ଭାରତୀୟଙ୍କ ସୁନାଝିଅ ସୁଷମା

ଭାରତୀୟଙ୍କ ସୁନାଝିଅ ସୁଷମା!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଦେଶର ସୁନାଝିଅ ଆଜି ଆର ପାରିକୁ ଚାଲିଗଲା । ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦୁଃଖଦ ମୃତୁ୍ୟରେ ଏହାଥିଲା ଭାରତର ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକ ବାର୍ତା ।
ଭଗବାନ ଯେପରି ସବୁପ୍ରକାର ଭଲ ଗୁଣ ଦେଇ ସୁଷମା ସ୍ୱରାଜ ନାମରେ ଏହି ମହିୟସିି ମହିଳାଙ୍କୁ ମର୍ତ୍ୟକୁ ପଠାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ଚରିତ୍ରରେ କିଛି କୋମଳତା ଭରିଦେଲେ ଯେଉଁ ଚରିତ୍ର ସୃଷ୍ଟି ହେବ ତାହାହିଁ ସୁଷମା ସ୍ୱରାଜ । ସେ ଥିଲେ ଅଜାତ ଶତୁ୍ର । ଦେଶର ପ୍ରତ୍ୟେକ ନାଗରିକ ତାଙ୍କୁ ନିଜର ମାଁ ଭଉଣୀ ବା ଝିଅ ରୁପେ ଦେଖୁଥିଲେ । ତାଙ୍କର ହସ ହସ ମୁହଁ, ଭସା ଆଖି, ଧିର ଚାଲି, ଲାଲ ଶାଢୀ, କପାଳରେ ବଡ ସିନ୍ଦୁର ଟୋପା ଦେଖିଲେ ମନେ ହୁଏ ସେ ଯେପରି ହିନ୍ଦି ଚଳଚିତ୍ରରେ ମାଁ ଚରିତ୍ରରେ ଠିଆ ହୋଇଛନ୍ତି । ଭାରତୀୟ ସଂସ୍କୃତିର ଜାଜୁଲ୍ୟମାନ ଦ୍ୱିପ ଶିଖା ରୁପେ ଆଲୋକ ଦେଉଛନ୍ତି । କୁଟିଳ ରାଜନୀତିରେ ସେ ଥିଲେ ମାନବ ବାଦର ମୁଖା ।
ସୁଷମା ୧୪/୦୨/୧୯୫୨ ମସିହାରେ ପଞ୍ଜାର ଆମ୍ବଲା କ୍ୟାଂଟନମେଂଟ ଅଂଚଳରେ ଜନ୍ମ ନେଇଥିଲେ । ତାଙ୍କ ପିତା ହରଦେବ ଶର୍ମା ଓ ମା’ ଲକ୍ଷ୍ମି ଦେବୀ ଦେଶ ବିଭାଜନ ବେଳେ ଅବିଭକ୍ତ ପଞ୍ଜାବର ଲାହୋରରୁ ଭାରତକୁ ଚାଲି ଆସିଥିଲେ । ଛାତ୍ରୀ ଅବସ୍ତାରେ ସୁଷମା ନିଜର ପ୍ରତିଭା ପାଇଁ ଲାଗ ଲାଗ ୩ ବର୍ଷ ବିଶ୍ୱ ବିଦ୍ୟାଳୟର ଶ୍ରେଷ୍ଠ ହିନ୍ଦି ବକ୍ତା ରୁପେ ମନୋନିତ ହୋଇଥିଲେ ।
ଆଇନ ଶିକ୍ଷା ଲାଭ କଲାପରେ ସୁଷମା ୧୯୭୫ ମସିହାରେ ସୁପ୍ରିମକୋର୍ଟର ଆଇନ ବ୍ୟବସାୟ ଆରମ୍ଭ କଲେ ଓ ଏଠାରେ ତାଙ୍କର ସ୍ୱାମୀ ସ୍ୱରାଜ୍ୟ କୌଶଳଙ୍କ ସହ ସଂପର୍କ ସ୍ଥାପନ ହେଲା । ସ୍ୱରାଜ୍ୟ ସମାଜବାଦୀ ନେତା ଜର୍ଜଫର୍ଣ୍ଣାଡେଜଙ୍କ ଅନୁଗତ ଥିଲେ । ଜରୁରୀ କାଳିନ ଅବସ୍ଥା ବେଳେ ଇନ୍ଦିରା ଗାନ୍ଧି ଜର୍ଜଙ୍କ ନା ରେ ନାନା ପ୍ରକାର ମକଦମା କରିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ତାଙ୍କୁ ଆଇନ ସହାୟତା ଯୋଗାଇ ଦେଲେ ଓ ସେମାନେ ପରସ୍ପରଙ୍କୁ ବିବାହ କଲେ ।
୧୯୭୭ ମସିହାରେ ଜରୁରି ଅବସ୍ଥା ପରେ ଦେବୀଲାଲଙ୍କ ଜନତା ଦଳରେ ନିର୍ବାଚନ ଲଢି ସେ ହରିୟାଣା ବିଧାନସଭା କୁ ନିର୍ବାଚିତ ହେଲେ ଓ ୧୯୭୯ ମସିହାରେ ହରିୟାଣା ମନ୍ତ୍ରୀ ମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ । ସେ ହେଲେ ଦେଶର କନିଷ୍ଠ ତମା ମହିଳା କ୍ୟାବିନେଟ ମନ୍ତ୍ରୀ ।
୧୯୯୦ ମସିିିହାରେ ସେ କେନ୍ଦ୍ର ରାଜନିତୀ କୁ ଆସି ରାଜ୍ୟସଭା କୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ଦକ୍ଷିଣ ଦିଲ୍ଲୀ ନିର୍ବାଚନ ମଣ୍ଡଳି ରୁ ଲୋକସଭାକୁ ନିର୍ବାଚିତ ହୋଇ ବାଜପେୟିଙ୍କ ୧୩ ଦିନିଆ ମନ୍ତ୍ରୀ ମଣ୍ଡଳର ସୁଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ପୁଣି ଲୋକସଭାକୁ ନିର୍ବାଚିତ ହୋଇ ବାଜପେୟିଙ୍କ ୧୩ ମାସିଆ ମନ୍ତ୍ରୀ ମଣ୍ଡଳର ସୂଚନା ମନ୍ତ୍ରୀ ହୋଇଥିଲେ ଓ ତାଙ୍କ ଅମଳରେ ଚଳଚିତ୍ରକୁ ଏକ ଶିଳ୍ପ ବୋଲି ଘୋଷଣା ହୋଇଥିଲା ।
୧୯୯୮ ମସିହାରେ ଅଳ୍ପ ଦିିନ ପାଇଁ ସେ ଦିଲ୍ଲୀର ପଂଚମ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୨୦୦୦ ମସିହାରେ ସୁଷମା ରାଜ୍ୟସଭାକୁ ଯାଇଥିଲେ ଓ ଏନ.ଡି.ଏ ମନ୍ତ୍ରୀ ମଣ୍ଡଳର ସ୍ୱାସ୍ୟ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ତାଙ୍କ ସମୟରେ ଭୁବନେଶ୍ୱର ସମେତ ଦେଶର ୬ ଟି ଜାଗାରେ ଏ.ଆଇ.ଆଇ.ଏମ.ଏସ୍ (ନିଖିଳ ଭାରତ ଆର୍ୟୁ ବିଜ୍ଞାନ ଅନୁଷ୍ଠାନ) ର ଶାଖା ଖୋଲିଥିଲା । ତାଙ୍କର ଦାନ ଯୋଗୁଁ ଓଡ଼ିଶା ବାସୀ ଏବେ ଉପକୃତ ହେଉଛନ୍ତି ।
୨୦୦୯-୧୪ ମଧ୍ୟରେ ସୁଷମା ପାର୍ଲାମେଂଟରେ ବିରୋଧି ଦଳର ନେତ୍ରୀ ରୁପେ କାମ କରିଥିଲେ । ଏଭଳି ଗୈାରବ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା ଭାରତୀୟ । ୨୦୧୪ – ୨୦୧୯ ମଧ୍ୟରେ ସେ ମଧ୍ୟପ୍ରଦେଶର ବିଦିଶା ନିର୍ବାଚନ ମଣ୍ଡଳି ରୁ ନିର୍ବାଚିତ ହୋଇ ନରେନ୍ଦ୍ର ମୋଦି ଙ୍କ ମନ୍ତ୍ରୀ ମଣ୍ଡଳର ବୈଦେଶିକ ମନ୍ତ୍ରୀ ହୋଇଥିଲେ । ଏଭଳି ଗୈାରବ ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା । ମୋଦିଙ୍କର ବାର୍ତାକୁ ସେ ସାରା ବିଶ୍ୱରେ ପହଂଚାଇ ଥିଲେ । ଜାତି ସଂଘରେ ତାଙ୍କର ଭାଷଣ ପ୍ରଶଂସା ପାଇଥିଲା । ବିଶେଷତଃ ବିଦେଶରେ ଥିବା ଭାରତୀୟ ମାନଙ୍କର ଦୁଃଖ ଅସୁବିଧା ସେ ଯତ୍ନର ସହିତ ବୁଝୁଥିଲେ । ତାଙ୍କ ସମୟରେ ଅନେକ ପାକିସ୍ଥାନି ରୋଗି ଆସି ଭାରତରେ ସହୃଦୟତାର ସହିତ ଚିକିସôା ପାଇ ଦେଶକୁ ଫେରିଛନ୍ତି ଓ ସୁଷମାଙ୍କୁ ସବୁ ଦିନେ ମନେ ପକାଉଛନ୍ତି ।
୧୯୯୯ ମସିହାରେ ଦଳର ନିର୍ଦେଶରେ ସେ କର୍ଣ୍ଣାଟକର ବେଲାରି ନିର୍ବାଚନ ମଣ୍ଡଳିରେ ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧିଙ୍କ ବିରୁଦ୍ଧରେ ଲଢିଥିଲେ ଓ ୩ ଲକ୍ଷ ୫୮ ହଜାର ଭୋଟ ପାଇ ଅଳ୍ପକେ ପରାଜିତ ହୋଇଥିଲେ ।
ତାଙ୍କର ଉସôର୍ଗି କୃତ ସେବା ଯୋଗୁଁ ସ୍ପେନ ସରକାର ତାଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ ଅଫ୍ ଅର୍ଡର ପ୍ରଦାନ କରିଥିଲେ । ଆମେରିକା ର “ଚିକାଗୋ ଟ୍ରିବୁ୍ୟନ୍” ପତ୍ରିକା ତାଂକ ୁ
ବିଶ୍ୱ ର “ବେଷ୍ଟ ଲଭ୍ଡ଼ ପଲିଟିସିଆନ୍” ବୋଲି ନାମିତ କରିଥିଲେ ।
ନିଜର ଶାରିରୀକ ଅସୁସ୍ଥତା ଯୋଗୁଁ ୨୦୧୯ ନିର୍ବାଚନରେ ସେ ଭାଗ ନେଇନଥିଲେ । ଏହା ମଧ୍ୟରେ ତାଙ୍କର କିଡ୍ନି ପ୍ରତିରୋପଣ ହୋଇଥିଲା । ସେ ବହୁମୁତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ । ଯେଉଁ ଦିନ ସେ ପରଲୋକକୁ ଗଲେ ସେହି ଦିନ ଜାମ୍ମୁ କାଶ୍ମିରରୁ ୩୭୦ ଧାରା ମୋଦି ସରକାର ଉଠାଇ ଦେଲେ । ଏଥିପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଏହି ଦିନଟିକୁ ମୁଁ ବହୁ ଦିନରୁ ଅପେକ୍ଷା କରିଥିଲି ।
ଏ ମରଣ ଶିଳ ଦୁନିଆରେ ସମସ୍ତେ ଦିନେ ଆର ପାରିକୁ ଚାଲିଯିବେ । ମାତ୍ର ନିଜର କର୍ମ ସେମାନଙ୍କୁ ଏହି ମାଟିରେ ଅମରତ୍ୱ ପ୍ରଦାନ କରିବ । ଭାରତ ଇତିହାସରେ ସୁଷମାଙ୍କ ଚରିତ୍ର ଅଷ୍ଠାଦଶ ଶତାଦ୍ଦିର ମରହଟ୍ଟା ରାଣୀ ମହିୟସି ଅହଲ୍ୟା ବାଇଙ୍କ ସହ କେବଳ ତୁଳନା କରିହେବ । ମରି ମଧ୍ୟ ସେମାନେ ଭାରତୀୟଙ୍କ ଜନ ମାନସରେ ଚିର ଦିନ ପାଇଁ ସୁନାଝିଅ ରୁପେ ଅମର ହୋଇ ରହିବେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.