ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ମାର୍ଶାଘାଇ, (ଓଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଡାଜୋରୀ ଗାଁର ପ୍ରାୟ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଜି ମଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । ମହିଳାମାନେ ଅଭିଯୋଗ କରିଥିଲେ ଯେ, ସେମାନଙ୍କ ଗାଁକୁ ଲାଗି ଏକ ସରକାରୀ ମଦ ଦୋକାନ ଦୀର୍ଘ ୭ବର୍ଷ ହେବ ଖୋଲାଯାଇଛି । ଏଣୁ ପ୍ରତିଦିନ ଗାଁର ପ୍ରାୟ ଅର୍ଦ୍ଧାଧିକ ଲୋକ ମଦ୍ୟପାନ କରି ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘରେ ନିଜ ସ୍ତ୍ରୀ ପିଲାଙ୍କୁ ମାଡ଼ ମାରୁଛନ୍ତି । ଏଣୁ ତୁରନ୍ତ ଉକ୍ତ ମଦ କାଉଣ୍ଟରଙ୍କୁ ଉଠାଇବା ପାଇଁ ଗ୍ରାମବାସୀ ବାରମ୍ବାର ଲିଖିତ ଆକାରରେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଏବଂ ଏକ୍ସାଇଜ୍ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି । ହେଲେ ଏହାପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସମସ୍ତ ପଞ୍ଚାୟତବାସୀ ଆଜି ପୂନର୍ବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାସହ ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତରାୟଙ୍କୁ ଭେଟି ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ । ଏଣୁ ଏଥର ଯଦି ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ତୁରନ୍ତ ଗ୍ରହଣ ନକରି ତେବେ ଗ୍ରାମବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନକୁ ହାତମୁଠାକୁ ନେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଦେଖାଯାଉ ଆଗାମୀ ଦିନରେ ଜିଲ୍ଲା ଅବକାରୀ ବିଭାଗ, ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *