ସ୍ୱର୍ଗରେ ଅଘଟଣ!

ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଦିନକ ଆଗରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଲା ପରଦିନ ଟିଭି ପରଦାରେ ଦେଖିଲି ଯେ, ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ସାରା ପୁରୀ ସହରରେ ପ୍ରବଳ ହଙ୍ଗାମା ହୋଇ ଯାଇଛି । ଲୋକମାନେ ହିଂସ୍ର ଭଳି ହୋଇ ଧାଡ଼ି ପାଇଁ ଥିବା ବ୍ୟାରିକେଡ଼୍ ସମେତ ମନ୍ଦିର ଅଫିସ୍, ପୁରୀ ଥାନା ଓ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନରେ ପଶି ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ଏହି ସମୟରେ ପୁରୀରେ ଉପସ୍ଥିତ ଥିବା ରାଜ୍ୟ ଭିତର ଓ ବାହାରର ଅନେକ ଶ୍ରଦ୍ଧାଳୁ ଅକଥନୀୟ ଅସୁବିଧା ଭୋଗିବା ସଙ୍ଗେସଙ୍ଗେ ମାନସିକ ସ୍ତରରେ ନିଶ୍ଚୟ ଭୟଭୀତ ହୋଇ ପଡ଼ିଥିବେ ଓ ତାଙ୍କର ଏହି ନକରାତ୍ମକ ମନୋଭାବ ସେମାନେ ନିଜ ଅଂଚଳକୁ ଫେରିଲା ପରେ ଲୋକ ମୁଖରେ ନିଶ୍ଚୟ ପ୍ରଚାରିତ ହେବ । ପୁରୀରୁ ଆସିବା ଆଗରୁ ମୁଁ ବନାରସ, ଏହ୍ଲାବାଦ୍, ଗୟା ଓ ବଦ୍ରୀନାଥ ଦର୍ଶନ କରିବାକୁ ଯାଇଥିଲି । ପୁରୀ ଭଳି ମନ୍ଦିର ଓ ମନ୍ଦିର ସମ୍ମୁଖ ଦାଣ୍ଡର ବିଶାଳତା ଅନ୍ୟ କେଉଁ କ୍ଷେତ୍ରରେ ନାହିଁ । କାଶୀରେ ଦର୍ଶନ ପାଇଁ ଅତି ଅଣ ଓସାରିଆ ଗଳିରେ ଉଚ୍ଚା ନୀଚା ବାଟ ଦେଇ ଯିବାକୁ ପଡ଼େ । ଏହା ସତ୍ୱେ ଆମେ ବୟସ୍କ ଓ ଭିନ୍ନକ୍ଷମ ହୋଇଥିବାରୁ ଆମେ ମାଗିବା ଆଗରୁ ସେମାନେ ଆମ୍କୁ ହୁଇଲ୍ ଚେୟାର ଯୋଗାଇ ଦେଲେ ଓ ଦର୍ଶନ ପୂଜା ଆଦି ଅଳ୍ପ ସମୟ ମଧ୍ୟରେ ହୋଇଗଲା । ସେହିଭଳି ଗୟା, ଆହ୍ଲାବାଦ୍ ଓ ବାରଣାସୀ ରେଳ ଷ୍ଟେସନରେ ଅତି ସହଜରେ ହୁଇଲ୍ ଚେୟାର ମିଳିଗଲା ଓ ଅତି ଦୁର୍ଗମ ସ୍ଥାନ ବଦ୍ରୀନାଥରେ ମଧ୍ୟ ଦର୍ଶନ ପାଇଁ ବେଶ ସାହାଯ୍ୟ ଓ ସହାନୁଭୂତି ମିଳିଲା ।
ଏହିସବୁ ତୀର୍ଥଧାମରୁ ଫେରି ଆମ ରାଜ୍ୟ ଭୁବନେଶ୍ୱରରେ ପହଂଚିବା ବେଳକୁ ସବୁ ଜିନିଷ ଓଲଟି ଗଲା । ଷ୍ଟେସନରୁ ଟ୍ୟାକ୍ସି କରି ଗଲା ବେଳକୁ ବାଟ ବନ୍ଦ । ଗୋଟିଏ ବାଟ ଦେଇ କେବଳ ସାମ୍ବାଦିକ ଓ ବିଚାରପତି ମାନେ ଯିବେ, ଆଉ ଗୋଟିଏ ବାଟରେ କେବଳ ଭିଭିଆଇପି ଲାଲୀବତି ଧାରୀ ମାନେ ଯିବେ । ଆମ ଭଳି ସାଧାରଣ ଲୋକଙ୍କ ଟ୍ୟାକ୍ସି ଅଧ କିମି ଦୂରରେ ରହିଲା । ପୋଲିସ୍ ଡ଼ରରେ ଆଗକୁ ଯିବାକୁ ଚାଳକ ମଙ୍ଗିଲା ନାହିଁ । ଅନେକ ବାଟ ଓ ୨୦/୩୦ ପାହାଚ ଓହ୍ଲାଇ ଅତି କଷ୍ଟରେ ଆମକୁ ଯିବାକୁ ହେଲା । ପ୍ଲାଟଫର୍ମରେ ଦେଖିଲୁ, ହୀରାଖଣ୍ଡ ଏକ୍ସପ୍ରେସ୍ ୪ନମ୍ବର ପ୍ଲାଟଫର୍ମରେ ରହିଛି । ହୁଇଲ୍ ଚେୟାର ଗୋଟିଏ ରୁମ୍ରେ କୁଆଡ଼େ ଚାବି ପଡ଼ି ରହିଛି । ନାଲକୋ ଯୋଗାଇଥିବା ଗାଡ଼ିଟି କେବଳ ୧ ନମ୍ବର ପ୍ଲାଟଫର୍ମରେ ଯିବା-ଆସିବା କରୁଛି । ୧ନମ୍ବର ପ୍ଲାଟର୍ଫର୍ମର ଲିଫ୍ଟଟି ଅଚଳ ହୋଇ ପଡ଼ିଛି । ଅତି କଷ୍ଟରେ ୪୦ ଫୁଟ୍ ଉଚ୍ଚ ଓଭରବ୍ରିଜ୍ ଚଢି ପୁଣି ତଳକୁ ଓହ୍ଲାଇ ୪ନମ୍ବର ପ୍ଲାଟଫର୍ମରେ ପହଂଚିଲୁ । ଏସି ବଗି ଅଧ କିମି ଦୂରରେ ରହିଥାଏ । ନିଜ ସିଟ୍ରେ ବସିଲା ବେଳକୁ ହାଲିଆ ହୋଇ ପଡ଼ିଥିଲୁ ।
ସେଦିନ ସକାଳବେଳା ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ପ୍ରଚଳିତ ପ୍ରଥା ଅନୁସାରେ ପୁରୀ ଦର୍ଶନରେ ଯାଇଥିଲୁ । ଆମେ ଥିଲୁ ମୋଟ ୫ଜଣ । ୨ଜଣ ଭିନ୍ନକ୍ଷମ, ଜଣେ ହୃଦରୋଗୀ ଓ ଅନ୍ୟଜଣେ ବୟସ୍କ ନାଗରିକ । ପୁରୀ ଶ୍ରୀ ମନ୍ଦିର ସାମ୍ନାରେ ପହଂଚିଲା ବେଳକୁ ଦିନ ୨ଟା । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ହେଉଥାଏ । ବଡ଼ଦାଣ୍ଡର ପିଚୁ ଓ ପଥର ନିଅାଁ ଭଳି ଜଳୁଥାଏ । ଜୋତା ଷ୍ଟାଣ୍ଡ ଏମାରମଠ ବାରଣ୍ଡାରୁ ପାଦରେ ଚାଲି ଆସି ଧାଡ଼ିରେ ପହଂଚିଲା ବେଳକୁ ପାଦ ଫୋଟକା ହୋଇଗଲାଣି । ଖାଲି ପାଦରେ ଛିଡ଼ା ହେବା ଭାରି କଷ୍ଟ ହେଉଥାଏ । ଦୁଇଦିନ ଆଗରୁ ଧାଡ଼ି ଦର୍ଶନ କାର୍ଯ୍ୟକାରୀ ହୋଇଛି । ବ୍ୟାରିକେଡ଼ ଆଗରେ ୪ଥର ବୁଲି ଆସିଲା ବେଳକୁ ଅବସ୍ଥା ବାର ବାଜୁଥାଏ । ବ୍ୟାରିକେଡ଼୍ ଉପରେ କିଛି ଅଂଶ ତାରପୋଲିନ୍ ପଡ଼ିଥାଏ । ବାକି ଅଂଶ ଖାଲିଥାଏ । ତଳେ ଗାଲିଚା ନାହିଁ । ପାଣି ମଧ୍ୟ ପକାଇବାର ବ୍ୟବସ୍ଥା ନାହିଁ । ଯେଉଁମାନେ ତିରୁପତି କିମ୍ବା ସିରିଡ଼ି ଭଳି ସ୍ଥାନରେ ଧାଡ଼ିରେ ଦର୍ଶନ କରିବାକୁ ଯାଇଛନ୍ତି, ଦେବସ୍ଥାନ ପକ୍ଷରୁ ଧାଡ଼ିରେ କିଭଳି ସୁବନେ୍ଦାବସ୍ତ କରାଯାଇଥାଏ, ତାହା ଦେଖିଥିବେ । ତଳେ ମୋଟା ଗାଲିଚା ପଡ଼ିଥାଏ । ବଡ଼ବଡ଼ କୁଲର ଲାଗିଥାଏ । କ୍ଲାନ୍ତ ହେଲେ ବସିବାକୁ ବେଂଚର ବ୍ୟବସ୍ଥା । ଟୟେଲେଟ୍, ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ଥାଏ । ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ । ପୁରୀରେ ଏସବୁ ସ୍ୱପ୍ନ । ନା ଅଛି ହୁଇଲ୍ ଚେୟାର ବ୍ୟବସ୍ଥା ନା ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା? ଧାଡ଼ି ଦର୍ଶନ ବିରୁଦ୍ଧରେ ଗଣ୍ଡଗୋଳ ପରେ ଯେଉଁ ନୂଆ ନିୟମ କାର୍ଯ୍ୟକାରୀ ହେଲା, ତାହା ଆହୁରି ବିପର୍ଯ୍ୟୟକୁ ଡ଼ାକି ଆଣିଛି । ସ୍ଥାନୀୟ ଲୋକଙ୍କ ପାଇଁ ଅହୋରାତ୍ର ସ୍ୱତନ୍ତ୍ର ଦର୍ଶନ ସୁବିଧା ଦିଆଯିବ । କାରଣ ଜଗନ୍ନାଥ ପୁରୀର ଠାକୁର । ସେମାନେ ସ୍ଥାନୀୟ ଲକେ । ନିଜର ଦାବି ପୂରଣ ପାଇଁ ଗଣ୍ଡଗୋଳ କରି ପାରନ୍ତି । ଅଫିସ୍ରେ ଧସେଇ ପଶି ପାରନ୍ତି । ଏଭଳି ଏକ ଆଦେଶ କର୍ମକର୍ତାଙ୍କର ସଂପୂର୍ଣ୍ଣ ଆତ୍ମସମର୍ପଣ ବୋଲି ଧରା ଯାଇପାରେ ।
ସାମ୍ୟ ହିଁ ଶ୍ରୀକ୍ଷେତ୍ରର ସବୁଠାରୁ ଶ୍ରେଷ୍ଠ ନିଦର୍ଶନ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ଏକ ହୋଇ ଯାଆନ୍ତି । ଆନନ୍ଦ ବଜାରରେ ମିଶି ମହାପ୍ରସାଦ ଖାଆନ୍ତି । ସଥିପାଇଁ ସେ ଜଗତର ନାଥ ଜଗନ୍ନାଥ । ତାଙ୍କୁ ପୁରୀ ନାଥରେ ପରିଣତ କରାଇ ଓଡ଼ିଆ ଜାତିକୁ ଲଜ୍ଜିତ କରାଇଛନ୍ତି ।
ପୁରୀର ଶ୍ରୀକ୍ଷେତ୍ର ହେଉଛି ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଧର୍ମାନୁଷ୍ଠାନ । ଏହାର ପରିଚାଳନା ଦାୟିତ୍ୱ ଧର୍ମାଚାର୍ଯ୍ୟ ଓ ବରିଷ୍ଠ ସେବାୟତ ମାନଙ୍କ ହାତରେ ରହିବା ଉଚିତ । ପ୍ରଶାସକ ମାନଙ୍କୁ ସର୍ବେସର୍ବା କରି ସେମାନେ ଏହାକୁ ଏକ ସଚିବାଳୟରେ ପରିଣତ କରି ଦେଲେଣି । ଏହି ଅଂହକାରୀ ପ୍ରଶାସକ ମାନେ ନିଜକୁ ସର୍ବଜ୍ଞ ବୋଲି ଭାବୁଛନ୍ତି । ତାଙ୍କ ସହ ଯୁକ୍ତି କଲେ ୩୦୭ ଧାରା ଲଗାଉଛନ୍ତି । ପଳାତକ ଘୋଷଣା କରୁଛନ୍ତି । ସଂପତି ନିଲାମ କଲା ଭଳି ପଦକ୍ଷେପ ନେଉଛନ୍ତି । ପେଟ ପାଟଣା ପାଇଁ ବିକଳ ହେଉଥିବା ସେବାୟତ ମାନଙ୍କୁ ତାତ୍ସଲ୍ୟ କରୁଛନ୍ତି । ଦାନଦକ୍ଷିଣାକୁ ନିଷେଧ କରୁଛନ୍ତି । ଥରେ ପେଟରେ ଲାତ ବାଜିଲେ ମଣିଷର କି ଅବସ୍ଥା ହୁଏ, ତାହା ସେ ବାବୁମାନେ ବୁଝି ପାରିବେ ନାହିଁ । ସେଇଥିପାଇଁ ବିଭ୍ରାଟ ପରେ ବିଭ୍ରାଟ ଲାଗି ରହିଛି ।
ଏହା ଅତି ସାଧାରଣ ସମାଧାନଟି । ଯଦି ପୁରୀ ଲୋକମାନେ ନିତି ଦର୍ଶନ ପାଇଁ ଏତେ ବ୍ୟାକୁଳ, ତାହେଲେ ସକାଳ ୭ଟା ପର୍ଯ୍ୟନ୍ତ ଖୋଲା ଦର୍ଶନ କରାଯାଇ ତାହାରି ମଧ୍ୟରେ ପୁରୀ ଲୋକମାନେ ତାଙ୍କ ଦର୍ଶନ କାମ ସାରି ଦିଅନ୍ତୁ । ୭ଟା ପରେ ଧାଡ଼ି ଦର୍ଶନ ଆରମ୍ଭ ହେଉ । ତାହେଲେ ଧାଡ଼ି ଦର୍ଶନ ନେଇ ଉଠୁଥିବା ବିବାଦ ସ୍ୱଂୟ ସମାଧାନ ହୋଇଯିବ ।
ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ଉମରକୋଟ, ନବରଙ୍ଗପୁର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.