ବିପୁଳ ଜୈବ ସଂପଦର ଗନ୍ତାଘର ଗହୀରମଥା!

ବିପୁଳ ଜୈବ ସଂପଦର ଗନ୍ତାଘର ଗହୀରମଥା!

ହେମନ୍ତ କୁମାର ରାଉତ
ଆନ୍ଧ୍ର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଆଦି ରାଜ୍ୟର ସମୁଦ୍ର ତାର ଜୈବ ସଂପଦକୁ ହରେଇ ଦେଇଥିଲା ବେଳେ ଓଡ଼ିଶାର ଗହୀରମଥା ପୂର୍ବ ଭଳି ତାର ସ୍ଥିତିକୁ ସୁଦୃଢ କରିଛି । ତାହା କେବଳ ସମ୍ଭବ ହୋଇଛି ବର୍ଷତମାମ ଏହି ଅଂଚଳ ନିଷିଦ୍ଧ ହେବା ଦ୍ୱାରା । ଧାମରା ଠାରୁ ମହାନଦୀ ମୁହାଣ ଯାଏ ୬୯ କି.ମି ବେଳାଭୂମି ଠାରୁ ସମୁଦ୍ର ଭିତରକୁ ୨୦ କି.ମି. ଯାଏ ଏକ ମାଛର ବ୍ୟାଙ୍କ ହୋଇ ସମୁଦ୍ର, ନଈ, ନାଳ ଆଦିକୁ ସଂଚରି ଯିବାକୁ ଖୋରାକ ଯୋଗାଉଛି ।
ଚତୁର୍ଦିଗରୁ ମାଛ ମାଫିଆଙ୍କର ପ୍ରଚଣ୍ଡ ଆକ୍ରମଣ ତାର ସ୍ଥିତିକୁ ଦୋହଲାଇ ଦେଇଛି । ଗହୀରମଥାର ମାଛ ମାରି ରାତାରାତି କୋଟିପତିର ସ୍ୱପ୍ନ ନେଇ ମାଫିଆ ମାନେ କୋଷ୍ଟଗାର୍ଡ଼କୁ ଚକିତ କରି ଦେଇଛନ୍ତି । ସେଥିପାଇଁ ଚିଲିକା ପରି ରକ୍ତ ରଞ୍ଜିତ ହୋଇଛି ଗହୀରମଥାର ସମୁଦ୍ର ଜଳ । ତାର ଲକ୍ଷ ଲକ୍ଷ ଉପକୂଳବାସୀଙ୍କୁ ଯୋଗାଇଛି ପ୍ରଚୁର ମାଛ ଓ କଙ୍କଡ଼ା । ସାଇତି ରଖିଛି କଇଁଛ, ଡ଼ଲଫିନ୍, ସାର୍କ ଆଦି ଦୁର୍ମୂଲ୍ୟ ଜୀବମାନଙ୍କୁ ।
ନାନାଦି ଘାତ ପ୍ରତିଘାତ ସତ୍ୱେ ୨୦୧୬-୧୭ ବର୍ଷରେ ୬୦୬୮୫୫ କଇଁଛ ଗହୀରମଥାକୁ ଆସିଥିବାବେଳେ ୨୦୧୭-୧୮ ବର୍ଷରେ ୬୬୫୧୮୫ କଇଁଛ ଗହୀରମଥାରେ ଅଣ୍ଡାଦାନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେହିପରି ୨୦୧୫ ରେ ୨୭୦ ଓ ୨୦୧୮ରେ ୩୦୭ ଡ଼ଲଫିନ୍ ବିଚରଣ କରିଛନ୍ତି ଗହୀରମଥା ସମୁଦ୍ରରେ । ଯାହା ବେଳେବେଳେ ଚିଲିକା ଠାରୁ ମଧ୍ୟ ସଂଖ୍ୟାରେ ଅଧିକ ହୋଇ ଯାଇଛନ୍ତି । ତେବେ ଜଙ୍ଗଲ ବିଭାଗର ସୂଚନର ଅନୁଯାୟୀ ଖରାପ ପାଗ ଯୋଗୁ ୨୦୧୬ ଓ ୨୦୧୭ରେ ଡ଼ଲଫିନ୍ ଗଣନା କାର୍ଯ୍ୟକୁ ବାତିଲ କରାଯାଇଥିଲା । ୨୦୧୯ ଜାନୁୟାରୀ ମାସରେ ଅଭୟାରଣ୍ୟର ମାଦଳି ମାଉଥ ଚିପ୍ସରେ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲର ଦୁର୍ମୂଲ୍ୟ ସାର୍କ ଶିକାର ବେଳେ ୧୭୫ ସାର୍କ ଜବତ କଲା ପରେ ଗହୀରମଥାରେ ସାର୍କ ମାନଙ୍କ ସ୍ଥିତି ସଂପର୍କରେ ବହୁ କଥା ପଦାକୁ ଆସିଛି । ରେଡ଼୍ ଲିଷ୍ଟେଡ଼୍ ହୋଇଥିବା ସୁଚିଟେଲ ସାର୍କ, ହାମର ହେଡ଼ ସାର୍କ ଓ ବୁଲ୍ ସାର୍କ ମଧ୍ୟ ଜବତ କରାଯାଇଛି । କେବେବେବେ ଗହୀରମଥାର ସମୁଦ୍ର ବେଳାକୁ ବିଶାଳ ତିମିମାଛର ମୃତ ଦେହ ମଧ୍ୟ ଆଉଜି ଆସିଛନ୍ତି ।
ବରୁଣେଇ ମୁହାଣ, ମାଦଳି ମୁହାଣ, ମହାନଦୀ ମୁହାଣରେ ହଜାର ହଜାର ଚଢେଇଙ୍କ ସମାବେଶ ଦେଖାଯାଏ । ସେତେବେଳେ ଗହୀରମଥା ଗୋଟିଏ ବିଶାଳ ଚିଲିକା ପରି ପ୍ରତୀୟମାନ ହୁଏ । ଚଢେଇ ମାନଙ୍କ ଗହଳି ଚହଳି ଓ କାକଳିରେ ବେଳାଭୂଇଁ ପ୍ରକମ୍ପିତ ହୁଏ । ସେମାନେ ସେମାନଙ୍କ ଖାଦ୍ୟ ସମୁଦ୍ର ଓ ହେନ୍ତାଳ ଜଙ୍ଗଲରୁ ସଂଗ୍ରହ କରି ନିଅନ୍ତି । ବେଳାରେ ଥିବା ହେନ୍ତାଳ ଜଙ୍ଗଲ ମାନଙ୍କରେ ବହୁ ବନ୍ୟପଶୁଙ୍କର ବିଚରଣ, ସେମାନଙ୍କର ଧାଁ ଦଉଡ଼, ସମୁଦ୍ର ବେଳାରେ ଶଙ୍ଖ ଶାମୁକା, ନାଲି ଟୁକୁ ଟୁକୁ କଙ୍କଡ଼ା, ନୀଳରକ୍ତ କଙ୍କଡ଼ାରେ ବେଳାଭୂଇଁ ଆହୂରି ସୌନ୍ଦର୍ଯ୍ୟମୟ ଦେଖାଯାଏ ।
ଗହୀରମଥା ସଂପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇ ରହିଥିଲେ, ସ୍ଥାନୀୟ ପାରମ୍ପରିକ ମତ୍ସଜୀବୀ ମାନେ ଛୋଟ ଛୋଟ ଭୁଟିଭୁଟି ଡ଼ଙ୍ଗାରେ ଲକ୍ଷ ଲକ୍ଷ ଟଙ୍କାର ମାଛ ମାରି ବାହାରକୁ ପଠେଇ ପାରିବେ । ସାଧାରଣ ମଣିଷ କଂଟିଆ, ଖଁଅଗା, ଜଳଙ୍ଗ, ଭାତେଇ, ସାଅଁଳ, ଖାସୁଲି ଆଦି ଛୋଟ ବଡ଼ ମାଛ ଖାଇ ଆଜିର ଦୁନିଆରେ ସେମାନଙ୍କର ଆବଶ୍ୟକତା ମେଂଟେଇ ପାରିବେ । ଗହୀରମଥାର ପାଖାପାଖି ତନ୍ତିଆପାଳ, ଜଗରିଜୋର, ରାଜନଗର, ସାତଭାୟା, ପଟ୍ଟମୁଣ୍ଡାଇ ହାଟରେ ଆଜି ବି ମାଛ ଶୁଖୁଆର ହାଟ ବସୁଛି ।
ପ୍ରତିବର୍ଷ ଇଲିସ୍ ସମୟରେ କୋଟି କୋଟି ଟଙ୍କାର ଇଲିସ୍ ହାଓଡ଼ା ଦେଇ ବିଦେଶକୁ ରପ୍ତାନୀ ହେଉଛି ଓ ବିରଳ ସାର୍କ ମାନଙ୍କୁ ହତ୍ୟାକରି ଭାଇଜାକ୍ ଦେଇ ସିଙ୍ଗାପୁର, ହଂକଂ ଓ ଚିନ ଆଦି ଦେଶକୁ ରତ୍ପାନୀ କରାଯାଉଛି । କେବେ କେବେ ସତର୍କତାର ସହ ଅନ୍ୟ ଜୀବ ମାନଙ୍କୁ ହତ୍ୟା କରି ବାହାରକୁ ପଠା ଯାଉଛି । ତେବେ ମାଛ ମାଫିଆ ମାନଙ୍କ ବୋଟ୍ ସିଜ୍ ହେବା ପରେ ବହୁ କଥା ଲୋକ ଲୋଚନକୁ ଆସୁଛି । ସବୁଠାରୁ ଦୁଃଖର କଥା ଯେ, ବେଆଇନ ଫିସିଂ ବେଳେ ସେମାନେ ଲକ୍ଷ ଲକ୍ଷ ଟଙ୍କାର ଶସ୍ତା ମାଛ ମାରି ସମୁଦ୍ରରେ ଭସାଇ ଦିଅନ୍ତି ଓ ଦୁର୍ମୂଲ୍ୟ ମାଛ ମାନଙ୍କୁ ସାଇତି ରଖନ୍ତି । ଯେଉଁ ମାଛ ହଜାର ହଜାର ଗରୀବ ଲୋକଙ୍କର ଚାହିଦା ମେଂଟାଇ ପାରନ୍ତା ।
ଅନ୍ୟାନ୍ୟ ବନ୍ୟଜନ୍ତୁ ପରି ଗହୀରମଥା ତାର ବିପୁଳ ଜୈବ ସଂପଦକୁ ସାଇତି ରଖିପାରିବ ନାହିଁ । ଆଜି ଉପକୂଳବାସୀଙ୍କ ସହ ଶତାଧିକ ବନ କର୍ମଚାରୀ, ଛୋଟବଡ଼ ବେପାରୀ ସେମାନଙ୍କ ପରିବାରକୁ ପ୍ରତିପୋଷଣ କରି ପାରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ରହିଛି ଗହୀରମଥା ସହ ।
ଓଡ଼ିଶା ସରକାରଙ୍କ ୧୯୮୧ ମାଛଧରା ଆଇନ, ଯାହା ୧୯୯୦ରେ ପ୍ରଣୟନ କରାଯିବାରୁ ମତ୍ସ୍ୟଧରା ଟ୍ରଲର ଠାରୁ ଉନ୍ନତ ସୋନା ଟ୍ରଲର ବ୍ୟବହୃତ ହେଉଛି । ଦୁଇବର୍ଷ ହେଲା, ୪୦୦/୫୦୦ ହର୍ଷ ପାୱାର ଚାଳିତ ବୋଟ୍ କାମ କରୁଛି । ପଡ଼ୋଶୀ ଆନ୍ଧ୍ରରେ ମାତ୍ର ୨୦୦ ହର୍ଷ ପାୱାର ବୋଟ ସେଠାକାର ସରକାର ବ୍ୟବସ୍ଥା କରିଛନ୍ତି । ଆଜି ମାଫିଆଙ୍କର ପାୱାର ବୋଟ ସରକାରଙ୍କ ପେଟ୍ରୋଲିଂ ବୋଟ୍ ଠାରୁ ଆହୁରି ପାୱାରଫୁଲ ।
ରାଜନଗର ବନଖଣ୍ଡ ଓ ଭଦ୍ରକ ବନଖଣ୍ଡ ଦାୟିତ୍ୱରେ କଇଁଛ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଭଦ୍ରକ ବନଖଣ୍ଡ ନିଜ ଦାୟିତ୍ୱରେ ଅସଫଳ ହୋଇଥିବା ଅଭିଯୋଗ ହେଉଛି । ଜଣାପଡ଼ିଛି ଯେ, ଗତ ୧୦ ବର୍ଷ ଭିତରେ ଏଥିପାଇଁ ଭଦ୍ରକ ବନଖଣ୍ଡକୁ ହାରାହାରୀ ୧ କୋଟି ଟଙ୍କା ଦିଆ ଯାଇଥିଲେ ହେଁ ଅଶାନୁରୂପ ଫଳ ମିଳିନାହିଁ । କାହାର ଅଦୃଶ୍ୟ ହାତର ଚାପ ଫଳରେ ବେଳେ ବେଳେ କୋଷ୍ଟଗାର୍ଡ଼ ନିଜ ଦାୟିତ୍ୱରୁ ଓହରି ଯାଉଛି । ସରକାରଙ୍କ ଆନ୍ତରିକତାର ଅଭାବରୁ ଗହୀରମଥା ଦିନେ ବିଶ୍ୱରେ ଲୋପ ପାଇବ, ଏଥିରେ ସନେ୍ଦହ ନାହିଁ । ଏହାର ସୁରକ୍ଷା ପାଇଁ ସ୍ୱଂୟ ଏ ଜାତିକୁ ସଜାଗ ରହିବାକୁ ପଡ଼ିବ । ଜୈବ ସଂପଦକୁ ନଷ୍ଟ କରିବାରେ ଆଜିର ମଣିଷ ମାନେ ସବୁଠୁ ଦାୟି, ଏହା ପ୍ରମାଣିତ ନହେଉ ଗହୀରମଥା କ୍ଷେତ୍ରରେ ।
ରାଜନଗର, କେନ୍ଦ୍ରାପଡ଼ା,
ମୋ-୯୯୩୮୬୬୯୬୩୧

Leave a Reply

Your email address will not be published. Required fields are marked *