ଅନଶନରେ ଗାନ୍ଧୀ

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଅନଶନ ଗାନ୍ଧୀ ଚରିତ୍ରର ଏକ ସ୍ୱତନ୍ତ୍ର ଅଧ୍ୟାୟ । ଅନଶନ କରି ସେ ନିଜକୁ କଷ୍ଟ ଦେଇ ଅନ୍ୟ ଉପରେ ନୈତିକ ପ୍ରଭାବ ପକାଇବାର ପ୍ରୟାସ କରୁଥିଲେ । ତାଙ୍କ ମତରେ ଅନଶନ ଆତ୍ମାକୁ ଶୁଦ୍ଧ କରେ, ମଣିଷକୁ ଭଗବାନଙ୍କ ନିକଟତର କରେ ଓ ପ୍ରତିପକ୍ଷ ଉପରେ ପ୍ରଚଣ୍ଡ ମାନସିକ ଚାପ ସୃଷ୍ଟି କରେ । ମାତ୍ର ଅନଶନକାରୀ ସର୍ବଦା ସତ୍ୟନିଷ୍ଟ ହେବା ଉଚିତ । ଅନଶନର ଲକ୍ଷ୍ୟ ମଧ୍ୟ ମହତ୍ ହେବା ଉଚିତ । ଲକ୍ଷ ଲକ୍ଷ ସେନାଙ୍କ ଦ୍ୱାରା ଯାହା ସମ୍ଭବ ନୁହେଁ, ଜଣେ ବ୍ୟକ୍ତି ଅନଶନ କରି ତାହା ହାସଲ୍ କରିପାରେ । ଏହି ଚମକ୍ରାରିତା ଗାନ୍ଧୀ ବହୁବାର ପ୍ରମାଣିତ କରିଛନ୍ତି । ଗାନ୍ଧୀ ଅନଶନରେ ବସିଲେ, ସାରା ପୃଥିବୀରେ ଚହଳ ପଡ଼ୁଥିଲା, ଦେଶବିଦେଶର ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶ ପାଉଥିଲା । ଶହଶହ ସାମ୍ବାଦିକ ତାଙ୍କ ପାଖକୁ ଧାଇଁ ଆସୁଥିଲେ । ପ୍ରସିଦ୍ଧ ଲେଖକ ଥମାସ୍ କ୍ୟାମ୍ପ୍ବେଲଙ୍କ ମତରେ ଗାନ୍ଧୀ ଅନଶନର ଚମକ୍ରାରିତା ତାଙ୍କ ପାଖକୁ ଗଲେ ହିଁ ଜାଣିହୁଏ ।
ଦକ୍ଷିଣ ଆଫି୍ରକାର ଟଲଷ୍ଟୟ ଫିନ୍ସ ଆଶ୍ରମରେ ଅନ୍ତେଃବାସୀଙ୍କର କୌଣସି ବିଶୃଙ୍ଖଳା ଦେଖିଲେ, ଗାନ୍ଧୀ ଅନଶନରେ ବସୁଥିଲେ । ଏହାର ପ୍ରଭାବରେ ଦୁଷ୍କର୍ମ କରିଥିବା ଅନ୍ତେଃବାସୀକୁ ସମସ୍ତେ ଭର୍ତ୍ସନା କରୁଥିଲେ ଓ ସେ କାନ୍ଦି କାନ୍ଦି ଗାନ୍ଧୀଙ୍କ ନିକଟରେ ଦୋଷ ସ୍ୱୀକାର କରୁଥିଲା । ଆଉ ଭୁଲ୍ କରିବନି ବୋଲି ଗାନ୍ଧୀଙ୍କ ନିକଟରେ ଶପଥ କରୁଥିଲା । ଗାନ୍ଧୀ କରିଥିବା ରାଜନୈତିକ ଅନଶନମଧ୍ୟରୁ ୧୯୨୧ରେ ତାଙ୍କର ୫ଦିନିଆ ଅନଶନ ପ୍ରଥମ ଅଟେ । ୧୯୨୧ରେ ଇଂଲଣ୍ଡର ଯୁବରାଜ୍ ପି୍ରନ୍ସ ଅଫ୍ ୱେଲ୍ସ ସରକାରୀ ଗସ୍ତରେ ଭାରତ ଆସିଥିଲେ । ତାଙ୍କ ଗସ୍ତକୁ ବିରୋଧ କରି ଗାନ୍ଧୀ ହଡ଼ତାଳର ଡ଼ାକରା ଦେଲେ । ସବୁଆଡ଼େ ସଂପୂର୍ଣ୍ଣ ହଡ଼ତାଳ ପାଳନ କରାଗଲା । ଦୋକାନବଜାର ବନ୍ଦ୍ ରହିଲା । ବମ୍ବେରେ ପହଞ୍ଚିବା ପରେ ଲୋକେ ଯୁବରାଜଙ୍କୁ କଳାପତାକା ଦେଖାଇଲେ । ବିଭିନ୍ନ ପ୍ରକାର ଇଂରେଜ ବିରୋଧୀ ସ୍ଲୋଗାନ ଦେଲେ । ଚାରିଆଡ଼େ ହିଂସାକାଣ୍ଡ ବ୍ୟାପିଲା । ପୋଲିସ୍ ଆଖିବୁଜା ଗୁଳି ଚଳାଇବାରୁ ପ୍ରାୟ ୫୦ଜଣ ନିହତ ହେଲେ । ହିଂସାକାଣ୍ଡ ଚରମ ରୂପ ନେବାରୁ ମର୍ମାହତ ଗାନ୍ଧୀ ଏହାକୁ ରୋକିବା ପାଇଁ ଅନଶନରେ ବସିଲେ । ଏହାର ପ୍ରଭାବରେ ସବୁଆଡ଼େ ଶାନ୍ତ ପରିସ୍ଥିତି ସୃଷ୍ଟି ହେଲା ।
୧୯୨୪ରେ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର କୁହାଟ ନାମକ ସ୍ଥାନରେ ସାଂପ୍ରଦାୟିକ ଦଙ୍ଗା ହେଲା । ଚାହୁଁଚାହୁଁ ଏହି ଦଙ୍ଗା ଦେଶର ଅନ୍ୟଆଡ଼କୁ ବ୍ୟାପିଗଲା । ଶାନ୍ତି ଫେରାଇ ଆଣିବା ପାଇଁ ଗାନ୍ଧୀ ଅନଶନରେ ବସିଲେ ଓ ଦଙ୍ଗା ବନ୍ଦ୍ ହେଲା ।
୧୯୩୨ରେ ଇଂରେଜ ମାନଙ୍କ ପ୍ରରୋଚନାରେ ଦଳିତ ନେତା ଭୀମରାଓ ଆମ୍ବେଦକର ଦଳିତ ମାନଙ୍କ ପାଇଁ ନିର୍ବାଚନ ବେଳେ ସ୍ୱତନ୍ତ୍ରତା ଦାବି କଲେ । ଇଂରେଜମାନେ ଏହାକୁ ସମର୍ଥନ କରି କମୁ୍ୟନାଲ୍ ଆୱାର୍ଡ଼ ନାଁରେ ଏକ ଆଇନ ଦ୍ୱାରା ବିଧାନ ପରିଷଦ ଓ କେନ୍ଦ୍ରୀୟ ଆସେମ୍ବ୍ଲିରେ ଦଳିତ ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କଲେ । ହିନ୍ଦୁଙ୍କ ଭିତରେ ବିଭେଦ ସୃଷ୍ଟି କରି ଜାତୀୟ ଆନେ୍ଦାଳନକୁ ବିରୋଧ କରିବା ଏହାର ଉଦେ୍ଦଶ୍ୟ ଥିଲା । ଏହାର ପ୍ରତିବାଦରେ ଗାନ୍ଧୀ ପୁନାର ଏର୍ୱାଡ଼ା ଜେଲ୍ରେ ଅନଶନରେ ବସିଲେ । ସେତେବେଳେ ଗାନ୍ଧୀ ସେଠାରେ ଜେଲ୍ଦଣ୍ଡ ଭୋଗୁଥାନ୍ତି । ଶେଷରେ ଆମ୍ବେଦକର ଓ ଗାନ୍ଧୀଙ୍କ ମଧ୍ୟରେ ପୁନାଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା ଓ କମୁ୍ୟନାଲ୍ ଆୱାର୍ଡ଼କୁ ରଦ୍ଦ କରାଗଲା । ଭାରତଛାଡ଼ ଆନେ୍ଦାଳନ ବେଳେ ୧୯୪୨ରେ ଗାନ୍ଧୀଜୀ ଆଗା ଖାଁ ପ୍ୟାଲେସ୍ରେ ବନ୍ଦୀ ଥିଲେ । ଏତିକିବେଳେ ତାଙ୍କର ପତ୍ନୀ ଓ ସହକାରୀ ମହାଦେବ ଦେଶାଇଙ୍କର ବିୟୋଗ ଘଟିଲା । ଯୁଦ୍ଧକାଳୀନ ଦମନଲୀଳାକୁ ପ୍ରତିବାଦ ଜଣାଇ ଗାନ୍ଧୀଜୀ ୨୧ଦିନ ଅନଶନ କରିବାକୁ ଘୋଷଣା କଲେ । ଦୁର୍ବଳ ଦେହ ଓ ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ଜୀବନ ହାନି ଘଟିପାରେ ବୋଲି ସବୁ ମହଲରେ ଆଶଙ୍କା ସୃଷ୍ଟି ହେଲା । ଗାନ୍ଧୀଜୀଙ୍କର ଏହି ଅନଶନକୁ ବିଲାତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ଏକ ରାଜନୈତିକ ଚାଲ୍ବାଜି ବୋଲି ଘୋଷଣା କଲେ ଓ ପ୍ରତିଦିନ ସକାଳୁ ଭାରତର ବଡ଼ଲାଟ୍ ଲର୍ଡ଼ ୱାଭେଲ୍ଙ୍କୁ ବ୍ୟଙ୍ଗରେ ପଚାରୁଥିଲେ, “ବୁଢା ମଲାଣି କି ନାହିଁ?”ଅବସ୍ଥା ଏପରି ହେଲା, ଗାନ୍ଧୀ ମରିଗଲେ, ତାଙ୍କ ଶବଦାହ ପାଇଁ ଚନ୍ଦନ କାଠ ଆସି ଆଗା ଖାଁ ପ୍ୟାଲେସ୍ରେ ଗଦା ହେଲା । ମାତ୍ର ସମସ୍ତଙ୍କ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରି ଗାନ୍ଧୀଜୀ ୨୧ଦିନ ଅନଶନ ସଂପୂର୍ଣ୍ଣ କଲେ ଓ ଇଂରେଜମାନେ ବାଧ୍ୟ ହୋଇ ସବୁ କର୍ମୀମାନଙ୍କୁ ଜେଲ୍ରୁ ଖଲାସ କଲେ । ଗାନ୍ଧୀଙ୍କର ଶେଷ ଅନଶନ ୧୯୪୭ ଅଗଷ୍ଟରେ କଲିକତା ଠାରେ ହୋଇଥିଲା । ସେତେବେଳକୁ ଭାରତର ସ୍ୱାଧୀନତା ଆସନ୍ନ । ବିଭାଜନ ପରେ କଲିକତା ଭାରତରେ ରହିଲା । ୧୯୪୬ ମସିହା ୧୬ ସେପ୍ଟେମ୍ବରରେ ମୁସଲିମ୍ ଲିଗ୍ର ସାଂପ୍ରଦାୟିକ ଦଙ୍ଗାରେ କଲିକତାର ୧୦ହଜାର ହିନ୍ଦୁ ନିହତ ହୋଇଥିଲେ । ଏହାର ପ୍ରତିଶୋଧ ପାଇଁ ହିନ୍ଦୁମାନେ ମୁସଲିମ୍ ସଂପ୍ରଦାୟ ଉପରେ ଆକ୍ରମଣ କଲେ । ମୁସଲମାନ୍ ମାନଙ୍କୁ ରକ୍ଷା କରିବା ପାଇଁ ଗାନ୍ଧୀ କଲିକତାରେ ପହଞ୍ଚିଲେ । ବେଲଗାଛିଆ ନାମକ ସ୍ଥାନରେ ହାଇଦର ମଞ୍ଜିଲ୍ ନାମକ ଏକ ପୁରାତନ ଗୃହରେ ଗାନ୍ଧୀ ଅନଶନ ଆରମ୍ଭ କଲେ । ସାଂପ୍ରଦାୟିକ ସଦ୍ଭାବ ପାଇଁ ସମସ୍ତଙ୍କୁ ନିବେଦନ କଲେ । ତାଙ୍କ ସହିତ ୧୯୪୬ ଦଙ୍ଗାର ନାୟକ ତକ୍ରାଳୀନ ବଙ୍ଗଳାର ପ୍ରଧାନମନ୍ତ୍ରୀ ସୁରାବର୍ଦ୍ଧି ମଧ୍ୟ ଅନଶନରେ ବସିଲେ । ଉତ୍ତ୍ୟକ୍ତ ହିନ୍ଦୁମାନେ ଗାନ୍ଧୀ ରହୁଥିବା ଘର ଉପରକୁ ଟେକା ପଥର ଫିଙ୍ଗିଲେ । ହିନ୍ଦୁ ହତ୍ୟାକାରୀ ସୁରାବର୍ଦ୍ଧିର ରକ୍ତ ଚାହିଁଲେ । ହେଲେ ୩୨ଘଣ୍ଟାରେ ସବୁ କିଛି ବଦଳିଗଲା । କଲିକତାରେ ଶାନ୍ତି ଫେରିଲା । ଦଳଦଳ ହିନ୍ଦୁ ମୁସଲମାନ ମିଳିତ ହୋଇ ଈଶ୍ୱର ଆଲ୍ଲା ତେରେ ନାମ୍…..ଗୀତ ଗାଇ ଗାନ୍ଧୀଜୀଙ୍କୁ ନିଜର ସଦିଚ୍ଛା ଜଣାଇଲେ । ଗାନ୍ଧୀ ଆନନ୍ଦରେ ଅଭିଭୂତ ହୋଇ ପଡ଼ିଲେ । ଭାରତର ଭାଇସ୍ ରାୟ ଏହି ଘଟଣାକୁ ଶତାବ୍ଦୀର ଶ୍ରେଷ୍ଠ ବିସ୍ମୟ ବୋଲି ଘୋଷଣା କଲେ । ଗାନ୍ଧୀଜୀଙ୍କୁ ସେ ଶ୍ରଦ୍ଧାରେ କହିଲେ, ୱାନ୍ ମ୍ୟାନ୍ ବାଉଣ୍ଡରୀ ଫୋର୍ସ । ୫୫ହଜାର ସୈନ୍ୟ ପଞ୍ଜାବରେ ଯାହା କରି ପାରିନଥିଲେ, ଏକ୍ଲା ଗାନ୍ଧଜÿୀ କଲିକତାରେ ତାହା କରି ଦେଖାଇଲେ । ପୃଥିବୀର ସବୁ କୋଣରୁ ଗାନ୍ଧୀଙ୍କ ପ୍ରତି ଅଭିନନ୍ଦନର ସୂଅ ଛୁଟିଲା ।
ଗାନ୍ଧୀଜୀଙ୍କର ଶେଷ ଅନଶନ ୧୯୪୮ ଜାନୁୟାରୀ ୧୩ରେ ଆରମ୍ଭ ହୋଇ ଜାନୁୟାରୀ ୧୮ରେ ସରିଥିଲା । ସେତେବେଳକୁ ଭାରତ ବିଭାଜନ ହୋଇ ସାରିଥିଲା । ବିଭାଜନରେ ଲକ୍ଷ ଲକ୍ଷ ହିନ୍ଦୁ ଶରଣାର୍ଥୀ ସର୍ବସ୍ୱ ହରାଇ ଦିଲ୍ଲୀରେ ପହଞ୍ଚିଲେ । ସେମାନେ ମୁସଲମାନଙ୍କ ଉପରେ ଆକ୍ରମଣ କଲେ । ସେମାନଙ୍କ ଘର ଓ ମସ୍ଜିଦ୍ ଜବରଦଖଲ କଲେ । ବିଭାଜନ ପରେ ଭାରତ ସରକାର ପାକିସ୍ତାନକୁ ତାର ପ୍ରାପ୍ୟ ୫୫କୋଟି ଟଙ୍କା ଦେବାକୁ ମନା କରିଦେଲା । କାରଣ ପାକିସ୍ତାନ ପ୍ରରୋଚନାରେ ବେଲୁଚି ଅନୁପ୍ରବେଶକାରୀ ମାନେ କାଶ୍ମୀରରେ ଅଘୋଷିତ ଯୁଦ୍ଧ ଆରମ୍ଭ କରିଦେଇଥିଲେ । ଏଭଳି ଏକ ଅବସ୍ଥାରେ ଗାନ୍ଧୀଜୀ ହଠାତ୍ ମୁସଲମାନ ସୁରକ୍ଷା ଦାବି ଓ ପାକିସ୍ତାନକୁ ୫୫କୋଟି ଟଙ୍କା ଦେବାକୁ ଦାବି କରି ଅନଶନ ଆରମ୍ଭ କଲେ । ଗାନ୍ଧୀଜୀଙ୍କ ଜିଦି ଯୋଗୁ ଭାରତ ସରକାର ଓ ହିନ୍ଦୁମାନେ ଅଡ଼ୁଆରେ ପଡ଼ିଲେ । ଶରଣାର୍ଥୀ ମାନେ ଭୟଙ୍କର ଭାବେ ଗାନ୍ଧୀ ବିରୋଧୀ ହୋଇପଡ଼ିଲେ । ଗାନ୍ଧୀ ମରିଯାଆନ୍ତୁ ବୋଲି ଡ଼ାକରା ଦେଲେ । ମାତ୍ର ନେହରୁଙ୍କ ଚେଷ୍ଟାରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ମୁସଲମାନଙ୍କୁ ସୁରକ୍ଷା ମିଳିଲା । ସେମାନଙ୍କ ଘର ଓ ମସ୍ଜିଦ୍ ଫେରାଇ ଦିଆଗଲା । ଗାନ୍ଧୀଜୀ ଅନଶନ ଭାଙ୍ଗିଲେ ।
ଦିଲ୍ଲୀ ଅନଶନ ଶେଷ ଓ ଶ୍ରେଷ୍ଠ ଅନଶନ । ବିଭାଜନ ପରର ହିଂସା ଘନଘଟା ମଧ୍ୟରେ ମଣିଷ ମନରେ ସଇତାନ ରାଜୁତି କରୁଥିଲା । ଚାରିଆଡ଼େ ପ୍ରତିହିଂସାର ଡ଼ାକ ଶୁଭୁଥିଲା । ଗାଁ ସହର ସବୁଆଡ଼େ ସାଂପ୍ରଦାୟକ ହିଂସାର ନିଅାଁ ଜଳୁଥିଲା । ୬୯ବର୍ଷ ବୟସ୍କ କ୍ଷୀଣ ଦେହନେଇ ଆଧ୍ୟାତ୍ମିକ ଶକ୍ତି ବଳରେ ସେ ଯେପରି ଏହି ଧ୍ୱଂସର ଝଡ଼କୁ ବନ୍ଦ୍ କରାଇଲେ, ତାର ତୁଳନା ପୃଥିବୀରେ ଅନ୍ୟ କୁଆଡ଼େ ନାହିଁ । ମାତ୍ର ଏହି ଅନଶନ ତାଙ୍କ ଜୀବନର ଯବନିକା ଟାଣିବାର ପଥ ପରିଷ୍କାର କରିଦେଲା । ଯେଉଁଦିନ ଗାନ୍ଧୀ ଅନଶନ ଘୋଷଣା କଲେ, ସେଦିନ ସୁଦୂର ପୁନା ସହରରେ ନାଥୁରାମ ଗଡ଼୍ସେ ଓ ତାଙ୍କର ସହଯୋଗୀ ମାନେ ହିନ୍ଦୁଧର୍ମର ରକ୍ଷା ପାଇଁ ଗାନ୍ଧୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲେ ଓ ଶେଷରେ ୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ଅପରାହ୍ନ ଘ.୫.୦୫ ମି.ରେ ବିରଳା ପ୍ୟାଲେସ୍ ର ପ୍ରାର୍ଥନା ସଭାରେ ଗାନ୍ଧୀଜୀ ନାଥୁରାମଙ୍କ ଗୁଳିରେ ନିହତ ହେଲେ । ସାଂପ୍ରଦାୟିକ ଦଙ୍ଗା ପାଇଁ ଶେଷରେ ଭାରତ ତାର ଜାତିର ଜନକଙ୍କୁ ହରାଇଲା ।

Leave a Reply

Your email address will not be published. Required fields are marked *