେ ଆଦିମ କାଳର ଘଂଚ ଜଙ୍ଗଲ ଧ୍ୱଂସ ପାଇ ଚାଲିଥିଲା, ସେତେବେଳେ ପରିବେଶ ପ୍ରଦୂଷଣର ଭୟାବହତାକୁ ଭାରତ ସରକାରଙ୍କ ଅପେକ୍ଷା ଅନ୍ତର୍ଜାତୀୟ ସ୍ତରରେ ବେଶୀ ଅନୁଭବ କରାଯାଇଥିଲା । ଯଦିଓ ୧୯୭୬ରେ ଭାରତ ସରକାରଙ୍କ ଜାତୀୟ କୃଷି ଆୟୋଗଙ୍କ ଦ୍ୱାରା ଜଙ୍ଗଲ ରକ୍ଷା ଓ ଜଙ୍ଗଲ ଆକାର ବୃଦ୍ଧି ପାଇଁ “ସାମାଜିକ ବନ୍ୟ ପ୍ରକଳ୍ପ”ର ପରିକଳ୍ପନା କରା ଯାଇଥିଲା, ହେଲେ ଏହାର ସଠିକ୍ କାର୍ଯ୍ୟକାରୀତା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପରିବେଶ ସୁରକ୍ଷା, କୃଷି ପାଇଁ ସ୍ୱାଭାବିକ ପାଣିପାଗ, ଜାଳେଣି ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ, ବନ୍ୟପ୍ରାଣୀ ସୁରକ୍ଷା, ମୃର୍ତିକା ସଂରକ୍ଷଣ, ପ୍ରାକୃତିକ ସୌନ୍ଦର୍ଯ୍ୟ, କର୍ମ ନିଯୁକ୍ତି ଯୋଗାଣ, ଲୋକମାନଙ୍କ ଜୀବନ ଧାରଣ ମାନରେ ବୃଦ୍ଧି କରିବା ଆଦି ଏହି ପ୍ରକଳ୍ପର ମୂଳ ଉଦେ୍ଦଶ୍ୟ ଥିଲା । ମୋଟ ଉପରେ ବୃକ୍ଷ ରୋପଣ ଦ୍ୱାରା ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇ ସାଧାରଣ ଲୋକଙ୍କୁ ଉପକୃତ କରାଇବା, ଜଙ୍ଗଲକୁ ଧ୍ୱଂସ ମୁଖରୁ ରକ୍ଷା କରି ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କର ଆବଶ୍ୟକତା ପୂରଣ କରିବା ଥିଲା ଏହି ପ୍ରକଳ୍ପର ଲକ୍ଷ୍ୟ । ଏଥିପାଇଁ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ କର୍ତିମ ଜଙ୍ଗଲ ସୃଷ୍ଟି କରାଯାଇ ଜାଳେଣୀ କାଠ ଯୋଗାଇବାର ବ୍ୟବସ୍ଥା ହୋଇଥିଲା । ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମିତ କାର୍ଯ୍ୟକୁ ମନେ ରଖିବା ପାଇଁ ଦେଶରେ “ବନମହୋତ୍ସବ”, “ପରିବେଶ ଦିବସ”, “ବନ୍ୟପ୍ରାଣୀ ଦିବସ” ଆଦି ପାଳନ ପାଇଁ ନିଷ୍ପତି ନିଆଯାଇଥିଲା ।
ଏହି କ୍ରମରେ ୧୯୮୧ରୁ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିଲା ସାମାଜିକ ବନ୍ୟ ପ୍ରକଳ୍ପ କାର୍ଯ୍ୟକ୍ରମ । ସୁସ୍ଥ ପରିବେଶର ପକ୍ଷଧର ସୁଇଡ଼େନ୍ ସରକାର ଭାରତର ପରିବେଶ ପ୍ରଦୂଷଣକୁ ରୋକିବା ଜନିତ କାର୍ଯ୍ୟ ପାଇଁ ଆଗେଇ ଆସିଥିଲା । ଆଉ ଓଡ଼ିଶାକୁ ନିଜର ଲକ୍ଷ୍ୟସ୍ଥଳ ଭାବରେ ବାଛି ନେଇଥିଲା । ଏହା ୧୯୮୪ ମସିହା ଜାନୁୟାରୀ ମାସର କଥା । ତେବେ ସୁଇଡ଼େନ୍ ସରକାରଙ୍କ ପ୍ରତିନିଧି, ଓଡ଼ିଶା ସରକାର, ଜଙ୍ଗଲ ବିଭାଗ ଅଧିକାରୀ, ପରିବେଶ ବିଜ୍ଞାନୀ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ବ୍ୟାପକ ବିଚାର ବିମର୍ଶ ହୋଇଥିଲା ଓ ସୁଇଡ଼େନ୍ ସରକାର ଏହି କାର୍ଯ୍ୟକ୍ରମ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲା । ଫଳ ସ୍ୱରୂପ ଓଡ଼ିଶାରେ ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷୀତ “ସାମାଜିକ ବନ୍ୟ ପ୍ରକଳ୍ପ” କାର୍ଯ୍ୟକ୍ରମ । ରାଜ୍ୟର ପ୍ରାୟ ଦେଢ ଲକ୍ଷ ହେକ୍ଟର ଜଙ୍ଗଲ ପାଖ ପଡ଼ିଆ ଜମି ଏହି ପ୍ରକଳ୍ପରେ ସ୍ଥାନ ପାଇଥିଲା । ଏଥିରେ ପ୍ରାୟ ୧ଲକ୍ଷ ହିତାଧିକାରୀଙ୍କୁ ଉପକୃତ କରାଇବାର ବ୍ୟବସ୍ଥା ରହିଥିଲା । ୫ବର୍ଷ ମଧ୍ୟରେ ଏହି ଉଦେ୍ଦଶ୍ୟ ପୂରଣ ହେବାର ଲକ୍ଷ୍ୟଧାର୍ଯ୍ୟ ଥିଲା । ଏଥିପାଇଁ ସୁଇଡ଼େନ୍ ସରକାର ୧୯୮୪ ମାର୍ଚ୍ଚ-ଏପି୍ରଲ୍ରେ ପ୍ରଥମ କିସ୍ତୀ ଆକାରରେ ୨୭ କୋଟି ଟଙ୍କା, ୧୯୮୭-୮୮ରେ ୨୦୦ କୋଟି ଟଙ୍କା ଓ ୧୯୯୧- ୯୨ରେ ଅବଶିଷ୍ଟ ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ କରିଥିଲା ।
ପ୍ରକଳ୍ପର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା ନିର୍ଦ୍ଧାରଣ କରାଯାଇଥିଲା । ରାଜ୍ୟ ପ୍ରିନ୍ସିପାଲ୍ ସିସିଏଫ୍ ଙ୍କ ଦ୍ୱାରା ପରିଚାଳିତ ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ୧୯୮୪ରେ ରାଜ୍ୟରେ ପ୍ରଥମେ ୬ଟି ଡ଼ିଭିଜନ୍ ଗଠନ କରାଯାଇ ଥିବାବେଳେ ୧୯୮୮ରେ ଅତିରିକ୍ତ ୯ଟି ଡ଼ିଭିଜନ୍ ଗଠିତ ହୋଇଥିଲା । ଅର୍ଥାତ୍ ପ୍ରତ୍ୟେକ ଅବିଭକ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ୧୩ଟି ଓ ସମ୍ବଲପୁର ଏବଂ କଟକ ଜିଲାରେ ଅତିରିକ୍ତ ଗୋଟିଏ ଲେଖାଏଁ ମୋଟ ୧୫ ଟି ଡ଼ିଭିଜନ୍ ସୃଷ୍ଟି କରାଯାଇଥିଲା । ପ୍ରତି ଡ଼ିଭିଜନ୍ର ଦାୟିତ୍ୱରେ ରହିଥିଲେ ଜଣେ ଡ଼େପୁଟୀ ଡ଼ାଇରେକ୍ଟର୍(ଡ଼ିଏଫ୍ଓ ପାହ୍ୟା) ଓ ପ୍ରତି ରେଞ୍ଜ ଦାୟିତ୍ୱରେ ଥିଲେ ଜଣେ ସୁପରଭାଇଜର୍(ରେଞ୍ଜର୍ ପାହ୍ୟା) ତଥା ପ୍ରତି ସେକ୍ସନ୍ ଦାୟିତ୍ୱରେ ଥିଲେ ଜଣେ ସେକ୍ସନ୍ ଅଫିସର୍ ବା ଭିଏଫ୍ଡ଼ବ୍ଲ୍ୟ(ଫରେଷ୍ଟର୍ ପାହ୍ୟା) । ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ବିଭାଗରୁ କେତେକ କର୍ମଚାରୀଙ୍କୁ ଅଣାଯାଇଥିବା ବେଳେ ୧୯୮୫ରେ ବିନା କୌଣସି ତାଲିମ୍ରେ ୯ ଶହ ବ୍ୟକ୍ତିଙ୍କୁ ସିଧା ଭିଏଫ୍ଡ଼ବ୍ଲୁ୍ୟ ପଦରେ ନିଯୁକ୍ତି ଦିଆ ଯାଇଥିଲା । ଏହି ପ୍ରକଳ୍ପର ସଫଳତା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ଗଠିତ ଗ୍ରାମ୍ୟ କମିଟିର ତତ୍ୱାବଧାନରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବାର ବ୍ୟବସ୍ଥା ଥିଲା । ଆଉରି ମଧ୍ୟ ବୃକ୍ଷରୋପଣ ଆଦି କେତେକ କାର୍ଯ୍ୟ ସ୍ଥାନୀୟ ସାଧାରଣ ଲୋକଙ୍କ ଦ୍ୱାରା ସଂପାଦିତ ହେବାର ବ୍ୟବସ୍ଥା ଥିଲା । ସେହିପରି ଗ୍ରାମ୍ୟ କମିଟିର ପରାମର୍ଶ କ୍ରମେ ବୃକ୍ଷ ରୋପଣ ନିମନ୍ତେ ଚାରା ସଂଗ୍ରହ, ହିତାଧିକାରୀ ଚୟନ ଓ ପ୍ରତ୍ୟେକ ହିତାଧିକାରୀଙ୍କୁ ୧.୨୫ ଏକର ପରିମିତ ଜମିର କୃର୍ତି୍ରମ ଜଙ୍ଗଲ ହସ୍ତାନ୍ତର ସ୍ୱରୂପ ପ୍ରତି ଡ଼ିଭିଜନ୍ରେ ୫/୬ ହଜାର ପରିବାରକୁ ଉପକୃତ କରାଇବାର ବ୍ୟବସ୍ଥା ଥିଲା ।
କିନ୍ତୁ ଆଜି ୩୫ ବର୍ଷ ଅତିକ୍ରମ ପରେ ଏହି ପ୍ରକଳ୍ପର ଅବସ୍ଥା ଓ ଲକ୍ଷ୍ୟଧାର୍ଯ୍ୟର ପରିଣତି ସଂପର୍କରେ କୌଣସି ସମୀକ୍ଷା ହେଉନାହିଁ । ଏହି ସାମାଜିକ ବନ୍ୟ ପ୍ରକଳ୍ପ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛି । ଗୋଟିଏ ବି ପରିବାର ଉପକୃତ ହୋଇନାହିଁ । ଗ୍ର୍ର୍ରାମ୍ୟ କମିଟି ଆଦୌ ଗଠନ ହୋଇ ନାହିଁ । ଖାତାପତ୍ରରେ ଜଙ୍ଗଲ ସୁରକ୍ଷା ହୋଇଛି ସତ, ପ୍ରକୃତ ପକ୍ଷେ ଜଙ୍ଗଲ ଧ୍ୱଂସ ପାଇ ଚାଲିଛି । ସବୁତକ ଟଙ୍କା ଲୁଟ୍ ହୋଇଛି ଓ ସୁଇଡ଼େନ୍ ସରକାର ମଧ୍ୟ ନିରବରେ ଫେରି ଯାଇଛି । ଏପରିକି ୧୯୯୫-୯୬ରେ ଏହି ପ୍ରକଳ୍ପର ପ୍ରଶାସନିକ ପ୍ରଣାଳୀରେ ପରିବର୍ତ୍ତନ ତଥା ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସୁଇଡ଼େନ୍ ସରକାର ନିୟନ୍ତ୍ରଣ କରିବାକୁ ପ୍ରସ୍ତାବ ରଖା ଯାଇଥିଲେ ହେଁ ରାଜ୍ୟ ସରକାର ସିଧା ପ୍ରତ୍ୟାଖାନ କରିଥିଲେ । ଯଦ୍ୱାରା ଏହି ପ୍ରକଳ୍ପ ଅର୍ଥକୁ ଆତ୍ମସାତ୍ କରିଥିବା ବ୍ୟକ୍ତି ମାନେ ସୁରକ୍ଷା ବଳୟ ଭିତରେ ରହି ଯାଇଥିଲେ ଓ ସୁଇଡ଼େନ୍ ସରକାର ରାଜ୍ୟରୁ ପଳାୟନ କରିଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ସୁଇଡ଼େନ୍ ସରକାର ପୂର୍ବ ପରି କେବଳ ସହାୟତା ଦେବା ପାଇଁ ତାଙ୍କୁ ପ୍ରଭାବିତ କରାଯିବାକୁ ସେତେବେଳେ ଉଦ୍ୟମ ହୋଇଥିଲା । ଦୁର୍ଭାଗ୍ୟର କଥା ଯେ, ଏହି ପ୍ରକଳ୍ପରେ ନିଯୁକ୍ତ କିଛି କର୍ମଚାରୀ ଏବେ ମଧ୍ୟ ଘରେ ବସି ଜଙ୍ଗଲ ବିଭାଗରୁ ନିୟମିତ ବେତନ ପାଉଥିବା ଅଭିଯୋଗ ହେଉଛି । ଏବେ ଆମ ରାଜ୍ୟବାସୀଙ୍କ ଦ୍ୱାରା ବିଚାର ଯୋଗ୍ୟ ଯେ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ରକ୍ଷା ପାଇଁ ଆମ ରାଜ୍ୟ ସରକାର ସୁଇଡ଼େନ୍ ସରକାରକୁ ସମସ୍ତ ପ୍ରକାର ପ୍ରତିଶ୍ରୁତି ଦେଇଥିବାବେଳେ ଏଥିରେ ବ୍ୟତିକ୍ରମ ରହିଲା କେଉଁଠି ଓ କିପରି? ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଅନୁଭୂତ ହେଉଛି । ଏବେ ଆମ ସରକାରଙ୍କୁ ତୁରନ୍ତ ଆଉ ଏକ ବନ୍ୟ ପ୍ରକଳ୍ପ ହାତକୁ ନେବାକୁ ପଡ଼ିବ । ଯେତେଶୀଘ୍ର ଏହା ସମ୍ଭବ ହେବ, ଉପକୂଳବାସୀଙ୍କ ଚିନ୍ତା ସେତେ କମିବ! ଉକ୍ତ ସାମାଜିକ ବନ୍ୟ ପ୍ରକଳ୍ପ ଯଦି ସଫଳ ହୋଇଥାନ୍ତା, ତେବେ ପ୍ରାକୃତିକ ବିପର୍ଯ୍ୟୟ ଭଳି ମହାବାତ୍ୟା ହେଉ କି ଫୋନୀ କି ହୁଡ଼ହୁଡ଼, ତିତ୍ଲି କି ଫାଇଲିନ୍ ଆମର ଟିକିଏ ବି କ୍ଷୟକ୍ଷତି କରି ପାରି ନଥାନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.