ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର, (ଆଇଏନ୍ଏସ୍): ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ, ହରିଦ୍ୱାର ଆନୁକୂଲ୍ୟରେ ଓଡିଶାର ୟୁନିଟ୍-୯ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ଆପଦା ପ୍ରବନ୍ଧନର ଦର୍ଶନ ଓ ସିଦ୍ଧାନ୍ତ ସମ୍ବନ୍ଧରେ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ସେଗୁଡିକ ହେଲା ପ୍ରତ୍ୟେକ ସମର୍ଥ ବ୍ୟକ୍ତି ବା ଅନୁଷ୍ଠାନ ଅସହାୟ ବା ସଙ୍କଟାପନ୍ନ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ହିଁ ମାନବିକତା । ଏହି ଆଧାରରେ ପରମପୂଜ୍ୟ ଗୁରୁଦେବଙ୍କର ଲୋକ କଲ୍ୟାଣକାରୀ ଧର୍ମଧାରଣାର ପ୍ରୟୋଗାତ୍ମକ ଉପଯୋଗ ହେଉଛି ଆପଦା ପ୍ରବନ୍ଧନ । ସାମୟିକ ଆପଦା ପ୍ରବନ୍ଧନ ସ୍ୱରୂପ ବନ୍ୟା, ବାତ୍ୟା, ଭୂଷ୍କଳନ, ଅଗ୍ନିଉତ୍ପାତ, ଗାଡିମଟର, ବିମାନ ଓ ଜଳଯାନ ଦୁର୍ଘଟଣା ସମୟରେ ବିପଦଗ୍ରସ୍ତଙ୍କୁ ଉଦ୍ଧାର କରିବା ନିମିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦକ୍ଷତା ଓ କୌଶଳର ଆବଶ୍ୟକ । ସଂକ୍ରାମକ ରୋଗବ୍ୟାଧି ବ୍ୟାପିବା ସମୟରେ ବିଶେଷ ଧରଣର ସେବା ଶୁଶ୍ରୁଷା ଓ ସଚେତନଶୀଳତା ଆବଶ୍ୟକ । ସ୍ୱଚ୍ଛତା, ସମ୍ବର୍ଦ୍ଧନ ଓ ଆବର୍ଜନା ପ୍ରକ୍ରିୟାକରଣ ଏକ ସ୍ଥାୟୀ ପ୍ରବନ୍ଧନ କାର୍ଯ୍ୟକ୍ରମ, ଏ ସମସ୍ତ ବିଷୟରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବକ ଓ ଭଉଣୀମାନଙ୍କୁ ଶାନ୍ତିକୁଞ୍ଜ ପ୍ରତିନିଧି ଭାଇମାନେ ଯଥାବିଧି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରାର୍ଥୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ତଥା ଗାୟତ୍ରୀ ପରିବାରର ବରିଷ୍ଠ ଭାଇ ମାୟାଧର ବେହେରା ଉକ୍ତ ତ୍ରୀଦିବସୀୟ ପ୍ରଶିକ୍ଷଣ ଶିବିରକୁ ସଂପୂର୍ଣ୍ଣ ତତ୍ୱାବଧାନ କରିଥିଲେ ।

Leave a Reply

Your email address will not be published.