ଦଲାଲ୍ ପ୍ରଥା ଜନ୍ମ ନେଉଛି କାହିଁକି?

ଦଲାଲ୍ ପ୍ରଥା ଜନ୍ମ ନେଉଛି କାହିଁକି?

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଦଲାଲ ଧନ୍ଦା ଏକ ରୋଗ ନୁହେଁ, ଏହା ଆମ ସମାଜର କୋଣ ଅନୁକୋଣରେ ବ୍ୟାପି ରହିଥିବା ଏକ ଭୟଙ୍କର ରୋଗର ଲକ୍ଷଣ ମାତ୍ର । ସ୍ୱାଧିନତା ପର ଠାରୁ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କର ଦୁର୍ନିତି, ଉପଭୋକ୍ତା ମାନଙ୍କ ପ୍ରତି ଅନାସ୍ଥା ଭାବ ଓ ଅବହେଳା ଦଲାଲ ପ୍ରଥା କୁ ଜନ୍ମ ଦେଇଛି । ତେଣୁ ଦଲାଲଙ୍କୁ ବାନ୍ଧି ପକାଇଲେଏ ରୋଗ ନିର୍ମୁଳ ହେବ ନାହିଁ ।
କଥାରେ ଅଛି,ମାର ମାର ଭଣ୍ଡାରିଆକୁ ମାର । ଗରିବ ମାଇପ ସବୁରୀ ଶାଳି । ପେଟ ପାଟଣା ପାଇଁ ବିଭିନ୍ନ ଅଫିସରେ ଲୋକ ଓ ବାବୁ ମାନଙ୍କ ମଧ୍ୟରେ ମଧ୍ୟସ୍ଥ ରୁପି କାର୍ଯ୍ୟକରି ପେଟ ପୋଷୁଥିବା ଏ ଦୁସ୍ଥ ଲୋକ ମାନଙ୍କୁ ବାନ୍ଧି ଜେଲ କୁ ପଠାଇବା ପାଇଁ ହଠାତ୍ ଆମ ସରକାରୀ କଳ ତପ୍ତର ହୋଇପଡିଛନ୍ତି । ଶାସନର ସର୍ବୋଚ୍ଚ ସ୍ତରରୁ ସେମାନଙ୍କୁ ବୋଧେ ଟାରଗେଟ ଦିଆ ଯାଇଛି । ତେଣୁ ପ୍ରଭୁଭକ୍ତ ହନୁମାନ ଭଳି ଆମ ଦଣ୍ଡଧାରୀ ବାବୁ ମାନେ ଯାହାକୁ ପାରି ତାକୁ ଗିରଫ କରି ତା ପିଠିରେ ଦଲାଲ ଷ୍ଟାମ୍ପ ମାରି ଜେଲ କୁ ପଠାଇ ଦେଉଛନ୍ତି ଓ ବାଃ ବାଃ ନେଉଛନ୍ତି । ମାତ୍ର ସେ ଦଲାଲ ମାନଙ୍କ ଅନ୍ତରାଳରେ ଯେଉଁ ବାବୁମାନେ ‘ତ୍ରୀଗୁଣ ରଜ୍ଜୁ ହସ୍ତେ ଧରି ମୃଗୀ ନଚାଏ ନର ହରି’ ଭଳି ରହିଛନ୍ତି ସେମାନଙ୍କୁ ଛୁଇଁବାକୁ ସରକାର ଙ୍କ ସାହାସ କୁଲଉ ନାହିଁ ।
ଦଲାଲ କିଏ? ସାଧାରଣ ଭାବରେ ଦଲାଲ କହିଲେ ମଧ୍ୟସ୍ତିକୁ ବୁଝାଏ । ଇଂରାଜୀରେ ଯାହାର ଅର୍ଥ ଟୁ ଗୋ ବିଟୁଇନ୍ । ପୁରାଣରେ ଯୋଗେଶ୍ୱର କୃଷ୍ଣ ବୋଧେ ପ୍ରଥମ ମଧ୍ୟସ୍ଥ ବା ଦଲାଲ ଥିଲେ । କୁରୁ ଓ ପାଣ୍ଡବଙ୍କ ମଧ୍ୟରେ ଥିବା ରାଜ୍ୟ ବିବାଦ କୁ ତୁଟାଇବାକୁ ସେ ସ୍ୱଚ୍ଛାକୃତ ଭାବେ ମଧ୍ୟସ୍ତିର ଭୁମିକା ନେଇଥିଲେ ।
୧୯୬୫ ମସିହା ଭାରତ ପାକିସ୍ଥାନ ଯୁଦ୍ଧ ପରେ ଋଷିଆର ପ୍ରେସିଡେଂଟ କୋଶିଜିନ୍ ଭାରତ ଓ ପାକିସ୍ଥାନ ମଧ୍ୟରେ ମଧ୍ୟସ୍ତିର ଭୁମିକା ନେଇଥିଲେ,ଏହା ସମସ୍ତେ ଜାଣନ୍ତି । ଯେ କୌଣସି ବିବାହ କାର୍ଯ୍ୟରେ ଏକ ମଧ୍ୟସ୍ତିର ଆବଶ୍ୟକତା ଯେ କେତେ ବେଶି ତାହା ସମସ୍ତେ ଯାଣନ୍ତି । ଅବଶ୍ୟ ଏହି ଦଲାଲ କାମ କରୁଥିବା ବ୍ୟକ୍ତି ମାନଙ୍କୁ ଉଚ୍ଚ ସ୍ତରରେ ଅନେକ ସମ୍ମାନ ସୂଚକ ସମ୍ବୋଧନ ଦିଆଯାଏ । ତାହା ହେଉଛି ଲିଆସନ ଅଫିସର, ପବ୍ଲିକ ରିଲେସନ ଅଫିସର, ବ୍ରୋକର ଓ କମିସନ୍ ଏଜେଂଟ । ବମ୍ବେ ରେ ଥିବା ଷ୍ଟକ୍ ଏକ୍ସଚେଞ୍ଜ ଯେଉଁ ରାସ୍ତାରେ ଅବସ୍ଥିତ ତାହାକୁ ଦଲାଲ ଷ୍ଟ୍ରିଟ କୁହାଯାଏ । ସେଠାରେ ଦଲାଲ ମାନଙ୍କ ସାହାଯ୍ୟରେ ବ୍ୟବସାୟି ମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ।
ଅଶି ଦଶକରେ ଘଟିଯାଇଥିବା ବୋଫର୍ସ ତୋପ ଦୁର୍ନିତି କଥା ସମସ୍ତେ ଯାଣନ୍ତି । ନିଜେ ଭାରତ ସରକାର ବୋ‘ର୍ସ ତୋପ କିଣିବାକୁ ଏକ ମଧ୍ୟସ୍ତି ବା ଦଲାଲ ନିଯୁକ୍ତି କରି କୋଟି କୋଟି ଟଙ୍କା ଲାଂଚ ଦେଇଥିଲେ ଓ ତା ପାଇଁ ଆନେ୍ଦାଳନ ହୋଇ ଏକ ସରକାର ମଧ୍ୟ ପତନ ଘଟିଥିଲା । ବର୍ତମାନ ଯେ ଉଚ୍ଚ ସ୍ତରର କିଣା ବିକାରେ ଦଲାଲ ପ୍ରଥା ନାହିଁ ଏହା କହି ହେବନାହିଁ ।
କିଛି ଦିନ ତଳେ ଓ ଡ଼ିଶାରେ ଚିଟ୍ ଫଣ୍ଡ ଦୁର୍ନିତିରେ ଜଣେ ପ୍ରଭାବ ଶାଳି ଦଲାଲ ଙ୍କ ନାଁ ପଦାକୁ ଆସିଥିଲା । ଯିଏ ଏତେ ପ୍ରଭାବ ବିସ୍ତାର କରିଥିଲେ ଯେ ତାଙ୍କ ଦୁଆରକୁ ନେତା ଅଫିସର ମାନେ ଧାଇଁବାକୁ ବାଧ୍ୟ ହେଉଥିଲେ । କିଛି ଦିନ ତଦନ୍ତ ପରେ ତାଙ୍କ କଥା ଆଉ ଶୁଣାଗଲା ନାହିଁ ।
ବର୍ତମାନ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରେ ବିଭିନ୍ନ ଶିଳ୍ପ ଗୋଷ୍ଠି ମାନେ ସୁନ୍ଦର ନାରୀ ମାନଙ୍କୁ ମାଧ୍ୟମ କରି ମନ୍ତ୍ରୀ ଓ ଅଫିସର ମାନଙ୍କ ଠାରୁ ଅନୈତିକ ଉପାୟରେ ଫାଇଦା ନବାର ଭିଡିଓ ମାନ ପଦାକୁ ଆସିଛି ।
ଓଡ଼ିଶାରେ ଘଟିଯାଇଥିବା ଖଣି ଦୁର୍ନିତି ଓ ଅନ୍ୟ ଦୁର୍ନିତିରେ ଦଲାଲ ମାନେ ଯେ ସଂପ୍ରୁକ୍ତ ନାହାନ୍ତି ଏହା ମନା କରିହେବନାହିଁ । ଆମ ରାଜ୍ୟ ତରଫରୁ ଶିଳ୍ପ ଗୋଷ୍ଠି ମାନଙ୍କୁ ଆହ୍ୱାନ କରିବାପାଇଁ ଯେଉଁ ପ୍ରଦର୍ଶନି ମାନ ହେଉଅଛି ସେଥିରୁ ଶିଳ୍ପ ଗୋଷ୍ଠି ମାନଙ୍କ ତରଫରୁ ତାଙ୍କର ଦଲାଲ ମାନେ ହିଁ ଆସୁଛନ୍ତି ଓ ସରକାରଙ୍କ ସହମୁଲଚାଲ କରି ତାଙ୍କର ସ୍ୱାର୍ଥ ହାସଲ କରୁଛନ୍ତି ।
କଳିଙ୍ଗ ନଗରରେ ଟାଟା ଶିଳ୍ପ ବିରୁଦ୍ଧରେ ଯେଉଁ ସଂଗ୍ରାମ ଚାଲିଲା ତାହା ସମସ୍ତେ ଜାଣନ୍ତି । ଦଲାଲ ମାନଙ୍କ ଦ୍ୱାରା ଅର୍ଥ ପ୍ରଦାନ କରି ନେତା ଓ ଅନ୍ୟ ସଂଗ୍ରାମି ମାନଙ୍କୁ ସନ୍ତୁଷ୍ଟ କଲାପରେ ଟାଟା ଗୋଷ୍ଠି ତାର ଶିଳ୍ପ ପ୍ରତିଷ୍ଠା କଲା । ସେହି କାମ ନକରିପାରିବାରୁ କୋରିଆର ପସ୍କୋ ଶିଳ୍ପ ଗୋଷ୍ଠି ପାରାଦ୍ୱୀପରୁ ବିଦାୟ ନେଲା । ଏସବୁ ହେଉଛି ଉଚ୍ଚ ସ୍ତରର ଦଲାଲି । ଯହାକୁ ଆମେ ଦଲାଲ ଗିରି ନକହି ଲିଆସନ ୱାର୍କ ବୋଲି କହିଥାଉ ।
ଏବେ ଆସନ୍ତୁ ତଳ ସ୍ତରର ସେହି ଦଲାଲ ମାନେ ଯାହାଙ୍କୁ ଛି ଛା କରି ଘଉଡା ଯାଉଛି । ସାଧାରଣ ଲୋକ ଟିଏ ଆର.ଟି.ଓ ଓ ମେଡିକାଲ ଭଳି ଯାଗାରେ ପହଂଚି ଗଲେ ସେ ଲୋକ ଗହଳି ଓ ନାଲି ଫିତା ର କାରସାଦି ଭିତରେ ଅସହାୟ ହୋଇପଡେ । ଏହା ସମସ୍ତେ ଅନୁଭବ କରି ଅଛନ୍ତି । ଯାହାକୁ ପଚାରିଲେ ଉତର ଟିଏ ମିଳେନାହିଁ । ଯେଉଁ ବାବୁଙ୍କୁ ଖୋଜିବ ତାଙ୍କୁ ପାଇବ ନାହିଁ । ଯାହାକୁ ପାଇବ ସେ ଉତର ଦେବ କାଲି ଆସ । ତୁମ ଫର୍ମରେ ଏଟା ଭୁଲ ଅଛି ସେଟା ଭୁଲ ଅଛି । ମେଡିକାଲରେ ମଧ୍ୟ ସେହି ଅବସ୍ଥା । କେବଳ ସବୁଆଡେ ବୋର୍ଡ ମରାହୋଇଛି । ସମସ୍ତ ସୁବିଧା ମାଗଣାରେ ଉପଲବ୍ଧି ହୁଏ । ମିଛରେ ହେଲ୍ପ ଡେକ୍ସ ପଡିଛି । ସେଠାରେକେହି ନାହାନ୍ତି । ଡାକ୍ତର ବାବୁଙ୍କୁ ଖୋଜିଲେ ମିଳୁ ନାହାନ୍ତି । ପଚାରିଲେ ଉତର ମିଳେ ନର୍ସିଂ ହୋମରେ ଅଛନ୍ତି । ଘଂଟାଏ ପରେ ଆସିବେ । ରକ୍ତ ପରିକ୍ଷା ପାଇଁ ଦେଲେ ରିପୋର୍ଟ ପାଇଁ ଦୁଇ ତିନି ଦିନ ଲାଗିବ । ସିଟି ସ୍କାନ କାମ କରୁନି । ଏମ. ଆର. ଇ ସ୍କାନ ବାଲା ଛୁଟିରେ ଅଛନ୍ତି । ଅପରେସନ ପାଇଁ ବେଡ ମିଳୁନି । ଇଏ ପଠଉଛି ସେ ବିଭାଗରେ ଦେଖା, ସେ କହୁଛି ଏଟା ମୋ କାମ ନୂହେଁ । ୟା ଭିତରେ ଘାଂଟି ହୋଇ ସେ ବାଧ୍ୟରେ ଯାହାର ସାହାଯ୍ୟ ନିଏ ତାହାକୁ ଆମେ କହୁ ଦଲାଲ । ବାସ୍ତବରେ ଦଲାଲକୁ ନିୟୋନିତ କରନ୍ତି ନର୍ସିଂ ହୋମର ମାଲିକ, ଡ଼ାକ୍ତର, ଔଷଧ ଦୋକାନି କିମ୍ବା ପରିକ୍ଷାଗାର ବାଲା । ଲୋକ ମଧ୍ୟ ଚାହେଁ ତାହାର କାମ କିଭଳି ଶିଘ୍ର ହେଉ । ମେଡିକାଲରେ ଏପଟ ସେପଟ ହୋଇ ଥକି ପଡିଲାଣି । ଦଲାଲ ତାକୁ ନେଇ ନର୍ସିଂ ହୋମ ଚାଲିଯାଏ । ଏଥିରେ ଦୋଷ କାହାର? ପେଟ ପାଇଁ ଦଲାଲ ଗିରି କରୁଥିବା ଗରୀବ ଲୋକଟିର ନା ତାକୁ ପ୍ରୋସôାହନ ଦେଉଥିବା ଡାକ୍ତର ମାନଙ୍କର? ଯଦି ଦଲାଲ ବନ୍ଧା ହେଲା, ତାହେଲେ ତାକୁ ପ୍ରୋତ୍ସାହନ ଦେଉଥିବା ବଡ ବାବୁ ମାନେ କାହିଁକି ଛାଡ ପାଇବେ?
ମୂଳ କଥା ହେଲା ଆମର କୌଣସି ସେବା ପ୍ରଦାନ କାରୀ ସଂସ୍ଥା ବାଟକୁ ଆସି ପାରୁନାହାନ୍ତି । କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠେ । ପୁଲିସ ମାନଙ୍କୁ ବ୍ୟବହାର ଶିଖେଇବା ପାଇଁ ରବି ଶଙ୍କରଙ୍କ ଠାରୁ ବ୍ରହ୍ମ କୁମାରୀ ଦିଦି ମାନଙ୍କୁ ନିୟୋଜିତ କରା ଗଲାଣି । ସେଦିନ ପୋଲିସ କମିସନର ପଚାରୁ ଥାଆନ୍ତି, ଲୋକ ମାନେ ଏତଲା ଦେବାକୁ ଆସିଲେ ତାଙ୍କୁ ବସିବାକୁ ଚେୟାର ଦେଉଛ ନା ନାହିଁ? ପାଣି ପିଇବାକୁ ଦେଉଛ ନା ନାହିଁ? ବାସ୍ତବତା ହେଲା, ଲୋକ ଥାନାକୁ ଗଲେ କିଭଳି ବ୍ୟବହାର ପାଏ ତାହା କମିସନରଙ୍କୁ ଅଜଣା ଅଛି କି?
କିଛି ଦିନ ତଳେ ଶାସନରେ ଚାଲୁଥିବା ପିସି କାରବାରକୁ ନେଇ ବେଶ ତମ୍ବି ତୁଫାନ ହେଲା । ପିସି ଆଉ ରହିବ ନାହିଁ । କେତେ ଜଣଙ୍କୁ ବରଖାସ୍ତ କରାଗଲା । ମାତ୍ର ପିସି ଉଠି ଗଲାଣି କି?….
ଆରଟିଓ ଅଫିସରେ ନାଲଫିତା ଓ ନେଳି ଫିତା ପକେଇଲେ ସେମାନଙ୍କ ଚରିତ୍ର ବଦଳିବ ନାହିଁ । ସେହିଭଳି ମେଡିକାଲରେ “ମୋର ସରକାର ଯୋଜନା” କଲେ ଅବସ୍ଥାର ପରିବର୍ତନ ହେବନାହିଁ । କିଛି ଦିନ ହୋ ହଲ୍ଲା ହେବ । ତା ପରେ ସବୁ ଥଣ୍ଡା ପଡିଯିବ । ସବୁ ଜୀନିଷ ପୁଣି ଗତାନୁ ଗତିରେ ଚାଲିବ । ଦେଶରେ ଆହୁରି ନୂଆ ନୂଆ ନର୍ସିଂ ହୋମ ଗଢି ଉଠିବ ଓ ସେମାନଙ୍କର ପ୍ରତିନିଧି ମାନେ କୋଟ ଓ ଟାଇ ପିନ୍ଧି ରୋଗି ସଂଗ୍ରହରେ ଲାଗି ପଡିବେ ।

Leave a Reply

Your email address will not be published.