ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଜଭୁତ ହେଉନାହିଁ କାହିଁକି?

ଶରତ କୁମାର ରାଉତ
ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବହୁ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଗତ ୬ମାସ ମଧ୍ୟରେ ନିଦାନ, ସହାୟ, ଆମ କ୍ଲିନିକ୍, ଅନମୋଲ୍ ଟାବ୍ଲେଟ୍, ନିର୍ମଳ, ସୁନେତ୍ର ଓ ସଂପୂର୍ଣ୍ଣ ସୁରକ୍ଷା କବଚ ଭଳି ଯୋଜନା ମାନ କାର୍ଯ୍ୟକାରୀ ହୋଇଛି । ଏଥିପୂର୍ବରୁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ୧୯୮୩-୮୪ରେ ଜାତୀୟ ସ୍ୱାସ୍ଥ୍ୟ ନୀତି, ୧୯୮୭-୮୮ରେ ପ୍ରଜନନ ଶିଶୁସ୍ୱାସ୍ଥ୍ୟ ପ୍ରକଳ୍ପ, ୧୯୯୯-୨୦୦୭ ରେ ଓଡ଼ିଶା ସ୍ୱାସ୍ଥ୍ୟ ଉନ୍ନୟନ ପ୍ରକଳ୍ପ, ୨୦୦୧-୦୨ ରେ ଶିଶୁ ମୃତୁ୍ୟହାର ହ୍ରାସ ମିସନ୍,୨୦୦୨-୦୩ ରେ ସମନ୍ୱିତ ସ୍ୱାସ୍ଥ୍ୟସେବା ନୀତି ଓ କୌଶଳ ଭିଜନ୍-୧୦, ୨୦୦୫ରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍, ୨୦୦୭ ରୁ ନରୱେ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗ (ନିପି)ରେ ଯଶୋଦା ନିଯୁକ୍ତି ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ଯୋଜନା, ୨୦୧୧ ଅକ୍ଟୋବର ୧୯ ରୁ ମମତା ଯୋଜନା କାର୍ଯ୍ୟକାରୀ ହୋଇଛି ।୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତୁ୍ୟହାର କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା ୨୦୧୫ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ଏଥିସହିତ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ୟୁନିସେଫ୍, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ, ବି୍ରଟିଶ୍ ଏଡ଼୍ସ ସ୍କିମ୍, ୟୁଏନ୍ଡ଼ିପି, ଆର୍ସିଏଚ୍, ଡ଼୍ୟାନ୍ଟିବି, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜେଡ୍ÿଏସ୍ଏସ୍, ଆଇଏନ୍ଡ଼ିପି, ଆଇପିଡ଼ିପି, ଆଇଇସି ଆଦି ସଂସ୍ଥାରୁ ସ୍ୱାସ୍ଥ୍ୟ ବିଭାଗକୁ କୋଟି କୋଟି ଟଙ୍କା ଆସୁଛି । ସରକାରୀ ସ୍ତରରେ ଅନେକ ନିଷ୍ପତି ଓ ପଦକ୍ଷେପ ଘୋଷଣା କରାଯାଉଛି । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି । ବିଭିନ୍ନ ପ୍ରକାରର ଔଷଧପତ୍ର ମାଗଣାରେ ଯୋଗାଇ ଦିଆଯାଉଛି । ଗର୍ଭବତୀ ମା’ ଓ ଶିଶୁ ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଦିଆଯିବା ସହ ସେମାନଙ୍କୁ ଆବଶ୍ୟକୀୟ ପ୍ରତିଷେଧକ ଟୀକାକରଣ କରାଯାଉଛି । ଲୋକଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେÿ ବଡ଼ ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜ ଖୋଲା ଯାଉଛି । ଏଥିସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇ ରୋଗୀଶଯ୍ୟା ସଂଖ୍ୟା ବୃଦ୍ଧି ଓ ଅତ୍ୟାଧୁନିକ-ଉନ୍ନତ ଚିକିତ୍ସା ଉପକରଣ ଉପଲବ୍ଧ କରା ଯାଉଛି । ରୋଗୀମାନଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ପହଂଚାଇବା ପାଇଁ ଆମ୍ବୁଲାନ୍ସ ସେବା ପ୍ରଚଳନ ହେଉଛି । ସାଧାରଣ ଲୋକଙ୍କ ପାଇଁ ଏମିତି ବହୁ ସ୍ୱାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ ।
ହେଲେ ଅଧିକାଂଶ ଯୋଜନା, ନିଷ୍ପତି ଓ ଘୋଷଣା ଫେଲ୍ ମାରିଥିବା ଦେଖା ଯାଉଛି । ଯୋଜନା ଗୁଡ଼ିକ ଚାଲିଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ଜଳଜଳ ଦେଖାଯାଉଛି, ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଶିଶୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୃତୁ୍ୟର ଅାଁ ଭିତରକୁ ଚାଲି ଯାଇଛି । ଏହାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହେଉଛନ୍ତି । ବାସ୍ତବତା ଦେଖାଗଲେ, ଆମ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା ନିମ୍ନଗାମୀ ହେବାରେ ଲାଗିଛି । ଅନେକ ଯୋଜନା କାର୍ଯ୍ୟକାରୀ ସତ୍ୱେ ଆମ ରାଜ୍ୟରେ ପ୍ରାୟ ୫୦ଶତକଡ଼ା ମା’(୧୫ ରୁ ୪୯ ବର୍ଷ) ଓ ଶିଶୁ(୫ବର୍ଷରୁ କମ୍) ରକ୍ତହୀନତା ଓ ପୃଷ୍ଟିହୀନତାରେ ଆକ୍ରାନ୍ତ । ଆଦିବାସୀ ଅଂଚଳରେ ଏହି ହାର ପ୍ରାୟ ୭୫ ଶତକଡ଼ା ରହିଛି । ମା’ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ମୂଳ ଲକ୍ଷ୍ୟ ହୋଇଥିଲେ ହେଁ ତାହା ସଫଳ ହୋଇ ପାରିନାହିଁ । ଉନ୍ନତମାନର ଚିକିତ୍ସା ଉପକରଣ ସହିତ ରାଜ୍ୟରେ ଡ଼ାକ୍ତରଖାନା ସଂଖ୍ୟା ବଢିଥିଲେ ମଧ୍ୟ ଏସବୁର ଉପଯୁକ୍ତ ଉପଯୋଗ ବା ରୋଗୀ ମାନଙ୍କୁ ଉକ୍ତ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଡ଼ାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କର ଘୋର ଅଭାବ ରହିଛି । ଏହାର ସୁଯୋଗ ନେଇ ଘରୋଇ ଡ଼ାକ୍ତରଖାନା ଗୁଡ଼ିକ ରୋଗୀମାନଙ୍କୁ ଶୋଷଣ କରୁଛନ୍ତି । ଆଉକିଛି ଲୋକେ ନିଜର ଚିକିତ୍ସା ପାଇଁ ନକଲୀ ଡ଼ାକ୍ତର ବା ଗୁଣିଆ ଆଦିଙ୍କର ଶରଣ ନେଉଛନ୍ତି । ବର୍ଷକ ତଳେ ରାଜ୍ୟରେ ଥିବା ଡ଼ାକ୍ତରଖାନା ଗୁଡ଼ିକରେ ୧୬ହଜାରରୁ ଉଦ୍ଧ୍ୱର୍ ପଦବୀ ଖାଲି ପଡ଼ିଥିଲା । ପ୍ରତିବର୍ଷ ୩ହଜାରରୁ ଅଧିକ ଅବସର ନେଉଛନ୍ତି । କିନ୍ତୁ ସେହି ଅନୁପାତରେ ନିଯୁକ୍ତି ହେଉନାହିଁ । ଅଥଚ ନୂଆ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ସହିତ କେତେକ ଡ଼ାକ୍ତରଖାନାକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଉଛି ଓ ସେଠାରେ କେତେକ ନୂଆ ପଦବୀ ସୃଷ୍ଟି କରାଯାଉଛି । ଏହା ଭଲ କଥା । ହେଲେ ଏହାର କୌଣସି ଲାଭ ରୋଗୀ ପାଉନାହିଁ । ସରକାରଙ୍କ କହିବା କଥା ଯେ, ଖୁବ୍ ଶୀଘ୍ର ଡ଼ାକ୍ତର ଅଭାବ ସମସ୍ୟା ସମାଧାନ ହୋଇଯିବ । ହେଲେ ହଜାର ହଜାର ଅନ୍ୟାନ୍ୟ କର୍ମଚାରୀ ପଦବୀ ଖାଲି ପଡ଼ିଛି । ବହୁମୂଲ୍ୟ ଚିକିତ୍ସା ଯନ୍ତ୍ରପାତି ବା ଉପକରଣ ସଂପୃକ୍ତ ଅପରେଟରଙ୍କ ଅଭାବରୁ ଡ଼ାକ୍ତରଖାନାରେ ପଡ଼ି କଳଙ୍କି ଲାଗୁଛି । ମହିଳା ସ୍ୱାସ୍ଥ୍ୟକର୍ମୀ(ଏଏନ୍ଏମ୍), ସ୍ୱାସ୍ଥ୍ୟ ପରିଦର୍ଶିକା, ଷ୍ଟାଫ୍ନର୍ସ, ଫାର୍ମାସିଷ୍ଟ, ରେଡ଼ିଓଗ୍ରାଫର୍, ଲାବରେଟୋରୀ ଟେକ୍ନିସିଆନ୍, ଏସ୍.ଏ., ଭି.ଏସ୍.କ୍ଲର୍କ ଆଦି ବହୁ ପଦବୀ ଖାଲି ପଡ଼ିଥିବାରୁ ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ଅତ୍ୟାବଶ୍ୟକ ପଦବୀ ଗୁଡ଼ିକ ପୂରଣ ନହେବାର କାରଣ ଜଣା ପଡ଼ୁନାହିଁ ।
ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ଅଭାବ ଓ ପରିଚାଳନାଗତ ତୃଟି ସୀମା ପାର କରିଛି । କଟକ ଶିଶୁ ଭବନ ଶିଶୁ ମୃତୁ୍ୟ, ନଗଡ଼ା ଆଦିବାସୀ ଶିଶୁ ମୃତୁ୍ୟ ଓ ମାଲକାନଗିରିରେ ଲଗାତାର ଅବୋଧ ଆଦିବାସୀ ଶିଶୁଙ୍କର ମୃତୁ୍ୟ ବିଭିଷୀକା ଏହାର ଜ୍ୱଳନ୍ତ ଉଦାହରଣ । ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଆଇସିୟୁ ପ୍ରକୋଷ୍ଠରେ ତାଲା ଝୁଲୁଛି । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ରାଜ୍ୟରେ ୩୧୪ଟି ବ୍ଲଡ଼୍ ଷ୍ଟୋରେଜ୍ ୟୁନିଟ୍, ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ମିସନ୍ର ହର୍ତାକର୍ତା ସାଜିଥିବା ଅନଭିଜ୍ଞ, ଅଦକ୍ଷ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆ ଯାଉଛି ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ । ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼ୁଛିÿ । ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କର୍ମଚରୀଙ୍କ ଦ୍ୱାରା କିଛି ହରିଲୁଟ୍ ହୁଏ, କିଛି ସମୟ ସୀମା ଶେଷ ପରେ ବଂଟାଯାଏ ଓ ଆଉକିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ଏଣୁ ‘ନିରାମୟ’ ଯୋଜନା ହାସ୍ୟାସ୍ପଦରେ ପରିଣତ ହୋଇଥିବା କୁହାଯାଇପାରେ । ତଥାପି ଟଳମଳ ଅବସ୍ଥାରେ ଥିବା ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ସ୍ଥାନରେ ଲୋକମାନଙ୍କୁ ଭୂଅାଁ ବୁଲାଇବା ପାଇଁ ନୂଆ ନୂଆ ଯୋଜନା ଘୋଷଣା ଚାଲିଛି । ଆଶ୍ଚର୍ଯ୍ୟର କଥା ଯେ, ସରକାର ଯେତେ ଯାହା କଲେ ବି ଲୋକଙ୍କୁ ନିର୍ଭର କରିବାକୁ ପଡ଼ୁଛି ଘରୋଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ । ଅସଜଡ଼ା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସକ୍ରିୟ ଓ ଦୁର୍ନୀତି ମୁକ୍ତ କରାଇବା ସପକ୍ଷରେ କାହାର ଆନ୍ତରିକତା ଥିବା ପରି ମନେ ହେଉନାହିଁ । ରକ୍ତହୀନତା, ପୃଷ୍ଟିହୀନତା, ଡ଼େଙ୍ଗୁ, ଆନ୍ଥ୍ରାକ୍ସ, ଡ଼ାଇରିଆ ଓ ମେଲେରିଆ ଆଦି ମାରାତ୍ମକ ସଂକ୍ରାମକ ରୋଗରେ ପଡ଼ି ଅସହାୟ ମଣିଷମାନେ ପୋକମାଛି ଭଳି ମରୁଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଦୃଷ୍ଟି ଦିଅନ୍ତି ଓ ଏହି କଳଙ୍କରୁ ମୁକୁଳିବା ପାଇଁ ନାନା ଉପାୟ ଅବଲମ୍ବନ କରନ୍ତି । ଡ଼ାଇରିଆ ହେଉ କି ଅନ୍ୟାନ୍ୟ ମାରାତ୍ମକ ସଂକ୍ରାମକ ରୋଗ ସମସ୍ୟା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନଥିବା ମନେ ହେଉଛି । ସଂକ୍ରାମକ ରୋଗର ମୂଳ କାରଣ ମୁଖ୍ୟତଃ ଅଖାଦ୍ୟ ଭକ୍ଷଣ, ଦୂଷିତ ପାନୀୟ ଜଳ ବ୍ୟବହାର, ଅଳିଆ-ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ । ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ସରକାରୀ ଯୋଜନା ରହିଛି । ଏ ବାବଦରେ ପ୍ରଚୁର ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ସ୍ୱାସ୍ଥ୍ୟସେବାର ଉନ୍ନତି ହେଉନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୩-୧୪ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଥିଲା ଯେ, ଜାତୀୟ ସ୍ତରରେ ମୃତୁ୍ୟହାର ୭.୦% ରହିଥିବା ବେଳେ ଓଡ଼ିଶାରେ ସର୍ବାଧିକ ୮.୫% ରହିଛି । ଜାତୀୟ ସ୍ତରରେ ନବଜାତ ଶିଶୁ(ଆଇଏମ୍ଆର)ମୃତୁ୍ୟହାର ପ୍ରତି ୧ ହଜାରରେ ୪୦ ଥିଲାବେଳେ ଓଡ଼ିଶାରେ ୫୩(ବେସରକାରୀ ଭାବେ ୫୭)ରହିଛି । ପ୍ରତିବର୍ଷ ଆମ ରାଜ୍ୟରେ ପ୍ରାୟ ୬୫ ହଜାର ଶିଶୁ ଅକାଳରେ ପ୍ରାଣ ହରାଉଛନ୍ତି! ସିଏଜି ରିପୋର୍ଟରେ ମଧ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ଥାଣୁ ପାଲଟିଥିବା କୁହାଯାଇଥିଲା । ରିପୋର୍ଟ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣରେ ସ୍ୱାସ୍ଥ୍ୟ ମିସନ୍ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମିସନ୍ ସେମିତି କିଛି ତତ୍ପରତା ଦେଖାଉ ନାହିଁ । ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ୍ ଔଷଧ ରୋଗୀଙ୍କୁ ଦିଆ ନଯାଇ ନଷ୍ଟ କରାଯାଇ ଥିବା ବେଳେ ଅବଧି ସମୟ ପରେ କିଛି ଔଷଧ ରୋଗୀଙ୍କୁ ଦିଆ ଯାଇଛି । ସବୁଠି ଡ଼ାକ୍ତର, କର୍ମଚାରୀ ଓ ଉନ୍ନତ ସ୍ୱାସ୍ଥ୍ୟସେବାର ଅଭାବ ରହିଛି । ମାତୃ ମୃତୁ୍ୟହାର ଧାର୍ଯ୍ୟଲକ୍ଷ୍ୟ ହ୍ରାସ ପାଇ ନାହିଁ ଇତ୍ୟାଦି ।
ସ୍ୱାସ୍ଥ୍ୟ ମିସନ୍ ଜରିଆରେ ସମୁଦ୍ର ଲହଡ଼ି ଭଳି ଅନୁଦାନ ସ୍ରୋତ ମାଡ଼ି ଆସୁଛି । ରଙ୍ଗାରଙ୍ଗ ଘର, କାଚର ଦ୍ୱାର ଓ ଝରକା, ଏସି ମେସିନ୍, ମାର୍ବଲ୍ ଚଟାଣ, ଗଦି ଲଗା ଚେୟାର୍, ନିୟନ୍ ଲାଇଟ୍, ଶହଶହ ଗାଡ଼ି ଓ ସୁନ୍ଦର ଉଦ୍ୟାନରେ ହସ୍ପିଟାଲ୍ ଗୁଡ଼ିକ ଶୋଭା ପାଉଛି । ହେଲେ ବାସ୍ତବ ଭିତିଭୂମିର ବିକାଶ ହୋଇନାହିଁ । କୌଣସି ମୁହୂର୍ତରେ ମିସନ୍ କାର୍ଯ୍ୟ ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ କେହି ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଥିବା ଆମେ ଦେଖୁଛେ, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ଆୟୂଷ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋମିଓପାଥୀ, ଆର୍ୟୁବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ନେଚରପାଥୀ ଚିକିସôା ସେବାର ଉନ୍ନତି କରାଇବା ମିସନ୍ର ମୂଳ ଲକ୍ଷ୍ୟ । ମିସନ୍ ଦ୍ୱାରା ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ େକେନ୍ଦ୍ରରେ ହୋମିଓ ଏବଂ ଆୟୁର୍ବେଦ ଡ଼ାକ୍ତର ନିଯୁକ୍ତି ଦିଆ ଯାଉଛି । ହେଲେ ହୋମିଓ ଏବଂ ଆୟୁର୍ବେଦ ଚିକିସôାଳୟ ଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ହେଉ ନାହିଁ ଏବଂ ଏହି ଚିକିସôାଳୟ ଗୁଡ଼ିକ ଆଜି ମଧ୍ୟ ଚାଳ ଛପର କିମ୍ବା ଝୁମ୍ପୁଡ଼ି ଘରେ କାର୍ଯ୍ୟ କରୁଛି । ରାଜଧାନୀରେ ହୋମିଓ ଚିକିସôା ସେବା ଯୋଗାଣରେ ପ୍ରମୁଖ ଭୂମିକା ଥିବା ଡ଼ା. ଅଭିନ୍ନ ଚନ୍ଦ୍ର ହୋମୀଓପାଥୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ଉପରେ ରାଜ୍ୟର ହଜାର ହଜାର ରୋଗୀ ଚିକିତ୍ସା ସେବା ପାଇଁ ନିର୍ଭର କରନ୍ତି । ଏଠାରେ ବହୁ ପଦବୀ ଖାଲି ପଡ଼ିଥିଲେ ହେଁ ମିସନ୍ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏଠାରେ ଅର୍ଦ୍ଧାଧିକ ମଞ୍ଜୁରୀପ୍ରାପ୍ତ ପ୍ରଫେସର, ରିଡ଼ର୍, ଅଧ୍ୟାପକ ଓ ୩ୟ ତଥା ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଛି । ଏଠାକାର ଭିତିଭୂମି ବିକାଶର ଅତ୍ୟନ୍ତ ଆବଶ୍ୟକତା ରହିଛି ।
ଏଠାରେ ପ୍ରଶ୍ନ ଉଠୁଛି ଯେ, ସ୍ୱାସ୍ଥ୍ୟ ମିସନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହେଉନାହିଁ କାହିଁକି? ମିସନ୍ର ଅଜସ୍ର ଅନୁଦାନ ସତ୍ୱେ ଆମେ ଯଦି ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଧାରି ପାରିଲୁ ନାହିଁ, ତେବେ ଭଗବାନ୍ ବି ଆମକୁ କ୍ଷମା ଦେବେ ନାହିଁ । କେବଳ ଡ଼ାକ୍ତର ଅଭାବର ଆଳ ଦେଖାଇ ସ୍ୱାସ୍ଥ୍ୟସେବାକୁ ଆମେ ଅଣଦେଖା କରି ଚାଲିଛେ । କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କାହିଁକି ଆଦର୍ଶ କରିପାରୁ ନାହିଁ, ତା’ ଉପରେ ବ୍ୟାପକ ସମୀକ୍ଷା ହେଉନାହିଁ । ଅଯଥା ରାଜନୈତିକ ହସ୍ତକ୍ଷେପ ଓ ପ୍ରଶାସନିକ ଅପାରଗତା ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଗଲାଣି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହୋଇ ପାରୁନି, କାହିଁକି ଆବଶ୍ୟକୀୟ ଭିତିଭୂମିର ଅଭାବ ଦେଖା ଦେଉଛି, ସେ ସଂପର୍କରେ କେହି ଭାବୁଛନ୍ତି କି? ଆଇନଗତ ବ୍ୟବସ୍ଥାକୁ ମଜଭୁତ୍ ଏବଂ ସ୍ୱାସ୍ଥ୍ୟ ପ୍ରଶାସନକୁ ଲୋକାଭିମୁଖୀ କରାଇବାକୁ କାହିଁକି କେହି ଆନ୍ତରିକତା ଦେଖାଉ ନାହାଁନ୍ତି? କାହିଁକି ମନମୁଖୀ ଶାସନ ଚାଲୁଛି ସ୍ୱାସ୍ଥ୍ୟ ବିଭାଗରେ? ଅଫିସର ଓ କର୍ମଚାରୀ ମାନେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଅନ୍ଧାରରେ ରଖି ବହୁ ବେଆଇନ କାର୍ଯ୍ୟ କରିଥାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ କିମ୍ବା ସଚିବ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । କିନ୍ତୁ ବର୍ତମାନର ମନ୍ତ୍ରୀ ପ୍ରତାପ ଜେନା ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଦାୟିତ୍ୱ ନେବା ଦିନ ଠାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଯେପରି ତତ୍ପର ହୋଇ ଉଠିଛନ୍ତି, ଖୁବ୍ ଶୀଘ୍ର ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ନୂଆ ସଂସ୍କାର ଆସି ପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ଆଶା କରାଯାଉଛି । ଆମକୁ ସ୍ୱୀକାର କରିବାକୁ ହେବ ଯେ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରାନଯିବା ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଅସମ୍ଭବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *