ଓଡିିିଶାରେ ବୃଦ୍ଧି ପାଉଛି କଂଗ୍ରେସର ଶକ୍ତି!

ଶରତ କୁମାର ରାଉତ

ଆମ ଦେଶରେ ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ଅହେତୁକ ବୃଦ୍ଧି ପାଇଛି । ଏହା ଏବେ ସାରା ଦେଶରେ ରାଜନୀତିକ ପ୍ରସଙ୍ଗ ପାଲଟିଛି । ଏହା ପ୍ରତିବାଦରେ କଂଗ୍ରେସର “ଭାରତ ବନ୍ଦ” ଡ଼ାକରା ପ୍ରାୟତଃ ସଫଳ ହୋଇଛି । ଏହି ବନ୍ଦ ଡ଼ାକରାକୁ ୧୭ ଟି ରାଜନୀତିକ ଦଳ ସମର୍ଥନ କରିଥିଲେ । ତେବେ ଓଡ଼ିଶା ପିସିସି ନେତୃତ୍ୱ ପରିବର୍ତନ ପରେ ପ୍ରଥମ ଥର ପାଇଁ ବନ୍ଦ ପାଳନ ହେଉଥିବାରୁ ଏହା ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏକ ପରିକ୍ଷା ଥିଲା । ବନ୍ଦ ର ସଫଳତା ପାଇଁ ନିରଞ୍ଜନ ବାବୁ ବ୍ୟାପକ ପ୍ରସ୍ତୁତି କରିଥିଲେ । ସେ ଗଣମାଧ୍ୟମକୁ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ବିଜେପିର ସ୍ଲୋଗାନ୍ ଏବେ ସାଧାରଣ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ଦେଶରେ ପେଟ୍ରୋଲ୍, ଡ଼ିଜେଲ୍ ଓ ରନ୍ଧନ ଗ୍ୟାସ୍ର ମୂଲ୍ୟ ଆକାଶ ଛୁଅାଁ ହୋଇଛି । ସାଧାରଣ ଲୋକଙ୍କ ସମେତ କୃଷକ, କ୍ଷୁଦ୍ର ବ୍ୟବସାୟୀ, ମଧ୍ୟମ ବର୍ଗ ଆଦି ମାତ୍ରାଧିକ ବୋଝ ବହନ କରୁଛନ୍ତି । ତୈଳ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ହୁ ହୁ ବଢି ଚାଲିଛି । ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି । ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ୍ ଓ ଡ଼ିଜେଲ୍ ଉପରେ ଟିକସରେ ରିହାତି ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ବନ୍ଦ୍ ର ସଫଳତା ଯୋଗୁ ରାଜ୍ୟରେ କଂଗ୍ରେସର ସ୍ଥିତି ଆଉ ପାଦେ ଆଗେଇଥିବା କୁହାଯାଉଛି ।
ଗତ ୧୮ବର୍ଷ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନରେ କଂଗ୍ରେସ ଅସଫଳ ହୋଇ ଆସିଛି । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେଡି ସରକାରଙ୍କ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷକୁ ଠିକ୍ ଭାବେ ଉପସ୍ଥାପନ କରିବାରେ ମୁଖ୍ୟ ବିରୋଧିଦଳ ହିସାବରେ କଂଗ୍ରେସ ସକ୍ଷମ ହୋଇ ପାରିନଥିଲା । ବିଭିନ୍ନ ଉନ୍ନୟନ ଯୋଜନାରେ ଅନିୟମିତତା ସହ ଖଣି, ପାଣି, କୋଇଲା, ନରେଗା, ଜମି, ନକଲି ଔଷଧ, ମହାମାରୀ, ଆଇନଶୃଙ୍ଖଳା ବ୍ୟବସ୍ଥା, ଇନ୍ଦିରାବାସ ଦୁର୍ନିତି ଭଳି ନାରୀ ନିର୍ଯ୍ୟାତନା, ହିଂସାକାଣ୍ଡ, ଚିଟ୍ଫଣ୍ଡ୍ ଠକେଇ ଆଦି ବହୁ ସମ୍ବେଦନଶୀଳ ଘଟଣାରେ ଜନତାଙ୍କ ଅସନ୍ତୋଷର ବହ୍ନି ଜଳୁଥିବା ବେଳେ ସରାକରଙ୍କ ପ୍ରଶାସନିକ ବିଫଳତାକୁ ଗଣତାନ୍ତ୍ରିକ ଉପାୟରେ ଦୃୃୃଢତାର ସହ ବିରୋଧ କରିବା ଭଳି କାର୍ଯ୍ୟ କଂଗ୍ରେସ କରିବାରେ ସମର୍ଥ ହୋଇ ନଥିଲା । ବାରମ୍ବାର ଦଳର ଶୋଚନୀୟ ପରାଜୟ ସତ୍ୱେ ଜଣେ ଅନ୍ୟର ଦୋଷ ଦେବା ଓ ନିଜ ନିଜର ପ୍ରଭାବ ବିସ୍ତାର କରିବା କଂଗ୍ରେସ ନେତାଙ୍କର ଅଭ୍ୟାସ । ଦଳର କେତେକ ବରିଷ୍ଠ ନେତା ମଧ୍ୟ ବିଶୃଙ୍ଖଳିତ ଓ ଦଳ ବିରୋଧୀ ମନ୍ତବ୍ୟ ବା ନେତୃତ୍ୱ ବିରୋଧରେ ଖୋଲାଖୋଲି ସ୍ୱର ଉତୋଳନ କରିଥାନ୍ତି । ବିଧାୟକ ଦଳ ଓ ପିସିସି ମୁହାଁମୁହିଁ ହେବା ଫଳରେ କଂଗ୍ରେସର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କେନ୍ଦ୍ରୀୟ ସଂଗଠନରେ କେତେକ ଅପାରଗ ନେତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଥିଲା ବେଳେ ଓଡ଼ିଶା ଭଳି କେତେକ ରାଜ୍ୟ ସଂଗଠନ ଓ ବରିଷ୍ଠ ନେତାଙ୍କ ପ୍ରତି ଉଚିତ୍ ଧ୍ୟାନ ଦିଆ ଯାଉନାହିଁ । ରାଜନୀତିରେ ଗଭୀର ଅନୁଭବ ଲାଭ କରିଥିବା ବରିଷ୍ଠ ନେତା ମାନଙ୍କୁ କେତେବେଳେ ଦଳର ମୁଖ୍ୟ ଧାରାରୁ ଦୂରେଇ ରଖାଯାଉଛି ତ କେତେବେଳେ ଗୁରୁତ୍ୱହୀନ ପଦବୀରେ ରଖା ଯାଉଛି । ଓଡ଼ିଶାରେ ବହୁ ସୁଦକ୍ଷ ନେତା ସକ୍ରିୟ ଥିଲେ ମଧ୍ୟ ସେମାନଙ୍କୁୁ କେନ୍ଦ୍ରୀୟ ସଂଗଠନରେ ଗୁରୁତ୍ୱ ଦିଆ ଯାଉନାହିଁ । ନେତାମାନଙ୍କ ପ୍ରତି ଚରମ ଅବହେଳା ଓ ବେଖାତିର ଯୋଗୁଁ ରାଜ୍ୟରେ ଦଳର ସ୍ଥିତି ଦୁର୍ବଳ ହୋଇଛି ଓ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି ।
ମାତ୍ର ଓଡ଼ିଶା ପିସିସି ସଭାପତି ପଦରେ ପୂର୍ବତନ ମନ୍ତ୍ରୀ ତଥା ସୁଦକ୍ଷ ସଂଗଠକ ନିରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯିବା ପରେ ଦଳ ସତେଜ ହୋଇଥିଲା । ଇତିମଧ୍ୟରେ କଂଗ୍ରେସ ନିଜ ସାଂଗଠନିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି । ଦଳର କାର୍ଯ୍ୟକାରୀ ସଭାପତି ବିଧାୟକ ନବ କିଶୋର ଦାସ, ବିଧାୟକ ଚିରଞ୍ଜିବ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସାଂଗଠନିକ ଶକ୍ତି ମଧ୍ୟ ଦଳକୁ ଆଗେଇ ନେବାରେ ସହାୟକ ହୋଇଛି । ଏହି ସୁଦକ୍ଷ ନେତା ମାନଙ୍କୁ ସାଂଗଠନିକ ଦାୟିତ୍ୱ ଅର୍ପଣ କଂଗ୍ରେସ ପାଇଁ ଆଶୀର୍ବାଦ ହୋଇଥିବା ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ନିରଞ୍ଜନ ବାବୁ ଜଣେ ସୁସଂଗଠକ, ସୁବକ୍ତା, ଦକ୍ଷ ବ୍ୟବସ୍ଥାପକ ଓ ସୁଦକ୍ଷ ନେତା ଭାବେ ଓଡ଼ିଶାବାସୀଙ୍କ ପାଖରେ ଜଣାଶୁଣା । ଅନ୍ୟମାନଙ୍କ ପ୍ରତି ତାଙ୍କର ଆଚରଣ ସ୍ପଷ୍ଟ ଓ ସୁନ୍ଦର । ୨୦୧୧ ଜୁନ୍ ରୁ ୨୦୧୩ ମଇ ମାସ ପର୍ଯ୍ୟନ୍ତ ସେ ମଧ୍ୟ ପିସିସି ସଭାପତି ଥିଲେ । ହଠାତ୍ ତାଙ୍କୁ ପଦବୀରୁ ପରିବର୍ତନ କରାଯିବା ଯୋଗୁ ୨୦୧୪ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ଅବସ୍ଥାକୁ ଚାଲି ଯାଇଥିଲା । ଅତୀତରେ ମନ୍ତ୍ରୀ ଓ ବିଧାୟକ ଭାବେ ସେ ବିଧାନସଭାରେ ତାଙ୍କର ରାଜନୀତିକ ଦକ୍ଷତା ପ୍ରଦର୍ଶନ କରି ଓଡ଼ିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ସାଧାରଣ ନିର୍ବାଚନରେ ନିରଞ୍ଜନ ବାବୁ କଂଗ୍ରେସ ଟିକଟରେ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ଓ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ଶକ୍ତି, ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ, ଜଳସେଚନ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ନିଜ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟରେ ଦଳର ସ୍ଥିତି ଅତି ଶୋଚନୀୟ ଥିବା ବେଳେ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆ ଯଇଥିଲା । କେହି ଅସ୍ୱୀକାର କରିବେ ନାହିଁ ଯେ, ନିରଞ୍ଜନ ବାବୁ ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ଓ ସୁସଂଗଠକ । ଦଳର ସମସ୍ତ ନେତା, କର୍ମୀ ଓ ସମର୍ଥକଙ୍କ ସହିତ ତାଙ୍କର ଘନିଷ୍ଠତା ରହିଛି । ସଂଗଠନକୁ ଆଗେଇ ନେବା ପାଇଁ ତାଙ୍କ ଭିତରେ ଯଥେଷ୍ଟ ଶକ୍ତି ରହିଛି । ଅବଶ୍ୟ ଏହି ଦଳ ସର୍ବଦା ଗୋଷ୍ଠୀ କନ୍ଦଳରେ ଲିପ୍ତ ଓ କେତେକ ବିଭିଷଣ ରୂପୀ ନେତା ଦଳର ରଣନୀତି ଓ ଗୁମର ବାହାରେ ପ୍ରଘଟ କରନ୍ତି । ବିଜେଡ଼ି ୧୮ ବର୍ଷ ଶାସନ କ୍ଷମତାରେ ରହିବାରେ ମଧ୍ୟ ପରୋକ୍ଷ ଭାବେ କଂଗ୍ରେସ ଓ ଅନ୍ୟାନ୍ୟ ଦଳର କେତେକ ନେତାଙ୍କ ପ୍ରଚ୍ଛନ୍ନ ସହଯୋଗ ରହିଥିବା ଆଲୋଚନା ହୋଇ ଆସୁଛି । ବିଭିନ୍ନ ଦଳର ପ୍ରମୁଖ କର୍ମକର୍ତା ମାନଙ୍କ ମଧ୍ୟରୁ କେତେକଙ୍କର ଅନ୍ୟାନ୍ୟ ଦଳ ସହିତ ଏଭଳି ସୁସଂପର୍କ ରହିଛି ଯେ, ନିଜ ଦଳରେ ସାମାନ୍ୟ ସ୍ୱାର୍ଥ ହାନି ଯୋଗୁ ଦଳ ବିରୋଧରେ ବିଷୋଦ୍ଗାର କରି ସେମାନେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ବେଳେ ବିରୋଧୀଦଳର ନେତା, ବିଧାୟକ ଓ କେତେକ ପ୍ରମୁଖ କର୍ମକର୍ତା ମାନେ ଏହାର ଜ୍ୱଳନ୍ତ ଉଦାହରଣ । ଯେଉଁ ଦଳରେ ବରିଷ୍ଠ ନେତାମାନଙ୍କର ଏଭଳି ମାନସିକତା ଓ ଅଧିକାଂଶ ନିଜକୁ ବଡ଼ନେତା ବୋଲି ଭାବନ୍ତି, ସେହି ଦଳର ସଭାପତି ଯେତେ ବଡ଼ ସଂଗଠକ ହୋଇଥାନ୍ତୁ କି ବିଚକ୍ଷଣ ରାଜନୀତିଜ୍ଞ, ସମସ୍ତଙ୍କୁ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ । ତଥାପି ନିରଞ୍ଜନ ବାବୁ ଦାୟିତ୍ୱ ନେବା ପରଠାରୁ ନେତାଙ୍କର ଦଳ ଛଡ଼ା ଅଭିଯାନ ବନ୍ଦ ହୋଇ ଯାଇଛି । ଆଉ କିଛି ଦିନ ଡ଼େରି ହୋଇଥିଲେ, ହୁଏତ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଦଳ ଛାଡ଼ି ଥା’ନ୍ତେ ।
ଦାୟିତ୍ୱ ନେବାର ଏଇ ଅଳ୍ପଦିନ ମଧ୍ୟରେ ନିରଞ୍ଜନ ବାବୁ ଦଳୀୟ କାର୍ଯ୍ୟ ଓ ସଂଗଠନକୁ ଯେଭଳି ଆଗେଇ ନେଲେଣି, ନିକଟ ଭବିଷ୍ୟତରେ ରାଜ୍ୟରେ ଦଳର ପୁନଃଉଦ୍ଧାର ନିଶ୍ଚିତ ଭଳି ମନେ ହେଉଛି । ଆଭ୍ୟନ୍ତରୀଣ କନ୍ଦଳ ଶାସକ ଦଳରେ ମଧ୍ୟ କିଛି କମ୍ ନାହିଁ । ଲଗାତାର ୪ ଥର ଶାସନ ଗାଦିରେ ବସି ବିଜେଡ଼ି ସରକାର ମନମୁଖୀ ଶାସନ କରୁଛି । ସାଧାରଣ ଲୋକେ ସରକାରୀ ସେବା ନପାଇ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗତ ୧୮ବର୍ଷ ମଧ୍ୟରେ ଲୋକଙ୍କର ଏହି ଅବସ୍ଥା କିନ୍ତୁ କଂଗ୍ରେସ ବାଲାଙ୍କ ମୁଣ୍ଡରେ ପଶିନାହିଁ । ବରଂ ଗାଦି ଦଖଲ କରିବା ଓ ଗାଦି ସୁରକ୍ଷିତ ରଖିବା ହିଁ କଂଗ୍ରେସ ନେତାଙ୍କ ମୁଖ୍ୟ କାର୍ଯ୍ୟ ହୋଇ ଆସିଛି । ମୁଖ୍ୟ ବିରୋଧୀ ଦଳର ନିଷ୍କ୍ରିୟତା ଯୋଗୁଁ ରାଜ୍ୟ ସରକାରର ବିଭିନ୍ନ ଶାସନଗତ ତୃଟି ଲୋକଲୋଚନକୁ ଆସିପାରୁ ନାହିଁ ଓ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି ହୋଇପାରୁ ନାହିଁ । ମାତ୍ର ଏବେ ନିରଞ୍ଜନ ବାବୁ ରାଜ୍ୟ ସରକାରଙ୍କ କୁ-ଶାସନ ବିରୁଦ୍ଧରେ ନିଜର ମଜଭୁତ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଧୀରେଧୀରେ ବିଜେଡ଼ି ଶାସନର ଭିତିରି ରହସ୍ୟ ପଦାକୁ ଆସିବାରେ ଲାଗିଲାଣି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ୧୮ବର୍ଷ ତଳୁ ସ୍ୱଚ୍ଛ ଶାସନ ଚାଲିଛି କି ଅସ୍ୱଚ୍ଛ, ତାହା ସ୍ପଷ୍ଟ ହୋଇପାରୁ ନଥିଲା-ଯାହା ଏବେ ସ୍ପଷ୍ଟ ହେବାରେ ଲାଗିଲାଣି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.