ଇଏସଆଇ ଯୋଜନାରେ ଅଂଶଦାନ ହାର ହ୍ରାସ

ଇଏସଆଇ ଯୋଜନାରେ ଅଂଶଦାନ ହାର ହ୍ରାସ

ଉପକୃତ ହେବେ ୩.୬ କୋଟିରୁ ଅଧିକ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ
୧୨ଲକ୍ଷ ୮୫ହଜାରରୁ ଅଧିକ ନିଯୁକ୍ତିଦାତାଙ୍କ ଅଂଶ ଦାନ କମିବ
ଭୁବନେଶ୍ୱର, (ଓଏନ୍ଏସ୍) (ଆଇଏନ୍ଏସ୍): କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ ଯୋଜନା(ଇଏସଆଇ)ରେ ବୀମା ରାଶିର ଅଂଶଦାନକୁ ୬.୫% ପ୍ରତିଶତରୁ ୪%କୁ ହ୍ରାସ କରିଛନ୍ତି । ଭାରତ ସରକାରଙ୍କର ଏଭଳି ଐତିହାସିକ ପଦକ୍ଷେପ ଯୋଗୁଁ ସଂଘଠିତ ଓ ଅଣ ସଂଘଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩.୬କୋଟିରୁ ଊଦ୍ଧ୍ୱର୍ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଏବଂ ୧୨ଲକ୍ଷ ୮୫ହଜାରରୁ ଅଧିକ ନିଯୁକ୍ତିଦାତା ଉପକୃତ ହେବେ । ବୀମା ରାଶି ହ୍ରାସ ଫଳରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ଅଂଶ ଦାନ ବାବଦକୁ କମ ଅର୍ଥ ଦେବାକୁ ହେବ ।
ଇଏସଆଇ ବାବଦରେ କର୍ମଚାରୀଙ୍କ ଅଂଶ ଦାନକୁ ୧.୭୫ପ୍ରତିଶତରୁ ୦.୭୫ପ୍ରତିଶତକୁ ଏବଂ ନିଯୁକ୍ତିଦାତାଙ୍କ ଅଂଶ ଦାନ୪.୭୫ପ୍ରତିଶତରୁ ୩.୨୫ପ୍ରତିଶତକୁ କମାଇ ଦିଆଯାଇଛି । ଏହା ଆସନ୍ତା ମାସ ପହିଲାରୁ କାର୍ଯ୍ୟକାରୀ ହେବ ।
ବୀମା ଅଂଶ ଦାନ ପରିମାଣ ହ୍ରାସ ଫଳରେ କର୍ମଚାରୀ ସୁଫଳ ପାଇବେ ଏବଂ ବହୁ ସଂଖ୍ୟକ କର୍ମଚାରୀ ଇଏସଆଇ ଯୋଜନାରେ ପଞ୍ଜିକୃତ ହୋଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ନିଯୁକ୍ତିଦାତାଙ୍କ ଅଂଶ ଦାନ ପରିମାଣ ହ୍ରାସ ଯୋଗୁଁ ସେମାନଙ୍କ ଆର୍ଥିକ ବୋଝ ମଧ୍ୟ କମିବ ।
ଇଏସଆଇ ଆଇନ ଅନୁଯାୟୀ ବୀମାଭୁକ୍ତଙ୍କୁ ଚିକିତ୍ସା ସୁବିଧା ସହିତ ବିକଳାଙ୍ଗ ହେଲେ ବା ଅନ୍ୟାନ୍ୟ ପ୍ରସଙ୍ଗରେ ସହାୟତା ମିଳିଥାଏ । ଏହି ଆଇନ ଅଧୀନରେ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟ ସେମାନଙ୍କ ଅଂଶ ଦାନ କରିଥାନ୍ତି ।
୧୯୯୭ ଜାନୁଆରୀ ପହିଲାରୁ ମଜୁରିର ୬.୫% ଅଂଶ ଦାନ ନିର୍ଦ୍ଧାରଣ କରାଯାଇଥିବା ବେଳେ ସେଥିରୁ ନିଯୁକ୍ତିଦାତାଙ୍କ ଅଂଶ ଦାନ ୪.୭୫% ଏବଂ କର୍ମଚାରୀଙ୍କ ଅଂଶ ଦାନ ୧.୭୫% ରହିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୧୫-୧୬ଆର୍ଥôକବର୍ଷରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୭,୮୩,୭୮୬ ଏବଂ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୨.୧ କୋଟି ଥିଲା । ସେହି ବର୍ଷ ଅଂଶ ଦାନ ପରିମାଣ ୧୧,୪୫୫କୋଟି ଟଙ୍କା ରହିଥିଲା । ୨୦୧୬-୧୭ ଆର୍ଥôକବର୍ଷରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୮,୯୮,୧୩୮ଏବଂ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୩.୧ କୋଟି ଥିଲା । ସେମାନଙ୍କ ଅଂଶ ଦାନ ୧୩,୬୬୨ କୋଟି ଟଙ୍କା ଥିବା ବେଳେ୨୦୧୭-୧୮ରେ ନିଯୁକ୍ତଦାତାଙ୍କ ସଂଖ୍ୟା ୧୦,୩୩,୭୩୦ ଏବଂ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୩.୪ କୋଟି ଥିଲା । ସେମାନଙ୍କ ଅଂଶଦାନ ପରିମାଣ ୨୦, ୦୭୭ କୋଟିରେ ପହଂଚି ଥିଲା । ୨୦୧୮-୧୯ରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୧୨, ୮୫,୩୯୨ ଏବଂ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୩.୬ କୋଟି ଥିବା ବେଳେ ସେମାନଙ୍କ ଅଂଶ ଦାନ ପରିମାଣ ୨୨,୨୭୯କୋଟି ଟଙ୍କା ଥିଲା । ଚଳିତ ଆର୍ଥôକବର୍ଷରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ସଂଖ୍ୟା ବୃଦ୍ଧି ଘଟିବ । ତେବେ ବୀମା ବାବଦକୁ ସେମାନଙ୍କ ଅଂଶ ଦାନ ପରିମାଣ ହ୍ରାସ ପାଇବ । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.