ସଂଗଠନକୁ ଗୁରୁତ୍ୱ ରାଜନୀତିରେ ସଫଳତାର ମୂଳମନ୍ତ୍ର: ସମୀର ଦାଶ

ସଂଗଠନକୁ ଗୁରୁତ୍ୱ ରାଜନୀତିରେ ସଫଳତାର ମୂଳମନ୍ତ୍ର: ସମୀର ଦାଶ

ଭୁବନେଶ୍ୱର, (ଆଇଏନ୍ଏସ୍): ସଂଗଠନକୁ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ରାଜନୀତିରେ ସଫଳତା ମିଳେ । ଦୁର୍ବଳ ସଂଗଠନ ବିପର୍ଯ୍ୟୟର କାରଣ ହୋଇଥାଏ । ପ୍ରତି ରାଜନେତା ରାଜନୈତିକ ଭବିଷ୍ୟତର ସ୍ୱପ୍ନ ନଦେଖି ପ୍ରଥମେ ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ଆବଶ୍ୟକ । ଏହା ତାଙ୍କ ବ୍ୟକ୍ତିତ୍ୱ ଅଭିବୃଦ୍ଧିରେ ସହାୟକ ହେବା ସହ ତାଙ୍କ ପ୍ରତି ଲୋକପ୍ରିୟତାର ପରିସର ବୃଦ୍ଧି କରିଥାଏ । ଏହା କହିଛନ୍ତି ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିବା ସମୀର ରଞ୍ଜନ ଦାଶ ।
ଶ୍ରୀ ଦାଶ କହିଛନ୍ତି, ରାଜନେତାମାନେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ନେଇ ଉଦ୍ୟମ କରିବା ନିହାତି ଆବଶ୍ୟକ । ସେମାନଙ୍କ ଆସ୍ଥାଭାଜନ ହେବା ପାଇଁ ସର୍ବଦା ପ୍ରଚେଷ୍ଟା ଅବ୍ୟାହତ ରଖିବା ଦରକାର । ସାଂଗଠନିକ ସ୍ଥିତି ସୁଦୃଢ଼ କରି ପାରିଲେ ସଫଳତା ମିଳିପାରିବ ।
ସେ କହିଛନ୍ତି, ସଂଗଠନ ଯୋଗୁଁ ସାଧାରଣ ନିର୍ବାଚନ ସରିବା ପରେ ପରେ ନିମାପଡ଼ା ବିଧାନସଭା ଆସନର ୨୮୦ ବୁଥର ଟିକିନିଖି ଭୋଟର ସଠିକ ଆକଳନ ସମ୍ଭବ ହୋଇପାରିଥିଲା । ୯୫% ହିସାବ ଭୋଟ ଫଳାଫଳ ସହ ମିଶିଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ପ୍ରାର୍ଥୀ ଭାବେ ନିଜେ କେତେ ଭୋଟ ପାଇବି ତାର ହିସାବ ସହ ବିରୋଧୀ ପ୍ରାର୍ଥୀ କେତେ ପାଇବେ ତାର ଆକଳନ କରିବା । ଫଳ ଘୋଷଣା ପୂର୍ବରୁ ଅନ୍ୟ କୌଣସି ପ୍ରାର୍ଥୀ ସଠିକ ଆକଳନ କରି କେତେ ଭୋଟରେ ବିଜୟୀ ହେବେ କହିବା ପୂର୍ବରୁ ପ୍ରଥମ ବିଧାୟକ ଭୋବେ ମୁଁ ୨୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବା ସୂଚନା ଗଣମାଧ୍ୟମକୁ ଦେଇପାରିଥିଲି । ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ସାଂଗଠନିକ ସ୍ଥିତି ସୁଦୃଢ଼ କରି ସେ ବିଜୟ ହାସଲ କରିଥିବା କହିଛନ୍ତି । ମନ୍ତ୍ରିପଦର ଶ୍ରେୟ ସେ ବିଜେଡି ସଂଗଠନକୁ ଦେଇଛନ୍ତି ।
(ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.