ପାରାଦୀପରେ ବିଗିଡିବାରେ ଲାଗିଛି ପ୍ରଦୂଷଣ ସମସ୍ୟା!

ପାରାଦୀପରେ ବିଗିଡିବାରେ ଲାଗିଛି ପ୍ରଦୂଷଣ ସମସ୍ୟା!

ଜଗତସିଂହପୁର, (ଆଇଏନ୍ଏସ୍): ଦିନକୁ ଦିନ ପାରାଦୀପ ଅଂଚଳରେ ପ୍ରଦୂଷଣ ସ୍ଥିତି ବିଗିଡିବାରେ ଲାଗିଛି । ଉତର ଏବଂ ଦକ୍ଷିଣ ଦିଗରେ ପାରାଦୀପର ଦୁଃଖ କୁହାଯାଉଥିବା ଆକାଶ ଚୁମ୍ବି ଧଳା ରଙ୍ଗର ଜିପସମ୍ ପାଉଁଶ ପାହାଡ । ପୂର୍ବପଟ ସମୁଦ୍ର କୂଳକୁ ଲାଗି ପୋର୍ଟ ନିଶିଦ୍ଧାଂଚଳରେ ଦୀର୍ଘ ଦିନ ଧରି ଜମା ହୋଇ ରହୁଥିବା କୋଇଲା ଗଦା । ଯାହା ଉପରେ ଠିକ୍ ଭାବେ ପାଲ ଘୋଡା ହୋଇ ନ ରହିବା କାରଣରୁ ପ୍ରଦୂଷଣ ବୃଦ୍ଧି ହେଉଛି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା । ତେଣୁ ପୁବେଇ, ଉତରା ଏବଂ ଦକ୍ଷିଣା ପବନରେ ତିନି ଦିଗରୁ ଉଡି ଆସୁଥିବା ଧୂଳିକଣା ଜନ ବସତିକୁ କବଳିତ କରି ରଖିଛି । ସାଧାରଣରେ ଯେତେ ପ୍ରତିବାଦ ହେଲେ ମଧ୍ୟ ପ୍ରଦୂଷଣ ବିଭାଗ କେବଳ ମାନ ଯାଂଚ କରିବା ଆଳରେ ନିଜ ଟେବୁଲ ଡ୍ରଅରେ ତଦନ୍ତ କାମ ସାରି ଦେଉଛି । ଅନ୍ୟପକ୍ଷରେ ଦୀର୍ଘ ଦିନ ହେବ ପାରାଦୀପରେ ପରିବହନ ବ୍ୟବସ୍ଥାକୁ ନିଜ କବଜାରେ ଯୋର ଜବରଦସ୍ତ ରଖିଥିବା ମିଳିତ କ୍ରିୟାନୁଷ୍ଠାନ କମିଟି(ଜେସିସି) ତାର ବ୍ୟତିକ୍ରମ ଜନିତ ପରିବହନ ବ୍ୟବସ୍ଥାକୁ ସାଧାରଣରେ ଦାୟୀ କରିଛନ୍ତି । ଜେସିସି ଅଧିନରେ ପାରାଦୀପରେ ନିୟୋଜିତ ଅଛନ୍ତି ପ୍ରାୟ ୧୦ ହଜାରରୁ ଅଧିକ ଭାରି ଯାନ । ପାରାଦୀପ ଅଂଚଳରୁ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପ କାରଖାନା ପାଇଁ ଏମାନେ କାର୍ଗୋ ପରିବହନ କରିଥାଆନ୍ତି । ହେଲେ ବାହାର ସ୍ଥାନର ଶିଳ୍ପ ନିମନ୍ତେ ଆବଶ୍ୟକ ବିଭିନ୍ନ କାର୍ଗୋକୁ ଏମାନେ ନିଜ ଇଛା ମୁତାବକ ନେଇ ଯାଆନ୍ତି । ଯେଉଁ ଠାରେ ଦି ପଇଶା ଭଲ ଭଡା ନ ମିଳେ ସେଠାକୁ ଗାଡି ମାଲିକ ମାଲ ନେବାକୁ ମୁହଁ ମୋଡନ୍ତି । ତେଣୁ ଦିନକୁ କାରଖାନାର ୪୦ ଗାଡି ମାଲ ଦରକାର ସ୍ଥାନରେ ପହଁଚେ ମାତ୍ର ଆଠ ନଅଟି ଗାଡିର କାର୍ଗୋ । ଯାହା ଫଳରେ ଆବଶ୍ୟକୀୟ କାର୍ଗୋ ନପାଇ ଶିଳ୍ପସଂସ୍ଥା ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜେସିସିର କଠୋର ନୀତି ସହିତ ଚୁକ୍ତି କରି ଶିଳ୍ପସଂସ୍ଥା ଅନ୍ୟ କାହାକୁ ମାଲ ପରିବହନ କରିବାର ଦାଇତ୍ୱ ଦେଇ ନ ପାରିବାରୁ ଭାଗ୍ୟକୁ ଆଦରି ରହୁଥିବା ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଅନେକ ବଡ ବଡ ଶିଳ୍ପ ଜେସିସିର ନୀତି ସହିତ ସାଲିସ ନ କରି ଲକ୍ଷାଧିକ ଟଙ୍କା କ୍ଷତି ସହିବା ପରେ ପାରାଦୀପ ବନ୍ଦରରୁ ମୁହଁ ଆଡେଇ ଭାଇଜାକ୍, ଗୋପାଳପୁର ବନ୍ଦର ଦ୍ୱାରା କୋଇଲା ପରିବହନ କରୁଥିବା ଚର୍ଚ୍ଚା ହେଉଛି । ହେଲେ ଉକ୍ତ ସମସ୍ୟାକୁ ସମାଧାନ ପୂର୍ବକ ରୋକ ଲଗାଇବାକୁ କେହି ଅଣ୍ଟା ଭିଡୁ ନଥିବା ଦେଖିବାକୁ ମିଳିଛି । ତେଣୁ ଦୁଇଟି ବଡ ଶିଳ୍ପ କାରଖାନାରୁ ବାହାରୁଥିବା ଜିପ୍ସମ୍ ପାଉଁଶ ପ୍ରଶାସନିକ ପରିଚାଳନାଗତ ତୃଟି ଏବଂ ବ୍ୟତିକ୍ରମ ପରିବହନ ବ୍ୟବସ୍ଥା ପାଇଁ ବିଶାଳକାୟ ପାହାଡ ଭଳି ଗଦା ହୋଇ ରହୁଛି । ପବନରେ ଉଡି ଆସି ରାସ୍ତାରେ ଗଦା ହେବା ସହ ପଥଚାରୀଙ୍କ ନାକରେ ପସି ହୃଦଘାତ ଭଳି ମାରାତ୍ମକ ପ୍ରାଣଘାତି ସାଜୁଛି । ଯାହା ଫଳରେ ଗତ ୬ ମାସ ମଧ୍ୟରେ ୪୦/୫୦ ବର୍ଷ ବୟସରେ ଆଠ ଜଣଙ୍କର ହୃଦଘାତ ଜନୀତ ମୃତୁ୍ୟ ହେଲାଣି । ତେଣୁ ପରିବହନ କରୁଥିବା ସଂସ୍ଥା ଏବଂ ପ୍ରଶାସନିକ ସ୍ଥରରେ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପାଉଁଶ ଏବଂ କୋଇଲା ଗଦାକୁ ଅପସାରଣ କରି ପ୍ରଦୂଷଣ ରୋକିବାକୁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଦାବି ହେଉଛି ।

Leave a Reply

Your email address will not be published.