“ଓଡ଼ିଆ ଉଇକିପିଡ଼ିଆ” ଓ ରାୟଗଡ଼ା ଜିଲ୍ଲା

“ଓଡ଼ିଆ ଉଇକିପିଡ଼ିଆ” ଓ ରାୟଗଡ଼ା ଜିଲ୍ଲା

ଉଇକିପିଡ଼ିଆ ବିଶ୍ୱର ସର୍ବବୃହତ ମୁକ୍ତ ଆନଲାଇନ ଜ୍ଞାନକୋଷ, ଯାହାକୁ କୌଣସି ବି ବ୍ୟକ୍ତି ସଂପାଦନା କରି ପାରିବେ । ପ୍ରଥମ ଉଇକିପିଡ଼ିଆ ଇଂରାଜୀରେ ହୋଇଥିଲା, ଯାହା ୨୦୦୧ ମସିହା ଜାନୁୟାରୀରେ ଆରମ୍ଭ ହୋଇଥିଲା । ଇଂରାଜୀ ଉଇକିପିଡ଼ିଆ ରେ ସବୁଠୁ ବେଶୀ ଲେଖା ଅଛି । ୨୦୧୫ ସେପ୍ଟେମ୍ବର ବେଳକୁ ୪୯ ଲକ୍ଷ ରୁ ଅଧିକ ଲେଖା ଥିଲା । “ଓଡ଼ିଆ ଉଇକିପିଡ଼ିଆ”(ଅଥବା ଅନଲାଇନ ଠିକଣା: http://or.wikipedia.org)  ଏକ ମାଗଣା ଜ୍ଞାନକୋଷ । ଓଡ଼ିଆ ଉଇକିପିଡ଼ିଆ ପ୍ରକଳ୍ପଟି ୩ ଜୁନ ୨୦୦୨ରେ ଆରମ୍ଭ ହୋଇଥିଲା ଓ ୨୦୧୧ ବେଳକୁ ଏଥିରେ ୧୦୦୦ଟି ଲେଖା ଥିଲା । ଓଡ଼ିଆ ଇଉନିକୋଡ଼ରେ ଥିବା ପଢିବା ଓ ଲେଖିବା ସମସ୍ୟା ଗୁଡ଼ିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀ ମାନଙ୍କ ପାଇଁ ଭାରି ସହଜ ହୋଇ ପାରିଛି । ଓଡ଼ିଆ ଉଇକିପିଡ଼ିଆରେ ଆଗରୁ ସେତେ ବେଶୀ କାମ ହୋଇନାହିଁ । ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି, ତେଣୁ ଭଲ ମାନର ଲେଖା ଦେଇଁ ହିଁ କେବଳ ଏହାକୁ ଉନ୍ନତ ଉଇକିପିଡ଼ିଆଙ୍କ ଭିତରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଆ ଉଇକିପିଡ଼ିଆରେ ଲେଖାଲେଖି କରୁଥିôବା ବ୍ୟବହାରକାରୀଙ୍କୁ ଉଇକିଆଳୀ କୁହାଯାଏ । ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିବାରେ ଓଡ଼ିଆ ଭାଷାର କେତେଜଣ ପ୍ରମୁଖ ଉଇକିଆଳୀ ହେଲେ, ଶୁଭାଶୀଷ ପାଣୀଗ୍ରାହୀ(ପ୍ରୋଗ୍ରାମ ଅଫିସର, ଆକ୍ସେସ୍ ଟୁ ନଲେଜ, ସେଂଟର ଫର ଇଂଟରନେଟ୍ ଆଣ୍ଡ ସୋସାଇଟି), ଆଦିତ୍ୟ ମାହାର, ମୃତୁ୍ୟଞ୍ଜୟ କର, ନସିମ୍ ଅଲ୍ଲୀ, କୃପାସିନ୍ଧୁ ମୁଦୁଲି, ଶୈଳେଶ ପଟ୍ଟନାୟକ, ନିଷ୍ଠାରଂଜନ ଦାସ, ଡ଼ଃ ସୁବାସ ଚନ୍ଦ୍ର ରାଉତ, ଜ୍ଞାନରଂଜନ ସାହୁ, ଶିତିକଣ୍ଠ ଦାସ, ଅଂଶୁମାନ ସ୍ୱାଇଁ ପ୍ରମୁଖ ।
       ଉଇକିପିଡ଼ିଆ ତଥ୍ୟର ବିଶ୍ୱସନୀୟତା ଦୃଷ୍ଟିରୁ ଏହାର ତଥ୍ୟ ସବୁ ଗବେଷଣାତ୍ମକ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଏ । ଏଭଳି ଏକ ଜ୍ଞାନକୋଷରେ ଆମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପର୍ଯ୍ୟାପ୍ତ ଭାବେ ଅନଲାଇନ୍ରେ ଉପଲବ୍ଧ ନଥିଲା । ଡ଼ିଜିଟାଲ୍ ଯୁଗରେ ଦରକାରୀ ତଥ୍ୟ ସବୁ ଉଇକିପିଡ଼ିଆ ଭଳି ଜ୍ଞାନକୋଷରେ (ଓଡ଼ିଆ ଓ ଇଂରାଜୀ ଉଇକିପିଡ଼ିଆରେ) ଉପଲବ୍ଧ ହେଲେ ଆମ ଜିଲ୍ଲାର ଦରକାରୀ ତଥ୍ୟ ସବୁ ବିଶ୍ୱବାତାୟନରେ ଉନ୍ମୁକ୍ତ ରହି ପାରିବ ।
ଆମ ଜିଲ୍ଲାରେ ଓଡ଼ିଆ ଉଇକିଆଳୀଙ୍କ ସଂଖ୍ୟା ଖୁବ କମ୍ । ତେଣୁ ଆମ ଜିଲ୍ଲା ସଂପର୍କରେ ଖୁବ କମ୍ ତଥ୍ୟ ଓଡ଼ିଆ ଉଇକିପିଡ଼ିଆରେ ରହିଥିଲା । ଆମ ଅଂଚଳ ତଥା ଆମ ଜିଲ୍ଲାର ବିଶେଷତ୍ୱ ସଂପର୍କରେ ଆମ ଜିଲ୍ଲାବାସୀଙ୍କ ଅପେକ୍ଷା ଅଧିକ କିଏ ଅବା ଜାଣେ? ତେଣୁ ଓଡ଼ିଆ ଉଇକିପିଡ଼ିଆକୁ ବିକଶିତ କରିବାରେ ଆମ ଜିଲ୍ଲାବାସୀ ବିଶେଷତଃ ନୂତନ ପିଢୀର ଯୁବ ଲେଖକମାନେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବେ । ମୋ ପ୍ରଚେଷ୍ଟାରେ ଆମ ଜିଲ୍ଲା ସଂପର୍କୀୟ ୨୫ ରୁ ଅଧିକ ତଥ୍ୟର ଅନୁବାଦ ତଥା ଉଇକିକରଣ ଚାଲିଅଛି । ଫଳରେ ଗୋଟିଏ କିମ୍ବା ଦୁଇଟି ଧାଡ଼ିରେ ନିରସି ପଡ଼ିଥିବା ଲେଖାସବୁ ଏବେ ଧୀରେ ଧୀରେ ସୁନ୍ଦର ହେବାରେ ଲାଗିଛି । ଏହିସବୁ ତଥ୍ୟର ସଠିକ ସଂପାଦନା ତଥା ଉଇକିକରଣ ଯେ କେହି ବି ନିମ୍ନ ଲିଖିତ ଅନଲାଇନ ଠିକଣାରେ କରିପାରିବେ । (http://or.wikipedia.org/wiki/user:Hpsatpathy)  
      ତେବେ ଉଇକିପିଡ଼ିଆ ତଥ୍ୟ ସଂପାଦନା ବେଳେ ମନେ ରଖିବାକୁ ହେବ ଯେ, ପ୍ରତ୍ୟେକ ତଥ୍ୟ ପାଇଁ ଆବଶ୍ୟକୀୟ ଆଧାର ଯୋଡ଼ିବାକୁ ହେବ ଏବଂ ଉଇକି ଲେଖା ଶୈଳୀରେ ଲେଖା ଗୁଡ଼ିକ ପ୍ରସ୍ତୁତ ହେବ । ପୁରୁଣା ଲେଖା ଗୁଡ଼ିକୁ ଉଇକି ଉପଯୋଗୀ କରିବା ପାଇଁ ଏହାର ଉଇକି କରଣ ହେବା ଦରକାର । ଉଇକି କରଣ (Wikify) ହେଉଛି ଉଇକିପିଡ଼ିଆରେ ଲେଖାଟିଏ ଲେଖିବାର ବିଶେଷ ଶୈଳୀ । ବର୍ତମାନ Opital Character Recognition (OCR) ପଦ୍ଧତିରେ ପୋଥିଗତ ଲେଖାଗୁଡ଼ିକ ଅନଲାଇନ୍ରେ ନକଲ କରାଯାଇ ତାହା ପରେ ଏହାର ଉଇକିକରଣ କରାଯାଇ ପାରିବ ।
ଓଡ଼ିଆ ଉଇକିପିଡ଼ିଆର ଆଉ ଏକ ପ୍ରକଳ୍ପ ହେଲା, ଉଇକି ପାଠାଗାର । ଅଧୁନା ଇ-ପାଠାଗାର ଭଳି ଉଇକି ପାଠାଗାର ମଧ୍ୟ ଲୋକପି୍ରୟ ହେବାରେ ଲାଗିଛି । ଓଡ଼ିଆ ସାହିତ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାକୁ କେତେକ ପ୍ରମୁଖ ବହିର ଡ଼ିଜିଟାଇଜେସନ୍ ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟର ୭୯ ତମ ସ୍ଥାପନା ଦିବସ ଅବସରରେ ଓଡ଼ିଆ ଉଇକିପିଡ଼ିଆ କମୁ୍ୟନିଟି, ପ୍ରଖ୍ୟାତ ଓଡ଼ିଆ ଲେଖକ ଡ଼ଃ ଜଗନ୍ନାଥ ମହାନ୍ତିଙ୍କର ୧୧ଟି ବହିକୁ ଡ଼ିଜିଟାଇଜେସନ୍ କରିବା ଆରମ୍ଭ କଲେଣି । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଆମ ଜିଲ୍ଲାବାସୀ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବେ । ଏହା ବ୍ୟତୀତ ନୂତନ ଉିକିଆଳୀ ମାନଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ ଜାରି ରହିବା ଆବଶ୍ୟକ । ଏହାଦ୍ୱାରା ଓଡ଼ିଆ ଉଇକିପିଡ଼ିଆ ଅନ୍ୟାନ୍ୟ ଭାଷାର ଉଇକି ସହିତ ସମତୁଲ ହୋଇ ପାରିବ । ହରିହର ଶତପଥୀ
ମାର୍ଫତ: ଜିଲ୍ଲା ଅଦାଲତ, ରାୟଗଡ଼ା, ମୋ-୯୬୫୮୧୭୧୬୮୭

Leave a Reply

Your email address will not be published.