ଲିଭିଗଲା ଗାନ୍ଧି ଯୁଗର ଶେଷ ଆଲୋକ ଶିଖା

ଲିଭିଗଲା ଗାନ୍ଧି ଯୁଗର ଶେଷ ଆଲୋକ ଶିଖା

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

ନବରଙ୍ଗପୁର ଜିଲ୍ଲାର ଗାନ୍ଧି ନାମରେ ପରିଚିତ, ଗାନ୍ଧିବାଦୀ ଓ ବିଶିଷ୍ଟ ସର୍ବୋଦୟ ନେତା ମହମ୍ମଦ ବାଜିଙ୍କର ୧୦୫ ବର୍ଷ ବୟସରେ ମହାପ୍ରୟାଣ ଘଟି ଯାଇଛି ଓ ତାହା ସଙ୍ଗେ ସଙ୍ଗେ ଓଡ଼ିଶାରେ ଗାନ୍ଧି ଚିନ୍ତାଧାରାର ଶେଷ ଉତରାଧିକାରୀଙ୍କର ସମାପ୍ତି ହୋଇଯାଇଛି ।
ସେ ଯୁଗ ଥିଲା ଏକ ନିଆରା ଯୁଗ । ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ଆଦର୍ଶରେ ଏହି ବଣ ପାହାଡ ଘେରା ତକ୍ରାଳିନ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ଶିକ୍ଷିତ ଯୁବକ ସରକାରୀ ଚାକିରୀ ଛାଡି ଦେଶ ସେବାକୁ ଜୀବନର ଲକ୍ଷ୍ୟ ବୋଲି ଆଦରି ନେଇଥିଲେ । ସେମାନେ ଥିଲେ ରାଧା ମୋହନ ସାହୁ, ରାଧାକୃଷ୍ଣ ବିଶା୍ୱସ ରାୟ, ସଦାଶିବ ତ୍ରୀପାଠି, ଲକ୍ଷ୍ମିକାନ୍ତ ଦାସ, ଜଗନ୍ନାଥ ତ୍ରୀପାଠି, ରବିସିଂ ମାଝି ଓ ମହମ୍ମଦ ବାଜୀ । ସେମାନଙ୍କ ଚେଷ୍ଟାରେ ଗାଁ ଗାଁ ରେ ଗାନ୍ଧି ଆଶ୍ରମ ଗଢି ଉଠିଥିଲା । ଲୋକମାନେ ନିଜକୁ ଗାନ୍ଧି ଗୁମାସ୍ତା କହି ଗର୍ବ ଅନୁଭବ କରୁଥିଲେ । ସେତେବେଳେ ଖଦଡ ଓ ଗାନ୍ଧି ଟୋପି ତ୍ୟାଗ ଓ ଦେଶ ସେବାର ପ୍ରତିକ ଥିଲା । ୧୯୫୪-୫୫ ମସିହାରେ ଗାନ୍ଧିଙ୍କର ପଟଶିଷ୍ୟ ବିନୋବା ଭାବେ ପଦ ଯାତ୍ରାରେ ଏହି ଅଂଚଳ କୁ ଆସିଥିଲେ । ଏହି ଆଦିବାସୀ ଏଲାକାରେ ତାଙ୍କୁ ଅଦ୍ଭୁତ ପୂର୍ବ ସମର୍ଥନ ମିଳିଲା । ତାଙ୍କ ଭାଷାରେ କୋରାପୁଟରେ ସର୍ବୋଦୟର ବନ୍ୟା ବହିଗଲା । ସେ ସମୟରେ ମହମ୍ମଦ ବାଜି ବିିନୋବାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ସର୍ବୋଦ୍ୱୟ ବାଣୀକୁ ପ୍ରଚାର କରୁଥିଲେ । ଲେଖକର ସୈାଭାଗ୍ୟ ଯେ ନିଜର କର୍ମକାଳ ଭିତରେ ସେ ନବରଙ୍ଗପୁର ଜିଲ୍ଲାର ତିନି ଜଣ ସଚ୍ଚା ଗାନ୍ଧିବାଦୀ, ମହମ୍ମଦ ବାଜି ସାହେବ, ଜଗନ୍ନାଥ ତ୍ରୀପାଠି ଓ ରବିସିଂ ମାଝି ଙ୍କର ନିବିଡ ସଂସ୍ପର୍ଶରେ ଆସଛି । ସେମାନଙ୍କର ସରଳ ଓ ପବିତ୍ର ଚରିତ୍ରକୁ ଆଜିକାଲି ନେତାଙ୍କ ସହିତ ତୁଳନା କଲେ ମନ ଦୁଃଖରେ ଭରିଯାଏ । ଗାନ୍ଧିଙ୍କର ଆଦର୍ଶକୁ ବଂଚାଇବା ପାଇଁ ବାଜି ସାହେବ ଉମରକୋଟ ନିକଟସ୍ତ ବିଜାପୁର ଗ୍ରାମ ଠାରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି ଆଶ୍ରମ ପ୍ରାୟ ୨୦୦୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ତାଙ୍କର ଦୁଇ ଜଣ ସହ କର୍ମି ନରହରୀ ଜାନି ଓ ନୟନା ମାଝି ଏହି ଆଶ୍ରମକୁ ପରିଚାଳନା କରୁଥିଲେ । ଅନେକ ଅସହାୟ ଓ ଅନାଥ ବାଳକ ବାଳିକା ଏଠାରେ ରହି ଶିକ୍ଷା ଲାଭ କରୁଥିଲେ । ବିଭିନ୍ନ ସମୟରେ ଏଠାରେ ସର୍ବୋଦୟ ଆଲୋଚନା ଚକ୍ର ହେଉଥିଲା । କାଳ କ୍ରମେ କଳୁଷ ରାଜନିତୀ ସମାଜରେ ପ୍ରବେଶ କଲା । ଗାଁ ଗହଳରେ ହେଉଥିବା ଅନ୍ୟାୟକୁ ବିରୋଧ କରିବାରୁ ନେତା ମାନଙ୍କ ଇଶାରାରେ ଆଶ୍ରମ ଉପରେ ଆକ୍ରମଣ ଆରମ୍ଭ ହୋଇଗଲା । ଯେଉଁ ଲୋକ ଆଶ୍ରମକୁ ଜମି ଦେଇଥିଲା, ସେ ଆଶ୍ରମକୁ ମାଡି ବସିଲା । ଆଶ୍ରମଟି ବନ୍ଦ ହୋଇଗଲା । ପ୍ରଶାସନ ଜାଣି ମଧ୍ୟ ଚୁପ ରହିଲା । ଯେଉଁଠି ଫୁଲ ଫଳ ପୁରି ରହିଥିଲା ସେଠାରେ କଂଟା ଓ ବଣ ମାଡି ଗଲା । ଏକ ଦୁର୍ଘଟଣାରେ ନରହରୀ ଜାନିଙ୍କର ମୃତୁ୍ୟ ଘଟିଲା । ମନ ଦୁଃଖରେ ବାଜି ସାହେବ ବିଜାପୁର ଆସିବା ଛାଡି ଦେଲେ ଓ ତାଙ୍କର ସହକର୍ମି ନୟନା ମାଝି ନିଜ ଗ୍ରାମକୁ ଫେରି ଯାଇ କୋଇଲାରି ଠାରେ ଏକ ନିଜଶ୍ୱ ଆଶ୍ରମ ପ୍ରତିଷ୍ଠା କରି ତାଙ୍କର କାର୍ଯ୍ୟକ୍ରମ ଚାଲୁ ରଖିଥିଲେ । ପରବର୍ତି କାଳରେ ବିଜାପୁର ଠାରେ ବାଜି ସାହେବଙ୍କ ନାମରେ ଏକ ହାଇ ସ୍କୁଲ ପ୍ରତୀଷ୍ଠା କରା ହୋଇଛି ।
ବହୁ ଦିନ ତଳର କଥା ସ୍ୱାଧିନତା ପରେ ପରେ ଯେତେବେଳେ ପ୍ରଥମ ନିର୍ବାଚନ ହେଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ପ୍ରସ୍ତାବ ନିଆଗଲା ଯେ, ଭୋଟରେ ସହଯୋଗ ପାଇଁ ପ୍ରତି ଗାଁ ର ମୁଖିଆ ମାନଙ୍କୁ ମଦ ପିଇବା ପାଇଁ କିଛି ଅର୍ଥ ଦିଆଯିବ । ଏହା ଶୁଣି ବାଜି ସାହେବ ପ୍ରତିବାଦ କରି ସେହିଦିନ ଠାରୁ କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ । ରାଜନିତୀ ଦିନକୁ ଦିନ ଯେତେକି ନିମ୍ନଗାମି ହେଲା ବାଜି ସାହେବ ସେହି କଳୁଷ ମଧ୍ୟରେ ଶୁଦ୍ଧସୁବର୍ଣ୍ଣ ଭଳ ଝଲସିବାକୁ ଲାଗିଲେ । ନିଜ ସମୟର ଅଧିକାଂଶ ସହକର୍ମିଙ୍କ ପରଲୋକ ଗମନ ପରେ ସେ ନିସଙ୍ଗ ଜିବନ ଜାପନ କରୁଥିଲେ । ତାଙ୍କର ଶେଷ ସାଥୀ ଥିଲେ ବାଲିଗୁଡାର ବିଶିଷ୍ଟ ସର୍ବୋଦ୍ୱୟ ନେତା ଦାସରଥି ପଟ୍ଟନାୟକ । ସେ ମଧ୍ୟ କିଛି ବର୍ଷ ତଳୁ ପର ଲୋକକୁ ଯାତ୍ରା କଲେ ।
ମୁସଲମାନ ପରିବାରରେ ଜନ୍ମ ହେଲେ ମଧ୍ୟ ବାଜି ସାହେବ ସଂପୂଣ୍ଣ ନିରାମିଶାଷିି ଥିଲେ । ଗୋରକ୍ଷା ଆନେ୍ଦାଳନରେ ଯୋଗ ଦେଇଥିଲେ । ନିଜର ଘରର ଚଟ୍ଟାଣକୁ ସେ ପକ୍କା କରିନଥିଲେ, କହୁଥିଲେ ଯେଉଁ ମାଟିରେ ଆଚାର୍ଯ୍ୟ ହରି ହର, ରମାଦେବୀ, ଗୋପବନ୍ଧୁ ଚୈାଧୁରୀଙ୍କ ଭଳି ପୁଣ୍ୟ ବ୍ୟକ୍ତିମାନେ ପାଦ ଦେଇଛନ୍ତି ସେହି ମାଟିର ଧୁଳି ମୋ ପାଇଁ ଅତି ପବିତ୍ର । ସେ ଧୁଳିକୁ ମୁଁ ସବୁଦିନ ପ୍ରଣାମ କରୁଛି ତାକୁ ମୁଁ ପକ୍କା କରି ନଷ୍ଟ କରିବାକୁ ଚାହେଁନାହିଁ । ସେହି ମହାନ ଆତ୍ମା ଶାନ୍ତି ରେ ରୁହନ୍ତୁ ଓ ଏ ଅଭାଗା ଦେଶର କୋଟି କୋଟି ଅବହେଳିତ ଜନତାଙ୍କ ପାଇଁ ଆର୍ଶିବାଦ ଢାଳନ୍ତୁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *