ସତରେ କ’ଣ ବିଜେଡ଼ିର ସ୍ଥିତି ପୂର୍ବ ପରି ଅଛି?

ସତରେ କ’ଣ ବିଜେଡ଼ିର ସ୍ଥିତି ପୂର୍ବ ପରି ଅଛି?

ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ନିଜ ଦଳ ଉପରେ ପୂର୍ବ ପରି ନିୟନ୍ତ୍ରଣ ନଥିବା ଚଳିତ ନିର୍ବାଚନରେ ହିଁ ପ୍ରଥମ ଥର ପାଇଁ ଦେଖାଯାଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯେମିତି ଅନେକ ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକଳାପକୁ ନେଇ ଦଳୀୟ ପ୍ରାଥୀତ୍ୱରୁ ବଂଚିତ କରାଗଲା ଓ ନିର୍ମଳ ଭାବମୂର୍ତିର ନେତାଙ୍କୁ ପ୍ରାର୍ଥୀତ୍ୱ ଅର୍ପଣ କରାଗଲା, ଏଥର ରାଜ୍ୟରେ ବିଜେଡ଼ି ୧୨୦ରୁ ଅଧିକ ଆସନ ଲାଭ କରିବ ବୋଲି ରାଜନୀତିକ ପଣ୍ଡିତ ମାନେ ଆକଳନ କରୁଥିଲେ । ମାତ୍ର ପରବର୍ତୀ ପର୍ଯ୍ୟାୟ ଗୁଡ଼ିକରେ ସେଭଳି କିଛି ଦେଖିବାକୁ ମିଳିଲା ନାହିଁ । ନବେ ଭାଗରୁ ଅଧିକ ବିଧାୟକ ଓ ସାଂସଦଙ୍କୁ ପୁଣି ଟିକଟ ଦିଆଗଲା । ହୁଏତ ଟିକଟକୁ ନେଇ ବିଜେଡ଼ିରେ ଝଡ଼ ସୃଷ୍ଟି ହେବାରୁ ସଭାପତି ଏହି ନିଷ୍ପତି ନେବାକୁ ବାଧ୍ୟ ହେଲେ । ସେମାନେ କେତେ ନିର୍ମଳ ଭାବମୂର୍ତିର ଓ କିଭଳି ଜନସେବକ, ତାହା ନିର୍ବାଚନ ଫଳରୁ ଜଣା ପଡ଼ିବ । ଏବେ ରାଜ୍ୟ ରାଜନୀତି ଚଳଚଂଚଳ ହୋଇ ଉଠିଛି । ପ୍ରଜା ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟି ଯାଇଥିଲା ବେଳେ ବିଜେଡ଼ି ନିଜ ଦଳରେ ଏକତା ଓ ସ୍ଥିରତା ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ଟିକଟକୁ ନେଇ ଦଳରେ ଏକ ପ୍ରକାର ବିରାଟ ଫାଟÿ ସୃଷ୍ଟି ହୋଇଛି । ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି । କିଛିବର୍ଷ ତଳୁ କର୍ମୀଙ୍କ ତୁଳନାରେ ନେତାଙ୍କ ମଧ୍ୟରେ ବିବାଦ ବଢିଛି । ୨୦୧୪ ମନ୍ତ୍ରୀମଣ୍ଡଳ ଗଠନ ପରଠାରୁ ଦଳରେ ଅସନ୍ତୋଷ ତୀବ୍ରତର ହୋଇଛି । କେତେକ କନିଷ୍ଠ ଅନଭିଜ୍ଞ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯିବାକୁ ହୁଏତ ବର୍ଦାସ୍ତ କରି ପାରୁ ନଥିଲେ ଅଧିକାଂଶ ବରିଷ୍ଠ ନେତାମାନେ । ସେହିପରି ଦଳକୁ ମଜଭୁତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିବା ନେତାଙ୍କୁ ଆଡ଼େଇ ଦିଆଯାଇଛି । ଏପରିକି କୌଣସି ଦଳୀୟ ନେତା ନିରପେକ୍ଷ ମତ ମଧ୍ୟ ଦେଇ ପାରୁନଥିବା ଦେଖା ଯାଇଛି । ଏଥିଯୋଗୁ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧି ଏଥର ଚରମ ରୂପ ନେଇଛି । ଗତ ନିର୍ବାଚନରେ କେତେକ ବରିଷ୍ଠ ନେତାଙ୍କୁ ଦଳୀୟ ପ୍ରାର୍ଥୀତ୍ୱରୁ ବଂଚିତ କରିବା, ଚିଟ୍ଫଣ୍ଡ୍ ଠକେଇ ଓ ଜମି ଜାଲିଆତି ତଥା ବିଭିନ୍ନ ଦୁର୍ନୀତିରେ ତଥାକଥିତ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକଙ୍କ ସଂପୃକ୍ତି ଅଭିଯୋଗ ସାଂପ୍ରତିକ ଅବସ୍ଥାର ମୁଖ୍ୟ କାରଣ ହୋଇଛି । ଅତୀତରେ ଦଳରୁ ଯେତେ ନେତାଙ୍କୁ ବିଦା କରାଯାଇଛି, ସେମାନେ ଦୁର୍ନୀତିଗ୍ରସ୍ତ ବୋଲି କାରଣ ଦର୍ଶା ଯାଇଥିଲା । ଅନ୍ୟପକ୍ଷରେ ଯେଉଁ ନେତାମାନେ ଦୁର୍ନୀତିରେ ସଂପୃକ୍ତ ଥିବା ଏକପ୍ରକାରେ ପ୍ରମାଣିତ ହୋଇ ସାରିଛି, ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖା ଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କର ରାଜନୈତିକ କାର୍ଯ୍ୟକଳାପ, ପଦକ୍ଷେପ ଆଦି ଦଳ ପାଇଁ, ସରକାର ପାଇଁ ଓ ରାଜ୍ୟବାସୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ହାଟ ବଜାରରେ ଚର୍ଚ୍ଚା ଚାଲିଲାଣି । ଶାସକ ଦଳ ଓ ପ୍ରଶାସନର କେତେକ ନିଷ୍ପତି ଉଦେ୍ଦଶ୍ୟ ପ୍ରଣୋଦିତ ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ବିଭାଗ ସହିତ ଖଣି, ପାଣି, ଚିଟ୍ଫଣ୍ଡ୍, ଜମି, ଡ଼ାଲି, ନରେଗା, ବିହନ ଆଦି ଦୁର୍ନୀତି ସାଧାରଣ ଘଟଣାରେ ପରିଣତ ହୋଇଛି । ଖଣି, ଚିଟ୍ଫଣ୍ଡ୍ ଓ ଜମି ମହାଦୁର୍ନୀତିର ମହାନାୟକ ମାନେ କିପରି ଓ କାହିଁକି ଖସିଗଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ କ’ଣ ରାଜ୍ୟବାସୀଙ୍କ ପାଖରେ ଉତରଦାୟୀ ନୁହନ୍ତି? ଏହିସବୁ ଦୁର୍ନୀତି ଅଭିଯୋଗ କ’ଣ ମିଛ? ତେବେ ଦଳରେ ସଂସ୍କାର ଆଣିବା ପାଇଁ ପରାମର୍ଶ ଦେଉଥିବା ବା ନିରପେକ୍ଷ ମତ ପୋଷଣ କରୁଥିବା ନେତାଙ୍କ ବିରୁଦ୍ଧରେ କେବଳ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖା ଯାଇ ଆସୁଛି । ଅଥଚ ସିଧା ଦୁର୍ନୀତି ଓ ଅନୀତି କାର୍ଯ୍ୟରେ ଲିପ୍ତ ଥିବା ନେତା ଓ ବରିଷ୍ଠ ଅଧିକାରୀ ମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖା ଯାଉଥିବା ଅଭିଯୋଗ ହୋଇ ଆସୁଛି । ଯଦିଓ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ ସରକାର ଦେବାକୁ ସତରେ ଚାହୁଁଥାନ୍ତେ, ତେବେ ବିଭିନ୍ନ ଦୁର୍ନୀତି ଓ ଅନିୟମିତତାରେ ଅଭିଯୁକ୍ତ କେତେକ ମନ୍ତ୍ରୀ, ବିଧାୟକ, ସାଂସଦ ଓ ଅଧିକାରୀଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତାଦେଶ ଦେଇଥାନ୍ତେ । ମାତ୍ର ଏଭଳି କିଛି ହୋଇନାହିଁ କି ହେବାର ନାହିଁ ।
ବିଜେଡ଼ି ଟିକଟରୁ ବଂଚିତ ଆଶାୟୀ ପ୍ରାର୍ଥୀ ମାନଙ୍କର ଦଳ ବିରୋଧୀ କାର୍ଯ୍ୟ ଓ ଆଚରଣ ଆଦି ଦଳ ପାଇଁ କ୍ଷତିକାରକ ନହେବ ତହା କହି ହେବ ନାହିଁ । ଜଣେ ବିଚକ୍ଷଣ ରାଜନୀତିଜ୍ଞ ସଂଗଠନ ପାଇଁ ଓ ଭବିଷ୍ୟତ ପାଇଁ ବରିଷ୍ଠ ଓ କନିଷ୍ଠ ସବୁ ନେତାଙ୍କୁ ସାଙ୍ଗରେ ନେବାକୁ ହୋଇଥାଏ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ସେମିତି କିଛି ଉଦ୍ୟମ କେବେ ଦେଖା ଯାଇନାହିଁ । ହୁଏତ ସେ ଦଳୀୟ ନେତା ମାନଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ । ବରଂ ଦଳୀୟ କାର୍ଯ୍ୟ ବା ନିଷ୍ପତି ଉପରେ ସ୍ୱାଧୀନ ମତ ପୋଷଣ କରୁଥିବା ନେତାଙ୍କୁ ସେ ବହିସ୍କାର କରନ୍ତି କିମ୍ବା ଏକ ଘରିଆ କରନ୍ତି । ଏହି କାରଣରୁ ହିଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନ ପାଇଁ ପ୍ରଶାସକଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ରାଜ୍ୟବାସୀଙ୍କ ମନରେ ଧାରଣା ସୃଷ୍ଟି ହୋଇଛି । ଧୀରେ ଧୀରେ ଚେର ଛିଡ଼ୁଛି । ଏହାର କୁ-ପ୍ରଭାବ ସିଧା ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସଂଗଠନ ଉପରେ ପଡ଼ି ଦଳ ଅଘୋଷିତ ଭାବେ ବିଭାଜିତ ହୋଇ ଗଲାଣି । ଦଳ ଭିତରେ ଅସନ୍ତୋଷର ମାତ୍ରା ସୀମା ଟପିଲାଣି । ସରକାରଙ୍କର ବିଭିନ୍ନ ବିଭାଗରେ ହୋଇଥିବା ବ୍ୟାପକ ଦୁର୍ନୀତି ଖବର ଧୀରେ ଧୀରେ ସାଧାରଣ ଲୋକଙ୍କ ପାଖରେ ପହଂଚୁଛି । ରାଜ୍ୟରେ ବିଭିନ୍ନ ଉନ୍ନୟନ ଯୋଜନାରେ ଦୁର୍ନୀତି ଓ ଅନିୟମିତତା ଚରମ ସୀମା ପାର କରିଛି ଓ କ୍ରମେ ବିଜେଡ଼ି ସରକାର ଉପରୁ ରାଜ୍ୟବାସୀଙ୍କ ଆଶା-ବିଶ୍ୱାସ-ଭରସା ତୁଟିବାରେ ଲାଗିଛି । ହୁଏତ ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶିଳାନ୍ୟାସ, ସମାବେଶ, ଘୋଷଣା ଓ ପଦକ୍ଷେପ ଆଦି ମାଧ୍ୟମରେ ବିଜେଡ଼ି ନିଜର ସ୍ଥିତି ପୂର୍ବ ପରି ରହିଥିବା ପ୍ରମାଣ କରିବାକୁ ଚେଷ୍ଟା କରିଥିଲା । ସବୁଠୁ ବଡ଼ କଥା ହେଲା, ସବୁଦିନ ପାଇଁ ରାଜ୍ୟବାସୀ ବିଜେଡ଼ି ପ୍ରତି ଆସକ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଦୁଇଟି ଉପାୟ ଅବଲମ୍ବନ କରିଥାନ୍ତି । ପ୍ରଥମରେ କେନ୍ଦ୍ରୀୟ ଅବହେଳା ସ୍ଲୋଗାନ୍ ଓ ଦ୍ୱିତୀୟରେ ଆକର୍ଷକ ଯୋଜନା ଘୋଷଣା । ମୁଖ୍ୟମନ୍ତ୍ରୀ ଜାଣିଛନ୍ତି, ଓଡ଼ିଶାର ଅଧିକାଂଶ ଲୋକେ ରାଜନୀତିର କୂଟନୀତି ସଂପର୍କରେ ସଚେତନ ନୁହଁନ୍ତି । ହୁଏତ ସେଥିପାଇଁ ସବୁ କ୍ଷେତ୍ରରେ ବିଶେଷତଃ କିଛି ସମସ୍ୟା ଆସିଲେ, କେନ୍ଦ୍ରୀୟ ଅବହେଳାକୁ ଦାୟୀ କରନ୍ତି ଓ ରାଜନୀତିର କୂଟନୀତି ଜାଣିନଥିବା ଲୋକମାନେ ତାଙ୍କ କଥାକୁ ଅନ୍ଧ ଭାବେ ଗ୍ରହଣ କରି ନିଅନ୍ତି । ଏହିଭଳି ପରିସ୍ଥିତିରେ ଆହାର ଯୋଜନା ହେଉ କି ଟଙ୍କିକିଆ ଚାଉଳ କି ହରିଶ୍ଚନ୍ଦ୍ର, ନିରାମୟ ଯୋଜନା, କାଳିଆ ଯୋଜନା, ପିଠା କି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଘୋଷଣା ହୋଇଥାଏ । ମୁଖ୍ୟତଃ ଖଣି ମହାଦୁର୍ନୀତି ହେଉ କି ଚିଟ୍ଫଣ୍ଡ ଠକେଇ କି ଜମି, ଡ଼ାଲି, ପାଣି, ନରେଗା, ବିହନ କିମ୍ବା ନିଜ ଦଳରେ ସୃଷ୍ଟି ମତଭେଦ ସମୟରେ ରାଜ୍ୟବାସୀଙ୍କ ମନକୁ ଅନ୍ୟ ଦିଗରେ ଅଡ଼େଇ ନେଇଯିବାକୁ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଏଭଳି ରାଜନୀତିକ ଖେଳ ସବୁଦିନ ଚାଲିନଥାଏ । ଧୀରେ ଧୀରେ ଏହାର ଭିତିରି କଥା ଲୋକଙ୍କ ପାଖରେ ପହଂଚିବାରେ ଲାଗିଛି । ସ୍ୱଂୟ ବିଜେଡ଼ିର ବରିଷ୍ଠ ନେତାମାନେ ପରସ୍ପର ଲଢେଇ ବେଳେ ଦଳ ଓ ସରକାରଙ୍କର ତୃଟିପୂର୍ଣ୍ଣ କାର୍ଯ୍ୟ ଓ ନିଷ୍ପତିକୁ ପଦାରେ ପକାଇଛନ୍ତି । ଲୋକେ ସଚେତନ ହେଲେଣି । ଫସଲ ହାନି, ଦାରିଦ୍ର୍ୟ ଓ ଋଣ ଭାର ଯୋଗୁ ଓଡ଼ିଶାର ଚାଷୀ ଆତ୍ମହତ୍ୟା କରିବା ସମସ୍ତେ ଜାଣନ୍ତି । ମାତ୍ର ଚାଷୀ ଓ ଚାଷକୁ ଭଲପାଇ ଚାଷୀ ସମାବେଶ କରୁଥିବା ବିଜେଡିÿ ଓ ମୁଖ୍ୟମନ୍ତ୍ରୀ ଚାଷୀ ମୃତୁ୍ୟକୁ ଗ୍ରହଣ କରିନାହାନ୍ତି କିମ୍ବା ଆତ୍ମହତ୍ୟା କରିଥିବା ଚାଷୀଙ୍କ ଘରକୁ ଯାଇି ଟିକେ ଆଶ୍ୱସନା ଦେଇ ନାହାନ୍ତି । ଏହା ସେହି ବର୍ଗର ହତଭାଗ୍ୟ ମଣିଷମାନେ ଅଙ୍ଗେ ନିଭାଉଛନ୍ତି ।
ତେବେ ଦଳ ଓ ସରକାରକୁ ଉଚିତ ପରାମର୍ଶ ଏପରିକି ନେତୃତ୍ୱ ଦେବାର ସାମର୍ଥ୍ୟ ଅନେକ ଦଳୀୟ ବରିଷ୍ଠ ନେତାଙ୍କ ଭିତରେ ରହଛି । ସେମାନେ ବାସ୍ତବରେ ଅଭିଜ୍ଞ, ସଚ୍ଚୋଟ ଓ ଜନପି୍ରୟ । ହେଲେ ପ୍ୟାରୀବାବୁଙ୍କ ପରେ ଯେଉଁମାନେ ଏହି ଦାୟୀତ୍ୱରେ ଅଛନ୍ତି, ସେମାନେ ହିଁ ଦଳକୁ ବୁଡ଼ାଇ ଚାଲିଥିବା ଆଲୋଚନା ହେଉଛି । ଯଦିଓ ନବିନବାବୁଙ୍କର ବ୍ୟକ୍ତିଗତ ଭାବମୂର୍ତି ପାଇଁ ଦଳ ପ୍ରତି ସେଭଳି ଆଂଚ ଆସିନି, ହେଲେ ବର୍ତମାନ ତାଙ୍କର ନିଜ ଦଳ ଉପରେ ନିୟନ୍ତ୍ରଣ ନଥିବା ଦେଖାଯାଉଛି । କ୍ରମେ ତାଙ୍କର ପ୍ରଭାବ କÿମୁଥିବା ବେଳେ ଭାବମୂର୍ତିରେ ଦାଗ ଲାଗୁଛି । ନିର୍ବାଚନ ଫଳ ନେଇ ବିଜେଡ଼ିରେ ଛନକା ପଶିଯାଇଛି । କେଉଁ ମୁହର୍ତରେ କ’ଣ ଘଟିବ, ସମସ୍ତେ ସନ୍ଦିହାନ ରହୁଛନ୍ତି । ଯାହା ହୁଏତ ନବୀନ ବାବୁଙ୍କୁ, ଦଳକୁ ଓ ସରକାରକୁ ବିବ୍ରତ କରିଦେଉଥିବା ଭଳି ଲାଗୁଛି । ବାସ୍ତବରେ ନବିନବାବୁ ଲୋକଙ୍କ ପାଖକୁ ଯାଇ ନାହାଁନ୍ତି । ଲୋକଙ୍କ ସହ ମିଶି ନାହାଁନ୍ତି । ଲୋକଙ୍କ ଦୁଃଖରେ ଦୁଃଖୀ ହୋଇ ନାହାଁନ୍ତି । ସାଧାରଣ ଓଡ଼ିଆ ମଣିଷ ସହ କଥା ପଦେ ହୋଇ ନାହାଁନ୍ତି । କାହାକୁ ବି ଆଶ୍ୱାସନା ଦେଇ ନାହାଁନ୍ତି । ଅବଶ୍ୟ ତାଙ୍କ ପକ୍ଷରୁ କେତେକ ନେତା ହିଁ ଏସବୁ କରିଛନ୍ତି । ସେଥିପାଇଁ ବୋଧେ ସେ ନିଜର ତଥାକଥିତ ଭାବମୂର୍ତି ଓ ଲୋକପ୍ରିୟତା ଉପରେ ଭରସା କରିପାରୁ ନାହାଁନ୍ତି ଓ ଚିନ୍ତାରେ ପଡ଼ିଛନ୍ତି । ଆଉ ଦଳ ଭିତରୁ ମଧ୍ୟ ତାଙ୍କୁ ଏବେ ସିଧା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ପରିସ୍ଥିତିରେ ରାଜ୍ୟ ରାଜନୈତିକ ଅବସ୍ଥା ବିଶେଷକରି ବିଜେଡ଼ିର ଭବିଷ୍ୟତ କ’ଣ ହେବ, ନିର୍ବାଚନ ଫଳରୁ ହିଁ ସ୍ପଷ୍ଟ ହୋଇଯିବ । ଶରତ କୁମାର ରାଉତ

Leave a Reply

Your email address will not be published.