ରାଜନେତାଙ୍କୁ ଦାମଙ୍କ ପରାମର୍ଶ: ତୋଷାମଦିଆ ହୁଅନି

ରାଜନେତାଙ୍କୁ ଦାମଙ୍କ ପରାମର୍ଶ: ତୋଷାମଦିଆ ହୁଅନି

ଭୁବନେଶ୍ୱର,(ଆଇଏନ୍ଏସ୍): ତୋଷାମଦିଆ ହୋଇ କ୍ଷମତା ଓ ସମ୍ପତ୍ତି ଆହରଣ ପାଇଁ ଉଦ୍ୟମ କରିବା ରାଜନେତାର ସଂଜ୍ଞା ନୁହେଁ । ରାଜ୍ୟ, ଦେଶ ଓ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ନିଜକୁ ସମର୍ପିତ କର । ସ୍ୱାର୍ଥ ହାସଲ ପାଇଁ କ୍ଷମତା ପଛରେ ଗୋଡ଼େଇବା ଅପେକ୍ଷା ସେବା ଓ ତ୍ୟାଗକୁ ଆଧାର କରି ସାମାଜିକ ଏବଂ ଅର୍ଥନୈ÷ତିକ ବିକାଶରେ ସାମିଲ ହୁଅ । ଏହାଦ୍ୱାରା ଲୋକଙ୍କ ଆଶୀର୍ବାଦ ମିଳିବ । ସମସ୍ତେ ଭଲ ପାଇବେ । ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଭାବେ ସମ୍ମାନ ମିଳିବ । ରାଜନୀତିକୁ ଆସୁଥିବା ଯୁବପିଢ଼ିଙ୍କୁ ଏହି ପରାମର୍ଶ ଦେଇଛନ୍ତି ରାଜ୍ୟର ଅନ୍ୟତମ ବର୍ଷିଆନ ରାଜନେତା ଡାକ୍ତର ଦାମୋଦର ରାଉତ ।
ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗଦେଇଥିଲେ ଡାକ୍ତର ରାଉତ । ୨୦୧୯ ନିର୍ବାଚନରେ ଲଢ଼ି ପରାଜିତ ହୋଇଥିଲେ । ଅଳ୍ପ କିଛି ଦିନ ରହିବା ପରେ ବିଜେପିରୁ ଇସ୍ତଫା ଦେଲେ । ଆଉ ନିର୍ବାଚନ ରାଜନୀତିରେ ରହିବେନି ବୋଲି ଘୋଷଣା କରିଛନ୍ତି । ଦୀର୍ଘ ୪୬ ବର୍ଷର ରାଜନୀତିକ ଜୀବନରେ ତୁଣ୍ଡ ପାଇଁ ଚର୍ଚ୍ଚାରେ ଥିବା ଏହି ରାଜନେତା ବିଭିନ୍ନ ସମୟରେ ଅପ୍ରିୟ ସତ୍ୟ କହି ବିବାଦ ଘେରକୁ ଆସିଛନ୍ତି । ଗଣମାଧ୍ୟମକୁ ପ୍ରଭାବଶାଳୀ ଖବରର ଖୋରାକ ଯୋଗାଇଛନ୍ତି । ଜନସାଧାରଣଙ୍କ ନିକଟରେ ଜଣେ ସ୍ପଷ୍ଟବାଦୀ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏବେ ରାଜନୈ÷ତିକ ଦଳଠାରୁ ଦୂରରେ ରହି ରାଜନୀତିକ ଜୀବନର ସ୍ମୃତିଚାରଣ କରୁଛନ୍ତି ।
ଦାମ କହିଛନ୍ତି, ରାଜନୀତି ପ୍ରତି ତାଙ୍କର ଅଭିପ୍ସା ନଥିଲା । ବିଜୁ ପଟ୍ଟନାୟକ ତାଙ୍କୁ ସରକାରୀ ଚାକିରିରୁ ଛଡ଼େଇ ଆଣି ରାଜନୀତିରେ ଭର୍ତ୍ତି କରିଥିଲେ । ଶ୍ରମିକ ଅଶାନ୍ତି ଯୋଗୁଁ ବିଜୁ ବାବୁଙ୍କ ସ୍ୱପ୍ନର ପାରାଦ୍ୱୀପ ଅଞ୍ଚଳ ଅବସ୍ଥାକୁ ଆସିଯାଇଥିଲା । ମାସରେ ୨୦/୨୨ ଦିନ କାମ ବନ୍ଦ ରହୁଥିଲା । ସେ ତାଙ୍କୁ ବନ୍ଦର ଦାୟିତ୍ୱ ବୁଝିବାକୁ କହିଲେ । ଏବେ ପାରାଦ୍ୱୀପ ଦେଶର ୧୨ଟି ବୃହତ୍ତମ ବନ୍ଦର ମଧ୍ୟରେ ଶୀର୍ଷରେ ରହିଛି । ଏରସମା ବ୍ଲକର ଏକ ଅପହଞ୍ଚ ଗାଁ ମଲିପୁରରେ ଦାମଙ୍କ ଜନ୍ମ । ବଡ଼ କଷ୍ଟରେ ପାଠ ପଢ଼ିଥିଲେ । ତିର୍ତ୍ତୋଲ ହାଇସ୍କୁଲରେ ପଢ଼ିବା ବେଳେ ପିଲାମାନେ ତାଙ୍କୁ ତଳମାଳିଆ, ଲୁଣି ଦାଣ୍ଡିଆ କହୁଥିଲେ । ଏହା ବହୁତ ବାଧୁଥିଲା । ବିଜୁ ବାବୁ ରାଜନୀତିକୁ ଆଣିବା ପରେ ରାଜନୀତିରେ ସଫଳତା ମିଳିଛି । ନିଜ ଗାଁ ସମେତ ରାଜ୍ୟର ବିକାଶରେ ନିଜକୁ ସାମିଲ କରିପାରିଥିବାରୁ ସେ ବହୁତ ଖୁସି ବୋଲି ଦାମ କହିଛନ୍ତି । ସବୁ ଗାଁରେ କଂକ୍ରିଟ ରାସ୍ତା ଥିଲା ତାଙ୍କର ଲକ୍ଷ୍ୟ । ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଥିବାବେଳେ ଯୋଜନା କାର୍ଯ୍ୟକାରୀ ହେଲା । ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରିଥିଲେ । କଂକ୍ରିଟ ରାସ୍ତା ୩୦ ଭାଗ ଭୋଟ ବଢ଼େଇଥିଲା । ଏହା ହିଁ ଥିଲା ତାଙ୍କ ରାଜନୈତିକ ଜୀବନର ଆଉ ଏକ ବଡ଼ ସ‘ଳତା ।
ଦାମ କହିଛନ୍ତି, ୪୬ ବର୍ଷ ରାଜନୈତିକ ଜୀବନରେ ୩୫ ବର୍ଷ ବିଧାୟକ ରହିଛି । ୬ଥର କ୍ୟାବିନେଟ ମନ୍ତ୍ରୀ ଭାବେ ସରକାରଙ୍କ ଅଧା ବିଭାଗର ଦାୟିତ୍ୱ ନେଇଛି । କେହି ଅପାରଗ କି ନିକମା ମନ୍ତ୍ରୀ ବୋଲି କହିନାହାନ୍ତି । ରାଜନୈତିକ ଜୀବନରେ ପରିବାର ପାଇଁ ବା ନିଜ ପାଇଁ କିଛି କରିନି । ପୁଅ ବିଜେଡିରୁ ବିଧାୟକ ହେବା ପଛରେ ତାଙ୍କର କିଛି ଅବଦାନ ନଥିବା ସିଧାସିଧା ପ୍ରକାଶ କରିଛନ୍ତି ଦାମ । ମୁଁ ବିଜେପିକୁ ଯିବା ପରେ ନବୀନ ବାବୁ ଶିଖେଇ ମୋ ପୁଅକୁ ପ୍ରାର୍ଥୀ କରିଥିଲେ । ସେ ଜିତିଛି । ଭଲ କାମ କରୁଛି । ସେଥିରେ ମୁଁ ଖୁସି । ମୁଁ ଛୋଟିଆ ଲୋକ । ବିଜୁ ବାବୁ ମୋ ରାଜନୈତିକ ଜୀବନର ପ୍ରଜ୍ଞାପୁରୁଷ । ଜୀବନସାରା ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି । ନିଜ ପାଇଁ କିଛି ନକରି ଲଢ଼େଇ କରି ଆସିଛି । ବିଜେଡିର ମାର୍ଗଦର୍ଶକ ଭାବେ ପରିଚିତ ଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଚକ୍ରାନ୍ତର ଶିକାର ହୋଇଥିଲି । ଦୁଇ ଦୁଇଥର ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । କୃଷି ବିଭାଗ ଦୁର୍ନୀତି ପ୍ରସଙ୍ଗ ଉଠାଇଲି । ମୋତେ ବିଜେଡିରୁ ବହିଷ୍କାର କରାଗଲା । ବିଜେପିକୁ ଗଲି । ସେମାନେ ନିର୍ବାଚନ ସମୟରେ ମୋତେ ବ୍ୟବହାର କଲେ । ନିର୍ବାଚନ ସରିବା ପରେ ପଚାରିଲେନି । ବିଜେପିକୁ ମୁଁ ଯାଇଥିଲି କିନ୍ତୁ ମୋ ମନ ଯାଇନଥିଲା । ସେଥିରୁ ଇସ୍ତଫା ଦେଇ ବସିଛି । ରାଜନୈତିକ ଜୀବନରୁ ଏକରକମ ଅବସର ନେଇଛି । ହାତଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଆଦର୍ଶକୁ ନେଇ ସାଧାରଣ ଲୋକଙ୍କ ପାଇଁ କାମ କରିବି ବୋଲି ସେ କହିଛନ୍ତି ।
ଦୀର୍ଘ ବର୍ଷ ବିଜେଡିରେ ଥିବା ଦାମ କହିଛନ୍ତି, ଏବେ ବିଜେଡିରେ ପ୍ରାୟ ପୁରୁଣା ଲୋକ ନାହାନ୍ତି । ବିଜୁଙ୍କ ନାମରେ ଗଢ଼ା ଯାଇଥିବା ଦଳ ନୀତି ଆଦର୍ଶରେ ଚାଲୁନି । ବିଜୁଙ୍କ ପୁଅ ନବୀନ ରାଜ୍ୟବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇପାରିଛନ୍ତି । ନବୀନ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିଲେ ଅଲଗା କଥା ହୁଅନ୍ତା । ସେ ଗୋଟିଏ ଗୋଷ୍ଠୀର ପରାମର୍ଶରେ କାମ କରୁଥିବା ମନେ ହୁଏ । ତାଙ୍କ ଭଲ ମଣିଷ ପଣିଆର ସୁଯୋଗ ନେଇ ଅନେକ କ୍ଷମତା ଓ ସମ୍ପତ୍ତି ଲୋଭରେ ତାଙ୍କୁ ଘେରି ରହିଛନ୍ତି । ତାଙ୍କୁ ସ୍ୱାଧୀନ ଭାବେ କିଛି କରିବାକୁ ଦେଉନାହାନ୍ତି ।
ଗଣତନ୍ତ୍ର ମଜଭୁତ ହୋଇଥିବାବେଳେ ଏବେ ରାଜନୀତିରେ ମୂଲ୍ୟବୋଧର ଅବକ୍ଷୟ ଘଟିଛି । ଯେଉଁମାନେ ରାଜନୀତିକୁ ଆସୁଛନ୍ତି ସେମାନେ ସେବା, ତ୍ୟାଗକୁ ଗୁରୁତ୍ୱ ଦେଉନାହାନ୍ତି । ବିଜେପି ଭଳି ଜାତୀୟ ଦଳ ଗଣତନ୍ତ୍ର ବଦଳରେ ଦଳତନ୍ତ୍ର ପ୍ରତିଷ୍ଠା ଉଦ୍ୟମ କରିଛି । ଅଧିକାଂଶ ରାଜନେତା ସମାଜସେବାକୁ ଗୁରୁତ୍ୱ ନଦେଇ ନିଜ ସ୍ୱାର୍ଥକୁ ଜଗିବାରେ ବ୍ୟସ୍ତ ରହୁଛନ୍ତି । ରାଜନୀତିରେ ଅପରାଧୀକରଣ ବଢ଼ିଛି । ଏସବୁ ଭିତରେ ଆମ ଭଳି ରାଜନେତା ଅଣନିଃଶ୍ୱାସୀ ହେବା ସ୍ୱାଭାବିକ । ଯାହାର ପ୍ରତିଫଳନ ନିକଟରୁ ଦେଖାଯାଇଛି । ମୋ ପରି ବହୁ ପ୍ରତିଷ୍ଠିତ ରାଜନେତା ତୋଷାମଦିଆ ହେଇନପାରି ଧୀରେଧୀରେ ରାଜନୀତିରୁ ସନ୍ନ୍ୟାସ ନେବା ଆରମ୍ଭ କଲେଣି ।

ରବିପ୍ରିୟ ଦାଶ
ସ୍ୱତନ୍ତ୍ର ପ୍ରତିନିଧି

Leave a Reply

Your email address will not be published.