କଳାହାଣ୍ଡି ଜିଲ୍ଲା ଲକଡାଉନ, ସୀମାନ୍ତ ସିଲ, ନିୟମ ଉଲ୍ଲଂଘନ ପାଇଁ ମାମଲା ରୁଜ୍ଜୁ

କଳାହାଣ୍ଡି ଜିଲ୍ଲା ଲକଡାଉନ, ସୀମାନ୍ତ ସିଲ, ନିୟମ ଉଲ୍ଲଂଘନ ପାଇଁ ମାମଲା ରୁଜ୍ଜୁ

ବ୍ଲକ ଅଧ୍ୟକ୍ଷ ଗିରଫ: ଗ୍ରାମାଂଚଳରେ ଚିନି-ଆଳୁ-ପିଆଜ ଦରବୃଦ୍ଧି ଅଭିଯୋଗ
କଳାହାଣ୍ଡି, (ଆଇଏନ୍ଏସ୍): ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତବର୍ଷ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ବର୍ତମାନ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡି ଭାବେ ପାଳନ କରାଯିବାକୁ ସମଗ୍ର ଅଂଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଇତ୍ୟାଦି ଖୋଲା ରହିବାକୁ ଅନୁମତି ଥିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଗ୍ରାହକ ମାନଙ୍କୁ ଜିନିଷ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରାୟ ସମସ୍ତ ଗ୍ରୋସରୀ ଦୋକାନ ଗୁଡିକ ତଥା ଔଷଧ ଦୋକାନ ଗୁଡିକ ସମେତ କ୍ଷୀର, ଅଣ୍ଡା ତଥା ପନିପରିବା ଦୋକାନ ଗୁଡିକ ଖୋଲାରହୁଥିବାର ଦେଖାଯାଉଛି । ନିତାନ୍ତ ଅତ୍ୟାବଶ୍ୟକ ନଥିଲେ କାହାରିକୁ ମଧ୍ୟ ବାହାରକୁ ବାହାରିବାର ନିୟମ ନାହିଁ । ଜୁନାଗଡ, ଧର୍ମଗଡ, କେସିଙ୍ଗା, ଭବାନୀପାଟଣା ଭଲି ସହରାଂଚଳ ମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ତନଖି କରାଯିବା ସହିତ ସମସ୍ତ ଗ୍ରାମାଂଚଳରେ ଲକଡାଉନ ପାଳନ କରିବା ସହିତ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରୁଥିବା ପ୍ରକାଶ । ଅଦ୍ୟାବଧି ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ୩୭ ଟି କେଶ ରୁଜ୍ଜୁ କରାଯିବା ସହିତ ୩୪ ଗୋଟି ଗାଡି ସିଜ କରାଯାଇ ମୋଟ ୫୫ ଜଣ ନିୟମ ଖିଲାପକାରୀଙ୍କୁ ଗିରଫ କରାଯାଇଥିବା କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଲକଡାଉନ ନିୟମ ଉଲ୍ଲଂଘନ କରି ଧର୍ମଗଡ ବ୍ଲକ ଅଧିନସ୍ଥ ବେହେରା ଗ୍ରାମରେ ନିଜ ନୂତନ ବାସଗୃହ ପ୍ରବେଶ କରି ଭୋଜିଭାତ କରୁଥିବା ବେଳେ କୋକସରା ପୋଲିସ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀଙ୍କୁ କେଶ ନଂ.୬୫ ଧାରା ୨୬୯,୨୭୦,୨୭୧,୧୮୮ ଆଇପିସି ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜିଲ୍ଲାର ଧର୍ମଗଡ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ରାସ୍ତାରେ ଛତିଶଗଡ ସୀମା, ଆମପାଣି ଘାଟି ଉପରେ ସୀମା, ବିଶ୍ୱନାଥପୁର ଥାନା ଅଂଚଳରେ ରାୟଗଡା ସୀମା, ମ.ରାମପୁର ଥାନା ଅଧିନରେ ଥିବା ଫୁଲବାଣୀ ସୀମା, ସଦରଥାନା ଅଧିନସ୍ଥ ଖରିଆର ରାସ୍ତା ସୀମା, କେସିଙ୍ଗା ଥାନା ଅଧିନସ୍ଥ ବଲାଙ୍ଗୀର ସୀମା ସବୁ ସଂପୂର୍ଣ୍ଣ ସିଲ କରିଦିଆଯାଇଥିବା ପ୍ରକାଶ ।
କଳାହାଣ୍ଡି ଜିଲ୍ଲାର ଚାରିଟି ସହରାଂଚଳ ସମେତ ୧୩ ଟି ଯାକ ବ୍ଲକ ଅଂଚଲରେ ସାମାଜିକ ଦୂରତା ବଜାୟ ରଖିବାକୁ ଜନସଚେତନତା ସୃଷ୍ଟି କରାଯିବା ବ୍ୟବସ୍ଥା କରାଯାଉଛି । ସହରାଂଚଳରେ କାଁ ଭାଁ ନିୟମ ଉଲ୍ଲଂଘନ ହେଉଥିବା ବେଳେ ସେସବୁକୁ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଜୁନାଗଡ ସହର ମଧ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ ବାବଦରେ ସର୍ବାଧିକ ଦଶ ଟି କେଶ ରୁଜ୍ଜୁ ହୋଇଥିବା ଜଣାପଡିଛି । ସହର ରେ ଥିବା ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଅଂଚଳରେ ଥିବା ଦୈନିକ ପରିବା ବଜାରକୁ ଆରଏମସିର ସାପ୍ତାହିକ ବଜାର ମଧ୍ୟକୁ ସ୍ଥାନାନ୍ତର କରାଯାଇଛି ।
ଜିଲ୍ଲାପାଳ ଗାଡିମୋଟର ଚଳାଇବା ଉପରେ କଟକଣା ଜାରି କରିବା ପରେ ସମଗ୍ର ଜିଲ୍ଲାରେ ରାସ୍ତାଘାଟ ସବୁ ଖାଁ ଖାଁ ଲାଗୁଛି । ବ୍ୟକ୍ତିଗତ ସୁରକ୍ଷା ସଂପର୍କରେ ଜନ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସରପଂଚ ମାନେ ମଧ୍ୟ ନିଜ ନିଜ ଗ୍ରାମପଂଚାୟୁତରେ ଜନସଚେତନତା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଜୁନାଗଡ ବ୍ଲକର ଆଦିବାସୀ ବହୁଳ ଦୁନେ୍ଦଲମାଲ ଗ୍ରାମପଂଚାୟତରେ ଥିବା ପାହାଡ ଉପରେ ଥିବା ଡୁଣ୍ଡା ଭଲି ଆଭ୍ୟନ୍ତରୀଣ ଗ୍ରାମରେ ସରପଂଚ ଡଃ ତ୍ରୀଭୂବନ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ପହଂଚି ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ପକ୍ଷେ ଏକ ମିଟର ଦୂରତା ବଜାୟ ରଖି ସାମାଜିକ ଚଳଣି ଉପରେ ଜନସଚେତନତା ସୃଷ୍ଟି କରିପାରିଥିବା ଏକ ଉଦାହରଣ ହୋଇଯାଇଛି । ପ୍ରାୟ ସମସ୍ତ ଗ୍ରାମପଂଚାୟତରେ ସରପଂଚ ମାନେ ନିଜ ନିଜ ଅଧସ୍ତନ କର୍ମଚାରୀ ମାନଙ୍କ ସହାୟତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଅଗ୍ରୀମ ଭତା ଯୋଗାଣ ଆଦି ସମସ୍ତ କାର୍ଯ୍ୟ ହିତାଧିକାରୀଙ୍କ ଦ୍ୱାର ମୁହଁରେ ପହଂଚାଇବା ବ୍ୟବସ୍ଥା କରୁଥିବା ଜଣାପଡିଛି ।
ବର୍ତମାନ ତିନିଦିନ ଅତିକ୍ରାନ୍ତ ହେବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ ଅସୁବିଧାକୁ ଏଡାଇ ଦିଆଯାଇନପାରେ । ସମଗ୍ର କଳାହାଣ୍ଡି ଜିଲ୍ଲା ଚିନି ପାଇଁ ନାଗପୁର ଉପରେ, ଆଳୁପାଇଁ କଲିକତା ଉପରେ ଏବଂ ପିଆଜ ପାଇଁ ନାଗପୁର ତଥା ରାୟପୁର ଉପରେ ନିର୍ଭର କରୁଥିବା ବେଳେ ସେସବୁ ସାମଗ୍ରୀ ଅଭାବଜନିତ ଦରବୃଦ୍ଧି ହେଉଥିବା ଅଭିଯୋଗ ହେଉଛି । ଜୁନାଗଡ ସହରାଂଚଳରେ ଆଳୁ ଓ ପିଆଜ ୪୦ଟଙ୍କା ଥିବା ବେଳେ ଚିନି ୫୦ ଟଙ୍କା ହୋଇଯାଇଥିବା ଜଣାପଡିଛି । ଜୁନାଗଡ, କୋକସରା, ଜୟପାଟଣା ଆଦି ବିଭିନ୍ନ ଗ୍ରାମାଂଚଳରେ ଆଳୁ ୯୦ ଟଙ୍କା, ପିଆଜ ୮୫ଟଙ୍କା ଏବଂ ଚିନି ୧୨୦ ଟଙ୍କାରେ ବିଗତ ଦୁଇ/ତିନି ଦିନରେ ବିକ୍ରି ହୋଇଥିବା ବିଭିନ୍ନ ସ୍ତରରୁ ଜଣାପଡିଛି । ଏଭଲି ଅବସ୍ଥା ଯଦିଓ ଆଗକୁ ହୁଏ ତେବେ ଆଗାମୀଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ । ଏସବୁ ଦିଗ ପ୍ରତି ପ୍ରଶାସନ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ଓ ଗ୍ରାହକ ମହଲରେ ଦାବୀ ହେଉଛି । ଅନ୍ୟପକ୍ଷରେ ହୋଲସେଲର ଦୋକାନ ଗୁଡିକର କର୍ମଚାରୀମାନେ କାର୍ଯ୍ୟରେ ଆସୁନଥିବାରୁ ଏବଂ ରାୟପୁର ପଟୁ କୌଣସି ମାଲବାହୀ ଗାଡି ଆସୁନଥିବାର ଦର୍ଶାଇ ହୋଲସେଲର ମାନେ ରିଟେଲର ମାନଙ୍କ ପାଖକୁ ସାମାନ ପତ୍ର ଯୋଗାଇ ପାରୁନଥିବା ସଫେଇ ଦେଉଛନ୍ତି । କଳାହାଣ୍ଡି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ଅଂଚଳର ପ୍ରାୟ ସମସ୍ତ ଗ୍ରାମର ଗରିବ ଖଟିଖିଆ ବାହାର ରାଜ୍ୟକୁ ତଥା ଅନ୍ୟ ଜିଲ୍ଲାକୁ କାମ ଅନ୍ୱେଷଣରେ ଯାଇଥିବା ବେଳେ ୪୩୬୩ ଜଣ ଦାଦନ ଘରକୁ ଫେରିଥିବା ଏବଂ ୯୪୦ ଟି ଗ୍ରାମର ୩୯୧୬ ଜଣଙ୍କ ସ୍କାନିଂ କରାଯାଇଥିବା ପ୍ରଶାସନ ତରଫରୁ ପ୍ରକାଶ । କଳାହାଣ୍ଡି ଜିଲ୍ଲାର ୩୧୦ ଟି ଗ୍ରାମପଂଚାୟତରେ ଅସ୍ଥାୟୀ ଆଇସୋଲେସନ ଗୃହ ରେ ୧୮୯୦୫ ଟି ବେଡର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ତର‘ରୁ ନିଦେ୍ର୍ଦଶ ଥିବା ବେଳେ କେତେକ ସ୍ଥାନକୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ଏବଂ ସେସବୁ ତୁରନ୍ତ ଯୋଗାଇ ଦେବାକୁ ଦାବୀ ହେଉଛି । କଳାହାଣ୍ଡିର ଅନେକ ପରିବାର ବାହାର ରାଜ୍ୟ ମାନଙ୍କରେ ରହୁଥିବା ହେତୁ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନିରୋଧ କରାଯାଇଛି । କେତେକ ଅଂଚଳର ଦାଦନ ଶ୍ରମିକ ମାନେ ବାହାର ରାଜ୍ୟରେ ରହିଯାଇଥିବା ଜଣାପଡିଛି । ଜୟପାଟଣା ବ୍ଲକ ଅଂଚଳରେ ଦାଦନ ଶ୍ରମିକ ମାନେ ଗାଁ ବାହାର ତମ୍ବୁ ପକାଇ ରହୁଥିବାର ଉଦାହରଣ ମାନ ରହିଛି ।

Leave a Reply

Your email address will not be published.