ରାଜନୀତିର ମୂର୍ତିମନ୍ତ ପ୍ରତୀକ ବିଧାୟକ ଧୃବ ସାହୁ

ରାଜନୀତିର ମୂର୍ତିମନ୍ତ ପ୍ରତୀକ ବିଧାୟକ ଧୃବ ସାହୁ

ଶରତ କୁମାର ରାଉତ
ରାଜନଗର ରାଜନୀତିର ଇତିହାସ ତର୍ଜ୍ଜମା କଲେ ଜଣାଯାଏ ଯେ, ଏହି ବିଧାନସଭା କ୍ଷେତ୍ରଟି ସ୍ୱାଧୀନତା ପରଠାରୁ ତିନିଥରକୁ ଛାଡ଼ିଦେଲେ ବାକି ନିର୍ବାଚନ ଗୁଡ଼ିକରେ ଅଣ କଂଗ୍ରେସ ପ୍ରାର୍ଥୀମାନଙ୍କ ଅକ୍ତିଆରରେ ରହିଛି । ସମୁଦ୍ର, ନଦୀ, ନାଳ, ବନାନୀ ଘେରା ଚିର ଅବହେଳିତ ରାଜନଗର ଅଂଚଳ ସ୍ୱାଧୀନତା ପରଠାରୁ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହିଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ, ସଂଚାର, ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଲୋକମାନଙ୍କର ଚିର ସହଚର ହୋଇଛି । ସମସ୍ୟାର ସମାଧାନ ପାଇଁ ରାଜନଗରବାସୀ ରାଜନେତା ମାନଙ୍କ କଥାକୁ ବିଶ୍ୱାସ କରିବାରୁ ଏ ଅଂଚଳ ଅଣ-କଂଗ୍ରେସ ଦୁର୍ଗରେ ପରିଣତ ହୋଇଥିଲା । ଏଠାକାର ବିଧାୟକ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେନ୍ଦ୍ର ରାଜନୀତିରେ ସଂପୃକ୍ତ ହେବା ପରେ ଏହି କ୍ଷେତ୍ରଟି ତାଙ୍କର ମାନସ ପୁତ୍ର ନଳିନି କାନ୍ତ ମହାନ୍ତିଙ୍କ ହାତରେ ଦୀର୍ଘ ୨୭ବର୍ଷ ଧରି ରହିଗଲା । ମାତ୍ର ୨୦୦୯ ନିର୍ବାଚନରେ ନଳିନିକାନ୍ତ ମହାନ୍ତିଙ୍କ ହାତରୁ ବିଜେଡ଼ି ଏହି ଆସନ ଛଡ଼ାଇ ଆଣି ଅଣ-କଂଗ୍ରେସ ଦଳର ଦୁର୍ଗକୁ ସୁରକ୍ଷିତ ରଖିପାରିଥିଲା । କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ସ୍ୱର୍ଗତ ନଳିନି କାନ୍ତ ମହାନ୍ତିଙ୍କ ପୁତ୍ର ଅଂଶୁମାନ ମହାନ୍ତି ନିର୍ବାଚିତ ହୋଇଥିଲେ । ଶ୍ରୀ ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର ଧୃବ ସାହୁଙ୍କୁ ୫୪୨୯ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ବାପାଙ୍କ ଅବଦାନକୁ ପୁଞ୍ଜି କରି ଅଂଶୁମାନ ବିଜୟୀ ହୋଇଥିବା କୁହାଯାଇଥିଲା । ମାତ୍ର ବାସ୍ତବତା ଥିଲା ଭିନ୍ନ । ଏଠାରେ କଂଗ୍ରେସ ଜିତିବାର ଆଶା ହିଁ ନଥିଲା । ଏପରିକି ଅଂଶୁମାନ ମହାନ୍ତିଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ କଂଗ୍ରେସ ଲୋକେ ଗ୍ରହଣ କରିବାକୁ ନାରାଜ ଥିଲେ । ମାତ୍ର ଏହି ଆସନରେ ବିଜେଡ଼ି ପ୍ରାର୍ଥୀତ୍ୱ ପାଇଁ ଆଶାୟୀ ଥିବା ନେତା ଓ ସେମାନଙ୍କ କର୍ମୀ ନିରାଶ ହେବା ପରେ ଭିତରେ ଭିତରେ ଦଳକୁ ମୂଳପୋଛ କରିବା ଲକ୍ଷ୍ୟରେ ଥିଲେ । ସହଜେ ଦ୍ୱିତୀୟ ଥର ପାଇଁ ତକ୍ରାଳୀନ ବିଧାୟକ ଅଲେଖ ଜେନାଙ୍କୁ ବିଜେଡ଼ି ଟିକଟ ଦିଆ ଯାଇଥିଲେ ହେଁ ଶେଷ ମୁହୂର୍ତରେ ତାଙ୍କୁ ବାଦ୍ ଦେଇ ବିଜେଡ଼ି ଯୁବନେତା ଧୃବ ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀତ୍ୱ ଅର୍ପଣ କରାଯାଇଥିଲା, ଯାହା ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳର ଅଲେଖ ସମର୍ଥକ ମାନଙ୍କୁ ହତୋତ୍ସାହିତ କରିଥିଲା । ବିଜେଡ଼ି ସଂଗଠନରେ ବିରାଟ ଫାଟ ଦେଖା ଦେଇଥିଲା, ଯାହା ନିର୍ବାଚନର ଶେଷ ମୂହୁର୍ତ ପର୍ଯ୍ୟନ୍ତ ବଳବତର ଥିଲା । ଆଉ ଏହା ହିଁ କଂଗ୍ରେସ ପ୍ରାର୍ଥୀଙ୍କର ବିଜୟ ପଥ ପରିଷ୍କାର କରି ଦେଇଥିଲା ।
କିନ୍ତୁ ୨୦୧୯ ନିର୍ବାଚନରେ ରାଜନଗର ନିର୍ବାଚନ ମଣ୍ଡଳୀରେ ରାଜନୀତିକ ପାଣିପାଗ ସଂପୂର୍ଣ୍ଣ ବଦଳି ଯାଇଥିଲା । ପୂର୍ବ ୫ ବର୍ଷ ମଧ୍ୟରେ କ୍ରମେ କଂଗ୍ରେସ ସଂଗଠନ ଅତି ଦୁର୍ବଳ ଅବସ୍ଥାରେ ପହଂଚି ଗଲା । ଅନ୍ୟପକ୍ଷରେ ତୁଙ୍ଗ ଯୁବନେତା ଧୃବ ସାହୁଙ୍କ ନେତୃତ୍ୱରେ ବିଜେଡ଼ି ସଂଗଠନ ମଜଭୁତ ସ୍ଥିତିକୁ ଆସି ଯାଇଥିଲା । ସହଜେ ୨୦୧୬ ଫେବୃୟାରୀରେ ବିଜେଡ଼ି ସଭାପତି ନବିନ ପଟ୍ଟନାୟକ ଧୃବ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଦାୟିତ୍ୱ ଅର୍ପଣ କରିବା ପରେ କେବଳ ରାଜନଗର ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡ଼ି ସଂଗଠନ ଅତିଶୀଘ୍ର ଶତ ପ୍ରତିଶତ ସଶକ୍ତ ହୋଇଗଲା । ଯାହାର ପରିଣାମ ସ୍ୱରୂପ ଜିଲ୍ଲାର ୫ଟି ବିଧାନସଭା ଆସନ ଅତି ସହଜରେ ବିଜେଡ଼ି ଅକ୍ତିଆରକୁ ଆସିଥିଲା ବେଳେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ବିଜୟ ପଥ ପରିଷ୍କାର ହୋଇଥିଲା ଏବଂ ବୈଜୟନ୍ତ ପଣ୍ଡା ୧,୫୨,୫୮୪ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେବେ ଏହି କରିସ୍ମା ଧୃବ ବାବୁଙ୍କ ପ୍ରଚଣ୍ଡ ରାଜନୀତିକ ଓ ସାଂଗଠନିକ ଦକ୍ଷତା ଯୋଗୁ ସମ୍ଭବ ହୋଇଥିବା ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଦ୍ୱିତୀୟ ଥର ପାଇଁ ରାଜନଗର ଆସନରେ ପ୍ରତିଦ୍ୱନ୍ଦିତା କରିଥିବା ଧୃବବାବୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ୧୮,୪୦୮ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏହି ଆସନରେ ୭ଜଣ ପ୍ରାର୍ଥ ପ୍ରତିଦ୍ୱନ୍ଦିତା କରିଥିଲେ । ବିଜେଡ଼ିର ଧୃବବାବୁ ୭୮,୯୨୬ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ଅଂଶୁମାନ ମହାନ୍ତି ୬୦,୫୧୮, ଭାଜପାର ଅଲେଖ ଜେନା ୨୬,୬୮୩, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ ୩୭୯, ବିଏସପିର ଅନିରୁଦ୍ଧ ସେଠୀ ୨୫୬୮, ଅଜୟ କୁମାର ବେହେରା (ସ୍ୱାଧୀନ) ୧୨୨୬ ଓ ସୁନିତା ପ୍ରଧାନ(ସ୍ୱାଧୀନ) ୪୧୯ ଖଣ୍ଡ ଭୋଟ ପାଇଥିଲେ ।
ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ସହ ଅନ୍ୟ ଅଧିବେଶନ ଗୁଡ଼ିକରେ ଧୃବ ବାବୁଙ୍କର କାର୍ଯ୍ୟଶୈଳୀ, ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଆଦି ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ ରହିଥିଲା । ସେହିପରି ପ୍ରଶ୍ନ-ଉତର, ବଜେଟ୍, ବିଧେୟକ, ଧ୍ୟାନାକର୍ଷଣ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ସେ ସକି୍ରୟ ଭାଗ ନେଇଥିଲେ । ଜଣେ ଅଭିଜ୍ଞ ଯୁବ ବିଧାୟକ ଭାବେ ରାଜନଗର ବିଧାନସଭା କ୍ଷେତ୍ର ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ମଣିଷ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ଧୃବବାବୁ । କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଅପପୃଷ୍ଟି ନିୟନ୍ତ୍ରଣ, ମାତୃ-ଶିଶୁ ମୃତୁ୍ୟହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଉଚ୍ଚଶିକ୍ଷାର ପ୍ରସାର, ଜଙ୍ଗଲ ଜମିର ସୁରକ୍ଷା, ଗ୍ରାମ୍ୟ ଉନ୍ନତି, ଦାରିଦ୍ର୍ୟ ଦୂରୀକରଣ, ବେକାରୀ, ଦାଦନ ସମସ୍ୟାର ସମାଧାନ ଆଦି ଧୃବବାବୁଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ ହୋଇଛି । ଏପରିକି ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀକୁ ଓଡ଼ିଶାରେ ସବୁଠୁ ସ୍ମାର୍ଟ ତଥା ପୂର୍ଣ୍ଣ ବିକଶିତ କରାଇବା ଲକ୍ଷ୍ୟରେ ସେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଜନସ୍ୱାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ଓ ଦୁର୍ଗମ ତଥା ଗ୍ରାମାଂଚଳ ଉନ୍ନୟନକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ତାଙ୍କ ଉଦ୍ୟମରେ ରାଜନଗର-ପଟ୍ଟାମୁଣ୍ଡାଇ ସମେତ କେନ୍ଦ୍ରାପଡ଼ା ଅଂଚଳର ବିଭିନ୍ନ ଗ୍ରାମାଂଚଳ ରାସ୍ତାର ପ୍ରଶସ୍ତିକରଣ, ଉନ୍ନତି କରଣ ଓ ମରାମତି କାର୍ଯ୍ୟ ଚାଲୁ ରହିଛି । ସେହିପରି ବିଜୁଳି ସେବା କ୍ଷେତ୍ରରେ ଉନ୍ନତି ପାଇଁ ଗ୍ରାମାଂଚଳରେ ଉଚ୍ଚ କ୍ଷମତା ସଂପନ୍ନ ସବ୍ଷ୍ଟେସନ୍ ଓ ଟ୍ରାନ୍ସଫରମର ପ୍ରତିଷ୍ଠା କରାଇବାକୁ ଧୃବ ବାବୁଙ୍କ ଉଦ୍ୟମ ସ୍ୱାଗଯୋଗ୍ୟ । ଅନ୍ୟପକ୍ଷରେ ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିଛି । ରାଜନୀତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ଧୃବ ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ଓ ଆତ୍ମୀୟତା ଉଲ୍ଲେଖନୀୟ । ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳରେ ତାଙ୍କର ବ୍ୟାପକ ଲୋକ ସଂପର୍କ ରହିଛି । ଧୃବବାବୁ ଅନେକ ଗୁରୁତ୍ପପୂର୍ଣ୍ଣ ପଦପଦବୀରେ ରହି ଜନସ୍ୱାର୍ଥ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଫଳତାର ସହ ତୁଲାଉଛନ୍ତି । ଇତିଧ୍ୟରେ ନିଜର ନିର୍ମଳ ଭାବମୂର୍ତି, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ରାଜନଗରବାସୀଙ୍କ ଅତି ନିକଟତର ହୋଇ ରହିଛନ୍ତି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ଯୋଗୁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ବିଶେଷତଃ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନିଜ ରାଜନୀତିକ ଜୀବନର ପ୍ରତି ମୁହୂର୍ତକୁ ଓ ପ୍ରତି ଦାୟିତ୍ୱକୁ ଜନସେବାରେ ଓ ନିଷ୍ଠାର ସହ କିଛି ନୂଆ କରି ଦେଖାଇବାରେ ବିତାଉଛନ୍ତି ଧୃବ ବାବୁ । ସବୁଠୁ ବଡ଼ କଥା ହେଲା, ସେ ଅଧିକାଂଶ ସମୟ ସାଧାରଣ ଲୋକଙ୍କ ଗହଣରେ ବିତାଇ ସେମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । କାହାର ଡ଼ାକରା ପାଇଲେ, ସେ ତତ୍କ୍ଷଣାତ୍ ପହଂଚି ଯାଉଛନ୍ତି ତାଙ୍କ ପାଖରେ ଓ ନିଜକୁ ଏକାକାର କରି ଦିଅନ୍ତି ତାଙ୍କର ସୁଖ-ଦୁଃଖ ସହିତ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ସାହସିକତା, ଆକର୍ଷଣୀୟ ଲୋକପି୍ରୟତା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର ।

Leave a Reply

Your email address will not be published.