ବିଜୟଙ୍କ ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ରାପଡା ରାଜନୀତି ଚଳଚଞ୍ଚଳ

ବିଜୟଙ୍କ ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ରାପଡା ରାଜନୀତି ଚଳଚଞ୍ଚଳଭୁବନେଶ୍ୱର, (ଓଏନ୍ଏସ୍): ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ବିଜେପିକୁ ଫେରି ଆସିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପିରେ ଅଲୋଡା ହୋଇଥିବା ବିଜୟ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି ୨୦୧୮ ରେ ଇସ୍ତଫା ଦେଇଥିଲେ। ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ସାମ୍ବାଦିକଙ୍କୁ ବିଜୟ କହିଛନ୍ତି, ଦଳ ଯେଉଁଠି ଚାହିଁବ ସେଠାରୁ ସେ ନିର୍ବାଚନ ଲଢ଼ିବେ। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡାରୁ କିମ୍ବା ତାଙ୍କର ପୁରୁଣା ଗଡ଼ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ନିର୍ବାଚନ ଲଢ଼ିବା ନେଇ ସଂକେତ ମିଳୁଛି।
ଅନ୍ୟପକ୍ଷରେ ବିଜୟ ମହାପାତ୍ରଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ବିଜୟଙ୍କ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ୱ ଦେଇନାହାନ୍ତି। ସେ କହିଛନ୍ତି ଯେ, ଗତ ତିନିଟି ନିର୍ବାଚନରେ ବିଜୟ ପରାଜିତ ହୋଇଛନ୍ତି। ତେଣୁ ସେ କେନ୍ଦ୍ରାପଡାର କୌଣସି ବି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଲେ ତା’ର କୌଣସି ପ୍ରଭାବ ପଡ଼ିବ ନାହିଁ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାବାସୀଙ୍କ ଦୃଦୟରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଜିଲ୍ଲାରେ ବିକାଶ ଧାରା ଜାରି ରହିଛି। ତେଣୁ କେନ୍ଦ୍ରାପଡା ଅଂଚଳରେ ଆଉ କାହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।
ତେବେ ରାଜନୈତିକ ବିଶ୍ଲେଷକଙ୍କ ମତାନୁଯାୟୀ ମହାକାଳପଡା କିମ୍ବା ପାଟକୁରାରୁ ପ୍ରାର୍ଥୀ ଭାବେ ବିଜୟଙ୍କ ଆବିର୍ଭାବ ବିଜେପିକୁ ସହାୟକ ହେବ। ଅନ୍ୟପକ୍ଷରେ ଏହା ବିଜେଡିର ସହଜ ବିଜୟକୁ କିଛି ମାତ୍ରାରେ କଷ୍ଟସାଧ୍ୟ କରିପାରେ।

Leave a Reply

Your email address will not be published.