ଚଳିତ ସେପ୍ଟେମ୍ବରରେ କାର୍ଯ୍ୟକାରୀ ହେବ ଲୋକାୟୁକ୍ତ ଆଇନ!

ଚଳିତ ସେପ୍ଟେମ୍ବରରେ କାର୍ଯ୍ୟକାରୀ ହେବ ଲୋକାୟୁକ୍ତ ଆଇନ!

ଭୁବନେଶ୍ୱର, (ଓଏନ୍ଏସ୍): ଦେଶରେ ଦୁର୍ନତି, ଅନିୟମିତତା ଓ ଠକେଇ କ୍ରମେ ପ୍ରକାଣ୍ଡ କାୟା ବିସ୍ତାର କରି ଚାଲିଥିବାରୁ ଦେଶ ଏକ ଅନ୍ଧକାର ଭବିଷ୍ୟତ ଆଡ଼କୁ ଠେଲି ହୋଇ ଚାଲିଛି । ଏହାର ସମାଧାନ ପାଇଁ ଦେଶରେ ଜନ ଲୋକପାଳ ବିଲ୍ ଗୃହୀତ କରାଇବାକୁ ସମାଜସେବୀ ଆନ୍ନା ହଜାରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଏଥିପାଇଁ ସେ ବିଭିନ୍ନ ସମୟରେ ଅନଶନ କରିଛନ୍ତି । ଶେଷରେ୨୦୧୩ ଡ଼ିସେମ୍ବରରେ ପାର୍ଲିଆମେଂଟରେ ବହୁ ପ୍ରତିକ୍ଷୀତ ଲୋକାୟୁକ୍ତ ବିଲ୍ ମଞ୍ଜୁରୀ ଲାଭ କରିଥିଲା । ସୂଚନାଯୋଗ୍ୟ ଯେ, ବହୁ ପୂର୍ବରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଲୋକପାଳ ସଂସ୍ଥା ଗଠିତ ହୋଇଥିଲେ ହେଁ ପୂର୍ଣ କ୍ଷମତା ଓ ସ୍ୱାଧିନତା ନ ଥିବାରୁ ମାନ୍ୟବର ଲୋକପାଳଙ୍କ ରାୟକୁ ସରକାର ମାନୁନଥିବା ପ୍ରମାଣିତ ହୋଇ ସାରିଛି । ସୁସ୍ଥ ସାମାଜିକ ପରିବେଶ, ସ୍ୱଛ-ନିର୍ମଳ ଶାସନ ବ୍ୟବସ୍ଥା ଓ ସାଧାରଣ ପ୍ରଜାଙ୍କ କଲ୍ୟାଣ ଲୋକପାଳ ସଂସ୍ଥା ଗଠନର ମୂଳ ଲକ୍ଷ୍ୟ । ମାତ୍ର ଶାସନ ବ୍ୟବସ୍ଥାରେ କୌଣସି ସଂସ୍କାର ଆସି ପାରୁନି, ନେତା ଓ ଅଧିକାରୀଙ୍କ ଦ୍ୱାରା କୋଟି କୋଟି ଟଙ୍କା ବାଟମାରଣା ହେଉଛି, ସରକାରୀ କାର୍ଯ୍ୟରେ ଅନିୟମିତତା ବଢି ଚାଲିଛି ଓ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି । ଏଇ ପରିସ୍ଥିତିରେ ଉକ୍ତ ଆଇନ କାର୍ଯ୍ୟକାରୀ ହେଲେ, ପ୍ରାୟତଃ ଦୁର୍ନୀତି, ଅନିୟମିତତା ଓ ବେଆଇନ କାର୍ଯ୍ୟ କରିବାକୁ ସମସ୍ତେ ଭୟ କରିବେ । ତେବେ ଏହି ବହୁ ଅପେକ୍ଷିତ ଲୋକପାଳ ବିଲ୍ ସଂସଦରେ ଗୃହୀତ ହେବା ପରେ ୨୦୧୪ ଫେବୃୟାରୀ ୧୪ ତାରିଖରେ “ଓଡ଼ିଶା ଲୋକାୟୁକ୍ତ ବିଲ୍-୨୦୧୪” ଓଡ଼ିଶା ବିଧାନସଭାରେ ଗୃହୀତ ହେଲା ଓ ଏହା ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୧୫ ଜାନୁୟାରୀ ୧୬ ତାରିଖରେ ମଞ୍ଜୁରୀ ଲାଭ କଲା । ବସ୍ତୁତଃ ଏହା ଆଇନରେ ପରିଣତ ହେବା ସହ କାର୍ଯ୍ୟକାରୀ ହୋଇଛି । ମାତ୍ର ଇତିମଧ୍ୟରେ ସାଢେ ୩ବର୍ଷ ବିତିଯାଇଥିଲେ ବି ବାସ୍ତବ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ସରକାର । ହୁଏତ ଏହି ଆଇନ କାର୍ଯ୍ୟକାରୀ ହେଲେ ନିଜେ ସରକାର ଛନ୍ଦି ହୋଇଯିବେ ଏଥିରେ । ଏହି ଡ଼ର ବୋଧେ ଧରିଛି ମୁଖ୍ୟମନ୍ତ୍ରୀଙ୍କୁ । କାରଣ ରାଜ୍ୟରେ ଦୁର୍ନୀତି ଓ ଅନିୟମିତତାର ତାଲିକା ଲମ୍ବି ଲମ୍ବି ଚାଲିଛି । ଏସବୁ ଧରା ପଡ଼ିଯିବା ଆଶଙ୍କାରେ ନିରବୀ ଯାଇଛନ୍ତି ସରକାର । ଏହି ଆଇନ କାର୍ଯ୍ୟକାରୀ ହେଲେ ମୁଖ୍ୟତଃ ଶାସକ ବିଜେଡ଼ି ପାଇଁ ବିପଦ ମାଡ଼ିଆସିବ ଓ ସରକାର ପାଇଁ ଘାତକ ସାଜିବ ବୋଲି ଜାଣି ହୁଏତ ସାରିଲେଣି ମୁଖ୍ୟମନ୍ତ୍ରୀ । ତେବେ ଲୋକପାଳ ପଦବୀ ପୂରଣ ସଂପର୍କୀୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ମାନ୍ୟବର ଓଡ଼ିଶା ହାଇକୋର୍ଟ ୨୦୧୬ ମଇ ୩ ତାରିଖରେ ରାଜ୍ୟ ସରକାରଙ୍କୁ କୈଫିୟତ ତଲବ କରିଥିଲେ । ତଥାପି ସରକାର କୌଣସି ପଦକ୍ଷେପ ନେଇ ନଥିଲେ । କିନ୍ତୁ ଗତ ଜୁଲାଇରେ ଆସନ୍ତା ଦୁଇ ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି କରିବାକୁ ସୁପି୍ରମକୋର୍ଟ ଓଡ଼ିଶା ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିନେଇ ଏକପ୍ରକାର ଅଡ଼ୁଆରେ ପଡ଼ିଛନ୍ତି ସରକାର । ସେହି ସମୟସୀମା ଚଳିତ ସେପ୍ଟମ୍ବର ମାସରେ ଶେଷ ହେବାକୁ ଯାଉଛି । ଏହା ମଧ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବ କି ରାଜ୍ୟ ସରକାର ସୁପି୍ରମକୋର୍ଟକୁ ଅଧିକ ସମୟ ମାଗିବେ, ଜଣା ପଡ଼ୁନାହିଁ । ଏହାକୁ ନେଇ ବିରୋଧୀ ଓ ଶାସକ ଦଳ ନେତା ମାନଙ୍କ ମଧ୍ୟରେ କଥା କଟାକଟି ଚାଲିଛି । ଆଶ୍ଚର୍ଯ୍ୟର କଥା ଯେ, ଓଡ଼ିଶାରେ ୨୦୧୩ ଜାନୁୟାରୀ ୨୨ ତାରିଖରୁ ଖାଲି ପଡ଼ିଛି ଲୋକପାଳ ପଦବୀ । ହଜାର ହଜାର ସମ୍ବେଦନଶୀଳ ମାମଲା ବିଚାର ପାଇଁ ପଡ଼ି ରହିଛି ।
ସରକାର ବିଧାନସଭାରେ ଲୋକାୟୁକ୍ତ ଆଇନ ଗୃହୀତ କରାଇ ଉକ୍ତ ଆଇନକୁ କାର୍ଯ୍ୟକାରୀ କରାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ସେତେବେଳେ ଡ଼ିଣ୍ଡିମ ପିଟିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ଏହି ଆଇନ କାର୍ଯ୍ୟକାରୀ ହୋଇନାହିଁ । ଏହାର କାରଣକୁ ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଯେ ଏହି ଆଇନକୁ ଡ଼ରୁଛନ୍ତି, ଏଥିରେ ସନେ୍ଦହ ନାହିଁ । ଲୋକାୟୁକ୍ତ ସଂସ୍ଥା ୫ଜଣ ସଦସ୍ୟଙ୍କୁ ନେଇ ଗଠନ ହେବ, ଯେଉଁଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଜଣେ ବିଚାରପତି ଅଧ୍ୟକ୍ଷ ରହିବେ । ଅନ୍ୟଜଣେ ବିଚାର ବିଭାଗର ସଦସ୍ୟ ରହିବେ ଓ ଆଉ ୩ଜଣ ସଦସ୍ୟଙ୍କୁ ଅନ୍ୟାନ୍ୟ କ୍ଷେତ୍ରରୁ ନିଯୁକ୍ତି ଦିଆଯିବ । ୫ବର୍ଷ କାର୍ଯ୍ୟକାଳ ଥିବା ଏହି ସଦସ୍ୟ ମାନଙ୍କର ମନୋନୟନ ଏକ କମିଟି କରିବ, ଯାହାର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ ଓ ମନୋନୟନ କମିଟିର ସୁପାରିସକୁ ଆଧାର କରି ରାଜ୍ୟପାଳ ଲୋକାୟୁକ୍ତ ନିଯୁକ୍ତ କରିବେ । ତେବେ ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ପଂଚାୟତ ସରପଂଚ ଓ ସରକାରୀ ସହାୟତାରେ ପରିଚାଳିତ ବିଭିନ୍ନ ଉଦ୍ୟୋଗ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତେ ଆସିବେ । ସେମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଲେ, ଲୋକାୟୁକ୍ତ ତଦନ୍ତ କରିବେ ଓ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ସୁପାରିସ କରି ପାରିବେ । ଏହି ଆଇନର ତୁରନ୍ତ କାର୍ଯ୍ୟକାରୀ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଓଏନ୍ଏସ୍ ।

Leave a Reply

Your email address will not be published.