ମହାନଦୀ ମୁହାଣ ହେନ୍ତାଳ ବଣର ଅତୀତ ଓ ବର୍ତମାନ

ହେମନ୍ତ କୁମାର ରାଉତ
ସତୁରି ଦଶକରେ ମହାନଦୀ ମୁହାଣରେ ୨୦୦ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ଥିବା ସ୍ଥଳେ ପରବର୍ତି ସମୟରେ ସେଥିରୁ ମାତ୍ର ୫୦ ବର୍ଗ କିଲୋମିଟର ପତିତ ଅବସ୍ଥାରେ ପହଂଚିଲା । ଏହା ଆୟତନରେ ଭିତରକନିକା ଠାରୁ ବିସ୍ତୃତ ଥିଲା । ମହାନଦୀର ପଟୁମାଟିରେ ପରିପୃଷ୍ଟ ବିଶାଳ ହେନ୍ତାଳ ବଣ ଚତୁର୍ଦ୍ଦିଗକୁ ବ୍ୟାପି ଯାଇଥିଲା । ଏହାର ଜୈବ ବିବିଧତା ଭିତରକନିକା ଠାରୁ ଆହୁରି ସମୃଦ୍ଧଶାଳୀ ଓ ଆକର୍ଷଣୀୟ ଥିଲା । ଏହା ପ୍ରକୃତିରେ ସୁରକ୍ଷିତ ହୋଇ ରହି ପାରିଲା ନାହିଁ । ଯାହା ଆଜି ଭିତରକନିକା ପରି ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ହୋଇ ଏକ ସୁନ୍ଦର ଅଭୟାରଣ୍ୟ ଭାବରେ ବିଶ୍ୱ ସ୍ତରରେ ଖ୍ୟାତିଲାଭ କରିଥାନ୍ତା । ଅତୀତରେ ଏହି ହେନ୍ତାଳ ବଣ କୁଜଙ୍ଗ ଷଣ୍ଢ ରାଜାଙ୍କ ଅଧୀନରେ ଥିଲା । ସୂର୍ଯ୍ୟାସ୍ତ ନିୟମରେ ବର୍ଦ୍ଧମାନ ରାଜାଙ୍କ ପରେ ପରେ ଏହା ରାଜ୍ୟ ସରକାରଙ୍କ ଅଧୀନକୁ ଚାଲି ଆସିଲା । ଏହାର ଭୂଭାଗ ପ୍ରଚୁର ଉର୍ବର ଥିବାରୁ ଏହି ହେନ୍ତାଳ ବଣ ଉପରେ ଅତ୍ୟାଚାର ଆରମ୍ଭ ହେଲା । ବଙ୍ଗୀୟ ଅନୁପ୍ରବେଶକାରୀ ଓ ଶରଣାର୍ଥୀ ମାନେ ହଜାର ହଜାର ଏକର ଘଂଚ ଜଙ୍ଗଲକୁ କାଟି କନ୍ଦାଚାଷ ଓ ପାହିଚାଷ କରିବାକୁ ଲାଗି ପଡ଼ିଲେ ।
ଜମିଦାରଙ୍କ ଶାସନ କାଳରେ ମଧ୍ୟ ଶୃଙ୍ଖଳିତ ଭାବେ ଜଙ୍ଗଲ ପରିଚାଳନା କରା ଯାଇନଥିଲା । ଗଛ କାଟିବାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିଲେ ମଧ୍ୟ ଲୋକେ ପ୍ରଚୁର ପରିମାଣର ବନୀ ଓ ସୁନ୍ଦରୀ ଗଛ କାଟି ସଫା କରିବାକୁ ଲାଗିଲେ । କ୍ରମାଗତ ଭାବେ ଜଙ୍ଗଲ ଉପରେ ଅତ୍ୟାଚାର ବର୍ଷ ବର୍ଷ ଧରି ଲାଗି ରହିଥିଲା । ସତୁରୀ-ଅଶୀ ଦଶକରେ ବ୍ୟାପକ ଲୁଣା ଜଙ୍ଗଲ କାଟି ଚିଙ୍ଗୁଡ଼ି ଘେରୀ କରାଗଲା । ତକ୍ରାଳୀନ ରାଜ୍ୟ ସରକାର ଏହାକୁ ଉଚ୍ଛେଦ କରିବାକୁ ଚେଷ୍ଟା କଲେ ମଧ୍ୟ ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣି ସେମାନେ ବାରମ୍ବାର ସ୍ଥଗିତ କରିବାକୁ ଲାଗିଲେ ।
୧୯୫୬ରେ ହୁକିଟେଲା, ବତୀଘର, ଯୋଗୀ ଧାନକୁଦ, ଖରନାସୀ ଅଂଚଳକୁ ରକ୍ଷିତ ଜଙ୍ଗଲ ଭାବରେ ଗ୍ରହଣ କରାଯାଇଥିଲା ବେଳେ ୧୯୭୯ରେ ହୁକିଟେଲା, ଭିତର ଖରନାସୀ(୨) ଓ କଂଟିଲୋ ରିଜର୍ଭ ଜଙ୍ଗଲ ଓ ପ୍ରସ୍ତାବିତ ରିଜର୍ଭ ଜଙ୍ଗଲ ଭାବରେ କଂସାରଡ଼ିଆ, ହେଟାମୁଣ୍ଡି, ସରଳିକୁଦ ଆଦି ଜଙ୍ଗଲ ଗୁଡ଼ିକୁ ଗ୍ରହଣ କରାଗଲା । ନଦୀନାଳ ବେଷ୍ଟିତ ଏହି ବିଶାଳ ହେନ୍ତାଳ ଜଙ୍ଗଲର ସୌଭାଗ୍ୟ ୨୦୦୬ରୁ ଆରମ୍ଭ ହେଲା । ଦକ୍ଷିଣରୁ ମୂଷାଡ଼ିଆ ଓ ମଝିଡ଼ିଆ ଠାରୁ ଉତରରେ ଶାସନ ପେଟା ପର୍ଯ୍ୟନ୍ତ ପୁଣି ଜଙ୍ଗଲ ବିଭାଗ ତାକୁ ସଜେଇ ଦେଲା । ହେଟାମୁଣ୍ଡିଆ, କାବୁଲପୁର, ବଗଡ଼ିଆ, କପାସୀ, କୁବେରଭଣ୍ଡାର, ବତୀଘର, ଶାସନ ପେଟା ଆଦି ସ୍ଥାନରେ ଶହ ଶହ ହେନ୍ତାଳ ସୃଷ୍ଟି କରାଗଲା । ପୁଣି ମହାନଦୀ ମୁହାଣ ସଜେଇ ହେଲା ନୀଳ ସବୁଜ ବନାନୀରେ । ଏବେ ମଧ୍ୟ ସୁଦୀର୍ଘ ଘଂଚ ଜଙ୍ଗଲ, ବତୀଘର, ଜଗରିଜୋର, ଶାସନ ପେଟା ଆଦି ସ୍ଥାନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରେ ।
ବର୍ଷର ବିଭିନ୍ନ ସମୟରେ ସାନଟୁବି, ବଡ଼ଟୁବି, ହେଟାମୁଣ୍ଡିଆ, ବଗଡ଼ିଆ, କାବୁଲପୁର ଘେରି ଓ ବିଶ୍ୱବ୍ୟାଙ୍କ୍ ପୋଖରୀ ମାନଙ୍କରେ ଦେଶୀ-ବିଦେଶୀ ହଜାର ହଜାର ଚଢେଇଙ୍କର ସମାଗମ ହୁଏ । ବରୁଣେଇ ମୁହାଣ ପାଖରେ ଅସଂଖ୍ୟ ଚଢେଇଙ୍କ କଳରବରେ ଏହି ସ୍ଥାନ ଦ୍ୱିତୀୟ ଚିଲିକା ଭଳି ପ୍ରତୀୟମାନ ହୁଏ । ଭିତରକନିକା ପରି ପାପୁଲି ନଈ, ଖରନାସୀ ନାଳ, ଜମ୍ବୁ, କପାସି ନାଳ ଓ ଜଗରିଜୋର ନାଳରେ ଶହ ଶହ କୂମ୍ଭୀର ଦେଖା ଯାଆନ୍ତି । ଭିତରକନିକା ପରି ଏଠାରେ ମଧ୍ୟ ଅହିରାଜ ଓ ଅଜଗର ସମେତ ଅଗଣିତ ହରିଣ, ବାର୍ହା, ମାଙ୍କଡ଼, କୋକିଶିଆଳି, ଝିଙ୍କ ଆଦି ପ୍ରାଣୀ ମାନେ ପ୍ରଚୁର ଦେଖା ଯାଆନ୍ତି ।
ସୁନାମୀ ଓ ମହାବାତ୍ୟାକୁ ପ୍ରତିହତ କରିବାକୁ ମହାକାଳପଡ଼ା ସମେତ ଉପକୂଳ ଅଂଚଳକୁ ରକ୍ଷା କରିବାକୁ ହେନ୍ତାଳ ବଣର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ଦୁଃଖର କଥା, ମହାନଦୀ ମୁହାଣ ହେନ୍ତାଳ ଜଙ୍ଗଲ ମଧ୍ୟରେ ବିଶ୍ୱବ୍ୟାଙ୍କ୍ ପଇସାରେ ନିର୍ମାଣ କରାଯାଉଥିବା ଚିଙ୍ଗୁଡ଼ି ଘେରୀକୁ ପୁନଶ୍ଚ ଘରୋଇ କମ୍ପାନୀଙ୍କୁ ଚିଙ୍ଗୁଡ଼ି ଚାଷ ପାଇଁ ସରକାର ଚୁକ୍ତିବଦ୍ଧ । ଏଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହେନ୍ତାଳ ଜଙ୍ଗଲ ସୃଷ୍ଟି କରାଯାଇଛି । ହରିଣ ଓ ବାର୍ହା ମାନଙ୍କ ମୁହଁରୁ ରକ୍ଷା ପାଇଁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ତାରବାଡ଼ ନିର୍ମାଣ କରାଯାଇଛି । ଗହୀରମଥା ରେଂଜ ଅଫିସ୍ ଠାରୁ ଜଗରିଜୋର ପର୍ଯ୍ୟନ୍ତ କମ୍ପାନୀ ଚିଙ୍ଗୁଡ଼ି ଚାଷ କରିବ । ନବେ ଦଶକରେ ମଳିନ ପଡ଼ି ଯାଇଥିବା ଚିଙ୍ଗୁଡ଼ି ଚାଷ ପୁନଃ ଆଗେଇବ । ଚିଙ୍ଗୁଡ଼ି ଚାଷର ଆବର୍ଜ୍ଜନା ଯୁକ୍ତ ବିଷାକ୍ତ ପାଣି ବରୁଣେଇ ଓ ପାପୁଲି ମୁହାଣ ଦେଇ ସମୁଦ୍ରକୁ ଯିବ । କଇଁଛ, କୂମ୍ଭୀର, ଡ଼ଲ୍ଫିନ୍ ଆଦି ସାମୁଦି୍ରକ ଜୀବ ଉପରେ ଏହାର କୁ-ପ୍ରଭାବ ପଡ଼ିବ । ଚିଙ୍ଗୁଡ଼ି ଚାଷରେ ଡ଼ିଡ଼ିଟି, ଏଂଟ୍ରିନ୍, ଆଲଡ଼ି୍ରନ୍, ପୋଟାସିୟମ୍ ଭଳି ବିଷାକ୍ତ ଆଂଟି ବାୟୋଟିକ୍ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯିବ, ଯାହା ସମଗ୍ର ପରିବେଶକୁ ବିଷାକ୍ତ ମୟ ଓ ଭୟଙ୍କର କରିଦେବ ।
ସବୁଠାରୁ ଦୁଃଖର କଥା ହେଉଛି, ଆଗରୁ ତିଆରି ହୋଇଥିବା ଚିଙ୍ଗୁଡ଼ି ଘେରୀ ପୋଖରୀ ମାନଙ୍କରେ ବର୍ଷର ସବୁ ସମୟରେ ହଜାର ହଜାର ଚଢେଇଙ୍କ ସମାଗମ ହୁଏ । କିନ୍ତୁ ଏବେ ସେମାନେ ଆଉ ଆସିବେ ନାହିଁ । ହେନ୍ତାଳ ଜଙ୍ଗଲର ପଶୁପକ୍ଷୀମାନେ ଇତସ୍ତତଃ ହେବେ । ଗାଡ଼ି ମଟରର ଗର୍ଜ୍ଜନ, ଲୋକଙ୍କ କୋଳାହଳ, ପମ୍ପ ମେସିନ୍ର ବିକଟାଳ ଶବ୍ଦରେ ସମସ୍ତେ ଦୂରେଇ ଯିବେ । ପଶୁପକ୍ଷୀ ସମସ୍ତେ ସେ ସ୍ଥାନ ଛାଡ଼ିଦେବେ । ମହାନଦୀ ମୁହାଣ ହେନ୍ତାଳ ଜଙ୍ଗଲ ଦିନେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥାନ୍ତା । କାରଣ ମହାନଦୀର ଉନ୍ନତ ପଟୁମାଟି ହେନ୍ତାଳ ଜଙ୍ଗଲ ପାଇଁ ଉପଯୋଗୀ । କିନ୍ତୁ କ୍ରମାଗତ ଭାବରେ ଶହଶହ ବର୍ଷର ଅତ୍ୟାଚର ତାକୁ ଏ ସୁଯୋଗ ଦେଲା ନାହିଁ । ଅତୀତରେ କୁଜଙ୍ଗ ବଜାରରେ ନାଳିଆ ଦ୍ୱାରା ପ୍ରସ୍ତୁତ ହୋଇ ବିକି୍ର ହେଉଥିବା ବେତ, ଟୋକେଇ, ଚଟ, ମଶିଣା ଆଦି ଦିନେ ଭାରତ ବିଖ୍ୟାତ ଥିଲା । ଏହା ମଧ୍ୟରେ ବତୀଘର, ହୁକଟେଲା, ନାହାକାଣୀ ଓ ରାମଚଣ୍ଡିଙ୍କ ଭଳି ପର୍ଯ୍ୟଟନ ଓ ଶକ୍ତିପୀଠ ମଧ୍ୟ ଅଛି । ଭିତରକନିକା ଭଳି ବିଶ୍ୱ ମଣିଷ ମାନେ ଆକର୍ଷିତ ହୋଇ ଏଠାକୁ ଆସିଥାନ୍ତେ ।
କେନ୍ଦ୍ର ସରକାର ଉପକୂଳବର୍ତି ଜଙ୍ଗଲ ଓ ପଶୁପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ଆଇନ କରିଛନ୍ତି । ରାଜ୍ୟ ସରକାର ତାହାର ଉପଯୁକ୍ତ କାର୍ଯ୍ୟକାରୀ କରିବା ଉଚିତ । ସରକାରଙ୍କ ଦ୍ୱାରା ବ୍ୟାପକ ଚିଙ୍ଗୁଡ଼ି ଚାଷର ଉଚ୍ଛେଦ ନହେଲେ ଭିତରକନିକା ସମେତ ହେନ୍ତାଳ ବଣ ଉପରକୁ ବିପଦ ମାଡ଼ି ଆସିବ । ଗହୀରମଥା ଅଭୟାରଣ୍ୟ ପାଶ୍ୱବର୍ତୀ ଅଂଚଳରେ କୌଣସି ପ୍ରକଳ୍ପ ନହେବା ପାଇଁ ଆଇନ ଥିଲେ ମଧ୍ୟ ରାଜ୍ୟ ସରକାର ଏସବୁ ସ୍ଥାନରେ କିପରି ଚିଙ୍ଗୁଡ଼ି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ କରୁଛନ୍ତି, ଏହା ଅତି ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟର ବିଷୟ ।
ବାର୍ହାପୁର, କୋଇଲିପୁର,
କେନ୍ଦ୍ରାପଡ଼ା, ମୋ-୯୯୩୮୬୬୯୬୩୧

Leave a Reply

Your email address will not be published. Required fields are marked *