ଲୋକପ୍ରିୟ ଥିଲେ ବିଶିଷ୍ଠ ଲେଖକ ଗନ୍ଧର୍ବ ସେନ

ଶରତ କୁମାର ରାଉତ

ଏମିତି କେତେକ ଯୋଗଜନ୍ମା ଅଛନ୍ତି, ଯେଉଁମାନେ ସମସାମୟିକ ବ୍ୟକ୍ତିମାନଙ୍କ ଠାରୁ ଅଧିକ ଯଶ-ଖ୍ୟାତିର ଅଧିକାରୀ ହୋଇଥାନ୍ତି ଓ ଅଜାତଶତ୍ରୁର ଆଖ୍ୟା ପାଆନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଲେ, ସ୍ୱର୍ଗତ ଗନ୍ଧର୍ବ ସେନ ରଣା । ଅନଗୁଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳର ତଳମୂଳ ଶାସନ ଗ୍ରାମରେ ୧୯୫୪ ମସିହା ଅପ୍ରେଲ ୩ ତାରିଖରେ ସ୍ୱର୍ଗତ ରଣା ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ଭଲ ମଣିଷ, ବିଶିଷ୍ଟ ଶିଶୁ ସାହିତି୍ୟକ, ଅନୁବାଦକ ଓ କର୍ତବ୍ୟନିଷ୍ଟ ସରକାରୀ କର୍ମଚାରୀ ଭାବେ ଜଣାଶୁଣା । ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା ରାଜ୍ୟ ସଚିବାଳୟରେ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇ ସ୍ୱର୍ଗତ ରଣା ୨୦୧୪ରେ ଅବସର ନେଇଥିଲେ ।
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ବହୁ ଅବଦାନ ରହିଛି । ସେ ନିୟମିତ ଭାବେ ଲୋଖାଲେଖି କରୁଥିଲେ ଓ ବିଭିନ୍ନ ପତ୍ରପତି୍ରକା ଓ ସମ୍ବାଦପତ୍ରରେ ତାଙ୍କର ଲେଖା ପ୍ରକାଶ ପାଉଥିଲା । ମୁଖ୍ୟତଃ ପିଲାଙ୍କ ପାଇଁ ସେ ଅଧିକ ଲେଖୁଥିଲେ । ତାଙ୍କ ଲିଖିତ ୪୦ରୁ ଉଦ୍ଧ୍ୱର୍ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ପୁସ୍ତକ ଗୁଡ଼ିକ ମଧ୍ୟରେ ଶ୍ରୀ ଗଣେଷ, ମହକ ପରୀ, ମାୟାପୁରୀ, ଅଳକାପୁରୀ, ଶ୍ରୀକ୍ଷେତ୍ର ତଥ୍ୟାବଳୀ, ସପ୍ତ ତୀର୍ଥ ମହିମା, ଦେଶବିଦେଶରେ, ବାର ବିଚିତ୍ରା, ପିଲାଙ୍କ ସାଧାରଣ ଜ୍ଞାନ, ଅନୁବାଦ ପୁସ୍ତକ ରାଜକୁମାରୀ, ଦେଶବିଦେଶର ଶିଶୁ, ଅମର ଜୀବନ(ବୁଦ୍ଧଙ୍କର କାହାଣୀ), ଗଳ୍ପ ସଂକଳନ ସହର ପରିକ୍ରମା, ଓଡ଼ିଶାର ଲୋକକଥା ଇତ୍ୟାଦି ଅନ୍ୟତମ । ଅବସର ପରେ ସେ ନିୟମିତ ଲେଖାଲେଖି ସହ ଭୁବନେଶ୍ୱର ସ୍ଥିତ ସମ୍ବାଦ ସରବରାହ ସଂସ୍ଥା “ଓଡ଼ିଶା ନୁ୍ୟଜ୍ ସର୍ଭିସ୍” ସହ ଜଡ଼ିତ ଥିଲେ ।
      ସେହିପରି ସଚିବାଳୟରେ ଜଣେ କର୍ତବ୍ୟନିଷ୍ଟ କର୍ମଚାରୀ ଭାବେ ସ୍ୱର୍ଗତ ଗନ୍ଧର୍ବ ସେନଙ୍କର ସୁନାମ ଥିଲା । ସହକର୍ମୀ ମାନଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ବିଭିନ୍ନ ସମୟରେ ସେ ଅନେକ ମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଏବଂ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ।
     ସେ ଜଣେ ଆଦର୍ଶ ସରକାରୀ କର୍ମଚାରୀ, ଅମାୟିକ, ପରୋପକାରୀ ଓ ବନ୍ଧୁବତ୍ସଳ ଭାବରେ ଭୁବନେଶ୍ୱର ସମେତ ତାଙ୍କ ଜନ୍ମସ୍ଥାନ ଅନଗୁଳ ଅଂଚଳରେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ପ୍ରତି ମଣିଷକୁ ସେ ଭଲ ପାଆନ୍ତି । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ସେଥିପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର ଥିଲେ । ବାସ୍ତବରେ ସେ କାହାକୁ ନିଜର ଶତ୍ରୁ ବୋଲି ଭାବୁନଥିଲେ ଓ ସମସ୍ତଙ୍କୁ ସେ ବନ୍ଧୁତା ରଜ୍ଜୁରେ ବାନ୍ଧୁଥିଲେ । ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ଚିରଦିନ ଆମ୍ଭମାନଙ୍କ ଭିତରେ ସ୍ମରଣୀୟ ହୋଇ ରହିବେ । ସେ ମଧ୍ୟ ଗଭୀର ଈଶ୍ୱର ବିଶ୍ୱାସୀ ଥିଲେ । ତାଙ୍କର ୨ପୁତ୍ର, ୨ଝିଅ, ଜ୍ୱାଇଁ, ନାତି, ନାତୁଣୀ ଅଛନ୍ତି ।
ବାସ୍ତବରେ ମଣିଷ ପରି ମଣିଷଟିଏ ଥିଲେ ଗନ୍ଧର୍ବ ସେନ, କୋଟିକରେ ଗୋଟିଏ । ଆଜି ମଧ୍ୟ ତାଙ୍କୁ ଭଲ ପାଉଥିବା ଲୋକଙ୍କ ଆଖିରୁ ଲୁହ ଝରୁଛି । ସେ ଥିଲେ ମୋର(ଲେଖକ)ଜଣେ ବଡ଼ଭାଇ ଭଳି । ମୁଁ ଅଭିଭୂତ ହୋଇଛି ତାଙ୍କର ଅମାୟିକତ୍ୱ ଓ ମଣିଷ ପଣିଆ ଦେଖି । ସମସ୍ତଙ୍କ ପାଇଁ ସେ ପାଲଟି ଯାଇଥିଲେ ଯେମିତି ଏକ ସଫଳ ମଣିଷର ସଜ୍ଞା । ମୃତୁ୍ୟ ଚିରନ୍ତନ ସତ୍ୟ । ଏହା ଯେତେ ନିଷ୍ଠୂର ଓ କଠୋର ଲାଗିଲେ ବି ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି, ତାକୁ ନିଜ ପାଖକୁ ଶୀଘ୍ର ନେଇ ଯାଆନ୍ତି ବୋଲି ଧାରଣା ରହିଛି । ଗନ୍ଧର୍ବ ସେନଙ୍କ କ୍ଷେତ୍ରରେ ସେଇଆ ଘଟିଲା ବୋଲି ଆମେ ଭାବୁଛୁ । ଏତେଶୀଘ୍ର ସମସ୍ତଙ୍କୁ ଠକି ଦେଇ ହଠାତ୍ ଚାଲିଯିବେ ବୋଲି ଆମେ ଭାବିନଥିଲୁ । ହେ, ଯୋଗଜନ୍ମା କର୍ମବୀର, ୧୧ ଦିନ ତଳେ ଗୋଟିଏ ଅଦିନିଆ ଝଡ଼ଟିଏ ଆସିଲା, ତୁମେ ଏମିତି ବାହୁଡ଼ି ଗଲ ଯେ ଆଉ ଫେରିଲନି! ଆଜି ତାଙ୍କର ପବିତ୍ର ଦ୍ୱାଦଶାହ ଅବସରରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି । ତାଙ୍କର ପାର୍ଥିବ ଶରୀର ସିନା ପଂଚଭୂତରେ ଲୀନ ହୋଇଯାଇଛି, ହେଲେ ତାଙ୍କର ସଫଳ କାର୍ଯ୍ୟ, କର୍ତବ୍ୟ ପରାୟଣତା ଓ ହସ ହସ ମୁହଁ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ । ତୁମେ ଯେଉଁଠି ଥାଅ- ଭଲରେ ଥାଅ! ଆପଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆମେ ପ୍ରଭୂ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.