ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ତରଫରୁ ମାତୃପିତୃ ପୂଜନ ଉତ୍ସବ

ମାତାପିତାଙ୍କ ଆଶୀର୍ବାଦ ପିଲାମାନଙ୍କ ରକ୍ଷା କବଚ : ଶ୍ରୁତିସାଗର ସରସ୍ୱତୀ

 ଖୋର୍ଦ୍ଧା, (ଓଏନ୍ଏସ୍): ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚୁ୍ୟଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜମେଂଟ୍ର ମିଳିତ ଆନୁକୁଲ୍ୟରେ ଏକ ଅଭିଭାବକ ସମ୍ମିଳନୀରେ ‘ମାତୃପିତୃ ପୂଜନ ଉତ୍ସବ’ ସହିତ ‘ଆମ ପିଲାଙ୍କ ଭବିଷ୍ୟତ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଚଣ୍ଡିଖୋଲ ଆଶ୍ରମର ମହନ୍ତ ଶ୍ରୁତି ସାଗର ସରସ୍ୱତୀ ମହାରାଜ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ପରେ ଯୋଗବେଦାନ୍ତ ସମିତିର ଜିଲ୍ଲା କୋଷାଧ୍ୟକ୍ଷ ସୁକାନ୍ତ କୁମାର ପ୍ରଧାନଙ୍କର ସହଯୋଗରେ ଛାତ୍ରଛାତ୍ରୀମାନେ ହାତରେ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୁର, ମିଷ୍ଠାନ୍ନ ଆଦି ପୂଜାସାମଗ୍ରୀରେ ସୁସଜ୍ଜିତ ପୂଜା ଥାଳି ଧରି ମନରେ ଅନେକ ଭକ୍ତି ଭାବ ନେଇ ନିଜର ପିତାମାତାଙ୍କ ସମ୍ମୁଖରେ ବସି ମାତୃଦେବୋଭବ-ପିତୃଦେବୋଭବର ଭାବନା ନେଇ ପୂଜାର୍ଚ୍ଚନା କରିବାପରେ ଶ୍ରୀ ଗଣେଷଙ୍କ ପୃଥିବୀ ପରିକ୍ରମା ପରି ନିଜ ପିତାମାତାଙ୍କ ଚତୁର୍ଦ୍ଦିଗରେ ସାତଥର ପରିକ୍ରମା କରି ଶେଷରେ ସେମାନଙ୍କ ପିତାମାତାଙ୍କର ଆଶ୍ରୀବାଦ ନେଇଥିଲେ । ପିଲାମାନଙ୍କର ସେମାନଙ୍କ ପିତାମାତାଙ୍କ ପ୍ରତି ଏହି ପ୍ରକାର ସ୍ନେହ, ପ୍ରେମ ଓ ବନ୍ଧନର ଭାବୋଦ୍ଦିପକ ଭାବନା ଏକ ଭାବବିହ୍ୱଳ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଚେୟାରମ୍ୟାନ୍ ଡ଼କ୍ଟର ନନ୍ଦ କହିଲେ ବିଶ୍ୱ ମାନବ କଲ୍ୟାଣର ଦିବ୍ୟ ଭାବନାକୁ ସଂରକ୍ଷିତ ରଖିଥିବା ଭାରତୀୟ ସଂସ୍କୃତି ଆଜି ମଧ୍ୟ ଆଧ୍ୟାତ୍ମିକତାର ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଆଜିର ଯୁବ ସମାଜ ମହାପୁରୁଷମାନଙ୍କ ସାନ୍ନିଧ୍ୟ ଏବଂ ଆମ ସଂସ୍କୃତିର ଦିବ୍ୟ ଜୀବନକୁ ଅବହେଳା କରି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ଚାଲିଛନ୍ତି, ଯାହାଦ୍ୱାରା ସେମାନେ ଅଶାନ୍ତ ତଥା ଦୂରାଚାର ଓ ଏଡ଼୍ସ୍ ଭଳି ରୋଗର ଶିକାର ହେଉଛନ୍ତି । ଭାରତୀୟ ସଂସ୍କୃତିର ଏଭଳି ଅବକ୍ଷୟକୁ ସହ୍ୟ କରିନପାରି ଫେବୃୟାରୀ ୧୪ ‘ଭ୍ୟାଲେଂଟାଇନ୍ ଡେ’ର କୁସଂସ୍କାର ବିସ୍ତାର ନହେବାପାଇଁ ଏହି ଦିନକୁ ‘ମାତୃପିତୃୃ ପୂଜନ ଦିବସ’ ରୂପେ ଦୀର୍ଘ ତେର ବର୍ଷ ଧରି ଆମ ଦେଶରେ ପାଳିତ ହୋଇ ଆସୁଛି । ପିତାମାତାମାନେ ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କଠାରେ ମାତୃପିତୃ ପୂଜା ସହିତ ଗୁରୁପୂଜା ଓ ମାତୃଭୂମି ପୂଜାର ଭାବନା ନିର୍ମାଣ କରାଇବା ଉଚିତ୍ । ମୁଖ୍ୟ ଅତିଥି ଶ୍ରୁତି ସାଗର ମହାରାଜ କହିଲେ ସାମ୍ପ୍ରତିକ ପରିସ୍ଥିତିରେ ଆମେ ପିଲାମାନଙ୍କୁ ଉପଯୁକ୍ତ ଅନୁଶାସନ ଓ ନୀତି ଶିକ୍ଷା ମାଧ୍ୟମରେ ଗଢିପାରିଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । ପିତାମାତାଙ୍କ ଆଶୀର୍ବାଦ ହେଉଛି ପିଲାମାନଙ୍କ ରକ୍ଷା କବଚ । ଏକ ଭାବବିହ୍ୱଳ ଢଙ୍ଗରେ ସେ କହିଲେ ମହାବିଦ୍ୟାଳୟ ସ୍ତରରେ ଏଭଳି ଏକ ସ୍ୱତନ୍ତ୍ର ପରିବେଶ ମୁଁ ଏଠାରେ ପ୍ରଥମ କରି ଦେଖିଲି । ଏଭଳି ପରିବେଶ ଯଦି ସମସ୍ତ ଶିକ୍ଷାନୁଷ୍ଠାନରେ ସୃଷ୍ଟି କରିହେବ ଦେଶରୁ ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ ପାଇଯିବ । ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୋକôର୍ଷ ସାହିତ୍ୟ ପରିଷଦର ରାଜ୍ୟ ସଭାପତି ବିଶିଷ୍ଟ ଶିକ୍ଷାବିତ୍ ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ କହିଲେ ଆଜିର ସାମାଜିକ ବ୍ୟବସ୍ଥା ଭୁଷୁଡି ପଡିଛି । ଆମ ମହାନ୍ ସଂସ୍କୃତିର ଅବକ୍ଷୟ ଘଟିଛି । ଏଭଳି ମାତୃପିତୃୃ ପୂଜନ ଉତ୍ସବରେ ପ୍ରେମର ପ୍ରକୃତ ମୂଲ୍ୟ ପିଲାମାନେ ସେମାନଙ୍କ ମା’ବାପାଙ୍କ ନିକଟରେ ପାଇପାରିବେ । ଏହାଦ୍ୱାରା ପିଲାମାନେ ସଂଯମ, ସଦାଚାର, ଧୈର୍ଯ୍ୟ, ବୁଦ୍ଧି, ସାହସ, ଶକ୍ତି ଓ ପରାକ୍ରମ ଭଳି ଦିବ୍ୟଗୁଣର ଅଧିକାରୀ ହୋଇ ସୁସ୍ଥ, ସୁନ୍ଦର ଓ ସମ୍ମାନଯୁୁକ୍ତ ସୁଖି ଜୀବନ ବିତାଇ ପାରିବେ । ସମ୍ମାନୀତ ଅତିଥି ଭାବରେ ଲୋକତନ୍ତ୍ର ସେନାନୀ ସଂଘର ରାଷ୍ଟ୍ରୀୟ ସଂପାଦକ ସୁବାସ ଚନ୍ଦ୍ର ଗନ୍ତାୟତ, ଯୋଗ ବେଦାନ୍ତ ସମିତିର ସଂପାଦକ ନରହରି ନନ୍ଦ, ଗୀତା ଗବେଷଣା ପରିଷଦର ସଂପାଦକ ଶକ୍ତି ଶଙ୍କର ମିଶ୍ର, ଖୋରଧା ସାହିତ୍ୟ ସଂସଦର ସଭାପତି ଗୋପାଳ କୃଷ୍ଣ ଦାସ, ଶିକ୍ଷାବିତ୍ ଡ଼କ୍ଟର ବୃନ୍ଦାବନ ପଣ୍ଡା ଏବଂ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ କହିଲେ ମୂଲ୍ୟବୋଧ ଭିତିକ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ହେବାରୁ ଆଜି ଆମ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି, ସେଥିପାଇଁ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇ ଏହିଭଳି ପରିବେଶ ଥିବା ଅନୁଷ୍ଠାନରେ ନିଜର ପିଲାମାନଙ୍କୁ ପାଠ ପଢାଇଲେ ପିଲାମାନଙ୍କଠାରେ ସାମାଜିକ, ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ଭାବନାର ବିକାଶ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶେଷରେ ଯୋଗ ବେଦାନ୍ତ ସମିତିର ଜିଲ୍ଲା ସଭାପତି ଇଂ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼କ୍ଟର ଆଶୁତୋଷ ମହାପାତ୍ର, ବ୍ରଜକିଶୋର ସାହୁ, ଗୋଲକ ହାତୀ, କେଦାର ନାଥ ପାତ୍ର, ସିଦେ୍ଧଶ୍ୱର ସିଂହ, ସରୋଜ ପାଲଟାସିଂହ, ଇତିଶ୍ରୀ ସାହୁ, ପ୍ରଦୀପ କୁମାର ସ୍ୱାଇଁ, ଦିଲ୍ଲିପ କୁମାର ସ୍ୱଇଁ, ନୀଳାଦ୍ରୀନାଥ ଜଗଦେବ, ଗୋବିନ୍ଦ ଚନ୍ଦ୍ର ମହାରଣା, ବିଭୂପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published.