ମାନବ ଇତିହାସରେ ବିଶ୍ୱାସଘାତକତାର କାହାଣୀ

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ ରୂପେ ବର୍ଣ୍ଣନା କରାଯାଇଛି । ସଂସାରର ସର୍ବୋତମ ସୃଷ୍ଟି ହୋଇ ମଧ୍ୟ କାଳେ କାଳେ ମଣିଷ ହୃଦୟରେ ଲୋଭ, ହିଂସା, ମୋହ, ଇର୍ଷା ବସା ବାନ୍ଧି ହୋଇ ରହିଛି । ବିଶ୍ୱାସରେ ବିଷ ମିଶାଇବା ମଣିଷ ଜାତିର ଆଦିମ ପ୍ରବୃତି । ଏହି ବିଷରୁ ଭାଇ, ବନ୍ଧୁ, ସ୍ୱାମୀ-ସ୍ତ୍ରୀ, ବାପ-ପୁଅ କେହି ବାଦ୍ ପଡ଼ି ନାହାନ୍ତି । ଇତିହାସର ଗତି ପଥରେ ଅସଂଖ୍ୟ ବିଶ୍ୱାସଘାତକତାର କାହାଣୀ ଦୃଷ୍ଟିରେ ପଡ଼େ । ସେହି କାହାଣୀ ଗୁଡ଼ିକ ମଧ୍ୟରୁ ନିଜର ପି୍ରୟ ବନ୍ଧୁଙ୍କ ଦ୍ୱାରା ରୋମ ସମ୍ରାଟ ଜୁଲିୟସ୍ ସିଜର୍ଙ୍କର ହତ୍ୟାକାଣ୍ଡ ଓ ନିଜର ଜଣେ ପି୍ରୟ ଶିଷ୍ୟ ଯୁଦାସଙ୍କ ଦ୍ୱାରା ତ୍ରାଣକର୍ତା ଯୀଶୁଖ୍ରୀଷ୍ଟ କ୍ରୂଶରେ ନିହତ ହେବା ଘଟଣା ସବୁଠୁ ଜଘଣ୍ୟ ବଡ଼ ବିଶ୍ୱାସଘାତକତା ଭାବେ ସବୁଦିନ ପାଇଁ ମାନବ ଇତିହାସରେ ଳିପିବଦ୍ଧ ହୋଇ ରହିଛି ।
ଜୁଲିୟସ୍ ସିଜର ହେଉଛନ୍ତି ବିଶାଳ ରୋମ୍ ସାମ୍ରାଜ୍ୟର ପ୍ରତିଷ୍ଠାତା । ରୋମ୍ର ଅନ୍ୟତମ ସେନାପତି ଭାବେ ସେ ବିଦ୍ରୋହ ଦମନ ସଙ୍ଗେ ସଙ୍ଗେ ରୋମ ସାମ୍ରାଜ୍ୟର ସୀମାକୁ ବହୁଦୂର ବଢାଇଥିଲେ । ତାଙ୍କର ଲୋକପି୍ରୟତା ଦ୍ରୂତ ଗତିରେ ବୃଦ୍ଧି ପାଇଲା । ରୋମର ସିନେଟ୍ ତାଙ୍କୁ ସେନାପତିରୁ ଅନ୍ୟତମ କନ୍ସଲ୍ ରୂପେ ନିଯୁକ୍ତି ଦେଲେ । ପରେ ସେ ନିଜକୁ ରୋମ୍ର ସମ୍ରାଟ ଭାବେ ଘୋଷଣା କରି ସବୁ କ୍ଷମତା ଅକ୍ତିଆର କଲେ । ରୋମ୍ରେ ସେତେବେଳେ ଗଣତନ୍ତ୍ର ଚାଲୁଥିଲା । ଶାସନ ଚାଲିବାକୁ ଏକ ସିନେଟ୍ ବା ପ୍ରତିନିଧି ସଭା ଥିଲା । ସିଜର କାଳେ ଏକଛତ୍ରବାଦୀ ହୋଇଯିବେ, ସେଥିପାଇଁ ସିନେଟ ର ସଭ୍ୟ ମାନେ ଭୟଭୀତ ହୋଇ ସିଜରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲେ । ଏହି ଷଡ଼ଯନ୍ତ୍ର ପଛରେ ଥିଲେ ସିଜରଙ୍କର ଜଣେ ପି୍ରୟ ବନ୍ଧୁ ବ୍ରୁଟସ୍ । ଛଳନା କରାଯାଇ ସିଜରଙ୍କୁ ସିନେଟ୍ ଗୃହକୁ ଡ଼କାଗଲା । ଅମଙ୍ଗଳ ଆଶଙ୍କା କରି ସିଜରଙ୍କ ସ୍ତ୍ରୀ ତାଙ୍କୁ ମନା କଲେ ମଧ୍ୟ ଡ଼କାଇଥିବା ବନ୍ଧୁ ବ୍ରୁଟସ୍ଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା । ସେ ସିନେଟ୍ ଗୃହକୁ ଗଲେ । ସେଠାରେ ସିନେଟ୍ ସଦସ୍ୟ ମାନେ ତାଙ୍କୁ ଘେରି ଯାଇ ଅତର୍କିତ ଆକ୍ରମଣ କଲେ । ମହାବୀର ସିଜର ମଧ୍ୟ ବୀରତ୍ୱର ସହ ଲଢେଇ କଲେ । ହଠାତ୍ ତାଙ୍କର ପି୍ରୟ ବନ୍ଧୁ ବ୍ରୁଟସ୍ ତାଙ୍କୁ ପଛରୁ ଛୁରୀକାଘାତ କରିବାରୁ ସିଜର ଅସ୍ତ୍ର ତ୍ୟାଗ କଲେ ଓ ତାଙ୍କ ମୁହଁରୁ କୋହଭରା କଣ୍ଠରେ ବାହାରି ପଡ଼ିଲା, ‘ଓଃ ବ୍ରୁଟସ୍, ଇୟୁ ଅଲ୍ସୋ!’ ଏତିକିବେଳେ ଶତ୍ରୁ ମାନେ ତାଙ୍କୁ ନିହତ କଲେ । ବ୍ରୁଟସ୍ ଙ୍କର ଏହି ଅମାନବୀୟ ବିଶ୍ୱାସଘାତକତା ଯୋଗୁ ମାନବ ଇତିହାସରେ ବ୍ରୁଟାଲ୍ ଶବ୍ଦର ସୃଷ୍ଟି ହେଲା ।
ତ୍ରାଣକର୍ତା ଯୀଶୁଙ୍କୁ ନିଜର ଶିଷ୍ୟ ଯୁଦାସ୍ ଙ୍କର ବିଶ୍ୱାସଘାତକତା ଯୋଗୁ ବନ୍ଦୀ କରାଯାଇଥିଲା । ପରେ ଶତ୍ରୁମାନେ ତାଙ୍କୁ କୁ୍ରଶବିଦ୍ଧ କରି ହତ୍ୟା କରିଥିଲେ । ଏହି ଜଘଣ୍ୟ ହତ୍ୟା କାହାଣୀ ବାଇବେଲ୍ରେ ବର୍ଣ୍ଣିତ ଅଛି । ନିଜକୁ ଈଶ୍ୱରଙ୍କର ପି୍ରୟ ପୁତ୍ର ବୋଲି ଦାବି କରୁଥିବା ଯୀଶୁ ଯେତେବେଳେ ଇସ୍ରାଏଲ୍ ରେ ରହୁଥିବା ଇହୁଦୀ ମାନଙ୍କ ମଧ୍ୟରେ ପ୍ରଚଳିତ ବଳି ପ୍ରଥା, ପିତୁଳା ପୂଜା ଓ ଅନ୍ୟାନ୍ୟ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତୋଳନ କଲେ, ସେ ଅନେକଙ୍କର ଶତ୍ରୁ ହୋଇଗଲେ । ଯୀଶୁ ଦାବି କଲେ, ଈଶ୍ୱର ଏକ ଓ ଅଭିନ୍ନ । ମଣିଷ ନିଜର ପାପ ପାଇଁ ଅନୁତାପ କରିବା ଉଚିତ । ତାଙ୍କର ଅଲୌକିକ ଶକ୍ତି ବଳରେ ମୃତ ଲୋକେ ଜୀବିତ ହେଲେ । ଅନ୍ଧ ଚକ୍ଷୁ ଫେରି ପାଇଲେ । ପଙ୍ଗୁ ଚଳପ୍ରଚଳ ହେଲେ ଓ ମଣିଷ ଭିତରେ ଥିବା ଭୂତପ୍ରେତ ମାନେ ଯୀଶୁଙ୍କ ଆଦେଶରେ ବାହାରକୁ ଚାଲିଗଲେ । ଯୀଶୁଙ୍କ ବାଣୀରେ ପ୍ରଭାବିତ ହୋଇ ହଜାର ହଜାର ଲୋକେ ତାଙ୍କର ଶିଷ୍ୟ ହୋଇଗଲେ । ଭକ୍ତଙ୍କ ଗହଣରେ ଇହୁଦୀ ମାନଙ୍କ ମୁଖ୍ୟ ପୂଜାପୀଠ ଜେରୁଜେଲମ୍ ସହରରେ ଯୀଶୁ ପ୍ରବେଶ କଲେ । ମନ୍ଦିରକୁ ଯାଇ ପୂଜକ ମାନଙ୍କୁ ଘଉଡ଼ାଇ ଦେଲେ । ମନ୍ଦିରରେ ଅର୍ଥ ଆଦାୟ କରୁଥିବା କର୍ମଚାରୀଙ୍କ ବାକ୍ସକୁ ଫିଙ୍ଗିଦେଲେ । କହିଲେ, ‘ମନ୍ଦିର କେବଳ ଉପାସନା ପାଇଁ ଉଦ୍ଦିଷ୍ଟ ।’ ପୂଜକମାନେ ପ୍ରକାଶ୍ୟରେ ଯୀଶୁଙ୍କୁ ବାଧା ନଦେଲେ ମଧ୍ୟ ତାଙ୍କୁ ମାରିବାକୁ ଭିତିରିଆ ଷଡ଼ଯନ୍ତ୍ର ଆରମ୍ଭ କଲେ । ତାଙ୍କର ୧୨ ଜଣ ଶିଷ୍ୟଙ୍କ ମଧ୍ୟରୁ ଯୁଦାସ୍ ଏହି ଚକ୍ରାନ୍ତରେ ସାମିଲ୍ ହେଲେ । ତିରିଶଟି ରୌପ୍ୟମୁଦ୍ରା ବଦଳରେ ଯୀଶୁଙ୍କୁ ଧରାଇ ଦେବେ ବୋଲି ସେ ପ୍ରତିଶ୍ରୂତି ଦେଲେ ।
ଏଣେ ଯୀଶୁ ମନ୍ଦିରରୁ ଜଣଙ୍କ ଘରକୁ ଯାଇ ଖାଦ୍ୟ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ । ବାଇବେଲ୍ରେ ଏହା ଲାଷ୍ଟ ସୁପର ବା ଶେଷ ରାତ୍ରୀ ବୋଲି ବର୍ଣ୍ଣିତ ହୋଇଛି । ସେ ୧୨ ଜଣ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ । ତାଙ୍କ ମୁହଁରେ ଦୁଃଖର ଛାୟା ଥିଲା । ଶିଷ୍ୟମାନଙ୍କୁ ନିଜ ହାତରେ ରୁଟି ଓ ସୁପ୍ ଖାଇବାକୁ ଦେଲେ । ନିଜର ଏହା ଶେଷ ରାତ୍ରୀ ଭୋଜନ ଓ ଏହା ପରେ ସେ ସ୍ୱର୍ଗରେ ଆହାର କରିବେ ବୋଲି ଶିଷ୍ୟ ମାନଙ୍କୁ କହିଲେ । କାହିଁକି କେଜାଣି ରାତିର ଶେଷ ପ୍ରହରରେ ତୁମ ମାନଙ୍କ ମଧ୍ୟରୁ ଜଣେ ମତେ ଶତ୍ରୂ ମାନଙ୍କ ହାତରେ ସମର୍ପି ଦେବ(!) ବୋଲି ମଧ୍ୟ କହିଲେ । ଏକଥା ଶୁଣି ସମସ୍ତେ ଚମକି ଉଠିଲେ । ସମସ୍ତେ ପରସ୍ପରକୁ ଚାହିଁ କହିଲେ, ‘ଇଜ୍ ଇଟ୍ ଆଇ?’ନୈଶ୍ୟ ଭୋଜନ ସାରି ଯୀଶୁ ୩ଜଣ ଶିଷ୍ୟଙ୍କ ସହିତ ମାଉଣ୍ଟ ଅଲିଭ ଉପରକୁ ଗଲେ । ସେଠାରେ ସେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ । ଏଣେ ଶିଷ୍ୟମାନେ ଶୋଇ ପଡ଼ିଲେ । ଏତିକିବେଳେ ତାଙ୍କର ପି୍ରୟ ଶିଷ୍ୟ ପିଟର କହିଲେ, ‘ମୁଁ ପ୍ରତିଜ୍ଞା କରି କହୁଛି, ମରିବି ପଛେ, ଏଭଳି କିଛି ହେବାକୁ ଦେବିନି!’ ଯୀଶୁ ତାଙ୍କୁ କହିଲେ, ‘କାଲି ସକାଳେ କୁକୁଡ଼ା ରାବିବା ଆଗରୁ ତୁମେ ମତେ ଚିହ୍ନିନା ବୋଲି ଚିଲେଇ ଚିଲେଇ ତିନିଥର କହିବ…….’ ଏତିକି କହିବା ଭିତରେ ଶିଷ୍ୟ ଯୁଦାସ୍ ଶତ୍ରୂ ମାନଙ୍କ ସହ ସେଠାରେ ପହଂଚିଗଲେ । ‘ମାଇଁ ଲର୍ଡ଼’କହି ଯୀଶୁଙ୍କୁ କୁଣ୍ଢାଇ ତାଙ୍କର ପାଦ ତଳେ ପଡ଼ିଗଲେ । ଏହା ଦ୍ୱାରା ଶତ୍ରୂ ମାନେ ଯୀଶୁଙ୍କୁ ଚିହ୍ନି ତାଙ୍କୁ ବାନ୍ଧି ପକାଇଲେ । ଜେରୁଜେଲମ୍ର ଶାସନକର୍ତା ପେଲେଟ୍ଙ୍କ ପାଖକୁ ନେଇଗଲେ ଓ ଲୋକମାନଙ୍କୁ ଯୀଶୁଙ୍କ ବିରୁଦ୍ଧରେ ତତାଇଦେଲେ । ପେଲେଟ୍ ନିଜ ଇଚ୍ଛା ବିରୁଦ୍ଧରେ ଯୀଶୁଙ୍କୁ ଶତ୍ରୂ ମାନଙ୍କ ହାତରେ ସମର୍ପି ଦେଲେ । ଶତ୍ରୂ ମାନେ ଯୀଶୁଙ୍କୁ ନାନା ନିର୍ଯ୍ୟାତନା ଦେଇ ବଧ ଭୂମିକୁ ନେଇଗଲେ । ତାଙ୍କ ମୁଣ୍ଡରେ ଗୋଟିଏ କଂଟାର ମୁକୁଟ ପିନ୍ଧାଇ ଦେଲେ । ଈଶ୍ୱରଙ୍କୁ ଡ଼ାକି ନିଜକୁ ରକ୍ଷା କରନ୍ତୁ ବୋଲି ଥଟ୍ଟା କଲେ । ଶେଷରେ ଦୁଇଜଣ ଚୋରଙ୍କ ସହିତ ଯୀଶୁଙ୍କୁ କ୍ରୂଶବିଦ୍ଧ କରି ହତ୍ୟା କଲେ । ଯୀଶୁଙ୍କୁ କ୍ରୂଶବିଦ୍ଧ ଦିନ ଅନେକ ଆଶ୍ଚର୍ଯ୍ୟ ଘଟଣା ମାନ ଘଟିଲା । ପ୍ରବଳ ପବନରେ ଇହୁଦୀ ମାନଙ୍କ ମନ୍ଦିର ଭାଙ୍ଗିଗଲା । ପାହାଡ଼ ଫାଟି ଖଣ୍ଡଖଣ୍ଡ ହୋଇଗଲା । ଅନେକ ମହାପୁରୁଷ କବରରୁ ବାହାରି ଦେଖାଦେଲେ । ଯୀଶୁଙ୍କ ଶବ ମଧ୍ୟ ଜୀବନ୍ତ ହୋଇ ସ୍ୱର୍ଗଧାମ ଯାତ୍ରା କଲା ଓ ଓ ଈଶ୍ୱରଙ୍କର ଡ଼ାହାଣ କଡ଼ରେ ଯୀଶୁ ବସିଲେ । କ୍ରୂଶବିଦ୍ଧର ତିନିଦିନ ପରେ ଗାଲିଲି ପାହାଡ଼ରେ ସେ ନିଜର ଶିଷ୍ୟ ମାନଙ୍କୁ ଦେଖା ଦେଇ ସାରା ବିଶ୍ୱକୁ ଚମକ୍ରୃତ କରିଦେଲେ ଓ ଈଶ୍ୱରଙ୍କର ରାଜ୍ୟ ନିଶ୍ଚୟ ଆସିବ ବୋଲି ଆଶ୍ୱସନା ଦେଇ ଚାଲିଗଲେ । ନିଜର କାର୍ଯ୍ୟ ପାଇଁ ଅନୁତପ୍ତ ଯୁଦାସ୍ ନେଇଥିବା ଅର୍ଥକୁ ଫେରସ୍ତ କରିଦେଲେ ଓ ଆତ୍ମହତ୍ୟା କରି ନିଜ ପାପର ପ୍ରାଶ୍ଚିତ କଲେ । ସେହିପରି ସିଜରଙ୍କୁ ହତ୍ୟା କରିଥିବା ବ୍ରୁଟସ୍ ମଧ୍ୟ ଅଳ୍ପଦିନ ପରେ ସିଜରଙ୍କ ଅନୁଗାମୀ ହାତରେ ନିହତ ହେଲେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଉମରକୋଟ, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.