ବିଧାୟକ ମାନେ ନିଜ କର୍ତବ୍ୟ କେତେ ପାଳନ କରନ୍ତି?

ବିଧାୟକ ମାନେ ନିଜ କର୍ତବ୍ୟ କେତେ ପାଳନ କରନ୍ତି?

ଶରତ କୁମାର ରାଉତ
ସ୍ୱାଧୀନତାକୁ ନେଇ ବିକାଶର ଉଚ୍ଚପାହାଚ ପର୍ଯ୍ୟନ୍ତ ଗତିକରି ଆସିଥିବା ଭାରତୀୟ ଗଣତନ୍ତ୍ର କେତେକ ତଥାକଥିତ ରାଜନୀତିଜ୍ଞଙ୍କର ଅକ୍ତିଆରରେ ରହିଛି । ଭାରତୀୟମାନେ ମଧ୍ୟ ଅନ୍ଧ ଭଳି ସେମାନଙ୍କୁ ସମର୍ଥନ କରି ଆସୁଛନ୍ତି । ଗଣତନ୍ତ୍ରର ଏହି ମନ୍ଦିର ଗୁଡ଼ିକୁ ଆମେ ଯେଉଁ ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଉଛୁ, ସେମାନେ ଆମର ପ୍ରତିନିଧି ଓ ପ୍ରବକ୍ତା ମଧ୍ୟ । ଯଦିଓ ଆମ ପ୍ରତିନିଧିଙ୍କ ଭିତରେ ଗଣତାନ୍ତ୍ରିକ ସଂସ୍କାର ଥିବ, ତେବେ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ ହୋଇ ପାରିବ । ଅନ୍ୟଥା ସେହି ପ୍ରତିନିଧିଙ୍କ ଠାରୁ ଗଣତାନ୍ତ୍ରିକ ସଂସ୍କାରବାଦୀ କାର୍ଯ୍ୟ ପ୍ରଣାଳୀର ଆଶା କରାଯିବା ସ୍ୱପ୍ନ ସହ ସମାନ । ବାସ୍ତବରେ ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ନେତାଙ୍କ ମିଥ୍ୟା ପ୍ରଲୋଭନ ବା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ଅଧିକାଂଶ ଦେଶରେ ଲୋକପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସେଠାକାର ମିଡ଼ିଆ ନିୟମିତ ଲୋକମାନଙ୍କୁ ସୂଚନା ଦେଇଥାନ୍ତି । ଯଦ୍ୱାରା ଲୋକେ ନିଜର ପ୍ରତିନିଧିଙ୍କ ସଂପର୍କରେ ଜାଣନ୍ତି ଓ ସଚେତନ ହୁଅନ୍ତି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି କ୍ରମରେ ଆମ ବିଧାୟକଙ୍କ ସଂପର୍କରେ ଆଲୋଚନା କରିବାର ସମୟ ଆସିଛି । ବିଧାୟକ ମାନେ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ କେତେ ଜଡ଼ିତ ଅଛନ୍ତି ବା ତାଙ୍କର ସାମଗ୍ରୀକ କାର୍ଯ୍ୟକଳାପ, ଲୋକପି୍ରୟତା, ରାଜନୀତିକ ଓ ପ୍ରଶାସନିକ ଅଭିଜ୍ଞତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
  ଏହି କ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଧାୟକ ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇପାରେ । ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ବିଜେଡ଼ି ଟିକଟରେ ପ୍ରଥମ କରି ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ମାଲା ମାଧିଙ୍କୁ ୩୩୧୨ଟି ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଜଣେ ବିଧାୟକ ଭାବେ ତାଙ୍କର କାର୍ଯ୍ୟଶୈଳୀ ଓ ଲୋକପି୍ରୟତା ବେଶ୍ ଉଲ୍ଲେଖନୀୟ । ଚିତ୍ରକୋଣ୍ଡା ବିଧାୟକ ଡ଼ମ୍ବରୁ ସୀସା ମଧ୍ୟ ପ୍ରଥମ କରି ୨୦୧୪ରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁନାଧର କାକାରୀଙ୍କୁ ୨୪,୭୩୦ ଖଣ୍ଡ ଭୋଟ୍ରେ ପରାଜିତ କରି ଥିଲେ । ମାତ୍ର ଚିତ୍ରକୋଣ୍ଡା ଅଂଚଳରେ ଉନ୍ନୟନ କାର୍ଯ୍ୟ ସନ୍ତୋଷଜନକ ହୋଇ ପାରୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ରାୟଗଡ଼ ବିଧାୟକ ଲାଲ ବିହାରୀ ହିମିରିକା ୨୦୦୦, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି । ୨୦୦୯ ମସିହା ଜୁନ ୧୦ ତାରିଖରୁ ୨୦୧୧ ମଇ ୧୦ ତାରିଖ ପର୍ଯ୍ୟନ୍ତ ସେ ବିଧାନସଭାର ଉପ-ବାଚଷ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ରୁ ୨୦୧୭ ମଇ ମାସ ପର୍ଯ୍ୟନ୍ତ ସେ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲେ । ଏବେ ସେ ରାୟଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଗୁଣୁପୁର ବିଧାୟକ ତି୍ରନାଥ ଗମାଙ୍ଗ ଓ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ପ୍ରଥମ କରି ୨୦୧୪ରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇଥିଲେ । ଉଭୟ ଦଳୀୟ ସଂଗଠନକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ଡ଼ାବୁଗାଁ ବିଧାୟକ ଭୁଜବଳ ମାଝୀ କଂଗ୍ରେସ ଟିକଟରେ୨୦୦୦, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି । ସେ ପିସିସି ସଦସ୍ୟ ଥିବାବେଳେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି, ପିସିସି ଆଦିବାସୀ ଶାଖାର ସାଧାରଣ ସଂପାଦକ, ଓଡ଼ିଶା ଆଦିବାସୀ ବିକାଶ ପରିଷଦ ସଦସ୍ୟ, ନବରଙ୍ଗପୁର ଜିଲ୍ଲା ଦଳିତ ସଂଘର ପ୍ରତିଷ୍ଠାତା ସଦସ୍ୟ ଭଳି ଅନେକ ପଦ ପଦବୀରେ ଅଧିଷ୍ଠିତ ଅଛନ୍ତି । ନିଜ ବିଧାନସଭା କ୍ଷେତ୍ରକୁ ପୂର୍ଣ୍ଣ ବିକଶିତ କରାଇବା ଲକ୍ଷ୍ୟରେ ସେ ନିଜର ଅଭିଯାନ ଚାଲୁ ରଖିଛନ୍ତି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ଯୋଗୁ ସେ ସାଧାରଣ ଲୋକଙ୍କର ପି୍ରୟଭାଜନ ହୋଇ ପାରିଛନ୍ତି । ନବରଙ୍ଗପୁରର ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ ଏବଂ ଉମରକୋଟର ବିଜେଡ଼ି ବିଧାୟକ ସୁବାଶ ଗଣ୍ଡ ନିଜ ଅଂଚଳରେ ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରି ପାରି ନାହାନ୍ତି । କିଛି ଲୋକ ଅସନ୍ତୁଷ୍ଟ ଥିଲେ ମଧ୍ୟ ସେମାନେ ଲୋକ ମାନଙ୍କର ମୌଳିକ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଝରିଗାଁ ବିଧାୟକ ରମେଶଚନ୍ଦ୍ର ମାଝୀ ବିଜେଡ଼ି ଟିକଟରେ ୨୦୦୪, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ବିଧାନସଭାର ବିଭିନ୍ନ କମିଟି ସଦସ୍ୟ ଭାବେ ନିଜ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏବେ ସେ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ଇତି ମଧ୍ୟରେ ଶ୍ରୀ ମାଝି ନିଜ ବିଭାଗରେ ବ୍ୟାପକ ସଂସ୍କାର ଆଣିବାରେ ସକ୍ଷମ ହୋଇ ପାରିଛନ୍ତି । ଜଣେ ସୁଦକ୍ଷ ମନ୍ତ୍ରୀ ତଥା ବିଧାୟକ ଭାବେ ଝରିଗାଁ ବିଧାନସଭା କ୍ଷେତ୍ରର ସାମଗ୍ରୀକ ବିକାଶ ସହିତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଆଦିବାସୀ ବାସିନ୍ଦା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ଶ୍ରୀ ମାଝୀ । ତାଙ୍କର ସାମାଜିକ କାର୍ଯ୍ୟ ମଧ୍ୟ ବେଶ୍ ଉଲ୍ଲଖଯୋଗ୍ୟ । ଆଦିବାସୀ ଉନ୍ନୟନ କାର୍ଯ୍ୟ କରୁଥିବା ବହୁ ଅନୁଷ୍ଠାନ ସହିତ ସେ ଜଡ଼ିତ ରହିଛନ୍ତି । ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପରିବେଶ, ସାକ୍ଷରତା, ଉଚ୍ଚଶିକ୍ଷାର ପ୍ରସାର, ଜଙ୍ଗଲ ଜମିର ସୁରକ୍ଷା, ଗ୍ରାମ୍ୟ ଉନ୍ନତି, ଦାରିଦ୍ର୍ୟ ଦୂରୀକରଣ, କ୍ରୀଡ଼ାର ଉନ୍ନତି ଆଦି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ ।
ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରେ କୋରାପୁଟ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଳା ବେଳେ ୨୦୧୪ରେ କଂଗ୍ରେସ ଟିକଟରେ ଜୟପୁର ଆସନରୁ ବିଜୟୀ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ରହିଛନ୍ତି । ସେ ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି । ତାଙ୍କର ରାଜନୀତିକ ଦକ୍ଷତା ରାଜ୍ୟବାସୀ ଜାଣିଛନ୍ତି । ସେ ଜଣେ ଲୋକପି୍ରୟ ନେତା ଭାବେ ପରିଚିତ । ତେବେ ଶ୍ରୀ ବାହିନୀପତିଙ୍କ ରାଜନୀତିକ ଅଭିଜ୍ଞତା ତଥା ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରେଇ ଦେଇଛି । କୋରାପୁଟର କଂଗ୍ରେସ ବିଧାୟକ କୃର୍ଷ୍ଣଚନ୍ଦ୍ର ଶଗରିଆ ଓ ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିଆ ପ୍ରଥମ କରି ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ । ଉଭୟ କଂଗ୍ରେସ ବିଧାୟକ ସାଧାରଣ ଲୋକଙ୍କ ସହିତ ଥିଲେ ମଧ୍ୟ ନିଜ ଅଂଚଳରେ ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରି ପାରି ନାହାନ୍ତି । ଏଥିଯୋଗୁ କିଛି ଲୋକ ବିଧାୟକଙ୍କ ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । କୋଟପାଡ଼ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ ଓ ପଟ୍ଟାଙ୍ଗୀ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଜଡ଼ିତ ଅଛନ୍ତି । ନିଜ ଅଂଚଳରେ ଦଳୀୟ ସଂଗଠନକୁ ମଜଭୁତ କରିବାରେ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ତେବେ ବିଧାୟକ ମାନେ ନିଷ୍ଠାର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପି୍ରୟଭାଜନ ହେଲେ ହିଁ ସମାଜରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥାଏ ।

(Photo from nabarangpurnews-online.blogspot.com)

Leave a Reply

Your email address will not be published.