ଦାରିଦ୍ର୍ୟ ଦୂରୀକରଣ ଯୋଜନା ବନାମ୍ ବୃଦ୍ଧି ଦାରିଦ୍ର୍ୟ!

ସୁବାସ ଷଡଙ୍ଗୀ

ସବୁବେଳେ ଆମ ଦେଶରେ ମାନ୍ଦାବସ୍ଥା ଲାଗି ରହିଛି । ବେକାର ଶିକ୍ଷିତ ଯୁବକ ଯୁବତୀମାନେ କାମ ପାଉ ନାହାନ୍ତି । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ମୋଦି ସରକାର ପାଂଚ ବର୍ଷ ଭିତରେ ସବୁକିଛି ସମସ୍ୟାର ସମାଧାନ କରିଦେବେ ବୋଲି କହିଥିଲେ । କିଛି କରି ନପାରି ଏବେ ଆମେରିକା ଓ ଅନ୍ୟକୁ ଦୋଷ ଦେବାରେ ବ୍ୟସ୍ତ । ରାଜନୈତିକ ନେତାମାନେ ସବୁବେଳେ ମିଛ କହନ୍ତି । କଥାରେ ଅଛି ଲଙ୍କାରେ ଯେତେକ ଜନମ ସମସ୍ତେ ମାଙ୍କଡ ସମାନ । ଏହାର ଅର୍ଥ ହେଲା ଯିଏ ନେତା ସିଏ ମିଛୁଆ । ଲୋକଙ୍କ ସରଳତାରୁ ଫାଇଦା ମାରି କ୍ଷମତାକୁ ଆସିବା ଏକମାତ୍ର କାମ ।
ୟୁପିଏ ସରକାର ଥିଲାବେଳେ ପେଟ୍ରୋଲ ଦର ସତୁରି ହେଲାବେଳକୁ ଏମାନେ ମନମୋହନ ସିଂଙ୍କର ସରକାରକୁ ତାଛଲ୍ୟ କରୁଥିଲେ । ସେତେବେଳେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ଦାମ ଥିଲା, ୧୨୦ ଡଲାର । ଅଥଚ ଆମେ ଦେଶରେ ପେଟ୍ରୋଲର ଦାମ ଥିଲା, ସତୁରି ଟଙ୍କା । ଏବେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା, ସତୁରି ଡଲାର ଆଉ ଆମ ଦେଶରେ ପେଟ୍ରୋଲର ଦାମ ଅଶୀଟଙ୍କା ଛୁଇଁଲାଣି । ବେକାର ଶିକ୍ଷିତ ଯୁବକ ଯୁବତୀଙ୍କ ଚାକିରି କଥା ମୋଦି ସରକାର ବାହାସ୍ଫୋଟ ମାରି କହୁଥିଲେ ଆମକୁ ଷାଠିଏ ମାସ ସମୟ ଦିଅ, ଆମେ କଣ କରୁଛୁ ଦେଖ । ଏବେ କଣ ହେଉଛି, ଆଉ ଦେଖିବାକୁ ବାକି ନାହିଁ ।
ସବୁଠାରୁ ଉକ୍ତଟ ହେବାରେ ଲାଗିଛି ବେକାରି ସମସ୍ୟା । ଏହାର କାରଣ କଣ? ପ୍ରଥମ କଥା ହେଉଛିି, ଏବେ ଅନେକ କାମରେ ଯନ୍ତ୍ରର ବ୍ୟାପକ ବ୍ୟବହାର ହେଉଛି । ଯାହାକୁ କୁହାଯାଉଛି, ଆର୍ଟିଫିସିଆଲ ଇଂଟେଲିଜେନ୍ସ । ଅବଶ୍ୟ ଭାରତରେ ଏହାର ପ୍ରଚଳନ ଅଧିକ ହୋଇ ନାହିଁ । କିନ୍ତୁ ବାର୍ଷିକ ବୃଦ୍ଧିହାର କମିବା ଫଳରେ ଚାକିରି ଅଧିକ ସୃଷ୍ଟି ହୋଇପାରୁ ନାହିଁ ବୋଲି ଅନେକ କହୁଛନ୍ତି । ଏବେ ବାର୍ଷିକ ବୃଦ୍ଧିହାର ୯ ଶତାଂଶରୁ କମିଆସି ୬.୯ ଶତାଂଶରେ ପହଂଚିଛି । ଏହି ହାର ସେତେ ଖରାପ ନୁହେଁ ବୋଲି ଅର୍ଥନୀତିବିଦ୍ କହୁଛନ୍ତି । ବୃଦ୍ଧିହାର କମିଯିବାର କାରଣ କୁହାଯାଉଛି, ଡିମନିଟାଇଜେସନ । ଭାରତରେ ଅସଂଗଠିତ କ୍ଷେତ୍ରରେ ଅନେକ ଲୋକ କାମ କରନ୍ତି, ନୋଟ ବାତିଲ ପରେ ଏହିସବୁ ସଂସ୍ଥା ବନ୍ଦ ଅଥବା ସଂକୁଚିତ । ଏଣୁ ଅଧିକାଂଶ ଶ୍ରମିକ ନିଜର ଜୀବିକା ହରାଇଛନ୍ତି ।
ଯେଉଁ ଉପାୟରେ ନୂତନ କାମ ଆରମ୍ଭ ହେବା କଥା ସେଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ । ରପ୍ତାନୀ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ । ଏବେ ସ୍ୱଳ୍ପମୂଲ୍ୟର ଜିନିଷ ରପ୍ତାନି କ୍ଷେତ୍ରରୁ ଚୀନ ଓହରି ଯାଇଛି । ଏବେ ସେ ଜାଗା ଖାଲି ପଡିଛି । ଆମ ପଡୋଶୀ ବାଂଲାଦେଶ ଯେପରି ସ୍ୱଳ୍ପମୂଲ୍ୟର ଜିନିଷ ରପ୍ତାନୀ କରିବାକୁ ଆଗ୍ରହ ପ୍ରକାଶ କରୁଛି, ଆମେ ତାହା କରିପାରୁନୁ । ଏହି ଉଦ୍ୟୋଗ ଚାଲୁ କରାଯାଇପାରିଲେ ବହୁ ଳୋକ କାମ ପାଇପାରନ୍ତେ ।
ଭାରତରେ ମହିଳାଙ୍କ କାମ କରିବାର ହାର ବହୁତ କମ । ପୁରୁଣା କାଳିଆ ନୀତି ଏଥିପାଇଁ ଦାୟି । ସ୍ତ୍ରୀଲୋକମାନେ ପଦାକୁ ବାହାରିବେ ନାହିଁ । ଆମେ ଭାବୁ ପରିବାରର ରୋଜଗାର ବଢିଲେ ମହିଳାମାନେ କାମ କରିବା ଦରକାର ନାହିଁ । ଏପରି ଭାବିବା ଭୁଲ । ମହିଳାମାନେ କାମ କଲେ ପରିବାରର ରୋଜଗାର ବଢିବ । ଯାହା ଫଳରେ ସମାଜ ଓ ଦେଶର ଉନ୍ନତି ହେବ । ସମଗ୍ର ବିଶ୍ୱରେ ଏବେ ମହିଳାମାନେ କାମ କରିବାକୁ ଆଗ୍ରହ ପ୍ରକାଶ କଲେଣି । ସେମାନଙ୍କ ସହିତ ତାଳ ଦେଇ ଆମେ କିନ୍ତୁ ଆଗେଇ ପାରୁନାହୁଁ । ମହିଳାମାନେ ରୋଜଗାର କଲେ ଘରେ ପିଲାମାନଙ୍କ ଅବସ୍ଥା ଭଲ ରୁହେ । ସେମାନେ ଭଲ ଖାଇବା ସହିତ ଉଚଶିକ୍ଷିତ ହୁଅନ୍ତି ।
ଆମେ ପଛେଇଯିବାର କାରଣ କଣ? ପ୍ରଥମ ଏବଂ ପ୍ରଧାନ କାରଣ ହେଲା, ଆମ ନେତାମାନଙ୍କର ଭୋଟ ରାଜନୀତି । ଶସ୍ତା ଭୋଟ ରାଜନୀତି ଯୋଗୁ ଏମିତି ସବୁ ଯୋଜନା ତିଆରି କରାଯାଉଛି, ଯେଉଁଥିରେ କେବଳ ଭୋଟ ମିଳିବ ସିନା ଲୋକଙ୍କର ବିଶେଷ ଉନ୍ନତି ହୋଇ ପାରିବ ନାହିଁ । ଭୋଟରେ ଜିତିବା ପାଇଁ ଆମ ନେତାମାନେ କେବଳ ଏକ ନୁ୍ୟନତମ କାର୍ଯ୍ୟସୂଚି ତିଆରି କରନ୍ତି । ସଂକୀ୍ର୍ଣ ମନୋଭାବ ରଖି ବିଭେଦ ସୃଷ୍ଟି କରନ୍ତି । ଏମାନଙ୍କର ଲକ୍ଷ୍ୟ କେବଳ ଭୋଟ ଓ କ୍ଷମତା ଦଖଲ । ଏଠାରେ ଓଡିଶା କଥା ଆଲୋଚନା କରିବା । ନବୀନ ସରକାର ଲୋକଙ୍କ ପାଇଁ ଅନେକ କିଛି କରିଥିବା କଥା ବାରମ୍ବାର କହୁଛନ୍ତି । କିନ୍ତୁ ଦାରିଦ୍ୟ୍ର କମୁନାହିଁ କାହିଁକି? ମୂଳକଥା ହେଲା, ଦାରିଦ୍ର୍ୟ କମିବାର କୌଣସି ଯୋଜନା ଆମେ କରୁନାହୁଁ । କେବଳ ଦରିଦ୍ର ଲୋକଙ୍କ ଖୁସି ପାଇଁ କିଛି ଯୋଜନା କରୁଛୁ । ହିସାବ ଯଦି କରାଯାଏ ତେବେ ଜଣାଯିବ ଯେ, ଦିନକୁ ଦିନ ଗରିବ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ରୋଜଗାରିଆ ପୁଅକୁ ଘରେ ବସେଇ ଖାଇବାକୁ ଦେବା ଯାହା, ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିବା ତାହା । ଯଦି ଜଣେ ସବୁ ଜିନିଷ ଶସ୍ତାରେ ପାଇ ପାରିବ, ତେବେ କାମ କରିବା କଣ ଦରକାର? ଗରିବ ଲୋକଙ୍କୁ ଚିହ୍ନଟ କରିବାର ପଦ୍ଧତିଟା ଆମର ଭୁଲ । ଖାଦ୍ୟ ସୁରକ୍ଷ ଯୋଜନା ଯେତେବେଳେ ଆରମ୍ଭ କରାଗଲା, ସେତେବେଳ ଶସ୍ତାରେ ଚାଉଳ ପାଇବା ପାଇଁ କିପରି ଲୋକମାନେ ମାଡପିଟ ହେଲେ ତାହା ଆମେ ଦେଖିଛେ । ଏମିତିକି ବହୁ ଭଲ ଲୋକ ଏହିସୁବିଧା ହାତେଇବା ପାଇଁ ଫନ୍ଦିଫିକର ମଧ୍ୟ କଲେ । ସେଥିରୁ କେତେକ ସଫଳ ହୋଇ ଜିନିଷ ହାତେଇଲେ । ପରେ ସରକାରଙ୍କ ତାଗିଦ ଯୋଗୁ ଟଙ୍କା ଫେରାଇଲେ । ଯଦି ପ୍ରକୃତ ଦାରିଦ୍ର୍ୟ ଚିହ୍ନଟ ହୁଏ, ତେବେ ବର୍ତମାନର ତାଲିକାରୁ ଶତକଡା ୨୫ ଭାଗ ଲୋକ କମିଯିବେ । ବ୍ଳକ ଓ ରାଜସ୍ୱ ବିଭାଗର ମିଳିତ କମିଟି ଏଭଳି ଚିହ୍ନଟ କରିବା ଦରକାର ।
ଥରେ ଜଣେ ଲୋକ ଗରିବଙ୍କୁ ଦିଆଯାଉଥିବା ସୁବିଧା ପାଇଲେ, ସେ କଣ ସବୁଦିନ ସେଇ ସୁବିଧା ପାଉଥିବ? ତାର କଣ ଉନ୍ନତି ହେବ ନାହିଁ? ଏ ପ୍ରଶ୍ନର ଉତର କେହି ଦେଉ ନାହାନ୍ତି । ଯିଏ ଗରିବ ସିଏ ସବୁଦିନ ପାଇଁ ଗରିବ ହୋଇ ରହିଯାଉଛି । ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିବାକୁ ତାର ଇଛା ନାହିଁ । ତାର କାରଣ ହେଉଛି, ତାକୁ ମିଳୁଥିବା ସୁଯୋଗ ହାତଛଡା ହୋଇଯିବ । ଏଣୁ ସେ ଗରିବ ହୋଇ ସବୁଦିନ ଲାଗି ରହିବାକୁ ଚାହେଁ । ଆମ ନେତାମାନେ ମଧ୍ୟ ଏଥିରେ ତାକୁ ସହଯୋଗ କରନ୍ତି । କାରଣ ହେଉଛି ଭୋଟବ୍ୟାଙ୍କ ।ପ୍ରକୃତ ଗରିବଙ୍କ ସଂଖ୍ୟା କେତେ ତାହା ଏପର୍ଯ୍ୟନ୍ତ ଠିକଭାବେ ଚିହ୍ନଟ ହୋଇପାରି ନାହିଁ । ଗରିବ ବୋଲି ଯେଉଁମାନଙ୍କୁ ଚିହ୍ନଟ କରାଯାଉଛି, ସେମାନଙ୍କୁ ସବୁ ପ୍ରକାର ସୁବିଧା ଦିଆଯାଉ । ମାତ୍ର ତାହା ଏକ ନିର୍ଦ୍ଧିଷ୍ଟ ଅବଧିପାଇଁ ଦିଆଯାଉ । ମନେ କରାଯାଉ ଜଣେ ଗରିବ ପରିବାରକୁ ଚିହ୍ନଟ କରାଗଲା । ତାକୁ ସବୁ ପ୍ରକାରର ସହଯୋଗ ସରକାର ଦେଲେ । ପାଠ ପଢିବା ଖର୍ଚଠାରୁ ଆରମ୍ଭ କରି ଶସ୍ତାରେ ଖାଇବା ଜିନିଷ ଦେବା ପର୍ଯ୍ୟନ୍ତ । ଏହି ଦଶ ବର୍ଷ ଭିତରେ ତାକୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିବାକୁ ହେବ । ତା ନହେଲେ ତାକୁ ଦିଆଯାଉଥିବା ସବୁ ସୁବିଧା ବନ୍ଦ କରିଦିଆଯିବ । ଆଉ ଜଣେ ଗରିବ ଲୋକ ସେଇ ସୁବିଧା ପାଇବ । ଏପରି କରିବା ଦ୍ୱାରା ଗରିବ ପରିବାରକୁ ଅଧିକ ସୁବିଧା ଦିଆଯାଇ ପାରିବ ଏବଂ ସେ ଯେ ସେଥିରୁ ଉପକୃତ ହେଲା, ତାହା ଜଣା ପଡିବ । ନଚେତ ଗରିବ ପରିବାର ସେମିତି ସରକରୀ ସୁବିଧା ପାଇବାକୁ ଗରିବ ହୋଇ ରହିବାକୁ ଗର୍ବ ଅନୁଭବ କରିବ । ସତେ ଯେପରି ଗରିବୀ ଏକ ବ୍ୟବସାୟ । ପ୍ରତିବର୍ଷ ଅଧିକରୁ ଅଧିକ ଗରିବ ହୋଇ ଅଧିକ ସୁବିଧା ନେବାକୁ ନିଜର ଅଧିକାର ବୋଲି ଧରିନେବ । ମାତ୍ର ଏହି କାମ ଏତେ ସହଜ ନୁହେଁ । କାରଣ, ଭୋଟ ବ୍ୟାଙ୍କ ସୃଷ୍ଟି ହୋଇପାରିବ ନାହିଁ । ଆମ ନେତାଙ୍କର ସ୍ଲୋଗାନ ହେଲା ଗରିବ କରି ରଖିବା ମୋର ଏକମାତ୍ର ନିର୍ବାଚନ ଇସ୍ତାହାର, ଯିଏ ଯେତେ ଦେବ, ତାର ଭୋଟ ସେତେ ବଢିବ । ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୭୦୦୮୪୫୬୧୬୦
୯୪୩୯୬୫୨୩୨୨

Leave a Reply

Your email address will not be published. Required fields are marked *