ହ୍ରାସ ପାଉଛି ଭାରତୀୟ ରାଜନୀତିକ ସଂସ୍କୃତିର ମୂଲ୍ୟ!

ହ୍ରାସ ପାଉଛି ଭାରତୀୟ ରାଜନୀତିକ ସଂସ୍କୃତିର ମୂଲ୍ୟ!

ସଂସଦ ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ମନ୍ଦିର । ସ୍ୱଂୟ ନିଜର ସଂସ୍କୃତି ତିଆରି କରୁଥିବା ସଂସଦ ହିଁ ରାଜନୀତିକ ସଂସ୍କୃତିର ଦର୍ପଣ । ରାଜନୀତିକ ସଂଘର୍ଷ ତ ସ୍ୱାଧୀନତା ପର ଠାରୁ ଚାଲି ଆସିଛି ଓ ଚାଲିଥିବ । କିନ୍ତୁ କ୍ରମେ ସଂସଦର ପତନ ଆଜି ସଚେତନଶୀଳ ଭାରତୀୟ ମାନଙ୍କ ପାଇଁ ଘୋର ଚିନ୍ତାର ବିଷୟ ହୋଇଛି । ଆମ ରାଜନୀତିକ ସଂସ୍କୃତିର ଗୁଣାତ୍ମକ ମୂଲ୍ୟ ହ୍ରାସର ପ୍ରତିବିମ୍ବ ହିଁ ଏହି ପତନ । ବାସ୍ତବରେ ସଂସଦୀୟ ପତନ ଯେଉଁ ଅବସ୍ଥାରେ ପହଂଚିଛି, ତୁରନ୍ତ ତାହାର ସମାଧାନ ପନ୍ଥା ବାହାର କରାଯିବା ଉଚିତ । କିଛିବର୍ଷ ତଳୁ ସଂସଦ ଅଧିବେସନ ବେଳେ ସାଂସଦ ମାନଙ୍କର ହୋ-ହଲ୍ଲା-ପାଟିତୁଣ୍ଡ ଓ ଯଥେଷ୍ଟ କାରଣ ନଥାଇ କକ୍ଷତ୍ୟାଗ ଆଦି ଘଟଣା ଭାରତବାସୀଙ୍କୁ ଚକିତ କରୁଛି । ବେଳେ ବେଳେ ସଂସଦରେ ଦେଶର ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇ ପାରୁନାହିଁ । ଅଧିକାଂଶ ସମୟରେ ବିନା କୌଣସି ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏପରିକି ଖର୍ଚ୍ଚ ଦାବି ମଧ୍ୟ ଗୃହୀତ ହୋଇ ଯାଇଛି । ଏ ସଂପର୍କରେ ସାଂସଦ ମାନେ ମଧ୍ୟ ଅନେକ ଥର ବାଚଷ୍ପତିଙ୍କୁ ପତ୍ର ଲେଖିଛନ୍ତି ।
ସାଂସଦ ମାନେ ସଂସଦ ଓ ଜନତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ । ନିୟମିତ ସଂସଦ ଅଧିବେସନରେ ନିଜର ଉପସ୍ଥାନ ବଜାୟ ରଖିବା ସହ ସବୁ ଆଲୋଚନାରେ ସକି୍ରୟ ଅଂଶ ଗ୍ରହଣ କରିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କର ସଂସଦୀୟ ଦକ୍ଷତା ବଢିବା ସଙ୍ଗେସଙ୍ଗେ ଜନତାଙ୍କ ପ୍ରତି ଉତରଦାୟିତ୍ୱର ଭାବ ସୃଷ୍ଟି ହେବ । ଜବାହାରଲାଲ୍ ନେହରୁ ସଂସଦ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରୁଥିଲେ ଓ ନିଜେ ଅଧିବେସନରେ ଉପସ୍ଥିତ ରହି ପ୍ରତ୍ୟେକ ଆଲୋଚନାରେ ସକି୍ରୟ ଅଂଶ ଗ୍ରହଣ କରୁଥିଲେ । ତାଙ୍କର ଉତରାଧିକାରୀ ଲାଲ ବାହାଦୂର ଶାସ୍ତ୍ରୀ ମଧ୍ୟ ତାଙ୍କର ଅନୁଗାମୀ ଥିଲେ । କିନ୍ତୁ ନିଜର ସ୍ଥିତି ମଜଭୁତ କରିନେବା ପରେ ଇନ୍ଦିରା ଗାନ୍ଧୀ ହିଁ ସଂସଦର ଉପେକ୍ଷା କରିବା ଆରମ୍ଭ କରିଥିଲେ । ରାଜୀବ ଗାନ୍ଧୀ ମଧ୍ୟ ସଂସଦକୁ ଅଧିକ କିଛି ସମ୍ମାନ ଦେଖାଉ ନଥିଲେ । ବିରୋଧୀ ସାଂସଦ ମଧ୍ୟ କିଛି କମ୍ ନଥିଲେ । ସାଂସଦ ରାଜନାରାୟଣ ସଂସଦ ଗୃହରେ ଠିକ୍ ବ୍ୟବହାର ଦେଖାଉନଥିଲେ ଓ ପ୍ରାୟ ମାର୍ଶଲ ସହିତ ହାତାହାତି ହେଉଥିଲେ । ରାମ ମନୋହର ଲୋହିୟା, ମଧୁ ଲିମୟେ ଏବଂ ଜର୍ଜ ଫର୍ଣ୍ଣାଣ୍ଡିଜ୍ ହିଁ ଦାୟିତ୍ୱହୀନ ବ୍ୟବହାର ଆରମ୍ଭ କରିଥିଲେ । ସଂସଦର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବିରୋଧୀ ଦଳ । ସରକାର ଶାସନ କରେ, ଆଉ ବିରୋଧୀ ଠିକ୍-ଭୁଲ୍ ଆଲୋଚନା କରେ । ଏଣୁ ଶାସନରେ ବିରୋଧୀ ଦଳର ଦାୟିତ୍ୱ ଶାସକ ଦଳ ଠାରୁ କିଛି କମ୍ ନୁହେଁ । ଶାସକ ଓ ବିରୋଧୀ ଉଭୟ ହିଁ ସଂସଦୀୟ ବ୍ୟବସ୍ଥାର ଅବିଭାଜ୍ୟ ଅଙ୍ଗ ।
କିଛିବର୍ଷ ତଳୁ ଆମ ଦେଶରେ ରାଜନୀତିର ନୂଆରୂପ ଦେଖା ଦେଇଛି । ଗୁଣ୍ଡା-ବଦମାସଙ୍କ ନେତୃତ୍ୱ ନେଉଥିବା ଲୋକେ ଏବେ ରାଜନୀତିକ ନେତା ପାଲଟି ଯାଇଛନ୍ତି । ସ୍ମଗଲର୍, ଠିକାଦାର, ହତ୍ୟାକାରୀ, ବଳାକ୍ରାରୀ, ଅପହରଣକାରୀ, େ·ରାବେପାରୀ ଓ ଧନୀ ଲୋକଙ୍କର ରାଜନୀତିକୁ ଅବାଧ ପ୍ରବେଶ ଆରମ୍ଭ ହୋଇଛି । ରାଜନୀତିକ ଦଳ ଗୁଡ଼ିକର ପରିଚାଳନା ବ୍ୟବସ୍ଥା ଏତେ ହୁଗୁଳା ଯେ, ଆଗ-ପଛ ବିଚାର ନକରି ଏହିଭଳି ବ୍ୟକ୍ତି ମାନଙ୍କୁ ନିଜ ଦଳକୁ ଟାଣି ନେଉଛନ୍ତି । ଏଇ ସୁଯୋଗରେ ଖଳ ପ୍ରକୃତିର ଲୋକେ ସଂପୂର୍ଣ୍ଣ ଭାବେ ସଂସଦ ଓ ବିଧାନସଭା ଉପରେ ନିଜର ପ୍ରଭାବ ବିସ୍ତାର କରିନେବାର ଆଶଙ୍କା ପ୍ରକାଶ ପାଇଲାଣି । ଏଭଳି ନେତାଙ୍କ ଦ୍ୱାରା ଅପରାଧ ଓ ଭ୍ରଷ୍ଟାଚାର ବହୁ ଅଧିକ ବଢିବାରେ ଲାଗିଛି । ତଳ ସ୍ତରର ଲୋକପ୍ରତିନିଧି ମାନଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ତ ଭିନ୍ନ କଥା, ହେଲେ ବିଶ୍ୱର ବୃହତମ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରୁଥିବା ଅନେକ ସାଂସଦଙ୍କ ଅପରାଧିକ ଚିତ୍ର ଚିନ୍ତାଜନକ ହୋଇଛି । “ଗଣତାନ୍ତ୍ରିକ ସଂସ୍କାର ସଂଗଠନ”(ଏଡ଼ିଆର୍) ଓ “ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍”(ଏନ୍ଇଡ଼ବ୍ଲୁ୍ୟ) ର ରିପୋର୍ଟ ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚନ (୧୭ ତମ ଲୋକସଭା)ରେ ୫୩୯ ଆସନରେ ବିଜୟୀ ସାଂସଦଙ୍କ ମଧ୍ୟରେ ୨୩୩ ଜଣ ସାଂସଦ(୪୩%)ଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି, ଯାହା ୨୦୧୪ ତୁଳନାରେ ୨୬% ଅଧିକ । ଏମାନଙ୍କ ମଧ୍ୟରେ ୧୫୯(୨୯%) ସାଂସଦଙ୍କ ବିରୁଦ୍ଧରେ ଅତି ସାଂଘାତିକ ମାମଲା ରହିଛି । ତେବେ ଏଥିରେ ବିଜେପିର ସର୍ବାଧିକ ୧୧୬(୩୯%) ସାଂସଦ ଜଡ଼ିତ ଥିବାବେଳେ କଂଗ୍ରେସର ୨୯(୫୭%), ଜେଡ଼ିୟୁର ୧୦(୪୩%), ଏଆଇଟିସିର ୯(୪୧%) ଓ ଡ଼ିଏମ୍କେର ୯(୪୧%) ସାଂସଦ ଜଡ଼ିତ ଅଛନ୍ତି । ସେହିପରି ବିଜେପିର ୮୭(୨୯%), କଂଗ୍ରେସର୧୯(୩୭%), ଡ଼ିଏମ୍କେର୬(୨୬%), ଏଆଇଟିସିର ୪(୧୮%) ଏବଂ ଜେଡ଼ିୟୁର ୮(୫୦%) ସାଂସଦ ଅତି ସାଂଘାତିକ ଅପରାଧୀ ଭାବେ ଘୋଷିତ ହୋଇଛନ୍ତି । ଏଡ଼ିଆର୍ ରିପୋର୍ଟ ଅନୁଯାୟୀ ଏମାନଙ୍କ ମଧ୍ୟରେ ୧୦ ଜଣ ସାଂସଦ ଅପରାଧି ସାବ୍ୟସ୍ତ ହୋଇଥିବାବେଳେ ୧୧ ସାଂସଦଙ୍କ ବିରୁଦ୍ଧରେ ହତ୍ୟା ମାମଲା, ୩୦ ସାଂସଦଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା, ୧୯ ସାଂସଦଙ୍କ ବିରୁଦ୍ଧରେ ଥିବା ମହିଳା ନିର୍ଯ୍ୟାତନା ମଧ୍ୟରୁ ୩ ସାଂସଦଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ୬ ସାଂସଦଙ୍କ ବିରୁଦ୍ଧରେ ଅପହରଣ ମାମଲାରେ ଦୋଷୀ ଘୋଷଣା, ୨୯ ସାଂସଦଙ୍କ ବିରୁଦ୍ଧରେ ସାଂପ୍ରଦାୟିକ ଉତେଜନା ବା ଉତେଜକ ମନ୍ତବ୍ୟ ଓ ୬ ସାଂସଦ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ନୂଆ ଲୋକସଭାରେ ପାଖାପାଖି ୨୯% ମାମଲା ଦୁଷ୍କର୍ମ, ହତ୍ୟା, ହତ୍ୟା ଉଦ୍ୟମ ଓ ମହିଳା ନିର୍ଯ୍ୟାତନା ବୋଲି କୁହାଯାଇଛି । ଏପରିକି ନବନିର୍ବାଚିତ ବିଜେପିରୁ ୫ ସାଂସଦ, ବିଏସ୍ପିରୁ ୨, କଂଗ୍ରେସ, ଏନ୍ସିପି, ୱାଇଏସଆର କଂଗ୍ରେସରୁ ଜଣେ ଲେଖାଏଁ ତଥା ଜଣେ ସ୍ୱାଧୀନ ସାଂସଦଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ରହିଛି । ଭୋପାଳରୁ ନିର୍ବାଚିତ ସାଂସଦ ପ୍ରଜ୍ଞା ସିଂହ ଠାକୁର ୨୦୦୮ରେ ମାଲେଗାଁ ବିଷ୍ଫୋରଣ ସହିତ ଜଡ଼ିତ ଥିବା ଅଭିଯୋଗ ରହିଛି । ସେହିପରି କେରଳର ଇଦୁକି ଆସନରୁ ନିର୍ବାଚିତ ସାଂସଦ ଡ଼ିନ୍ କୁରିଆକୋଷଙ୍କ ବିରୁଦ୍ଧରେ ୨୦୪ଟି ଅପରାଧିକ ମାମଲା ରହିଛି । ତାଙ୍କ ବିରୁଦ୍ଧରେ ଡ଼କାୟତି, ଘରେ ପଶି ହତ୍ୟା ଭଳି ସମ୍ବେଦନଶୀଳ ମାମଲା ରହିଛି । ତୃଣମୂଳ କଂଗ୍ରେସର ୯ ସାଂସଦଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସୂଚନାଯୋଗ୍ୟ ଯେ, ୨୦୧୪ରେ ୧୮୫(୩୪%) ସାଂସଦଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ଥିଲା ବେଳେ ୨୦୦୯ରେ ୧୬୨ (୩୦%) ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିଲା । ଏଥିରୁ ଜଣା ପଡ଼ୁଛି ଯେ, କ୍ରମେ ସଂସଦରେ ଅପରାଧ ଅଭିଯୁକ୍ତ ସାଂସଦଙ୍କ ସଂଖ୍ୟା ବଢି ଚାଲିଛି । ମୁଖ୍ୟତଃ ବିଜେପିର ସାଂସଦ ମାନଙ୍କ ନାମରେ ସର୍ବାଧିକ ଅପରାଧିକ ମାମଲା ରହିଛି । ଏଡ଼ିଆର୍ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ୱିତୀୟ ପାଳିର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ୫୭ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨(୩୯%)ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରେ ୧୬ ମନ୍ତ୍ରୀଙ୍କ ବିରୁଦ୍ଧରେ ସାଂପ୍ରଦାୟିକ ଦଙ୍ଗା, ହତ୍ୟା ଉଦ୍ୟମ, ନିର୍ବାଚନୀ ହିଂସା ଭଳି ଅତି ସାଂଘାତିକ ମାମଲା ରହିଛି ।
ଚଳିତ ଲୋକସଭାରେ ୫୩୯ ସାଂସଦଙ୍କ ମଧ୍ୟରେ ୩୦୦ ନୂଆ ମୁହଁ । ୧୬ ତମ ଲୋକସଭାର ୧୯୭ ଜଣ ସାଂସଦ ପୁଣି ନିର୍ବାଚିତ ହୋଇଛନ୍ତି । ଲୋକସଭାର ସାଂସଦଙ୍କ ହାରାହାରି ବୟସ ୫୪ ବର୍ଷ । ୧୨% ସାଂସଦଙ୍କ ବୟସ ୪୦ବର୍ଷ ବୟସରୁ କମ୍ ହୋଇଥିବା ବେଳେ ୪୦% ସାଂସଦଙ୍କ ବୟସ ୪୧ରୁ ୫୫ ବର୍ଷ, ୪୨% ସାଂସଦଙ୍କ ବୟସ ୫୬ରୁ ୭୦ ଓ ୬% ସାଂସଦଙ୍କ ବୟସ ୭୦ରୁ ଅଧିକ ରହିଛି । ଓଡ଼ିଶାର କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁ ଚଳିତ ଲୋକସଭାର ସର୍ବକନିଷ୍ଠ ସାଂସଦ । ଆଉ ଚଳିତ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମାତ୍ର ୭୮ । ଅବଶ୍ୟ ୨୦୧୪ରେ ମହିଳା ସାଂସଦଙ୍କ ସଂଖ୍ୟା ଥିଲା ୬୨ । ସେହିପରି ପ୍ରାୟ ୭୫% ସାଂସଦଙ୍କର ଶିକ୍ଷା ଗ୍ରାଜୁଏସନ୍ରୁ ଅଧିକ ରହିଥିବା ବେଳେ ୧୦% ମାଟି୍ରକ ଓ ୧୫% ଦ୍ୱାଦଶ ରହିଛି ।
ଚଳିତ ଲୋକସଭାରେ ୪୭୫(୮୮%) ସାଂସଦ କୋଟିପତି ଓ ସାଂସଦ ମାନଙ୍କ ହାରାହରୀ ସଂପତିର ମୂଲ୍ୟ ୨୦.୯୩ କୋଟି ଟଙ୍କା । କୋଟିପତି ସାଂସଦ ମାନଙ୍କ ତାଲିକାରେ ଭାଜପାର ସଂଖ୍ୟା ସବୁଠୁ ଆଗରେ ରହିଛି । ଭାଜପାର ୩୦୧ ସାଂସଦଙ୍କ ମଧ୍ୟରୁ ୨୬୫(୮୮%) କୋଟିପତି ହୋଇଥିବାବେଳେ କଂଗ୍ରେସର ୫୧ ସାଂସଦଙ୍କ ମଧ୍ୟରୁ ୪୩(୯୬%), ଡ଼ିଏମ୍କେର ୨୩ରୁ ୨୨(୯୬%), ତୃଣମୂଳ କଂଗ୍ରେସର ୨୨ରୁ ୨୦(୯୧%), ୱାଇଏସଆର୍ର ୨୨ରୁ ୧୯(୮୬%)ସାଂସଦ କୋଟିପତି ତାଲିକାରେ ରହିଛନ୍ତି । ଭାରତର ସବୁଠୁ ଧନୀ ସାଂସଦ “କଂଗ୍ରେସ”ର ମଧ୍ୟପ୍ରଦେଶ ସାଂସଦ ନକୁଳ ନାଥ ସବୁଠୁ ଅଧିକ ୬୬୦ କୋଟି ଟଙ୍କାର ମାଲିକ ହୋଇଥିବାବେଳେ କନ୍ୟାକୁମାରୀର ସାଂସଦ ବସନ୍ତ କୁମାର ୪୧୭ କୋଟି ଓ ବେଙ୍ଗାଲୁରୁ ରୁରାଲର ସାଂସଦ ଡ଼ିକେ ସୁରେଶ ୩୩୮ କୋଟି ଟଙ୍କାର ମାଲିକ । ନୂଆ ସାଂସଦଙ୍କ ମଧ୍ୟରେ ୨୬୬ ଜଣଙ୍କ ସଂପତି ହାରାହାରୀ ୫କୋଟି ଟଙ୍କାରୁ ଅଧିକ । ସୂଚନାଯୋଗ୍ୟ ଯେ, ୧୫ ତମ ଲୋକସଭାରେ ୩୧୫(୫୮%) କୋଟିପତି ଥିଲାବେଳେ ୨୦୧୪ରେ ୪୪୩(୮୨%) କୋଟିପତି ସାଂସଦ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ୫୭ ମନ୍ତ୍ରୀଙ୍କ ମଧ୍ୟରେ ୫୧ ଜଣ କୋଟିପତି । ୨୫ କ୍ୟାବିନେଟ୍ ମନ୍ତ୍ରୀଙ୍କର ହାରାହାରୀ ସଂପତିର ମୂଲ୍ୟ ୨୧.୭କୋଟି ଟଙ୍କା । ୫ଜଣ ମନ୍ତ୍ରୀଙ୍କର ସଂପତିର ମୂଲ୍ୟ ହାରାହାରୀ ୧କୋଟି ବା କମ୍ । ୧୦ ମନ୍ତ୍ରୀଙ୍କ ସଂପତିର ମୂଲ୍ୟ ହାରାହାରୀ ୨୦ କୋଟି ଟଙ୍କା । ରେଳ ଓ ବାଣିଜ୍ୟ ମନ୍ତ୍ରୀ ପିଉଷ ଗୋଏଲ୍ ଙ୍କ ସଂପତିର ମୂଲ୍ୟ ୯୫.୪କୋଟି ଟଙ୍କା, ସେ ସବୁଠୁ ଧନୀ କ୍ୟାବିନେଟ୍ ମନ୍ତ୍ରୀ । ଦ୍ୱିତୀୟରେ ରହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହା, ଯାହାଙ୍କ ସଂପତିର ମୂଲ୍ୟ ୪୦.୩ କୋଟି । ପ୍ରଧାନମନ୍ତ୍ରୀ ମୋଦିଙ୍କର ସଂପତିର ମୂଲ୍ୟ ୨.୫ କୋଟି । ତେବେ ୧୭ ତମ ଲୋକସଭା ଅପରାଧ ଅଭିଯୁକ୍ତ ଓ କୋଟିପତି ସାଂସଦଙ୍କ ଦ୍ୱାରା ଗଠିତ ହୋଇଥିବା କୁହାଯାଉଛି ।
ତେବେ ରାଜ୍ୟସଭାର ୫୧ଜଣ ସାଂସଦଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୨୦ସାଂସଦଙ୍କ ବିରୁଦ୍ଧରେ ଅତି ସାଂଘାତିକ ମାମଲା ରହିଛି । ସେହିପରି ୯୦% ରାଜ୍ୟସଭା ସାଂସଦ କୋଟିପତି । ସାଂସଦଙ୍କ ସଂପତିର ହାରାହାରୀ ମୂଲ୍ୟ ୫୫.୬୨ କୋଟି । ଜେଡ଼ିୟୁର ସାଂସଦ ମହେନ୍ଦ୍ର ପ୍ରସାଦ ରାଜ୍ୟ ସଭାରେ ସବୁଠୁ ଧନୀ ସାଂସଦ । ତାଙ୍କ ସଂପତିର ମୂଲ୍ୟ ୪୦୭୮ କୋଟି ଟଙ୍କା । ଏହାର ପଛକୁ ରହିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ତାଙ୍କ ସଂପତିର ମୂଲ୍ୟ ୧୦୦୧.୬୪କୋଟି ଟଙ୍କା ।
ଅଧିକାଂଶ ସଦସ୍ୟ ଅର୍ଥବଳ ଓ ବାହୁବଳ ଦ୍ୱାରା ସଂସଦ ଓ ବିଧାନସଭା ମାନଂକରେ ପ୍ରବେଶ କରୁଥିବାରୁ ଗୃହକାର୍ଯ୍ୟ ·ଲିବାରେ ବ୍ୟାହତ ସୃଷ୍ଟି ହେଉଛି । କେତେକ ସଦସ୍ୟ ସଂସଦୀୟ ନିୟମ ଓ ପରମ୍ପରା ଡ଼ରରେ ଗୃହରେ ଅନୁପସ୍ଥିତ ରହୁଛନ୍ତି । ବେଳେବେଳେ ଲୋକସଭା, ରାଜ୍ୟସଭା ଓ ବିଧାନସଭା ମାନଙ୍କରୁ କେତେକ ସଦସ୍ୟଙ୍କ ନିଲମ୍ବନ ଆମ ସଂସଦୀୟ ପରମ୍ପରା ପ୍ରତି ଏକ ଶକ୍ତ ଧକ୍କା ହୋଇଥିଲେ ହେଁ ଏଥିପ୍ରତି କେହି ସଚେତନ ହେଉ ନାହାଁନ୍ତି । ଅତୀତରେ ନେତାମାନେ ନିର୍ମଳ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଥିଲେ । ବିଭିନ୍ନ ଦଳର ନେତା ଓ କର୍ମୀ ଏକତା ରଜ୍ଜୁରେ ବାନ୍ଧି ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ । କିନ୍ତୁ ଆଜି ନେତାଙ୍କ ଠାରେ ନୀତି, ଆଦର୍ଶ ନାହିଁ । ଦଳୀୟ ଶୃଙ୍ଖଳା ଖଣ୍ଡଖଣ୍ଡ ହୋଇ ଯାଉଛି । ଦେଶ ନେତା ଶୂନ୍ୟ ହୋଇଯିବା ଭଳି ଲାଗୁଛି । ପ୍ରଜାମାନେ ରାଜାରାଜୁଡ଼ା ଅମଳର ଶାସନ ଭଳି ହିନସ୍ତା ହେଉଛନ୍ତି । ଗଣତନ୍ତ୍ର ମୂଳତଃ ଏକ ନୈତିକ ବ୍ୟବସ୍ଥା, ନୈତିକ ମାପଦଣ୍ଡ ଓ ମର୍ଯ୍ୟାଦା ସଂପନ୍ନ ହେବା ଉଚିତ । ମତଦାତା ମାନେ ସଚେତନ ହେଲେ, ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ ଓ ରାଷ୍ଟ୍ର ଶକ୍ତିଶାଳୀ ହୋଇପାରିବ । ଶରତ କୁମାର ରାଉତ

 

Leave a Reply

Your email address will not be published. Required fields are marked *