କେନ୍ଦ୍ରାପଡ଼ାରେ ବିଜେଡ଼ି ବିରୋଧୀ ହାୱା!

କେନ୍ଦ୍ରାପଡ଼ାରେ ବିଜେଡ଼ି ବିରୋଧୀ ହାୱା!

ଶରତ କୁମାର ରାଉତ
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥର ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮କୁ ଛୁଇଁଲାଣି । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇ ଗଲାଣି ।
ସଂପ୍ରତି ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ପାଣିପାଗ ବଦଳୁଛି । ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୭/୮କୁ ଛୁଇଁଲାଣି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧୃବ ସାହୁ, ଯୁବ ନେତା ଅଜିତ ନାୟକ, କୃତିବାସ ପାତ୍ର, ସୁନିତା ପ୍ରଧାନ, ବିଜୟ କୁମାର ରାଉତ, ଉଦୟ ଚାନ୍ଦ ମଲ୍ଲିକ, ନିଶିକାନ୍ତ ପ୍ରଧାନ ଆଦି ଆଶାୟୀ ଅଛନ୍ତି । ସମସ୍ତେ ନିଜ ନିଜ ସ୍ତରରେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ଉଦ୍ୟମ ଆରମ୍ଭ କରି ଦେଲେଣି । ସେହିପରି ଏହି ଆସନରେ କଂଗ୍ରେସ ପ୍ରାର୍ଥୀତ୍ୱ ପାଇଁ ଦାବିଦାରଙ୍କ ମଧ୍ୟରେ ବିଧାୟକ ଅଂଶୁମାନ ମହାନ୍ତି ଏବଂ ଯୁବନେତା ମନୋରଞ୍ଜନ ରାଉତରାୟ ସବୁଠୁ ଆଗରେ ରହିଛନ୍ତି । ଏଠାରେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଅଲେଖ ଜେନା ଓ ଜ୍ଞାନ ରଂଜନ ବେଉରା ଆଶାୟୀ ପ୍ରାର୍ଥୀ ଅଛନ୍ତିି । ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳୁଛି ଯେ, ବିଧାୟକ ଅଂଶୁମାନ ମହାନ୍ତିଙ୍କ ଦୃଢ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରି ଚାଲିଛି । ବିଜେଡ଼ିର ସମସ୍ତ ଆଶାୟୀ ପ୍ରାର୍ଥୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ଏମାନଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି । ତେବେ ରାଜନୀତିରେ ସୁନିତା ପ୍ରଧାନ ହିଁ ଏକମାତ୍ର ନୂଆ ମୁହଁ । ସୁନିତା ପ୍ରଧାନ ଜଣେ ସମାଜସେବୀ ଭାବେ କାର୍ଯ୍ୟ କରୁଥିବାବେଳେ ଓଡ଼ିଆ ସିନେମା ଓ ଦୂରଦର୍ଶନରେ ସେ ଜଣେ ସଫଳ କଳାକାର ଭାବେ ଓଡ଼ିଶାରେ ସୁପରିଚିତ । ନିଜକୁ ସମାଜସେବାରେ ଉତ୍ସର୍ଗ କରିଥିବା ସୁନିତା ଗରିବ, ଦଳିତ, ଅସହାୟ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେହିପରି ମହିଳା ମାନଙ୍କୁ ସ୍ୱଂୟ ସଂପୂର୍ଣ୍ଣ କରିବା ପାଇଁ ସେ ମହିଳା ସଂଘର ସଂଯୋଜିକା ଭାବେ ସେ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ସେ ଜଣେ ସମାଜସେବୀ ଭାବେ ଜନସ୍ୱାର୍ଥ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଫଳତାର ସହ ତୁଲାଇ ଆସୁଛନ୍ତି । କଲେଜରେ ପଢୁ ଥିବାବେଳେ ସେ ବିଜୁ ପଟ୍ଟନାୟକଙ୍କ ମହାନ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ, ଯାହା ତାଙ୍କୁ ଆଜି ବିଜେଡ଼ି ରାଜନୀତିରେ ସକି୍ରୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି । ବହୁପ୍ରତିଭାର ଅଧିକାରୀ ସୁନିତା ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ରାଜନଗର ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମନୋନିବେଶ କରିଛନ୍ତି । ରାଜନଗରବାସୀଙ୍କ ପାଇଁ ସୁନିତା ଗ୍ରହଣୀୟ ହେବେ ବୋଲି ରାଜନୀତିକ ବିଷାରଦ ମାନେ ମତ ଦେଉଛନ୍ତି । ଇତିଧ୍ୟରେ ନିଜର ନିର୍ମଳ ଭାବମୂର୍ତି, ଜନସେବା, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ରାଜନଗର ବାସୀଙ୍କର ଅତି ନିକଟତର ହୋଇ ପାରିଛନ୍ତି । ରାଜନଗର ଅଂଚଳରେ ତାଙ୍କର ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ସୁନିତାଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ରାଜନଗର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ି ସଂଗଠନ ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଜେଡ଼ି ବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର କୌଣସି ସଶକ୍ତ ସଂଗଠନ ନଥିଲା । ବରଂ ନବୀନ ପଟ୍ଟନାୟକଙ୍କ ହାୱା ଯୋଗୁ ଶ୍ରୀ ନାୟକ ଏଠାରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ ବିଜେଡ଼ିର ନାମ ମାତ୍ର ସଂଗଠନଟି ଅତନୁବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଛି । ଏଠାରେ ବିଜେଡ଼ିର ସଞ୍ଜୟ ଲେଙ୍କାଙ୍କ ସମେତ ଆଉ ଦୁଇ ତିନି ଜଣ ବିଜେଡ଼ିରୁ ଟିକଟ ପାଇବାକୁ ଉଦ୍ୟମ ଚଳାଇଛନ୍ତି । ଏହି ଅଂଚଳ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଅଭେଦ୍ୟ ଦୁର୍ଗ ଭାବେ ଅନେକ ବର୍ଷ ତଳୁ ରହିଥିଲା । ଆଉ ଏବେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ଅଂଶୁମାନ ମହାନ୍ତିଙ୍କ ପ୍ରାର୍ଥୀତ୍ୱକୁ ଆଶା କରି ଏଠାରେ କଂଗ୍ରେସର ହାୱା ବଢୁଛି । ତେବେ ଅଂଶୁମାନ ବିଜେଡ଼ିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଏଠାରେ ସେ କଂଗ୍ରେସ କିମ୍ବା ବିଜେଡ଼ିରୁ ପ୍ରାର୍ଥୀ ହେଲେ, ତାଙ୍କର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଜେପିର ଅନ୍ୟତମ ତୁଙ୍ଗ ଯୁବନେତା ତଥା ମହାକାଳପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଦେବ ଚୌଧୁରୀ ଏଠାରୁ ବିଜେପିରୁ ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ଏଠାରେ ସେ ବିଜେପି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ କେଶରୀ ଦେବ ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ମଧ୍ୟ ନିଜର କାୟା ବିସ୍ତାର କରି ଚାଲିଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦ ପ୍ରକାଶ ଅଗ୍ରୱାଲାଙ୍କର ଲୋକପ୍ରିୟତା ଧୀରେଧୀରେ ହ୍ରାସ ପାଉଛି । ତେବେ ଏଠାରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀ ଭାବେ ବିଧାୟକ ବେଦୁ ବାବୁଙ୍କ ସମେତ ପ୍ରମୋଦ ସାହୁ, ତେଜେଶ୍ୱର ପରିଡ଼ା, ରବି ସାମଲ, ସାନ୍ତନୁ ନାୟକଙ୍କ ଭଳି ନେତାମାନେ ବିଜେଡ଼ି ଟିକଟ ପାଇଁ ଉଦ୍ୟମ ଚଳାଇଛନ୍ତି । କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନରେ ବିଜେଡ଼ିର ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାବେଳେ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରିଚାଲିଛି । ତେବେ ଏହି ସଂରକ୍ଷିତ ଆସନରୁ ବିଧାୟକ କିଶୋର ତରାଇଙ୍କ ସମେତ ଦୁଷ୍ମନ୍ତ ମଲ୍ଲିକ, ନିମାଇଁ ସେଠୀ ଓ ମୁରଲୀଧର ସେଠୀ ବିଜେଡ଼ି ଟିକଟରେ ଲଢିବାକୁ ଆଶା ବାନ୍ଧିଛନ୍ତି । ମାହାଙ୍ଗା ବିଜେଡ଼ି ସଂଗଠନରେ ପୂର୍ବପରି ମନ୍ତ୍ରୀ ପ୍ରତାପ ଜେନାଙ୍କର ପ୍ରଭାବ ବଳବତର ରହିଛି । ବିପୁଳ ଲୋକପି୍ରୟତା ପାଇଁ ପ୍ରତାପ ବାବୁ ଏଥର ମଧ୍ୟ ଏଠାରୁ ସହଜରେ ନିର୍ବାଚିତ ହେବେ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଏଠାରେ କେତେକ ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ମଜଭୁତ କରାଇବାରେ ଲାଗି ପଡ଼ିଛନ୍ତି । ସାଲେପୁରରେ ବିଧାୟକ ତଥା କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ମଜଭୁତ ହେବାରେ ଲାଗିଛି । ଏଠାରେ କିଛି ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଥର କେନ୍ଦ୍ରାପଡ଼ା ଆସନରେ ସାଂସଦ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିଲେ ହେଁ କେଉଁ ଦଳରୁ ପ୍ରାର୍ଥୀ ହେବେ, ଜଣÿା ପଡ଼ିନାହିଁ । ତେବେ ସେ କେଉଁ ମୁହୂର୍ତରେ ବିଜେପି କି କଂଗ୍ରେସ କିମ୍ବା ନୂଆ ଦଳ ବା ନୂଆ ମେଂଟରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କେତେକ ବିଜେଡ଼ି ବିଧାୟକଙ୍କର ସାଧାରଣ ଲୋକଙ୍କୁ ଉପେକ୍ଷା ଯୋଗୁ ଲୋକେ ସେହି ନେତାଙ୍କ ଉପରେ ଭରଷା କରି ପାରୁ ନାହାନ୍ତି ଓ ଏବେ ବିଜେଡ଼ି ବିରୋଧୀ ହାୱା ବହିଲାଣି । ଏହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା ବିଜେପି କିମ୍ବା କଂଗ୍ରେସ ଅକ୍ତିଆରକୁ ଚାଲିଯିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.