ସତ୍ୟର ପଥ ଓ ମହାତ୍ମା ଗାନ୍ଧୀ

ମଣିଷ ଇତିହାସରେ ୧୦୦ କିମ୍ବା ୧୦୦୦ବର୍ଷ ବ୍ୟବଧାନରେ ଜଣେ ମହାତ୍ମା ଜନ୍ମ ନେଇଥାନ୍ତି । ଏହି କ୍ରମରେ ବୁଦ୍ଧ, ଯୀଶୁ, ମହମ୍ମଦ ଓ ଗାନ୍ଧୀଙ୍କ ଭଳି ମହାତ୍ମା ମାନେ ଜନ୍ମ ଗ୍ରହଣ କରିଥିଲେ । ଏମାନଙ୍କ ଦ୍ୱାରା ମଣିଷ ଇତିହାସର ଗତି ବଦଳିଛି । ମୋହନ ଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମାରେ ପରିଣତ ହେବା ଏକ ଅଲୌକିକ ଘଟଣା ଭଳି ଲାଗିଲେ ମଧ୍ୟ ଏହା ମାନବିକ ପ୍ରକୃତିର ନିୟମ ବର୍ହିଭୂତ ନୁହେଁ । ଗାନ୍ଧୀ ଜଣେ ଅତି ସାଧାରଣ ମଣିଷ ଥିଲେ । ଛାତ୍ରାବସ୍ଥାରେ ସେ ଥିଲେ ଜଣେ ସାଧାରଣ ଛାତ୍ର । ପିଲାଦିନେ ସେ ଥିଳେ ଡ଼ରକୂଳା ଓ ଲାଜକୂଳା । ଓକିଲାତି କଲାବେଳେ କୋର୍ଟ ହଲ୍ରେ କଥା କହିନପାରି ଲାଜରେ ପଳାଇ ଆସୁଥିଲେ । କିନ୍ତୁ ତାଙ୍କର ବଡ଼ ଗୁଣ ଥିଲା, ସେ ଯାହା ଠିକ୍ ଭାବୁଥିଲେ, ସେଥିରେ ସେ ଶେଷ ଯାଏ ଅଟଳ ରହୁଥିଲେ । ଜୀବନରେ ସେ ସତ୍ୟକୁ କେବେ ଛାଡ଼ି ନଥିଲେ । ସତ୍ୟ ହେଉଛି ଭଗବାନଙ୍କର ପରିପ୍ରକାଶ । ଶତ୍ରୂ ଯେତେ କ୍ଷତି କଲେ ମଧ୍ୟ ତାକୁ ସେ ହିଂସା କିମ୍ବା ନିନ୍ଦା କରୁନଥିଲେ । ଏହି ସାଧାରଣ ୩ଟି ଗୁଣ ଯୋଗୁ ସେ ଗାନ୍ଧୀରୁ ହୋଇଯାଇଥିଲେ ମହାତ୍ମା ।ଏହି ପଥରେ ଆଗେଇବା ବେଳେ ସେ ଅନେକ ଯାତନା ଓ ପରିକ୍ଷାର ସମ୍ମୁଖୀନ ହୋଇଛନ୍ତି । ପୁରାଣ ଯୁଗରେ ତପସ୍ୱୀ ମାନେ ତପସ୍ୟା କଲାବେଳେ ଯେପରି ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ଓ ଏସବୁକୁ ଅତିକ୍ରମ କଲାପରେ ସିଦ୍ଧି ଲାଭ କରୁଥିଲେ, ଗାନ୍ଧୀଙ୍କ ଜୀବନରେ ଠିକ୍ ସେପରି ଘଟିଥିଲା । ରାଜକୋଟ୍ ହାଇସ୍କୁଲ୍ରେ ଛାତ୍ର ଥିବାବେଳେ ଶିକ୍ଷା ପରିଦର୍ଶକ ସ୍କୁଲ୍ ପରିଦର୍ଶନ ପାଇଁ ଆସିଥିଲେ । ସେ ଛାତ୍ର ମାନଙ୍କୁ ଗୋଟିଏ ଇଂରାଜୀ ଶବ୍ଦର ବନାନ ଲେଖିବାକୁ କହିଲେ । ଗାନ୍ଧୀଙ୍କର ଲେଖାଟି ଭୁଲ୍ ଥିଲା । ଶ୍ରେଣୀ ଶିକ୍ଷକ ଏହା ଜାଣି ପାରି ପାଖ ପିଲା ଠାରୁ ଦେଖି ଲେଖି ଦେବାକୁ ଗାନ୍ଧୀଙ୍କୁ ଆଖିରେ ଇଶାରା ଦେଲେ । କିନ୍ତୁ ଗାନ୍ଧୀ ଏଭଳି କଲେ ନାହିଁ । ଏହା ଏକ ଛୋଟ ଘଟଣା ହେଲେ ମଧ୍ୟ ଗାନ୍ଧୀଙ୍କର ନ୍ୟାୟ ପ୍ରତି ନିଷ୍ଠାକୁ ପ୍ରତିପାଦିତ କରିଥିଲା ।
୧୮୯୩ରେ ଗାନ୍ଧୀ ବ୍ୟବସାୟ ଉଦେ୍ଦଶ୍ୟରେ ଦକ୍ଷିଣ ଆଫି୍ରକା ଗଲେ । ଡ଼ରବାନ୍ରୁ ପି୍ରଟୋରିଆକୁ ସେ ଟ୍ରେନ୍ର ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିଲେ । ସେଠାରେ ଗୋରାମାନେ ଭାରତ ଓ କଳା ଲୋକମାନଙ୍କୁ ପ୍ରଥମ ଶ୍ରେଣୀରେ ଯିବାକୁ ଦେଉନଥିଲେ । ମାର୍ଟିନ୍ ବର୍ଜ ଷ୍ଟେସନ୍ରେ ରେଳ କର୍ତ୍ତୂପକ୍ଷ ତାଙ୍କୁ ୩ୟ ଶ୍ରେଣୀରେ ବସିବାକୁ ନିଦେ୍ର୍ଦଶ ଦେଲେ । ମାତ୍ର ଗାନ୍ଧିଜୀ ଏହା ନମାନିବାରୁ ତାଙ୍କୁ ଧକ୍କା ମାରି ରେଳରୁ ବାହାର କରିଦେଲେ । ତାଙ୍କର ଜିନିଷପତ୍ର ପ୍ଲାଟ୍ଫର୍ମକୁ ଫିଙ୍ଗିଦେଲେ । ଅନ୍ଧାର ଓ ଶୀତରେ ଗାନ୍ଧୀ ପ୍ଲାଟ୍ଫର୍ମରେ ପଡ଼ିରହିଲେ । ସେ ଭାବିଲେ, ଏହି ଅନ୍ୟାୟକୁ ସେ ସହିଯିବେ । କାରଣ ପ୍ରତି କଳା ଲୋକ ଭାଗ୍ୟରେ ଏହା ଘଟୁଛି । ହେଲେ ପରେ ସେ ନିଷ୍ପତ୍ତି ନେଲେ ଯେ, ଯେହେତୁ ଏହା ଏକ ଅନ୍ୟାୟ ଆଦେଶ, ତେଣୁ ସେ ଏହା ବିରୁଦ୍ଧରେ ଲଢେଇ କରିବେ । ପରଦିନ ଗାନ୍ଧୀ ଚାର୍ଲସ ଟାଉନ୍ରୁ ଜୋହନ୍ସବର୍ଗକୁ ଘୋଡ଼ାଗାଡ଼ିରେ ଯାତ୍ରା କଲେ । ଘୋଡ଼ାଗାଡ଼ିର ମାଲିକ ତାଙ୍କୁ ଚାଳକଙ୍କ ପାଖରେ ବସିବାକୁ ନିଦେ୍ର୍ଦଶ ଦେଲା । ପରେପରେ ମାଲିକ ଚାଳକ ସିଟ୍ ପାଖକୁ ଆସି ଧୂଅାଁ ଟାଣିବାକୁ ଚାହିଁଲେ ଓ ଗାନ୍ଧୀଙ୍କୁ ଚାଳକ ସିଟ୍ ତଳେ ଅଖା ପକାଇ ବସିବାକୁ ନିଦେ୍ର୍ଦଶ ଦେଲା । ମାତ୍ର ଗାନ୍ଧୀ ଏହି ଆଦେଶ ମାନିଲେ ନାହିଁ । ମାଲିକ ତାଙ୍କୁ ଧକ୍କା ଓ ବିଧା ମାରିଲା । ସହିଗଲେ ଗାନ୍ଧୀ । ଶେଷରେ ଅନ୍ୟମାନେ ମାଲିକକୁ ଗାଳି କରିବାରୁ ସେ ଚୂପ୍ ରହିଲା । ଗାନ୍ଧୀଙ୍କର ଜିଦ୍ ରହିଲା । କଷ୍ଟ ସହି ମଧ୍ୟ ସେ ନିଜ ଜିଦ୍ରେ ସଫଳ ହେଲେ ।
୧୮୯୭ରେ ଗାନ୍ଧୀ ଦକ୍ଷିଣ ଆଫି୍ରକାରୁ ଭାରତ ଆସିଥିଲେ । ସେତେବେଳେ ସେ ଗ୍ରୀନ୍ ପାମ୍ପ୍ଲେଟ୍ ନାମକ ଏକ ପ୍ରଚାରପତ୍ର ଛପାଇ ଭାରତରେ ବାଣ୍ଟିଥିଲେ । ସେଥିରେ ଦକ୍ଷିଣ ଆଫି୍ରକାରେ ଭାରତୀୟ ମାନେ ଭୋଗୁଥିବା ନିର୍ଯ୍ୟାତନା ସଂପର୍କରେ ବର୍ଣ୍ଣନା କରାଯାଇଥିଲା । ଭାରତରେ ଥିବାବେଳେ ବିଭିନ୍ନ ସଭାରେ ମଧ୍ୟ ଏ ସଂପର୍କରେ ଭାଷଣ ଦେଇଥିଲେ । ପରେ ଦକ୍ଷିଣ ଆଫି୍ରକା ଫେରିଲାବେଳେ ସେଠାରେ ତାଙ୍କ ବିରୁଦ୍ଧରେ ଜନମତ ଉତ୍ତେଜିତ ହୋଇ ଯାଇଥିଲା । ସେ ଗୋରାଙ୍କ ଶତ୍ରୂ ବୋଲି ପ୍ରଚାର କରାଗଲା । ଜାହାଜରୁ ଓହ୍ଲାଉ ଓହ୍ଲାଉ ତାଙ୍କୁ ଢେଲା ପଥରରେ ଆକ୍ରମଣ କରାଗଲା । ଘଟଣାକ୍ରମେ ଜଣେ ମହିୟସୀ ଇଂରେଜ ମହିଳା ଓ ଅନ୍ୟ କେତେକ ଉଦାରମନା ଗୋରା ଲୋକେ ଗାନ୍ଧୀଙ୍କୁ ଉଦ୍ଧାର କଲେ । ଆକ୍ରମଣ ଖବର ପାଇ ସରକାରଙ୍କ ପକ୍ଷରୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାନ୍ଧୀଙ୍କୁ ଆକ୍ରମଣ ସଂକ୍ରାନ୍ତରେ ପଚରାଉଚରା କଲେ । କିନ୍ତୁ ଗାନ୍ଧୀଙ୍କର ଉତ୍ତର ଥିଲା, “ମୁଁ କାହାକୁ ଦୋଷୀ ବୋଲି ଭାବୁନାହିଁ । ଏହା ପ୍ରଚଳିତ ଶାସନ ପଦ୍ଧତିର ହିଁ ଦୋଷ!” ଦୋଷୀ ମାନଙ୍କୁ କ୍ଷମା ଦେଇ ସେ ଯେପରି ଧୀରେଧୀରେ ମହାତ୍ମାରେ ପରିଣତ ହେବାକୁ ଯାଉଥିଲେ । ପରେ ଏହି ଘଟଣାରେ ଜଣେ ଇଂରେଜ ଲେଖକ ଲେଖିଥିଲେ, “ଗାନ୍ଧିଜୀଙ୍କ ଉପରେ ଯେଭଳି ଆକ୍ରମଣ ହେଲା, ସାରା ଜୀବନ ଧରି ପ୍ରତି ଗୋରା ଲୋକଙ୍କୁ ସେ ଘୃଣା କରିବା କଥା । ମାତ୍ର ସେ କାହାକୁ ଘୃଣା ନକରି କି ଦୋଷ ନଦେଇ ନିର୍ବିକାର ଭାବରେ ନିଜର ବୃହତ୍ତର ଲକ୍ଷ୍ୟକୁ ଆଖି ଆଗରେ ରଖି କର୍ମ କରି ଚାଲିଥିଲେ ।
ଦକ୍ଷିଣ ଆଫି୍ରକାରେ ଥିବା ଭାରତୀୟ ମାନେ ସରକାରଙ୍କ ପାଖରେ ନିଜ ନାମ ପଞ୍ଜୀକୃତ କରିବା ପାଇଁ ଗୋରା ସରକାର ଆଦେଶ ଦେଲେ । ଏହାକୁ ଗାନ୍ଧୀ ଓ ଅନ୍ୟମାନେ ବିରୋଧ କରି ଆନେ୍ଦାଳନ କଲେ । ଗାନ୍ଧୀ ଜେଲ୍ ଗଲେ । ଜେଲ୍ରେ ଥିବାବେଳେ ଗାନ୍ଧୀ ଓ ଦକ୍ଷିଣ ଆଫି୍ରକା ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହେଲା । ସରକାର ପଞ୍ଜୀକରଣକୁ ବାଧ୍ୟତା ମୂଳକ ନକରି ଇଚ୍ଛାଧୀନ କଲେ । ପ୍ରତି ଭାରତୀୟ ନିଜର ସୁବିଧା ପାଇଁ ନାମ ପଞ୍ଜୀକରଣ କରିବା ଉଚିତ ବୋଲି ସରକାର କହିଲେ । ଗାନ୍ଧୀ ଏଥିରେ ସହମତ ପ୍ରକାଶ କରି ପରଦିନ ନିଜ ନାମ ପଞ୍ଜୀକରଣ ପାଇଁ ବାହାରିଲେ । ମାତ୍ର ଦକ୍ଷିଣ ଆଫି୍ରକାରେ ରହୁଥିବା କେତେକ ଭାରତୀୟ ଏହାକୁ ଗାନ୍ଧିଙ୍କର ଆତ୍ମସମର୍ପଣ ବୋଲି କହି ବିରୋଧ କଲେ । ଜଣେ ଆଫଗାନ୍ ପଠାଣ ପ୍ରକାଶ୍ୟରେ ଘୋଷଣା କଲା ଯେ, ଯିଏ ପଞ୍ଜୀକରଣ କରିବାକୁ ଆସିବ, ତାକୁ ସେ ମାରିଦେବ । ନିର୍ଭୟରେ ଗାନ୍ଧୀ ନିଜ ସହକର୍ମୀଙ୍କ ସହ ପଞ୍ଜୀକରଣ ପାଇଁ ବାହାରିଗଲେ । ବାଟରେ ଜଗିଥିବା ପଠାଣଟି ଗାନ୍ଧୀଙ୍କୁ ଖଣ୍ଡା ଓ କାତିରେ ଆକ୍ରମଣ କଲା । ଗାନ୍ଧୀ ତଳେ ପଡ଼ିଗଲେ । ରକ୍ତର ସୂଅ ଛୁଟିଲା । ଯୋଶେଫ୍ ଡ଼ୋକ୍ ନାମକ ଜଣେ ଧର୍ମଯାଜକ ଗାନ୍ଧୀଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଗଲେ । ଗାନ୍ଧୀ ସୁସ୍ଥ ହେବାପରେ ଆକ୍ରମଣକାରୀକୁ କ୍ଷମା କରିଦେଲେ ଓ ସେ ସାରା ଜୀବନ ଗାନ୍ଧୀଙ୍କର ଅନୁରକ୍ତ ହୋଇରହିଲା ।
୧୯୦୧ରେ କଲିକତାରେ ହୋଇଥିବା କଂଗ୍ରେସ ଅଧିସେନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଗାନ୍ଧୀ ମଧ୍ୟ ଯାଇଥିଲେ । ଅଧିସେନ ପାଇଁ ବ୍ୟବହୃତ ପାଇଖାନା ଗୁଡ଼ିକ ଅତ୍ୟନ୍ତ ଅପରିସ୍କାର ଥିଲେ ମଧ୍ୟ କେହି ସଫା କରୁନଥିଲେ । ଗାନ୍ଧୀ ନିଜେ ଝାଡ଼ୁ ଧରି ସବୁ ପାଇଖାନା ସଫା କଲେ । ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ୧୯୦୬ରେ ଗାନ୍ଧୀ ଦକ୍ଷିଣ ଆଫି୍ରକାରୁ ଭାରତ ଫେରିବାବେଳେ କୃତଜ୍ଞତାର ଚିହ୍ନ ସ୍ୱରୂପ ପ୍ରବାସୀ ଭାରତୀୟ ମାନେ ତାଙ୍କୁ ବହୁମୂଲ୍ୟ ଉପହାର ଦେଇଥିଲେ । ସେଥିରେ ନଗଦ ଅର୍ଥ ସହ ସୁନା, ରୂପା ଓ ଜହରତ ମାନ ଥିଲା । ଅନେକ ଚିନ୍ତା କଲାପରେ ଗାନ୍ଧୀ ସେଗୁଡ଼ିକୁ ଗ୍ରହଣ ନକରି ଭାରତୀୟ ମାନଙ୍କର ଉପକାର ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ ସେଗୁଡ଼ିକୁ ଦାନ କରିବାକୁ ସ୍ଥିର କଲେ । ସ୍ତ୍ରୀ କସ୍ତୁରବା ଏହାର ବିରୋଧ କଲେ । ଅତି କମ୍ରେ ନିଜର ବ୍ୟବହାର ପାଇଁ ଏଥିରୁ କିଛି ରଖିବା ପାଇଁ ଚାହିଁଲେ । ହେଲେ ଗାନ୍ଧୀ ନିଜ ନିଷ୍ପତ୍ତିରେ ଅଟଳ ଥିଲେ । ୧୯୨୧-୨୨ରେ ଗାନ୍ଧୀଙ୍କ ଡ଼ାକରାରେ ଅସହଯୋଗ ଆନେ୍ଦାଳନ ଚାଲିଥିଲା । ଆନେ୍ଦାଳନର ତୀବ୍ରତାରେ ସରକାର ଥରିଉଠିଲା । ସମସ୍ତଙ୍କୁ ଲାଗିଲା, ଏବେ ସ୍ୱରାଜ ଆସିଯିବ! କେତେକ ଉତ୍ୟକ୍ତ ଲୋକେ ତତ୍କାଳୀନ ଯୁକ୍ତ ପ୍ରଦେଶର ଚୌରୀଚୌରା ଠାରେ ଥିବା ଏକ ଥାନାକୁ ପୋଡ଼ିଦେଲେ । ଏଥିରେ ୨୨ଜଣ କନେଷ୍ଟବଳଙ୍କର ମୃତୁ୍ୟ ହେଲା । ଲୋକେ ଭାବିଲେ, ଏଥର ଇଂରେଜ ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିବ । ହେଲେ ଗାନ୍ଧୀ ଏହି ଘଟଣାକୁ ନିନ୍ଦା କରିବା ସହ ସାରା ଦେଶରୁ ଆନେ୍ଦାଳନକୁ ପ୍ରତ୍ୟାହର କରିନେଲେ । କଂଗ୍ରେସ ନେତାମାନେ ଏହାକୁ ଆତ୍ମଘାତୀ ବୋଲି ବର୍ଣ୍ଣନା କଲେ । ମାତ୍ର ଗାନ୍ଧୀ ନିଜ ଜିଦିରେ ଅଟଳ ରହିଲେ । ସେ କହିଲେ, “ହିଂସା ଦ୍ୱାରା ସ୍ୱାଧୀନତା ମୁଁ ଚାହେଁନା! ଅହିଂସା ଆନେ୍ଦାଳନ ପାଇଁ ଦେଶ ଏଯାଏ ପ୍ରସ୍ତୁତ ହୋଇନାହିଁ ।….”
ଗାନ୍ଧୀଙ୍କ ଜୀବନରେ ଯାହା ଘଟିଥିଲା, ତାହା ପ୍ରତି ଲୋକଙ୍କ ଜୀବନରେ ଘଟୁଛି । କର୍ମମୟ ଜୀବନରେ ଆମେ ପ୍ରତିଦିନ ପରିକ୍ଷାର ସମ୍ମୁଖୀନ ହେଉଛେ । ହେଲେ ଆମେ ଲୋଭ, ମୋହ, ହିଂସାର ବଶବର୍ତ୍ତୀ ହୋଇ ସତ୍ୟର ପଥ ହୁଡ଼ୁଛେ । ସେଥିପାଇଁ ଆମେ ହେଲେ ସାଧାରଣ ମଣିଷ ଓ ଗାନ୍ଧୀ ହୋଇଗଲେ କୋଟିକୋଟି ଲୋକଙ୍କର ବନ୍ଦନୀୟ, ବିଶ୍ୱ ମାନବ ମହାତ୍ମା ।

Leave a Reply

Your email address will not be published. Required fields are marked *