ଜାତୀୟ ରାଜନୀତି ମଂଚକୁ ଉଠିଗଲେଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ଭୁବନେଶ୍ୱର, (ଓଏନ୍ଏସ୍): ଉନ୍ନୟନ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ତଥା ଦକ୍ଷତା ବିକାଶ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଶ୍ରୀ ପ୍ରଧାନ କେତେ ଜଡ଼ିତ ଅଛନ୍ତି ବା ଜଣେ ମନ୍ତ୍ରୀ ହିସାବରେ ତାଙ୍କର କାର୍ଯ୍ୟକଳାପ ସଂପର୍କରେ ଆଲୋଚନାର ଆବଶ୍ୟକତା ରହିଛି । ୨୦୦୦ ମସିହାରେ ଧର୍ମେନ୍ଦ୍ର ବାବୁ ବିଜେପି ଟିକଟରେ ପାଲଲହଡ଼ା ବିଧାନସଭା ଆସନରୁ ଓଡ଼ିଶା ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ସେ ବିଜେପି ଟିକଟରେ ଦେବଗଡ଼ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ବିଭିନ୍ନ ସଂସଦୀୟ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଥିଲେ । ୨୦୧୨ରେ ସେ ବିହାରରୁ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ତାଳଚେର କଲେଜରେ ସେ ପଢିଲାବେଳେ ଏବିଭିପିରେ ଯୋଗ ଦେଇଥିଲେ । ୧୯୮୫ରେ ସେ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିୀତ ହୋଇଥିଲେ । ୧୯୯୫ରେ ସେ ଏବିଭିପିର ଜାତୀୟ ସଂପାଦକ ହୋଇଥିଲା ବେଳେ ୧୯୯୮ରେ ବିଜେପିରେ ଯୋଗ ଦେଇଥିଲେ । ୨୦୦୬ରେ ସେ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ହୋଇଥିଲେ । ୨୦୦୭ରୁ ୨୦୧୦ ମଧ୍ୟରେ ସେ ବିଜେପି ଜାତୀୟ ସଂପାଦକ ଓ ୨୦୧୦ରୁ ସେ ଅଖିଳ ଭାରତୀୟ ବିଜେପିର ସାଧାରଣ ସଂପାଦକ ଥିଲେ । ୨୦୦୪ରୁ ସେ କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ଉତରାଖଣ୍ଡ, ତି୍ରପୁରା, ଛତିଶଗଡ଼ ଭଳି ରାଜ୍ୟର ଦଳୀୟ ପ୍ରଭାରୀ ଭାବେ ନିଯୁକ୍ତି ପାଇ ବେଶ୍ ସଫଳତାର ସହ ଦାୟିତ୍ୱ ତୁଲାଇ ଆସିଛନ୍ତି ।
 ଇତି ମଧ୍ୟରେ ଧର୍ମେନ୍ଦ୍ର ବାବୁ ନିଜର ନିଷ୍ଠାପର ଉଦ୍ୟମରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟରେ ବ୍ୟାପକ ସଂସ୍କାର ଆଣିବାରେ ସକ୍ଷମ ହୋଇ ପାରିଛନ୍ତି । ତାଙ୍କର ନିଷ୍ଠାପର ଉଦ୍ୟମରେ ଭାରତର ପ୍ରଥମ ପାଇଲଟ୍ ପ୍ରୋଗ୍ରାମ ପ୍ରାକୃତିକ ଗ୍ୟାସ୍ରେ ଦୁଇ ଚକିଆ ଯାନ ଚାଲିବାର ଶୁଭାରମ୍ଭ ହୋଇ ଯାଇଛି । ତାଙ୍କ ଉଦ୍ୟମରେ ୨୦୧୪ ଅକ୍ଟୋବାରରେ ଡ଼ିଜେଲ୍ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହୋଇଥିଲା । ଯଦ୍ୱାରା ପେଟ୍ରାଲିୟମ୍ ସାମଗ୍ରୀର ମୂଲ୍ୟ ଢେର ହ୍ରାସ ପାଇଥିଲା । ପହଲ ଯୋଜନାରେ ପ୍ରାୟ ୪୦ଲକ୍ଷ ଗ୍ରାହକ ଉପକୃତ ହୋଇଛନ୍ତି । ୪ଲକ୍ଷରୁ ଉଦ୍ଧ୍ୱର୍ ଏଲ୍ପିଜି ଗ୍ରାହକ ସବ୍ସିଡ଼ି ଛାଡ଼ିଛନ୍ତି । ହାଇଡ଼୍ରୋକାର୍ବନ କ୍ଷେତ୍ରରେ ମଧ୍ୟ ବିରାଟ ପରିବର୍ତନ ହୋଇଛି । ପୂର୍ବାପେକ୍ଷା ବଜେଟ୍ ପରିମାଣରେ ହ୍ରାସ ପାଇଛି । ଦେଶରେ ୧୫ ହଜାର କିମି ଗ୍ୟାସ୍ ପାଇପ ଲାଇନ୍ ଅଛି । ଆସନ୍ତା ୫ ବର୍ଷ ଭିତରେ ଆଉ ୧୫ ହଜାର କିମି ପାଇପ ଲାଇନ୍ ସଂଯୋଗ ହେବ ଓ ୨୫ ହଜାର କିମି ପାଇପ ଲାଇନ୍ ପାଇଁ ଯୋଜନା ଚାଲିଛି । ସେହିପରି ୧୦ହଜାର ମେଗାୱାଟ୍ ଗ୍ୟାସ୍ ଭିତିକ ସାର କାରଖାନା ଓ ଗ୍ୟାସ୍ ଭିତିକ ପାୱାର ପ୍ଲାଂଟ ସ୍ଥାପନ ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ ଦେଇ ସାରିଛନ୍ତି । ତେବେ ଗରିବ ପରିବାରକୁ ଗ୍ୟାସ୍ ସଂଯୋଗ ଯୋଗାଇ ଦେବା ସହ ପେଟ୍ରୋଲ୍ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଭାରତକୁ ବିଶ୍ୱର ୧ ନମ୍ବର ଦେଶ ଭାବେ ଗଢି ତୋଳିବାର ଲକ୍ଷ୍ୟରେ ଅଛନ୍ତି ଧର୍ମେନ୍ଦ୍ର ବାବୁ । ଓଡ଼ିଶା ବିଧାନସଭା ଓ ସଂସଦ ଅଧିବେଶନରେ ଧର୍ମେନ୍ଦ୍ର ବାବୁଙ୍କର କାର୍ଯ୍ୟଶୈଳୀ ତଥା ଲୋକାଭିମୁଖୀ କାର୍ଯ୍ୟ ସ୍ମରଣନୀୟ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ଧର୍ମେନ୍ଦ୍ର ବାବୁଙ୍କ କାର୍ଯ୍ୟ ଶୈଳୀରେ ଘୋର ପରିବର୍ତନ ଦେଖା ଦେଇଛି । ସାଧାରଣ ମଣିଷର ଉନ୍ନତିର ଚାବିକାଠି ସେ ହୁଏତ ପାଇ ଯାଇଛନ୍ତି । କେନ୍ଦ୍ର ମନ୍ତ୍ରୀତ୍ୱ ପରେ ସେ ଯେମିତି ନିଜ ବିଭାଗକୁ ନିଜର ପ୍ରଚଣ୍ଡ ରାଜନୀତିକ ଜ୍ଞାନ ବଳରେ ସଜାଡ଼ି ଦ୍ରୂତ ବିକାଶ ପଥରେ ଆଗେଇ ନେଉଛନ୍ତି, ସେପରି ସାଧାରଣ ଲୋକଙ୍କର ବିକାଶର ଫର୍ମୂଲା ସେ ଜାଣି ନେବା ଭଳି ମନେ ହେଉଛି । ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ସଂପର୍କରେ ଧର୍ମେନ୍ଦ୍ର ବାବୁଙ୍କ ପ୍ରତିବାଦ ତଥା ଓଡ଼ିଶାବାସୀଙ୍କ ଉନ୍ନତିର କଥା କହିବା ବିଜେଡ଼ି ପାଇଁ କାଳ ହୋଇଛି । ସହଜେ ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଧର୍ମେନ୍ଦ୍ର ବାବୁଙ୍କୁ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ରୂପେ ଭାବି ନେଲେଣି । ଧର୍ମେନ୍ଦ୍ର ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ ଓଡ଼ିଶା ନୁହେଁ, ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏପରିକି ଜଣେ ଅଭିଜ୍ଞ ସାଂସଦ ଭାବେ ତାଙ୍କର ରାଜନୀତିକ ଓ ସଂସଦୀୟ କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ଜାତୀୟ ରାଜନୀତି ମଂଚରେ ଛିଡ଼ା କରି ଦେଲାଣି । ତୃଣମୂଳ ସ୍ତରରୁ ଲୋକଙ୍କ ସେବା କରି ଆସିଥିବା ଧର୍ମେନ୍ଦ୍ର ବାବୁ ଜଣେ ଉଚ୍ଚକୋଟୀର ରାଜନୀତିଜ୍ଞ । ହୁଏତ ଆଜି ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ସୁପରିଚିତ ଅଳ୍ପ କେତେଜଣ ଓଡ଼ିଆଙ୍କ ଭିତରେ ଧର୍ମେନ୍ଦ୍ର ବାବୁ ଅନ୍ୟତମ । ଏହାର କାରଣ ହେଲା, ସ୍ୱାଧୀନତା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ବା ରାଜନୀତିକ ଦଳ ଓଡ଼ିଶାର ନେତା ମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେଇନାହାନ୍ତି । ମାତ୍ର କର୍ମନିଷ୍ଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଣକୁ ଚିହ୍ନି ସମସ୍ତଙ୍କୁ ଆଗକୁ ବଢିବାର ସୁଯୋଗ ଦେଉଛନ୍ତି । ଆଉ ଧର୍ମେନ୍ଦ୍ର ବାବୁ ଆଗକୁ ମାଡ଼ି ଚାଲି ଲୋକପି୍ରୟତାର ଶୀର୍ଷରେ ପହଂଚି ଯାଇଛନ୍ତି । ଧର୍ମେନ୍ଦ୍ର ବାବୁଙ୍କର ଉନ୍ନତ ଚିନ୍ତାଧାରା ତଥା ରାଜ୍ୟ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ଚେତେଇବା ଆଦି ଗୁଣ ବିକଶିତ ଓଡ଼ିଶା ଗଠନର ସଙ୍କେତ ଦେଉଛି । ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି ଓ ବିଭିନ୍ନ ରାଜ୍ୟ ପ୍ରଭାରୀ ଭାବେ ନିଜ ନେତୃତ୍ୱର ପରାକାଷ୍ଠା ଯୋଗୁ ସେ ଆଜି ଓଡ଼ିଶାର ନେତୃତ୍ୱ ପାଇଁ ଯୋଗ୍ୟ ହୋଇ ପାରିଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଓଏନ୍ଏସ୍ ।

Leave a Reply

Your email address will not be published.