ଯାହାକୁ ସୂଚନା ଦେବେ, ସେମାନେ ବିଜୁଳି ଚୋରଙ୍କର ବାପ!

ଯାହାକୁ ସୂଚନା ଦେବେ, ସେମାନେ ବିଜୁଳି ଚୋରଙ୍କର ବାପ!

ବିଜୁଳି ଚୋରୀ ସୂଚନାକାରୀ ହେବାକୁ ଚାହୁଁଛନ୍ତି କି?…. ସାବଧାନ୍!

ବାଲେଶ୍ୱର, (ଆଇଏନ୍ଏସ୍): ବିଜୁଳି ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ବିଜୁଳି ଚୋରୀ ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଚଳିତମାସ ୫ତାରିଖରେ ଭୁବନେଶ୍ୱର ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସେସୁ ଅଂଚଳରେ ବିଦୁ୍ୟତ୍ ଚୋରୀ ରୋକିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଥିବା ବେଳେ ବିଜୁଳି ଚୋରୀ କରୁଥିବା ବ୍ୟକ୍ତି ଠାରୁ ଆଦାୟ ଜୋରିମାନାରୁ ୧୦% ସୂଚନାକାରୀଙ୍କୁ ଦିଆଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି । ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା କହିଥିଲେ ଯେ, ମାତ୍ର ୧୦ ପ୍ରତିଶତ୍ ବ୍ୟକ୍ତି ବିଦୁ୍ୟତ୍ ଚୋରୀ କରୁଥିବା କାରଣରୁ ବାକି ୯୦% ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଦୁ୍ୟତ୍ ଚୋରୀକୁ ରୋକା ଯାଇପାରିଲେ ଗୁଣାତ୍ମକ ବିଦୁ୍ୟତ୍ ସେବା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।
କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅର୍ଥ ଲୋଭରେ ଯଦି କେହି ବିଜୁଳିଚୋରୀର ସୂଚନାଦାତା ଭାବରେ କାର୍ଯ୍ୟକରିବାକୁ ମନସ୍ଥ କରିଥାଆନ୍ତି, ତେବେ ସାବଧାନ – ଉତମ ମଧ୍ୟମ ପାଇବାର ସମ୍ଭାବନା ଅଧିକ । କାରଣ – ବିଜୁଳି ଚୋରଙ୍କର ସୁରକ୍ଷା ଦାତା ହେଲେ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନେ । ଯାହାକୁ ଆପଣ ବିଜୁଳି ଚୋରୀ ସମ୍ପର୍କରେ ସୂଚନା ଦେବେ, ସେମାନଙ୍କ ସହିତ ବିଜୁଳି ଚୋରଙ୍କର ଉତମ ସମ୍ପର୍କ ରହିଛି । କାରଣ – ବେଆଇନ୍ ବିଜୁଳି ବ୍ୟବହାର ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କର ପକେଟକୁ ମୋଟାଅଙ୍କର ଅର୍ଥ ଆସୁଛି । ତେଣୁ ବିଜୁଳି ଚୋରୀକରୁଥିବା ବ୍ୟକ୍ତି ନିକଟରେ ସୂଚନାଦାତାଙ୍କ ପରିଚୟ ସହଜରେ ପହଂଚିପାରିବ । ତା’ପରର ଅବସ୍ଥା କଣ ହେବ, ସୂଚନାଦାତା ସାଜିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବା ଜରୁରୀ । ଏକଥା ଆମେ ମନରୁ କହୁନାହୁଁ । ବିଜୁଳି ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କିପରି ବିଜୁଳିଚୋରୀକୁ ସମର୍ଥନ କରୁଛନ୍ତି ତାହାର ପ୍ରମାଣକୁ ଭିତିକରି ଆମେ ଏକଥା କହୁଛୁ ।
୧୨ ସେପ୍ଟେମ୍ବର ୨୦୧୮ରେ ବାଲୋଶ୍ୱର ଜିଳ୍ଲାର ସୋର ପୌରପାଳିକା ଅନ୍ତର୍ଗତ ଉତରେଶ୍ୱର (ୱାର୍ଡ଼ ନଂ.-୨)ରେ ରାସ୍ତା ଡିଭାଇଡରକୁ ଉଚ୍ଚ କରିବା ପାଇଁ ଡିଭାଇଡରକୁ ଡ୍ରିଲ୍ କରୁଥିବା କାମରେ ହୋକିଂ କରି ଡ୍ରିଲ୍ ମେସିନ୍ ଚଳାଇ କାର୍ଯ୍ୟକରାଉଥିଲେ କଂଟ୍ରାକ୍ଟର । ଏ ସମ୍ପର୍କରେ ସୋର ବିଦୁ୍ୟତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ରେ ସୂଚନା ଦେବାରୁ ତାଙ୍କଠାରୁ ଯାହା ଉତର ମିଳିଲା, ତାହା ବିଦ୍ୟୁତ୍ ଚୋରିକୁ ପ୍ରୋତ୍ସାହିତ କହିଲେ ଭୁଲ୍ ହେବନାହିଁ । ହୋକିଂ କରାଯାଇ ଡ୍ରିଲ୍ ମେସିନ୍ ଚାଲିବା ସମ୍ପର୍କରେ ଫୋନ୍ରେ ସୂଚନା ଦେବାରୁ, ‘ସବୁ ସ୍ଥାନରେ ଏଭଳି ଚାଲିଛି, ତେଣୁ ଏଠି କରୁଥିବେ’ ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ । ଏହି ବିଜୁଳି ଚୋରୀ ଭିଡିଓ ରେକଡ଼ିଂ ଏବଂ ନିର୍ବାହୀ ଯନ୍ତ୍ରୀ ଫୋନ୍ରେ କହିଥିବା କଥାର ଅଡିଓ ରେକଡିଂକୁ ବାଲେଶ୍ୱରର ବିଜୁଳି ବିଭାଗ ଡିଜିଏମ୍ଙ୍କ ନିକଟକୁ ତାଙ୍କ ହ୍ୱାଟ୍ସଆପ୍ (ନଂ. ୯୪୩୮୯୦୬୦୯୦)କୁ ଠାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ପରବର୍ତି ସମୟରେ ଡିଭାଇଡରରେ ହେଉଥିବା କାର୍ଯ୍ୟରେ ବିଜୁଳି ଚୋରୀ କରି (ହୋକିଂ) ଡ୍ରିଲ୍, ୱେଲଡିଂ ଭଳି କାର୍ଯ୍ୟ କରାଯାଇଥିଲା ।
ଏହିି ଘଟଣା ପରେ ବିଜୁଳିଚୋରୀରେ ବିଜୁଳି ବିଭାଗର କର୍ମଚାରୀ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ସମ୍ପୃକ୍ତ ରହିଛନ୍ତି । ଯେଉଁଠି ବାଡ଼ କ୍ଷେତର ସୁରକ୍ଷା ପରିବର୍ତେ କ୍ଷେତକୁ ଖାଏ, ସେଠାରେ ସୁରକ୍ଷା ଦେବ କିଏ? ଯେଉଁଠି ବିଜୁଳି ବିଭାଗର ଅଧିକାରୀମାନେ ବିଜୁଳ ଚୋରୀ ସହିତ ସମ୍ପୃକ୍ତ, ସେଠାରେ ବିଜୁଳି ଚୋରୀ ସମ୍ପର୍କରେ ସୂଚନା ଦେଉଥିବା ବ୍ୟକ୍ତିର ଅବସ୍ଥା କଣ ହେବ ତାହା ସୂଚନାଦାତା ନିଶ୍ଚିତ ଭାବରେ ବୁଝି ପାରୁଥିବେ । ହେ, ବିଜୁଳି ଚୋରୀ ସୂଚନାଦାତା ସାବଧାନ…. । କଥାରେ ଅଛି, ‘ବୁଝି ବିଚାରୀ କାର୍ଯ୍ୟକଲେ, ବିପଦ ନପଡ଼ଇ ଭଲେ’ ।

(Photo from https://incredibleorissa.com)

Leave a Reply

Your email address will not be published.